ସ୍ବରାଜ ମିଶ୍ର

‘‘ସମ୍ମୁଖେ ମୋର ଫାଶୀକାଠ,
ମୃତ୍ୟୁରେ ଆଜି ଶୁଣାଉଚି ମୋର ଜନ୍ମମାଟିର ଜୟପାଠ।’’

ଜୁଲାଇ ୩୧ ତାରିଖରେ ସାରାଦେଶରେ ଅମର ସହିଦ ଉଦ୍ଧାମ ସିଂହଙ୍କ ବଳିଦାନ ଦିବସ ପାଳିତ ହେବା ବେଳେ କୋଟି ଓଡ଼ିଆଙ୍କ ହୃଦୟରେ ଝଙ୍କୃତ ହୁଏ କବି ରାଧାମୋହନ ଗଡ଼ନାୟକଙ୍କ ଏଇ କାଳଜୟୀ କବିତାର ଧାଡ଼ିଗୁଡ଼ିକ। କିନ୍ତୁ ଅନେକେ ଜାଣନ୍ତି ନାହିଁ ଯେ ଲଣ୍ଡନ୍‌ ମାଟିରେ ଉଦ୍ଧାମ ସିଂହଙ୍କ ଅନ୍ୟତମ ପ୍ରେରଣା ଥିଲେ ଜଣେ ଓଡ଼ିଆ। ଲଣ୍ଡନ୍‌ ପହଞ୍ଚିବାର ପ୍ରଥମ କିଛିଦିନ ଭିତରେ ଉଦ୍ଧାମ ଯେଉଁ କେତେଜଣ ଭାରତୀୟଙ୍କ ସହାୟତା ଲୋଡ଼ିଥିଲେ, ତାଙ୍କ ଭିତରେ ଥିଲେ ଜଣେ ଓଡ଼ିଆ, ନାଁ ସୁରତ ଅଲ୍ଲୀ। ସବୁଠାରୁ ଅଧିକ କୌତୂହଳର କଥା ଯେ, ମୁସଲ୍‌ମାନ ନାମଧାରୀ ଏଇ ବ୍ୟକ୍ତିଜଣକ ପ୍ରକୃତରେ ଥିଲେ ଜଣେ କୁଳୀନ ବ୍ରାହ୍ମଣ- ନାଁ ବଂଶୀଧର ମିଶ୍ର, ଯେ କି ସୁରତ ଅଲ୍ଲୀ ଛଦ୍ମନାମରେ ପହଞ୍ଚିଥିଲେ ଲଣ୍ଡନ୍‌ରେ। ସେଠାରେ ନିଜ ସାଙ୍ଗଠନିକ ଦକ୍ଷତା ବଳରେ ସେ ଜଣେ ତୁଙ୍ଗ ଶ୍ରମିକନେତା ହିସାବରେ ପ୍ରତିଷ୍ଠା ଓ ପରିଚିତି ପାଇଥିଲେ। ତାଙ୍କ ଜୀବନ କାହାଣୀ ଯେତିକି  ରହସ୍ୟମୟ, ସେତିକି ରୋମାଞ୍ଚକର।

Advertisment

୧୮୯୯ରେ ଉଦ୍ଧାମ ସିଂହଙ୍କ ଜନ୍ମର ଦୁଇବର୍ଷ ପରେ ୧୯୦୧ ମସିହାରେ ଅବିଭାଜିତ କଟକ ଜିଲ୍ଲାର ସାଲେପୁର ନିଟକବର୍ତ୍ତୀ ଖଣ୍ଡସାହି ଗ୍ରାମର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଲକ୍ଷ୍ମୀଧର ମିଶ୍ର ଓ ପାର୍ବତୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ବଂଶୀଧର। କଟକରେ ସ୍କୁଲ୍‌ଶିକ୍ଷା ଶେଷକରି ସେ ରେଭେନ୍ସାରେ ବିଏସ୍‌ସି ପଢୁଥିବା ସମୟରେ ଗାନ୍ଧୀଜୀଙ୍କ ଡାକରାରେ ପଢ଼ାଛାଡ଼ି ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ। ସାହିତ୍ୟ ପତ୍ରିକା ‘ବାର୍ତ୍ତାଊର୍ମି’ରେ ୧୯୮୭ ଜାନୁଆରିରେ ପ୍ରକାଶିତ ଏକ ସାକ୍ଷାତ୍‌କାରରେ ବଂଶୀଧର କହିଛନ୍ତି, ‘‘ୟଙ୍ଗ୍ ଇଣ୍ଡିଆ ପଢ଼ି ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ବର ସମ୍ପର୍କରେ ଆସିଥିଲି। ୧୯୨୧ରେ ସାବରମତିରେ ପ୍ରଥମେ ତାଙ୍କୁ ଦେଖିବାର ସୁଯୋଗ ପାଇଲି।’’ ପଢ଼ା ଛାଡ଼ିବାପରେ ବଂଶୀଧର କଟକ ଚୌଧୁରୀ ବଜାରରେ ‘ମିଶ୍ର ଷ୍ଟୋର୍‌’ ନାମରେ ଏକ ଡେକ୍‌ଚିବାସନ ଦୋକାନ ଆରମ୍ଭ କରିଥିବାର ଜଣାଯାଏ। ସେହି ଦୋକାନର ଆୟରେ ସେ ‘ଯୁବକ’ ନାମକ ଏକ ପତ୍ରିକା ପ୍ରକାଶ କରୁଥିଲେ। ଏହାର ଲେଖା ଏପରି ରକ୍ତ ତତାଇଦେଲା ଭଳି ଥିଲା ଯେ  ଇଂରେଜ ସରକାର ଏହାର କପିଗୁଡ଼ିକ ବାଜ୍ୟାପ୍ତ କରି ଦେଉଥିଲେ। ଅଳ୍ପକେତୋଟି ସଂଖ୍ୟା ପ୍ରକାଶିତ  ହେବା ପରେ ଆର୍ଥିକ ଅସୁବିଧା କାରଣରୁ ଏହା ବନ୍ଦ ହୋଇଗଲା। ୧୯୨୫ରୁ ୨୭ ଭିତରେ ସେ କିଛି ସଂଗ୍ରାମୀ ଯୁବବନ୍ଧୁଙ୍କ ସହ ନିଜ ଗାଁ ପାଖ ରାଇସୁଙ୍ଗୁଡ଼ାରେ ‘ନିର୍ଭୟ ନିଳୟ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିବା ସହିତ ହରିଜନ ଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ‘ଗଣପତି ବିଦ୍ୟାଳୟ’ ଆରମ୍ଭ କରିଥିଲେ।

ଉତ୍କଳମଣି ଗୋପବନ୍ଧୁ ଥିଲେ ବଂଶୀଧରଙ୍କର ମାର୍ଗଦର୍ଶକ। ତାଙ୍କରି ଆଦର୍ଶରେ ସେ ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ହେବା ସହ ବନ୍ୟାଦୁର୍ଗତଙ୍କ ସେବାକାର୍ଯ୍ୟରେ ମଧ୍ୟ ସାମିଲ  ହୋଇଥିଲେ। ‌ସେ କଥା ମନେପକାଇ ‘ବାର୍ତ୍ତାଊର୍ମି’ ସାକ୍ଷାତ୍‌କାରରେ ସେ କହିଛନ୍ତି, ‘‘ସେ ସମୟରେ ଥରେ ବଢ଼ି ହୋଇଥିଲା। ଦାସେ ଆପଣେ ଓ ଦୀନବନ୍ଧୁ ଆଣ୍ଡୃଜ୍ ସାହେବ ମୋତେ ନିର୍ଭୟ ନିଳୟରେ ନପାଇ ଆମ ଗାଁରେ ଆସି ପହଞ୍ଚିଲେ। ସେଦିନ ରାତିରେ ଆମ ଗାଁ ସ୍କୁଲ୍‌ଘରେ ରହିଥିଲେ। ତାଙ୍କୁ ଆମ ଘରକୁ ନେଇ ନଡ଼ିଆ ଚୁଡ଼ା ଖାଇବାକୁ ଦେଇ ନିଜକୁ କୃତାର୍ଥ ମଣିଥିଲି।’’ ଗୋପବନ୍ଧୁଙ୍କ ନେତୃତ୍ବରେ ସେ ପ୍ରଦେଶ କଂଗ୍ରେସର ସାଂଗଠନିକ ଦାୟିତ୍ବ ନେଇଥିଲେ। ୧୯୨୮ରେ ଗୋପବନ୍ଧୁଙ୍କର ଅଚାନକ ତିରୋଧାନରେ ଖୁବ୍ ଭାଙ୍ଗି ପଡ଼ିଥିଲେ ହେଁ  ସେହିବର୍ଷ ଡିସେମ୍ବରରେ ପ୍ରାୟ ୪୦ଜଣ କର୍ମୀଙ୍କୁ ସାଥିରେ ନେଇ ସେ କଲିକତା କଂଗ୍ରେସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ ନେତାଜୀ ସୁଭାଷ ଓ ବିପ୍ଳବୀ ସୂର୍ଯ୍ୟ ସେନ୍‌ଙ୍କ ସହ ଘନିଷ୍ଠ ସମ୍ପର୍କରେ ଆସିଲେ।

ସେତେବେଳେ ଇଂରେଜ ସରକାର ତାଙ୍କୁ ଢେଙ୍କାନାଳ ଓ ଆଠଗଡ଼ ଛାତ୍ରାବାସ ପୋଡ଼ି, ରେଭେନ୍ସା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୋଡ଼ି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ୟୁନିଅନ୍ ଜାକ୍ ପୋଡ଼ି ଆଦି ବିଭିନ୍ନ ଅଭିଯୋଗରେ ଛନ୍ଦି ଗିରଫ ୱାରେଣ୍ଟ୍‌ ଜାରି କରିଥିବାରୁ ସେ ଛଦ୍ମବେଶରେ କଲିକତା ଯାଇ ସୂର୍ଯ୍ୟ ସେନ୍‌ଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କ ସଂଗଠନରେ ସାମିଲ ହେଲେ। ତେବେ ୧୯୩୦ରେ ଚିଟ୍ଟାଗଙ୍ଗ୍‌ ଅସ୍ତ୍ରାଗାର ଲୁଣ୍ଠନ ପରେ ପୁଲିସ ଧରପଗଡ଼ ଚାଲିବାରୁ ସେ ଆତ୍ମଗୋପନ କରି ବ୍ରହ୍ମଦେଶ ଚାଲିଗଲେ ଏବଂ ସେଠାରେ ଏକ ବନ୍ଦରରେ ଖଲାସୀ କାମ କଲେ। ସେତେବେଳେ ପରିଚୟ ଲୁଚାଇବା ପାଇଁ ମୁସଲ୍‌ମାନଙ୍କ ପରି ଦାଢ଼ି ବଢ଼ାଇ ସେ ନିଜର ନାଁ ରଖିଥିଲେ ଇବ୍ରାହିମ୍‌ ଖାଁ। ତଥାପି ପୁଲିସ ତାଙ୍କର ପିଛା ଛାଡୁ ନଥାଏ। ଏଣୁ ସେ ସୁରତ ଅଲ୍ଲୀ ନାମରେ ପାସ୍‌ପୋର୍ଟ ପ୍ରସ୍ତୁତକରି ଏକ ଜାହାଜର ଖଲାସୀ ହିସାବରେ ଚାଲିଗଲେ ସିଙ୍ଗାପୁର। ସେଠାରେ ସେ ଜାହାଜ କର୍ମଚାରୀଙ୍କ ସ୍ବାର୍ଥ ପାଇଁ ଶ୍ରମିକ ସଂଗଠନର ନେତୃତ୍ବ ନେଲେ ଏବଂ ସାଂଗଠନିକ କାମରେ ଭିନ୍ନ ଭିନ୍ନ ଦେଶକୁ ଯାଇ ଶେଷରେ ପହଞ୍ଚିଥିଲେ ଲଣ୍ଡନ୍‌ରେ। ସେତେବେଳେ ବିଶ୍ବ ଜାହାଜ କର୍ମଚାରୀ ଶ୍ରମିକ ସଂଗଠନର ମୁଖ୍ୟାଳୟ ଲଣ୍ଡନ୍‌ରେ ଥିଲା।  ସେହି ସଂଗଠନର କର୍ମକର୍ତ୍ତାଙ୍କ ଅନୁରୋଧରେ ସେ ତାହାର ସାଂଗଠନିକ ଦାୟିତ୍ବ ନେଲେ ଏବଂ ଧୀରେ ଧୀରେ ଲଣ୍ଡନ୍‌ର ରାଜନେତା ଓ ପଦାଧିକାରୀଙ୍କ ସମ୍ପର୍କରେ ଆସି ଏକ ନୂଆ ପରିଚିତି ପାଇଲେ। ତାଙ୍କରି ଉଦ୍ୟମରେ ଇଂଲଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟ ଶ୍ରମିକଙ୍କ ସ୍ବାର୍ଥରକ୍ଷା ଲାଗି  ଗଠିତ ‘ଇଣ୍ଡିଆନ୍‌ ୱାର୍କରସ୍ ଆସୋସିଏସନ୍’ ପ୍ରବାସରେ ଥିବା ଭାରତୀୟ ସ୍ବାଧୀନତା ସଂଗ୍ରାମୀ ତଥା ଉପନିବେଶବାଦ ବିରୋଧୀମାନଙ୍କ ଭିତରେ ସହଯୋଗ ଓ ମତବିନିମୟ ପାଇଁ ଏକ ନୂଆ ମଞ୍ଚ ପାଲଟିଲା ଏବଂ ପୂର୍ବଲଣ୍ଡନ୍‌ର ପପ୍‌ଲାର୍‌ କାଉଣ୍ଟିରେ ଥିବା ତାଙ୍କ ବାସଗୃହ ପାଲଟିଗଲା ସ୍ଥାନୀୟ କମ୍ୟୁନିଷ୍ଟ ନେତା ଓ ବୁଦ୍ଧିଜୀବୀମାନଙ୍କ ନିତିଦିନିଆ ବୈଠକଖାନା।

ସଂଗ୍ରାମୀ ଉଦ୍ଧାମ ସିଂହ ଜାଲିଆନ୍‌ୱାଲାବାଗ୍‌ ନରସଂହାରର ଅନ୍ୟତମ ସୂତ୍ରଧର ପଞ୍ଜାବର ପୂର୍ବତନ ଲେଫ୍ଟ୍‌ନାଣ୍ଟ୍‌ ଗଭର୍ଣ୍ଣନର୍‌ ମାଇକେଲ୍‌ ଓ’ଡାୟାର୍‌ଙ୍କ ଉପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଲଣ୍ଡନ୍‌ରେ ପହଞ୍ଚିବା ପରେ ସହାୟତା ପାଇଁ ଭେଟିଥିଲେ ସୁରତ ଅଲ୍ଲୀଙ୍କ ସମେତ କିଛି ପ୍ରଭାବଶାଳୀ ଭାରତୀୟଙ୍କୁ। ୧୯୪୦ ମାର୍ଚ୍ଚ ୧୩ ତାରିଖରେ କାକ୍ସଟନ୍ ହଲ୍‌ରେ ଭାଷଣ ଦେଇ ଓ’ଡାୟାର୍ ମଞ୍ଚରୁ ଓହ୍ଲାଇବା ବେଳେ ଉଦ୍ଧାମ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପରେ ସୁରତ ଅଲ୍ଲୀ ଏବଂ ଅନ୍ୟ  ଯେଉଁମାନେ ଉଦ୍ଧାମଙ୍କ ସମ୍ପର୍କରେ ଥିଲେ ସମସ୍ତଙ୍କୁ ପୁଲିସ ଜେରା କରିଥିଲା। ସୁରତଙ୍କ ଘର ଖାନତଲାସ ହୋଇଥିଲେ ମଧ୍ୟ ସେଠାରୁ କୌଣସି ପ୍ରମାଣ ମିଳି ନଥିଲା। ୨୦୨୧ରେ ମୁକ୍ତିଲାଭ କରିଥିବା ସୁଜିତ ସରକାର ନିର୍ଦ୍ଦେଶିତ ତଥା ଭିକି କୌଶଲ୍ ଅଭିନୀତ  ଐତିହାସିକ ଚଳଚ୍ଚିତ୍ର ‘ସର୍ଦ୍ଦାର ଉଦ୍ଧାମ’ରେ ସୁରତ ଅଲ୍ଲୀଙ୍କ ଚରିତ୍ର ଖୁବ୍ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି। ଏହି ସୁପରିଚିତ ବ୍ୟକ୍ତି ଯେ ପ୍ରକୃତରେ ଜଣେ ଓଡ଼ିଆ ଏହା ସମସ୍ତଙ୍କୁ ଅଜ୍ଞାତ ଥିଲା। କାରଣ ବଂଶୀଧର ତାଙ୍କର ପରିଚୟ ଖୁବ୍ ସତର୍କତାର ସହ ଗୋପନ ରଖିଥିଲେ। ଲୋକେ ତାଙ୍କୁ ଜାଣୁଥିଲେ କେବଳ ଭାରତୀୟ ମୂଳର ଜଣେ  ପୁରୁଖା ଶ୍ରମିକନେତା ହିସାବରେ। ତେବେ ଧୀରେ ଧୀରେ ତାଙ୍କ ଅସଲ ପରିଚୟର ଗଣ୍ଠି ଫିଟିଥିଲା ଏବଂ ସ୍ବାଧୀନତା ପରେ ସେ ଫେରିଥିଲେ ଜନ୍ମମାଟି ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ତଳେ ଛାଡ଼ିଆସିଥିବା ନିଜ ପରିବାର ପାଖକୁ। ସେ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ କାହାଣୀ। ଜୀବନର ଶେଷ ୩୫ ବର୍ଷରୁ ଅଧିକ ସମୟ ଓଡ଼ିଶାରେ କଟାଇଥିଲେ ମଧ୍ୟ ନିଜ ବିଷୟରେ ପ୍ରାୟ ନିରବ ରହୁଥିବା ଏହି ବିସ୍ମୟ ପୁରୁଷଙ୍କ ଜୀବନର ଅବଶିଷ୍ଟ କାହାଣୀ ଆରଥରକୁ।