ସ୍ବରାଜ ମିଶ୍ର
ଆମ ଓଡ଼ିଶା ଭୂଇଁର ସବୁଠୁ ବଡ଼ ବିଶେଷତ୍ବ ହେଲା ଏହାର ପ୍ରାଚୀନତା। ପାହାଡ଼ପର୍ବତ ଓ ସବୁଜ ବନାନୀ ଘେରା ଏ ରାଇଜର କୋଣେ କୋଣେ ଭରିରହିଛି ରହସ୍ୟମୟ ଓ ବିସ୍ମୟକର କଥା ସବୁ। ଏଠାରେ ଥିବା ତହୁଁବଳି ପୁରୁଣା ମନ୍ଦିର, ପ୍ରାଚୀନ ଶିଳାଲେଖ ବା ପ୍ରାଗୈତିହାସିକ ଚିତ୍ରକଳା କେବଳ ନୁହେଁ, ଭୂବିଜ୍ଞାନ ଦୃଷ୍ଟିକୋଣରୁ ଏଇ ଭୂଖଣ୍ଡର ଅବିଶ୍ବସନୀୟ ପ୍ରାଚୀନତା ଗବେଷକମାନଙ୍କୁ ବିସ୍ମିତ କରେ। ବିଶ୍ବାସ କରିବା କଷ୍ଟ, ମାତ୍ର ପୃଥିବୀ ସୃଷ୍ଟିହେବାର ଆଦ୍ୟକାଳର ଦ୍ବିତୀୟ ସର୍ବପ୍ରାଚୀନ ଶିଳା ଚିହ୍ନଟ ହୋଇଛି ଆମ ରାଜ୍ୟର କେନ୍ଦୁଝର ଜିଲ୍ଲାରେ। ସେଇ ଜିଲ୍ଲାରେ ଥିବା ଅନ୍ୟଏକ ତକିଆ ଲାଭା ଶିଳାକ୍ଷେତ୍ରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ) ଜାତୀୟ ଭୂବୈଜ୍ଞାନିକ ଐତିହ୍ୟସ୍ଥଳୀର ମାନ୍ୟତା ଦେଇଛନ୍ତି।
ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ ରୂପରେ ଥିବା ଆମର ଏଇ ପୃଥିବୀ ଧୀରେ ଧୀରେ ଶୀତଳ ହୋଇ ପ୍ରାୟ ୪୫୪ କୋଟି ବର୍ଷ ତଳେ ଗଠିତ ହୋଇଥିଲା ବୋଲି ଅନୁମାନ କରାଯାଏ। ଭୂବିଜ୍ଞାନୀମାନେ ପୃଥିବୀପୃଷ୍ଠର ବିଭିନ୍ନ ଶିଳାଖଣ୍ଡକୁ ଅନୁଧ୍ୟାନ କରି ଆକଳନ କରିବାକୁ ଚେଷ୍ଟା କରନ୍ତି ପୃଥିବୀର ସୃଷ୍ଟି ଓ ବିବର୍ତ୍ତନର ଧାରା। ପୃଥିବୀପୃଷ୍ଠର ସର୍ବପୁରାତନ ଶିଳା ପଶ୍ଚିମ ଅଷ୍ଟ୍ରେଲିଆର ଜାକ୍ ହିଲ୍ରେ ରହିଛି ଏବଂ ଏହାର ବୟସ ପାଖାପାଖି ୪୪୦ କୋଟି ବର୍ଷ ବୋଲି ଆକଳନ କରାଯାଇଛି। ତେବେ ଏହି ଶତାବ୍ଦୀର ଦ୍ବିତୀୟ ଦଶକରେ ମାଲେସିଆର କର୍ଟିନ୍ ବିଶ୍ବବିଦ୍ୟାଳୟ, ଭାରତର କଲିକତା ବିଶ୍ବବିଦ୍ୟାଳୟ ଓ ବେଜିଂର ‘ଚାଇନିଜ୍ ଏକାଡେମି ଅଫ୍ ଜିଓଲୋଜିକାଲ୍ ସାଇନ୍ସେସ୍’ର ଭୂବିଜ୍ଞାନୀମାନଙ୍କର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟରୁ ମିଳିଥିବା ଏକ ଶିଳାଖଣ୍ଡର ବୟସ ପାଖାପାଖି ୪୨୪ କୋଟି ବର୍ଷ। ଗବେଷକ ଡକ୍ଟର ରଜତ ମଜୁମ୍ଦାର ଓ ତ୍ରିସ୍ରୋତା ଚୌଧୁରୀଙ୍କ ଦ୍ବାରା ଏହି ତଥ୍ୟ ୨୦୧୮ରେ ଜର୍ଣ୍ଣାଲ ଅଫ୍ ସାଇଣ୍ଟିଫିକ୍ ରିପୋର୍ଟସ୍ରେ ପ୍ରକାଶିତ ହେବା ପରେ ସାରା ବିଶ୍ବରେ ଆଲୋଡ଼ନ ଖେଳି ଯାଇଥିଲା। କାରଣ ପ୍ରାଚୀନତା ଦୃଷ୍ଟିରୁ ଏହା ଥିଲା ବିଶ୍ବର ଦ୍ବିତୀୟ ସର୍ବପ୍ରାଚୀନ ଶିଳା। ଚୀନର ବେଜିଂ ସ୍ଥିତ ‘ଚାଇନିଜ୍ ଏକାଡେମି ଅଫ୍ ଜିଓଲୋଜିକାଲ୍ ସାଇନ୍ସେସ୍’ର ‘ସେନ୍ସିଟିଭ୍ ହାଇ ରେଜୋଲୁସନ୍ ଆୟନ୍ ମାଇକ୍ରୋପ୍ରୋବ୍’ ପଦ୍ଧତିରେ ଅନୁଧ୍ୟାନ କରି ଏହି ଶିଳାରେ ଥିବା ଜିରକନ୍ ଗ୍ରେନ୍ର ବୟସ ପାଖାପାଖି ୪୨୪ କୋଟି ବର୍ଷ ବୋଲି ନିରୂପିତ ହୋଇଥିଲା।
ଶିଳାଖଣ୍ଡର ବୟସ ନିରୂପଣ ଏକ ଜଟିଳ ପ୍ରକ୍ରିୟା। ଭୂପୃଷ୍ଠରେ ମିଳୁଥିବା ପଥର ଭିତରେ କାହିଁ କେତେ ଯୁଗ ତଳର ଭିନ୍ନ ଭିନ୍ନ ଉପାଦାନ ମିଶି ରହିଥାଏ। କୋଟି କୋଟି ବର୍ଷର ବିବର୍ତ୍ତନ ଭିତରେ ଏଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇସାରିଥାଏ। ଏଣୁ ଶିଳାଖଣ୍ଡ ଭିତରେ ଥିବା ସର୍ବପ୍ରାଚୀନ ଅଂଶଟିର ବୟସ ଅନୁସାରେ ତାହାର ବୟସ ଆକଳନ କରାଯାଏ। ଭୂବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଭାରତୀୟ ଉପମହାଦ୍ବୀପଟି ବିଶ୍ବର ଅନ୍ୟତମ ସର୍ବପ୍ରାଚୀନ ଭୂଖଣ୍ଡ। ପୃଥିବୀପୃଷ୍ଠରେ ସ୍ଥଳଭାଗ ଗଢ଼ି ଉଠିବାର ଆଦ୍ୟକାଳରେ ଏହି ଉପମହାଦ୍ବୀପଟି ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ଆଦି ମହାଦେଶ ସହ ଯୋଡ଼ି ହୋଇ ରହିଥିବାର ବିଶ୍ବାସ କରାଯାଏ। କାଳକ୍ରମେ ଏହି ଭୂଖଣ୍ଡଗୁଡ଼ିକ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଦୂରକୁ ଘୁଞ୍ଚିଯାଇଛି। ଆମର ଜନ୍ମମାଟି ଓଡ଼ିଶା ଏହି ଭାରତୀୟ ଉପମହାଦ୍ବୀପର ପୂର୍ବ ଭାରତୀୟ ଆଦିମହାଭୂଖଣ୍ଡ (ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ରାଟନ୍) ଉପରେ ଅବସ୍ଥିତ। ଏହି ବ୍ଲକ୍ଟି ଅନେକ ଦୃଷ୍ଟିରୁ ବିଶ୍ବର ପ୍ରାଚୀନତମ ଭୂଖଣ୍ଡର ନାଭିକେନ୍ଦ୍ର ରୂପେ ବିବେଚିତ ହୁଏ। ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଅଞ୍ଚଳ ଏହି ପ୍ରାଚୀନତମ ଭୂଖଣ୍ଡର ଅଂଶବିଶେଷ ହୋଇଥିବାରୁ ଏଠାରେ ବିଭିନ୍ନ ବିରଳ ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ଦେଖିବାକୁ ମିଳେ। ବିଶ୍ବର ଦ୍ବିତୀୟ ସର୍ବପ୍ରାଚୀନ ଶିଳା କେନ୍ଦୁଝରରେ ଚିହ୍ନଟ ହେବାପରେ ଏ ଅଞ୍ଚଳର ଭୂବୈଜ୍ଞାନିକ ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି।
ସବୁଜ ବନାନୀ ଓ ବିସ୍ମୟକର ଜୈବ ବିବିଧତାରେ ସଜାଇ ହୋଇଥିବା ଓଡ଼ିଶା ଜନନୀ ଅତି ଯତନରେ ସାଇତି ରଖିଛି ଅସରନ୍ତି ଐଶ୍ୱର୍ଯ୍ୟ ଏଇ ରହସ୍ୟମୟ ଭୂଖଣ୍ଡର ଗମ୍ଭୀରା ଭିତରେ। ଏଇଠି ଲୁଚିଛି ସାରା ପୃଥିବୀର ସୃଷ୍ଟି ରହସ୍ୟ।
ପୂର୍ବରୁ ଏହି ଜିଲ୍ଲାର ଯୋଡ଼ା ବ୍ଲକ୍ର ନମିରା (ଲୋକମୁଖରେ ‘ନମ୍ବିରା’) ଗ୍ରାମରେ ଥିବା ୩୨୦ କୋଟି ବର୍ଷ ପୁରୁଣା ତକିଆ ଲାଭା ଶିଳାକ୍ଷେତ୍ରଟି ଏକ ‘ଜାତୀୟ ଭୂବୈଜ୍ଞାନିକ ସ୍ମାରକ’ ବା ଐତିହ୍ୟସ୍ଥଳୀ ରୂପେ ମାନ୍ୟତା ପାଇଥିବାରୁ ଏହି ଅଞ୍ଚଳର ଗୁରୁତ୍ବ ଆହୁରି ବୃଦ୍ଧି ପାଇଛି। ବିଶିଷ୍ଟ ଭୂବିଜ୍ଞାନୀ ଡକ୍ଟର ମନୋରଞ୍ଜନ ମହାନ୍ତି କହନ୍ତି, ‘‘ତକିଆ ଲାଭା ଶିଳାର ସୃଷ୍ଟିପ୍ରକ୍ରିୟା ଖୁବ୍ କୌତୂହଳପୂର୍ଣ୍ଣ। ପୃଥିବୀରେ ସ୍ଥଳଭାଗ ସୃଷ୍ଟିର ପ୍ରାରମ୍ଭିକ ସମୟରେ ଭୂଅଭ୍ୟନ୍ତରରୁ ଆଗ୍ନେୟ ଉଦ୍ଗୀରଣ ମାଧ୍ୟମରେ ଲାଭା ନିର୍ଗତ ହୋଇ ଜଳଭାଗକୁ ଛୁଇଁଲାମାତ୍ରେ ତାହାର କିଛି ଅଂଶ ତତ୍କ୍ଷଣାତ୍ ଘନୀଭୂତ ହୋଇ ଲାଭାସ୍ରୋତରୁ ଅଲଗା ହୋଇଯାଏ ଏବଂ ବିଭିନ୍ନ ଆକୃତିର ତକିଆ ଶିଳାଖଣ୍ଡମାନ ସୃଷ୍ଟି ହୁଏ। ତକିଆଶିଳାର ଉପରସ୍ତର ଆଗେ ଶୀତଳ ହୋଇ କାଚ ଭଳି ଆସ୍ତରଣ ପାଲଟିଯାଏ। ଶିଳାର ମଧ୍ୟଭାଗରେ ଥିବା ଉତ୍ତପ୍ତ ଗ୍ୟାସ୍ ଏହି ଆସ୍ତରଣ ଫଟାଇ ବୁଦ୍ବୁଦ ଆକାରରେ ବାହାରକୁ ଆସିବା ଫଳରେ ଏଥିରେ ଯେଉଁ ଗର୍ତ୍ତ ସୃଷ୍ଟିହୁଏ ସେଥିରେ କାଳକ୍ରମେ କ୍ବାର୍ଜ ଭଳି ବିଭିନ୍ନ ଖଣିଜ ପଦାର୍ଥ ଭରି ହୋଇଯାଏ।’’
ନମ୍ବିରା ଗାଁରେ ଥିବା ବିଭିନ୍ନ ଆକୃତିର ଏଇ ତକିଆ ଲାଭା ପଥର ଏବେ ଛାତ୍ର ଓ ଗବେଷକମାନଙ୍କ ପାଇଁ କୌତୂହଳର ବସ୍ତୁ ପାଲଟିଛି। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ତରଫରୁ ୧୯୭୬ ଡିସେମ୍ବର ୩୦ରେ ନମ୍ବିରାର ଏଇ ଶିଳାକ୍ଷେତ୍ରକୁ ‘ଜାତୀୟ ଭୂବୈଜ୍ଞାନିକ ସ୍ମାରକ’ ରୂପେ ବିଧିବଦ୍ଧ ଘୋଷଣା କରାଯାଇ ଟାଟା ଆଇରନ୍ ଆଣ୍ଡ୍ ଷ୍ଟିଲ୍ ସହାୟତାରେ ଏଠାରେ ଏକ ମାର୍ବଲ ଫଳକ ସ୍ଥାପିତ ହୋଇଛି। ଏଭଳି ମାନ୍ୟତା ପାଇବାରେ ଏହା ଆମ ରାଜ୍ୟର ଏକମାତ୍ର ସ୍ଥାନ। ଏହାଛଡ଼ା କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ମାରାଡ଼ିହାଲି ଗ୍ରାମରେ ଥିବା ତକିଆ ଲାଭା ଶିଳାକ୍ଷେତ୍ର ମଧ୍ୟ ସର୍ବଭାରତୀୟ ସ୍ତରରେ ଏପରି ମାନ୍ୟତା ପାଇଛି। ୨୦୨୨ ଶେଷ ଭାଗରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତରଫରୁ ଭୂବୈଜ୍ଞାନିକ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସଂସଦରେ ଏକ ଚିଠା ପ୍ରସ୍ତାବ ଅଣାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଏଭଳି କ୍ଷେତ୍ରରେ ଅନୁପ୍ରବେଶ ତଥା ଜବରଦଖଲ ରୋକି ଏହାକୁ ଛାତ୍ର, ଗବେଷକ ତଥା ପର୍ଯ୍ୟଟକଙ୍କ ଅନୁଧ୍ୟାନ ପାଇଁ ଉପଲବ୍ଧ କରାଇବା। ଯଦିଓ ବର୍ତ୍ତମାନ ସୁଦ୍ଧା ନମ୍ବିରାରେ ଥିବା ତକିଆ ଲାଭା କ୍ଷେତ୍ରର ସେଭଳି ରକ୍ଷଣାବେକ୍ଷଣ ହୋଇପାରିନାହିଁ, ଏଥିନେଇ ଧୀରେ ଧୀରେ ସଚେତନତା ଓ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି।
ଓଡ଼ିଶାର ଭୂବୈଜ୍ଞାନିକ ବୈଚିତ୍ର୍ୟ ଅସାଧାରଣ। ଏଠାରେ ମିଳୁଥିବା ବିପୁଳ ପରିମାଣର ଦୁର୍ଲଭ ଖଣିଜ ପଦାର୍ଥ ଓ ରତ୍ନପଥର ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଏଠି ନଦୀବାଲିରୁ ଝରା ସଂପ୍ରଦାୟର ଲୋକେ ଯୁଗ ଯୁଗ ଧରି ସୁନା ଛାଣନ୍ତି। ଦିନେ ଏଠାରେ ପ୍ରଚୁର ପରିମାଣର ହୀରା ମଧ୍ୟ ମିଳୁଥିଲା। ସବୁଜ ବନାନୀ ଓ ବିସ୍ମୟକର ଜୈବ ବିବିଧତାରେ ସଜାଇ ହୋଇଥିବା ଓଡ଼ିଶା ଜନନୀ ଅତି ଯତନରେ ସାଇତି ରଖିଛି ଅସରନ୍ତି ଐଶ୍ୱର୍ଯ୍ୟ ଏଇ ରହସ୍ୟମୟ ଭୂଖଣ୍ଡର ଗମ୍ଭୀରା ଭିତରେ। ଏଇଠି ଲୁଚିଛି ସାରା ପୃଥିବୀର ସୃଷ୍ଟି ରହସ୍ୟ। ଏହି ଅତୁଳନୀୟ ପ୍ରାକୃତିକ ସମ୍ପଦ ଓ ଅମୂଲ୍ୟ ଐତିହ୍ୟର ସୁରକ୍ଷା ସମ୍ପର୍କରେ ଆମେ ସଚେତନ ନହେଲେ ଏହା କେବେ ଯେ ନିଃଶେଷ ଓ ନିଶ୍ଚିହ୍ନ ହୋଇଯିବ, କହିବା ମୁସ୍କିଲ୍।