ସେଜଣେ ଅଦ୍ଭୁତ ମଣିଷ। ବିଦେଶରେ ଥିବାଯାଏ କେବେ କେଉଁଠି ନିଜର ଅସଲ ପରିଚୟ ଦେଇନାହାନ୍ତି। ଓଡ଼ିଶାକୁ ଫେରିବା ପରେ ବି ଲଣ୍ଡନ୍ରେ ସେ କିପରି ବିଶ୍ୱସ୍ତରୀୟ ଶ୍ରମିକ ସଂଗଠନର ନେତୃତ୍ବ ନେଇ ଦେଶବିଦେଶର ଶୀର୍ଷ ନେତୃବୃନ୍ଦଙ୍କ ସମ୍ପର୍କରେ ଥିଲେ, ସେକଥା ପାଟିଖୋଲି କହିନାହାନ୍ତି। ତାଙ୍କର ଓଡ଼ିଶା ଛାଡ଼ିବା ଯେତିକି ଅପ୍ରତ୍ୟାଶିତ ଥିଲା, ଫେରିବା ବି ଥିଲା ସେତିକି ନାଟକୀୟ।
ବଂଶୀଧର ନିଜ ଦଦେଇ ଗଙ୍ଗାଧର ମିଶ୍ରଙ୍କ ଘରକୁ ଅତି ଛୋଟବେଳୁ ପୁଅ ହୋଇ ଆସିଥିବାରୁ ଗଙ୍ଗାଧର ଓ ତାଙ୍କ ପତ୍ନୀ ଦ୍ବିତୀୟା ଦେବୀଙ୍କୁ ନନାବୋଉ ବୋଲି ଡାକୁଥିଲେ। ୧୯୨୪ରେ ତାଙ୍କର ବିବାହ ହୋଇଥିଲା କଲରାବାଙ୍କ ଗ୍ରାମର ଶ୍ରୀମତୀ ଦେବୀ ଓରଫ ଶଙ୍ଖୀଙ୍କ ସହିତ। ୧୯୨୮ରେ ପୁଲିସ ଆଖିରେ ଧୂଳି ଦେଇ ଘରଛାଡ଼ି ଚାଲିଯିବା ବେଳକୁ ତାଙ୍କର ଝିଅଟିଏ ଜନ୍ମ ହୋଇ ସାରିଥିଲା, ନାଁ ଦିଆ ହୋଇଥିଲା କୃଷ୍ଣବଲ୍ଲଭୀ (ବଲ୍ଲୀ)। ଷୋଡ଼ଶୀ ସ୍ତ୍ରୀ ଓ ମାତ୍ର ଚାରି ମାସର ଶିଶୁକନ୍ୟାକୁ ଛାଡ଼ି ବଂଶୀଧର ଯେବେ ଘର ଛାଡ଼ିଥିଲେ, ସମସ୍ତେ ଆଶା କରିଥିଲେ ମାସ କେଇଟା ପରେ ସେ ହୁଏତ ଫେରିଆସିବେ। ମାତ୍ର ଘଟଣାଚକ୍ରରେ ସେ ଛଦ୍ମନାମରେ ନାନା ଦେଶ ବୁଲି ଲଣ୍ଡନ୍ ପହଞ୍ଚିଗଲେ ଏବଂ ସେଠାରେ ଏଭଳି ପରିସ୍ଥିତିରେ ଛନ୍ଦି ହୋଇପଡ଼ିଲେ ଯେ ଓଡ଼ିଶା ସହ ସମ୍ପର୍କ ରଖିବା ଆଉ ସମ୍ଭବ ନଥିଲା। ସେ ପାଲଟିଗଲେ ମାନ୍ୟଗଣ୍ୟ ଶ୍ରମିକନେତା ସୁରତ ଅଲ୍ଲୀ।
ଏପାଖେ ଓଡ଼ିଶାରେ ବଂଶୀଙ୍କୁ ଅପେକ୍ଷା କରି କରି ପରିବାରବର୍ଗଙ୍କ ଆଖିରୁ ଲୁହ ଶୁଖୁ ନଥାଏ। ଘର ଛାଡ଼ିବାର ବାରବର୍ଷ ପରେ ବି ତାଙ୍କର କୌଣସି ଖୋଜଖବର ନମିଳିବାରୁ ଗାଁରେ କଥା ଉଠିଲା ପରମ୍ପରା ଅନୁସାରେ ପଳାଶପତ୍ର ଦାହ କରି ତାଙ୍କର ଶୁଦ୍ଧିକ୍ରିୟା କରିବାକୁ। ମା’ ଦ୍ବିତୀୟା ଦେବୀଙ୍କର କିନ୍ତୁ ଏକା ଜିଦ୍, ମୋ ବୋହୂ ବିଧବା ହେବ ନାହିଁ। ଏ ଭିତରେ ବିତିଯାଇଛି ଅନେକ ବର୍ଷ। ଚାରିମାସର ଝିଅ ବଲ୍ଲୀ ବଡ଼ ହୋଇ ଓଡ଼ିଶାର ନାରୀନେତ୍ରୀମାନଙ୍କ ସହ ମିଶି ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଛି। ତା’ର ବିବାହ ହୋଇଯାଇଛି ୧୯୪୩ରେ। ୧୯୪୯ ମସିହାର କଥା। ରେଭେନ୍ସାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିବା ଖଣ୍ଡସାହିର ବ୍ରହ୍ମାନନ୍ଦ ମିଶ୍ର ପିଏଚ୍ଡି କରିବାକୁ ଲଣ୍ଡନ୍ ଆସିଥିବା ବେଳେ ସୁରତ ଅଲ୍ଲୀଙ୍କୁ ଦେଖି ଚିହ୍ନିପାରିଥିଲେ ଯେ ସେ ତାଙ୍କ ଗାଁର ବଂଶୀଭାଇନା। ସୁରତ ଅଲ୍ଲୀଙ୍କ ଫଟୋ ସଂଗ୍ରହକରି ସେ କଟକରେ ଆଡଭୋକେଟ୍ ଥିବା ବଂଶୀଧରଙ୍କ ସାନଭାଇ ଶ୍ରୀନିବାସଙ୍କ ପାଖକୁ ପଠାଇଲେ ଏବଂ ସେ ଦେଖାଇଲେ ଦ୍ୱିତୀୟା ଦେବୀଙ୍କୁ। ୨୪ ବର୍ଷ ତଳେ ବଂଶୀଧରଙ୍କୁ ଖଦିପିନ୍ଧା ଚେହେରାରେ ଦେଖିଥିବା ମା’ ତାଙ୍କର କୋଟ୍ ସୁଟ୍ ପିନ୍ଧା ଚେହେରା ଦେଖି ହଠାତ୍ ଚିହ୍ନି ପାରି ନଥିଲେ। ମାତ୍ର ସେ ଚିହ୍ନିଗଲେ ସୁରତଙ୍କ ଗାଲର ଝାପ୍ସା କଟାଦାଗ ଦେଖି। ପିଲାଦିନେ ଦୁଷ୍ଟାମି କରି ପନିକି ଉପରେ ପଡ଼ିଯାଇଥିବା ବଂଶୀଙ୍କ ଗାଲର କଟାଦାଗ ହିଁ ଥିଲା ମା’ଙ୍କ ପାଇଁ ଅଭ୍ରାନ୍ତ ପ୍ରମାଣ। ଶ୍ରୀନିବାସ ଫଟୋଟି ତତ୍କାଳୀନ ମନ୍ତ୍ରୀ ତଥା ବଂଶୀଧରଙ୍କ ବନ୍ଧୁ ରାଜକୃଷ୍ଣ ବୋଷଙ୍କୁ ଦେଖାଇଲେ। ରାଜକୃଷ୍ଣ ସୁରତ ଅଲୀଙ୍କ ସହ ଯୋଗାଯୋଗ କରି ତାଙ୍କର ପ୍ରକୃତ ପରିଚୟ ଜାଣିବା ପରେ ଆରମ୍ଭ ହେଲା ବଂଶୀଧରଙ୍କୁ ଓଡ଼ିଶା ଫେରାଇ ଆଣିବାର ଉଦ୍ୟମ। ଲଣ୍ଡନରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଭି.କେ. କୃଷ୍ଣମେନନ୍ ଏଥିପାଇଁ ସହାୟତାର ହାତ ବଢ଼ାଇଲେ। ଦିନେ କୃଷ୍ଣମେନନ୍ ସୁରତଙ୍କୁ ଡକାଇ କହିଲେ, ଆପଣଙ୍କ ଅସଲ ପରିଚୟ ମୁଁ ପାଇସାରିଛି। ଓଡ଼ିଶାରେ ଆପଣଙ୍କ ମା’ଙ୍କ ଦେହ ଅତ୍ୟନ୍ତ ଖରାପ। ଆପଣ ତୁରନ୍ତ ଓଡ଼ିଶା ଫେରିବାର ଉଦ୍ୟମ କରନ୍ତୁ। ବଂଶୀଙ୍କର ଧୈର୍ଯ୍ୟ ଭାଙ୍ଗିଗଲା। ମନେପଡ଼ିଲା ଆଦରଣୀୟା ସ୍ତ୍ରୀଙ୍କ ଚେହେରା। ଏତେଦିନ ପରେ ସେ ଚିଠି ଲେଖିଲେ ଘରକୁ।
ଲଣ୍ଡନ୍, ୨.୭.୫୧
ମୋ ପ୍ରାଣର ଶଙ୍ଖୀ,
ଆଜକୁ ୨୨/୨୩ ବର୍ଷ ହେଲା ତୋତେ ଛାଡ଼ି ମୁଁ ପଳେଇ ଆସିଛି। ଛାଡ଼ି ଆସିଲି ତୋ କୋଳରେ ଗୋଟିଏ ୪/୫ ମାସର ଝିଅଟିଏ। ତା’ର ଲାଳନପାଳନ ସବୁ ତୋତେ କରିବାକୁ ପଡ଼ିଛି। ସେ ବଡ଼ ହୋଇ ବିଭା ହେଲାବେଳେ ମଧ୍ୟ ମୁଁ କନ୍ୟାଦାନ କରିବା ପାଇଁ ତୋ ପାଖରେ ନଥିଲି।
× × ×
ମୁଁ ଅଗଷ୍ଟ ମାସରେ ଏଠାରୁ ଘରକୁ ଫେରିଯିବି। ଘରେ ପହଞ୍ଚିବାକୁ ପ୍ରାୟ ସେପ୍ଟେମ୍ବର ହୋଇଯିବ। ଦଶହରା ବେଳକୁ ଖୁବ୍ ସମ୍ଭବ ମୁଁ ତୋ ପାଖରେ ପହଞ୍ଚିବି। ମୋର ସବୁ ଦୋଷ ଅପରାଧ କ୍ଷମା କରିବୁ।
ବୋଉକୁ ମଧ୍ୟ ମୋ ପାଇଁ ବୁଝାଇ କହିବୁ। ସେ ମୋତେ ଆଶୀର୍ବାଦ କରୁ, ମୁଁ ଘରକୁ ଫେରିଯାଏ। ବୋଉ ଗୋଡ଼ତଳେ ମୋର ପ୍ରଣାମ।
ତୋର ଛବି ମନେ ଭାବି ଭାବି ଏ ଚିଠି ଲେଖୁଛି।
ତୋର ଅଧମ ସ୍ବାମୀ
ବଇଁଶୀ
୧୯୫୧ରେ ଫେରିଲେ ବଂଶୀଧର। କଲିକତାରେ ପହଞ୍ଚି ସତ୍ୟପାଠ କରି ପ୍ରଥମେ ନିଜର ନାମ ସୁରତ ଅଲ୍ଲୀରୁ ବଦଳାଇ ପୁଣି ବଂଶୀଧର ମିଶ୍ର କଲେ ଏବଂ ତା’ପରେ ଫେରିଲେ କଟକ। କଟକରୁ ସେ କେନାଲପଥରେ ଆସୁଥିବାର ଶୁଣି ଖଣ୍ଡସାହି ଘାଟରେ ମାଟିର ପୁଅକୁ ପାଛୋଟି ନେବାପାଇଁ ନାହିଁ ନଥିବା ଭିଡ଼। ସେଦିନର ଦୃଶ୍ୟ ନିଜ ଆଖିରେ ଦେଖିଥିବା ପଣ୍ଡିତ ପ୍ରବୋଧ କୁମାର ମିଶ୍ର କହନ୍ତି, ‘‘କୋଟ୍ସାର୍ଟ ପିନ୍ଧା ବିଲାତି ପୁଅ ଆଉ ବୟସ୍କା ଅଳ୍ପ ଉଚ୍ଚତା ବିଶିଷ୍ଟ ଜନନୀଙ୍କ କୋଳାକୋଳି ହେବାର ସେ ଦୃଶ୍ୟ ଆଜି ମଧ୍ୟ ମୋତେ ଶିହରିତ କରେ।’’ ଘରକୁ ଫେରି ପତ୍ନୀ ଶ୍ରୀମତୀଙ୍କ ସହ ତାଙ୍କର ସାକ୍ଷାତ ଥିଲା ଆହୁରି ଆବେଗପୂର୍ଣ୍ଣ। ଗତ ୨୪ ବର୍ଷଧରି ଗାଁ ଲୋକେ ତାଙ୍କୁ କେତେ କ’ଣ ନ କହିଛନ୍ତି! ସେସବୁକୁ ଭ୍ରୂକ୍ଷେପ ନକରି ଝିଅ ମୁହଁକୁ ଚାହିଁ ସେ ଅପେକ୍ଷାକରି ରହିଥିଲେ ଏକ ଅଜଣା ବିଶ୍ବାସରେ। ମନ କହୁଥିଲା, ସେ ନିଶ୍ଚେ ଫେରିବେ। ଆଜି ତାଙ୍କର ସେହି ବିଶ୍ବାସ ସତ୍ୟ ପ୍ରମାଣିତ ହୋଇଥିବାରୁ ମନଭିତରେ ଠାକୁରଙ୍କୁ କୋଟି କୋଟି ଦଣ୍ଡବତ କରୁଥିଲେ ଶ୍ରୀମତୀ।
ସଂଗ୍ରାମୀ ନେତା ବଂଶୀଧରଙ୍କ ଘରବାହୁଡ଼ା ଖବରକୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଲେଖିଥିଲେ, ‘‘ଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ ନବତାରକାର ଆବିର୍ଭାବ ହେଲା’’। ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନେହେରୁଙ୍କ ପର୍ଯ୍ୟନ୍ତ ବହୁ ପ୍ରମୁଖ ରାଜନେତା ଚେଷ୍ଟା କରିଥିଲେ ବଂଶୀଧରଙ୍କୁ ରାଜନୀତିକୁ ଆଣିବା ପାଇଁ। ମାତ୍ର ସେ ରାଜି ହୋଇ ନଥିଲେ। ସ୍ବାଭିମାନୀ ବଂଶୀଧର ବିଲାତି ସୁଟ୍ ବୁଟ୍ ଓହ୍ଲାଇ ଆପଣାଇଥିଲେ ତାଙ୍କର ସଂଗ୍ରାମୀ ଜୀବନର ପୁରୁଣା ଖଦି ପୋଷାକ ଏବଂ ନିଷ୍ପତ୍ତି କରିଥିଲେ ଗାଁ’ସ୍କୁଲରେ ଶିକ୍ଷକତା କରିବା ପାଇଁ। ତାଙ୍କ ଭାଷାରେ,‘‘ସେତେବେଳକୁ ରାଜନୀତିରେ ବେଶ୍ କିଛି ଆତ୍ମମ୍ଭରିତା ପ୍ରବେଶ କରିଯାଇଥିଲା। ତେଣୁ ପ୍ରତ୍ୟକ୍ଷ ରାଜନୀତି ପାଇଁ ମୁଁ ନିଜକୁ ଉପଯୁକ୍ତ ମନେକଲି ନାହିଁ। ସାଧାରଣ ହାଇସ୍କୁଲ୍ ଶିକ୍ଷକଟିଏ ହେବାକୁ ଚାହିଁଲି।’’ ଶିକ୍ଷକତାର ନିଶା ତାଙ୍କ ଭିତରେ ବସା ବାନ୍ଧିଥିଲା ଅନେକଦିନରୁ। ଓଡ଼ିଶା ଛାଡ଼ିବା ପୂର୍ବରୁ ସେ ମା’ ରମାଦେବୀଙ୍କ ଘରେ ତାଙ୍କ ପୁଅଝିଅଙ୍କୁ ପାଠ ପଢ଼ାଉଥିଲେ ଯାହା ମନମୋହନ ଚୌଧୁରୀ ତାଙ୍କ ଆତ୍ମଜୀବନୀ ‘କସ୍ତୁରୀ ମୃଗସମ’ରେ ସୂଚାଇଛନ୍ତି। ଏବେ ସେ ନିଜକୁ ସମର୍ପିଦେଲେ ଜନ୍ମମାଟି ଖଣ୍ଡସାହିର ସେବାରେ। ସେଠିକାର ଜଗନ୍ନାଥ ବିଦ୍ୟାପୀଠରେ ସେ ଶିକ୍ଷକତା କରିଛନ୍ତି ୧୯୫୨ରୁ ୧୯୭୦ ପର୍ଯ୍ୟନ୍ତ ନାମମାତ୍ର ବେତନରେ। ମାତ୍ର ତାଙ୍କ ପାଖରେ ଯେ ଥରେ ପଢ଼ିଛି ସେ ଭୁଲିପାରିନି ତାଙ୍କୁ। ତାଙ୍କର ବନ୍ଧୁମାନେ କ୍ଷମତାରେ ରହି ଦେଶ ଶାସନ କରୁଥିବା ବେଳେ ସେ ମଣିଷ ଗଢ଼ିବାରେ ଢାଳି ଦେଇଛନ୍ତି ସାରା ସମୟ।
ସବୁଠାରୁ ସୁନ୍ଦର କଥାଟି ଘଟିଛି ଯେତେବେଳେ ତାଙ୍କ ଘରେ ପୁଣିଥରେ କୁଆଁରାବ ଶୁଭିଛି। ପ୍ରଥମ ଝିଅ ଜନ୍ମର ୨୫ ବର୍ଷ ପରେ ୧୯୫୩ରେ ଜନ୍ମ ନେଇଛି ତାଙ୍କର ଦ୍ବିତୀୟ ଝିଅ ସଂଘମିତ୍ରା (ମିତୁ)। ସେ ତାକୁ ପାଠ ପଢ଼ାଇ ବଡ଼ କରିଛନ୍ତି ଏବଂ କନ୍ୟାଦାନ କରିଛନ୍ତି ନିଜ ହାତରେ। ସେହି ଝିଅ ସଂଘମିତ୍ରା ମିଶ୍ର ଓ ଜ୍ବାଇଁ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପାଖରେ ରହି ସେ ଜୀବନର ଅନ୍ତିମ ଶ୍ବାସ ନେଇଛନ୍ତି ୧୯୮୮ ଅକ୍ଟୋବର ୮ ତାରିଖରେ, ତାଙ୍କର ପ୍ରେରଣା ପୁରୁଷ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀର ଠିକ୍ ଦିନକ ପୂର୍ବରୁ। ତାଙ୍କର ଜୀବନ କାହାଣୀ ‘ଇତିହାସର ହଜିଲା ଖିଅ’ ସଂଘମିତ୍ରା ଲେଖିଥିଲେ ୨୦୦୩ରେ, ଯାହାର ପରିବର୍ଦ୍ଧିତ ସଂସ୍କରଣ ଏବେ ପ୍ରକାଶିତ ହେବାକୁ ଯାଉଛି।