ସ୍ବରାଜ ମିଶ୍ର
ଧର୍ମପଦ, ବାଜିରାଉତର ମାଟି ଓଡ଼ିଶା। ଏଠାରେ କିଶୋର ବୟସର ପିଲାଏ ସାଧୁତା ଓ ନିଷ୍ଠାର ସହ ଯେଭଳି ମହତ୍ କାର୍ଯ୍ୟ କରିଯାଇଛନ୍ତି, ତା’ର ତୁଳନା ନାହିଁ। ତେବେ ବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଏଇ ମାଟିର ଜଣେ ପିଲା ମାତ୍ର ୧୫ ବର୍ଷ ବୟସରେ ନିଜ ଉଦ୍ୟମରେ ଏକ ଅଭିନବ ସାମାଜିକ ଆନ୍ଦୋଳନ ଆରମ୍ଭ କରିଥିଲା, ଯାହା ଆଜି ବି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସକ୍ରିୟ ଅଛି। ନିଜର ଉଚ୍ଚ ଆଦର୍ଶ ଓ ନିଷ୍ଠାପର ଉଦ୍ୟମ ବଳରେ ସେ ହୋଇଥିଲେ ସଭିଙ୍କର ପ୍ରିୟ। ପିଲାଠାରୁ ବୁଢ଼ା ସଭିଏଁ ତାଙ୍କୁ ଡାକୁଥିଲେ ‘ଭାଇ’। ତାଙ୍କ ନାଁ ‘କୁମାରଭାଇ’। ମାତ୍ର ୪୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିବା ଏହି କ୍ଷଣଜନ୍ମା ମହାପୁରୁଷଙ୍କ ଜୀବନ କାହାଣୀ ଯେତିକି ବୈଚିତ୍ର୍ୟମୟ, ସେତିକି ପ୍ରେରଣାପ୍ରଦ।
୧୯୪୭ ମସିହା ଏପ୍ରିଲ ମାସ ୮ ତାରିଖ ରାତିରେ ଢେଙ୍କାନାଳ କଚେରି ପାଖର ଏକ ଛୋଟିଆ ଚାଳଘରେ ବାପା ଶ୍ୟାମସୁନ୍ଦର ଓ ମା’ ପୁଣ୍ୟପ୍ରଭା ଦେବୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ନେଇଥିଲା ପୁଅଟିଏ। ଏକୋଇଶିଆରେ ଅଜା ନୀଳମଣି ଧଳ ଛୁଆଟିର ନାଁ ରଖିଥିଲେ ଗୌରୀଶଙ୍କର, ଡାକ ନାଁ- ଲାଟୁ। ପିଲାଟି ମାତ୍ର ୯ ମାସର ହୋଇଥିବା ବେଳେ ସର୍ପାଘାତରେ ମା’ ପୁଣ୍ୟପ୍ରଭା ଆଖି ବୁଜିବାରୁ ତାକୁ କୋଳରେ ତୋଳିନେଲେ ପୁଣ୍ୟପ୍ରଭାଙ୍କର ପାଳିତା ମା’ ରେବା। ସେ ଥିଲେ ଭକ୍ତକବି ମଧୁସୂଦନ ରାଓଙ୍କ ଝିଆରୀ ତଥା ଓଡ଼ିଶାରେ ନାରୀଶିକ୍ଷାର ଅନ୍ୟତମ ଆଦ୍ୟ ପ୍ରବକ୍ତା ଶ୍ରୀମତୀ ରେବା ରାୟ। ତାଙ୍କରି ତତ୍ତ୍ବାବଧାନରେ ଯାଜପୁରର ଗୁହାଳି ଗ୍ରାମରେ ବଢ଼ିଥିବା ଲାଟୁ ପାଠପଢ଼ା ପାଇଁ ଆସିଲେ କଟକ। କନ୍ଭେଣ୍ଟ୍ରେ ତାଙ୍କ ନାମ ଲେଖାଗଲା ବେଳେ ଅଜା ତାଙ୍କର ନାମ ଲେଖିଲେ ରାମକୃଷ୍ଣ। କାରଣ, ଥରେ ଅଜାଙ୍କ କୋଳରେ ବସି ରାମକୃଷ୍ଣ ପରମହଂସଙ୍କର ଜୀବନୀ ଶୁଣି ସେ ଅଳି କରି କହିଥିଲେ- ‘‘ମୋ ନାଁ ରାମକୃଷ୍ଣ ରହିବ।’’ ତେବେ ଖୁବ୍ ଶୀଘ୍ର ଏହି ନାମ ପରିବର୍ତ୍ତେ ସେ ପରିଚିତ ହୋଇଗଲେ ‘କୁମାରଭାଇ’ ନାମରେ।
ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ତାଙ୍କ ସଂପର୍କରେ କହନ୍ତି, ‘‘ଶୈଶବରୁ ପୂଜ୍ୟା ରେବା ରାୟ ତାଙ୍କୁ ଏପରି ପରିବେଶରେ ବଢ଼ାଇଥିଲେ ଯେ କିଶୋର ଅବସ୍ଥାରୁ ହିଁ କୁମାରଭାଇ ସତ୍ୟ-ଶିବ-ସୁନ୍ଦରଙ୍କ ଆରାଧନାରେ ତନ୍ମୟ ହୋଇଗଲେ। ସମଗ୍ର ବିଶ୍ବରେ ମାନବ ଜୀବନର ସବୁ କ୍ଷେତ୍ରରେ ସେହି ସତ୍ୟ-ଶିବ-ସୁନ୍ଦରଙ୍କର ଶୋଭନୀୟ ସ୍ବରୂପ କିପରି ପ୍ରସ୍ଫୁଟିତ ହେବ, ଏହା ହିଁ ହେଲା ତାଙ୍କ ଜୀବନର ଏକମାତ୍ର ଧ୍ୟେୟ।’’ କୁମାରଭାଇ କଟକ ପରେ ଭୁବନେଶ୍ବର କନ୍ଭେଣ୍ଟ୍ରେ ବୋର୍ଡିଂରେ ରହି ପାଠ ପଢ଼ିଥିଲେ। ପଢ଼ାରେ ଖୁବ୍ ଭଲ କରିବା ସହିତ ସଂଗୀତ, ଅଭିନୟ ଆଦିରେ ତାଙ୍କର ଥିଲା ଅପୂର୍ବ ଦକ୍ଷତା । ତେବେ ତାଙ୍କୁ ୧୧/୧୨ ବର୍ଷ ହୋଇଥିବା ବେଳେ ମାତ୍ର କିଛି ମାସ ବ୍ୟବଧାନରେ ସେ ବାପା ଶ୍ୟାମସୁନ୍ଦର ଓ ପାଳିତା ଆଈ ରେବା ରାୟଙ୍କୁ ହରାଇଲେ। ସେହି କିଶୋର ବୟସରେ ସେ ଜଣେ ହିତୈଷୀଙ୍କ ପରାମର୍ଶକ୍ରମେ ଚଳଚ୍ଚିତ୍ରରେ ଅଭିନୟ କରିବା ଆଶାରେ ବମ୍ବେ ଆସିଲେ। ସେଠାରେ ପେଟ ପୋଷିବା ପାଇଁ କୁମାରଭାଇ ନାଟକରେ ଅଭିନୟ କଲେ। କିନ୍ତୁ ବମ୍ବେର ଏକ ଗଣେଶ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା।
ଏହି କାର୍ଯ୍ୟକ୍ରମରେ ଜଣେ ନର୍ତ୍ତକୀଙ୍କର ଉତ୍ତେଜକ, ଅର୍ଦ୍ଧ ଉଲଗ୍ନ ନୃତ୍ୟ ଦେଖି ସେ ମଞ୍ଚ ଉପରକୁ ଉଠିଯାଇ ଏଭଳି କୁରୁଚିପୂର୍ଣ୍ଣ, ଅଶୋଭନୀୟ ନୃତ୍ୟ ବନ୍ଦ କରିବାକୁ ଅନୁରୋଧ କଲେ। ଲୋକେ କିଛି ନଶୁଣି ତାଙ୍କ ଉପରକୁ ଟେକା ପକାଇବା ଆରମ୍ଭ କଲେ। ଭାଇଙ୍କ ମୁଣ୍ଡରୁ ରକ୍ତ ଝରୁଥାଏ। ତଥାପି ସେ ଦୃଢ କଣ୍ଠରେ କହିଚାଲିଲେ- ‘‘ମୋତେ ପଛେ ମାରିଦିଅ, କିନ୍ତୁ ଏଭଳି ନୃତ୍ୟ ବନ୍ଦକର।’’ ଆୟୋଜକମାନେ ତାଙ୍କୁ ମଞ୍ଚ ଛାଡ଼ି ଚାଲିଯିବାକୁ ଧମକ ଦେଉଥାନ୍ତି। କିନ୍ତୁ କିଛିକ୍ଷଣ ପରେ ବିମଳା ନାମ୍ନୀ ସେଇ ନର୍ତ୍ତକୀ ଚାଦରଟିଏ ଢାଙ୍କି ହୋଇ ମଞ୍ଚକୁ ଆସି ଭାଇଙ୍କ ପାଦଛୁଇଁ କହିଲେ, ‘‘ଆପଣ ଏଠାରୁ ଚାଲିଯାନ୍ତୁ। ମୁଁ ଶପଥ କରୁଛି, ଆଉ ଜୀବନରେ ଏଭଳି ନୃତ୍ୟ କରିବି ନାହିଁ।’’
ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଏକ ସଭାରେ କୁମାରଭାଇଙ୍କ ଭାଷଣ ଶୁଣି ଏତେ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ସଭା ପରେ ତାଙ୍କୁ ଭେଟି ଘରକୁ ନିମନ୍ତ୍ରଣ କଲେ। ତାଙ୍କ ଆଗରେ କାନି ପାତି ଦେଇ ଭିକ୍ଷା ମାଗିଲେ- ‘‘ତୁମେ ଏକ ସଂଗଠିତ ଆନ୍ଦୋଳନ ଆରମ୍ଭ କର।’’
ଭାଇଙ୍କ ଆଖିରେ ଆନନ୍ଦାଶ୍ରୁ। ସେ ମଞ୍ଚରୁ ଓହ୍ଲାଇ ଆସିଲେ। କିନ୍ତୁ ଏବେ ତାଙ୍କ ଜୀବନର ବ୍ରତ ହେଲା ଅଶୋଭନୀୟ ରଚନା ଓ ପ୍ରଦର୍ଶନ ଆଦି ବିରୋଧରେ ଜନସଚେତନତାର ପ୍ରସାର। ଏଥିପାଇଁ ସେ ଓଡ଼ିଶା ଫେରି ବିଭିନ୍ନ ସଭାସମିତିରେ ବୁଲି ବୁଲି ଭାଷଣ ଦେଲେ। ଲୋକେ ତାଙ୍କୁ ଗୁରୁତ୍ବ ଦେଉ ନଥାନ୍ତି। ଜଣେ ଚଉଦ ପନ୍ଦର ବର୍ଷ କିଶୋରର କଥା କିଏ ବା କାହିଁକି ଶୁଣନ୍ତା! କିନ୍ତୁ ଆଶ୍ଚର୍ଯ୍ୟ, ତତ୍କାଳୀନ ଓଡ଼ିଶାର ଜଣେ ଜଣାଶୁଣା ବ୍ୟକ୍ତିତ୍ବ, ଦେଶସେବୀ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଏକ ସଭାରେ କୁମାରଭାଇଙ୍କ ଭାଷଣ ଶୁଣି ଏତେ ପ୍ରଭାବିତ ହୋଇ ପଡ଼ିଲେ ଯେ ସଭା ପରେ ତାଙ୍କୁ ଭେଟି ଘରକୁ ନିମନ୍ତ୍ରଣ କଲେ। ତାଙ୍କ ଆଗରେ କାନି ପାତିଦେଇ ଭିକ୍ଷା ମାଗିଲେ- ‘‘ତୁମେ ଏକ ସଂଗଠିତ ଆନ୍ଦୋଳନ ଆରମ୍ଭ କର।’’
କୁମାରଭାଇ ହଡ଼ବଡ଼େଇ ଯାଇ କହିଲେ- ‘‘ମୁଁ ଛୋଟ ପିଲାଟିଏ, ମୋ କଥା କିଏ ବା ଶୁଣିବ?’’ ଉତ୍ତରରେ ଚିରବିନୟୀ ଲକ୍ଷ୍ମୀନାରାୟଣବାବୁ କହିଲେ-‘‘ମୁଁ ହିଁ ତୁମର ପ୍ରଥମ ଶିଷ୍ୟ ହେବି।’’ ୧୯୬୨ ମସିହା ଏପ୍ରିଲ ୮ ତାରିଖରେ ଭାଇଙ୍କୁ ପନ୍ଦର ପୂରି ଷୋହଳ ପଶିବ। ଲକ୍ଷ୍ମୀନାରାୟଣବାବୁ ସେହିଦିନକୁ ଅଶୋଭନୀୟ ସାହିତ୍ୟ, କଳା ଓ ଚଳଚ୍ଚିତ୍ର ନିରୋଧ ଆନ୍ଦୋଳନର ପ୍ରତିଷ୍ଠା ଦିବସ ଭାବେ ପାଳନ କରିବା ପାଇଁ କଟକ ଶ୍ରୀରାମଚନ୍ଦ୍ର ଭବନରେ ଏକ ସଭା ଆୟୋଜନ କଲେ। ସେଦିନର ସଭାରେ ସଭାପତି ଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଖ୍ୟାତ ବୈଜ୍ଞାନିକ ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜା। ଦୁଇପାଖରେ ସତୁରି ବର୍ଷରୁ ଊର୍ଦ୍ଧ୍ବ ଦୁଇ ବର୍ଷୀୟାନ୍ ମହାନ୍ ବ୍ୟକ୍ତିତ୍ବଙ୍କ ମେଳରେ ଷୋହଳ ବର୍ଷରେ ପାଦ ଦେଉଥିବା ତରୁଣ କୁମାରଭାଇଙ୍କ ପାଇଁ ତାହା ଥିଲା ଏକ ଐତିହାସିକ ମୂହୁର୍ତ୍ତ। ସାରା ବିଶ୍ବରେ ପ୍ରଚାରିତ ହେବାକୁ ଥିବା ଅଶୋଭନୀୟତା ନିରୋଧ ଆନ୍ଦୋଳନର ସେଇଠି ଶୁଭ ଦିଆଗଲା। ଖୁବ୍ କମ୍ ବୟସରେ ସେ ଦେଶର ବହୁ ମାନ୍ୟଗଣ୍ୟ ନେତାଙ୍କୁ ଭେଟିଛନ୍ତି। ବିନୋବାଜୀ, କେ ଏମ୍ ମୁନ୍ସୀ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍, ମୋରାର୍ଜୀ ଦେଶାଇ, ଜବାହର୍ଲାଲ୍ ନେହେରୁ ଓ ଶାସ୍ତ୍ରୀଜୀଙ୍କ ଭଳି ବହୁ ନେତାଙ୍କୁ ଭେଟି ଏହି ଆନ୍ଦୋଳନ ପ୍ରତି ସେମାନଙ୍କର ସମର୍ଥନ ଜୁଟାଇଛନ୍ତି। ପାର୍ଲାମେଣ୍ଟ୍ ସଦସ୍ୟମାନଙ୍କୁ ଭେଟି ଅଶ୍ଳୀଳ ସାହିତ୍ୟ ବିରୁଦ୍ଧରେ ବିଲ୍ ପାସ୍ କରାଇଛନ୍ତି। ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ପିଲାଙ୍କୁ ବୁଝାଇଛନ୍ତି।
ଏହି ଆନ୍ଦୋଳନକୁ ଆଗକୁ ନେବା ପାଇଁ ତାଙ୍କୁ ପ୍ରେରଣା ଓ ଆଶୀର୍ବାଦ ଦେଇଛନ୍ତି ରମାଦେବୀଙ୍କଠାରୁ ଆରମ୍ଭ କରି ଆଚାର୍ଯ୍ୟ ହରିହରଙ୍କ ପର୍ଯ୍ୟନ୍ତ। ତାଙ୍କର ଆଦର୍ଶ ଓ ନିଷ୍ଠା ଦେଖି ଆଚାର୍ଯ୍ୟେ ଅଭିଭୂତ ହୋଇ କହିଥିଲେ- ‘‘ଶ୍ରୀମାନ୍ କୁମାରଭାଇଙ୍କର ବୟସ ଅଠର ପୂରି ଊଣେଇଶି ଚାଲିଲେ ବି ତାଙ୍କର ଯେଉଁ ପୋଖତ ଜ୍ଞାନର ପରିଚୟ ମୁଁ ପାଇଚି, ତାହା ମୋତେ ନଚିକେତାର ସ୍ମରଣ କରାଇଦିଏ।’’ କୁମାରଭାଇଙ୍କର ବିବାହ ହୋଇଥିଲା ଶାରଦା ଦେବୀଙ୍କ ସହ ଏବଂ ସେ ତିନୋଟି ଝିଅ ଓ ଗୋଟିଏ ପୁଅଙ୍କ ଜନକ ହେଲେ। କିନ୍ତୁ ଦୁର୍ଭାଗ୍ୟର କଥା, ୪୬ ବର୍ଷ ପୂରିବାର ଠିକ୍ ଦୁଇମାସ ପରେ ୧୯୯୩ ମସିହା ଜୁନ ୯ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଲେ। ତାଙ୍କ ଅବର୍ତ୍ତମାନରେ ମଧ୍ୟ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ଯାତ୍ରା ଅବଦମିତ ଭାବେ ଆଗେଇ ଚାଲିଛି। ବର୍ଷ ମାସ ଦିନ ଦଣ୍ଡରେ ନୁହେଁ, କର୍ମରେ ହିଁ ଜୀବନ ଜିଇଛନ୍ତି ସେ। ୮ ଏପ୍ରିଲ ଜୟନ୍ତୀ ଅବସରରେ ସେହି ଯୁଗପୁରୁଷଙ୍କୁ କୋଟି କୋଟି ପ୍ରଣାମ।