ସ୍ବରାଜ ମିଶ୍ର
ଓଡ଼ିଶାରେ ପାଳିତ ହେଉଥିବା ବୋଇତବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ସହ ଯୋଡ଼ି ହୋଇ ରହିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗୌରବମୟ ଅତୀତ। କାହିଁ କେତେ ଯୁଗ ତଳୁ ଏଇ ରାଇଜର ଲୋକେ ସାତ ଦରିଆ ତେର ନଈ ପାରି ହୋଇ ଦୂରରାଇଜକୁ ଯାଉଥିଲେ ବେପାରବଣିଜ ପାଇଁ। କେବଳ ସିଂହଳ, ବ୍ରହ୍ମଦେଶ, ବାଲି ବା ଜାଭା ସୁମାତ୍ରା ନୁହେଁ, ପୂର୍ବ ଏସିଆର ଭିଏତନାମ୍ ଓ କାମ୍ବୋଡ଼ିଆରେ ବି ସେମାନେ ପହଞ୍ଚିଥିଲେ। କିନ୍ତୁ ବିଶ୍ବାସ କରିବା କଷ୍ଟ, ବେପାରବଣିଜ ବା ସାଂସ୍କୃତିକ ଆଦାନପ୍ରଦାନର ଆହୁରି ଆଗକୁ ଯାଇ ସେମାନେ କାମ୍ବୋଡ଼ିଆ ଭଳି ଦେଶରେ ସାମ୍ରାଜ୍ୟ ମଧ୍ୟ ପ୍ରତିଷ୍ଠା କରିଥିଲେ। ଦୀର୍ଘ ଦୁଇ ହଜାର ବର୍ଷ ତଳେ ଏହି ଅଞ୍ଚଳରେ ଗଢ଼ି ଉଠିଥିବା ସର୍ବପ୍ରାଚୀନ ଫୁନାନ୍ ସାମ୍ରାଜ୍ୟ ପ୍ରତିଷ୍ଠାତା ହିସାବରେ କଳିଙ୍ଗର କୌଣ୍ଡିନ୍ୟଙ୍କ ନାମ ଆଜି ଚର୍ଚ୍ଚାରେ।
ଇଣ୍ଡୋ-ଚୀନ୍ ଭୂଖଣ୍ଡର ଯେଉଁ ଭାଗଟି ମାଳୟ ଉପଦ୍ବୀପକୁ ସ୍ପର୍ଶ କରିଛି ତାହା ମେକଙ୍ଗ୍ ନଦୀର ତ୍ରିକୋଣଭୂମି ଅଞ୍ଚଳ। ଏହିଠାରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଗଢ଼ିଉଠିଥିଲା ପ୍ରାଚୀନ ଫୁନାନ୍ ସାମ୍ରାଜ୍ୟ, ଯାହାକି ଆଧୁନିକ କାମ୍ବୋଡ଼ିଆ ଓ ଖମେର୍ ଅଧିବାସୀଙ୍କ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ବିଭିନ୍ନ କାହାଣୀ, କିଂବଦନ୍ତି ଓ ଐତିହାସିକ ପ୍ରମାଣକୁ ନେଇ ଏହି ସାମ୍ରାଜ୍ୟ ପ୍ରତିଷ୍ଠା ସଂକ୍ରାନ୍ତରେ ଯେଉଁ ଆଖ୍ୟାନଟି କାମ୍ବୋଡ଼ିଆର ଘରେ ଘରେ ପରିଚିତ, ତାହା ହେଲା ସ୍ଥାନୀୟ ନାଗବଂଶୀୟା ବୀରାଙ୍ଗନା ସୋମା ଏବଂ ଭାରତରୁ ବାଣିଜ୍ୟ ପାଇଁ ଆସିଥିବା ଯୁବ ବ୍ୟବସାୟୀ କୌଣ୍ଡିନ୍ୟଙ୍କର ପ୍ରେମ ଓ ପରିଣୟର କାହାଣୀ। ସେଇମାନେ ହିଁ ଫୁନାନ୍ ସାମ୍ରାଜ୍ୟର ପ୍ରତିଷ୍ଠାତା ବୋଲି ବିଶ୍ବାସ କରାଯାଏ।
ସୋମା ଓ କୌଣ୍ଡିନ୍ୟଙ୍କୁ ନେଇ ଅନେକ କାହାଣୀ ରହିଛି, ଯାହାକୁ ଶୁଣି ଶୁଣି ଏଠିକାର ପିଲାଏ ବଡ଼ ହୁଅନ୍ତି। ଭାରତରୁ ପଣ୍ୟଦ୍ରବ୍ୟ ଧରି କୌଣ୍ଡିନ୍ୟ ଯେଉଁ ପୋତରେ ବଣିଜ କରିବାକୁ ଆସିଥିଲେ ତାହା କମ୍ବୋଜ ଦେଶ (କାମ୍ବୋଡ଼ିଆ) ଉପକୂଳରେ ଜଳଦସ୍ୟୁଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହେବାରୁ ସେ ତାହାକୁ କୂଳରେ ଲଗାଇଥିଲେ। ସ୍ଥାନୀୟ ଅଧିବାସୀମାନେ ତାଙ୍କୁ ଶତ୍ରୁ ମନେକରି ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ନେତୃତ୍ବ ନେଉଥିଲେ ଦଳପତିଙ୍କ କନ୍ୟା ବୀରାଙ୍ଗନା ସୋମା। ସେ କୌଣ୍ଡିନ୍ୟଙ୍କ ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟେ ଏ ଅଞ୍ଚଳରେ ଯେଉଁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ, ତାହା ଫୁନାନ୍ ସାମ୍ରାଜ୍ୟ ନାମରେ ଜଣାଶୁଣା। ସ୍ଥାନୀୟ ଭାଷାରେ କୌଣ୍ଡିନ୍ୟ ‘ପ୍ରେୟ ଥଙ୍ଗ୍’ ଓ ସୋମା ‘ନିଆଙ୍ଗ୍ ନିକ୍’ ନାମରେ ପରିଚିତ। ଏ ଦୁଇ ଐତିହାସିକ ଚରିତ୍ରଙ୍କ ମୂର୍ତ୍ତି କାମ୍ବୋଡ଼ିଆର ଅନେକ ପ୍ରମୁଖ ସ୍ଥାନରେ ଆଜି ବି ଦେଖିବାକୁ ମିଳେ। କୌଣ୍ଡିନ୍ୟ ଯେ ଭାରତୀୟ, ଏ ନେଇ କୌଣସି ସନ୍ଦେହ ନାହିଁ। ତେବେ ସେ କଳିଙ୍ଗ ଭିନ୍ନ ଅନ୍ୟ କେଉଁ ଅଞ୍ଚଳର ହୋଇ ଥାଇପାରନ୍ତି ବୋଲି କେହି କେହି ଯୁକ୍ତି କରନ୍ତି। କାମ୍ବୋଡ଼ିଆର ପ୍ରଖ୍ୟାତ ହିନ୍ଦୁ ମନ୍ଦିର ଆଙ୍ଗକର୍ ୱାଟ୍ରେ ସ୍ଥାନୀତ ଏ ଦୁହିଁଙ୍କର ବିବାହ ଦୃଶ୍ୟକୁ ତର୍ଜମା କରି ସେ ତାମିଲନାଡ଼ୁର ବାସିନ୍ଦା ହୋଇପାରନ୍ତି ବୋଲି କିଛି ଗବେଷକ କହନ୍ତି। ସେ ମହୀଶୂରର ବ୍ୟକ୍ତି ବୋଲି ମଧ୍ୟ ଯୁକ୍ତି କରାଯାଏ। ମାତ୍ର ଏହି ଯୁକ୍ତିଗୁଡ଼ିକ ଅପେକ୍ଷାକୃତ ଦୁର୍ବଳ।
କୌଣ୍ଡିନ୍ୟ ଜଣେ ବ୍ରାହ୍ମଣ ଥିଲେ ବୋଲି ପ୍ରମାଣ ମିଳିଛି। ଜର୍ମାନ ଗବେଷକ ହର୍ମାନ କୁଲ୍କେଙ୍କ ମତରେ ‘କୌଣ୍ଡିନ୍ୟ’ ତାଙ୍କ ଗୋତ୍ରର ନାମ। ବହୁବର୍ଷ ଧରି କୌଣ୍ଡିନ୍ୟ ଗୋତ୍ରୀୟ ବ୍ରାହ୍ମଣମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷକରି ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଅଞ୍ଚଳରେ ବସବାସ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଆଜି ବି ବ୍ୟବସାୟକୁ ବୃତ୍ତି ରୂପରେ ଗ୍ରହଣ କରିଥିବାର ଦେଖାଯାଏ। ଦକ୍ଷିଣ ଓଡ଼ିଶାର ଉପକୂଳରେ ବହୁ ପ୍ରାଚୀନ କାଳରୁ ସକ୍ରିୟ ଥିବା ବନ୍ଦରଗୁଡ଼ିକରୁ ଏସୀୟ ଦେଶମାନଙ୍କ ସହ ନୌବାଣିଜ୍ୟ ଚାଲୁଥିବାରୁ କୌଣ୍ଡିନ୍ୟ ଏହି ଅଞ୍ଚଳର ହୋଇଥିବା ଅଧିକ ବିଶ୍ବାସଯୋଗ୍ୟ। ବିଶେଷକରି କାମ୍ବୋଡ଼ିଆର ଆଙ୍ଗକର୍ ସମତଳଭୂମିର ଅନତିଦୂରରେ ଥିବା ‘ନମ୍ କୁଲେନ୍’ ଉଚ୍ଚଭୂମିର ପ୍ରାଚୀନ ନାମ ମହେନ୍ଦ୍ର ପର୍ବତ, ଯାହା ଦକ୍ଷିଣ ଓଡ଼ିଶାର ମହେନ୍ଦ୍ରଗିରି ନାମ ସହ ସାଦୃଶ୍ୟ ରଖେ। ଏପରିକି ସ୍ଥାନୀୟ ମେକଙ୍ଗ୍ ନଦୀକୁ ଅତି ପ୍ରାଚୀନ କାଳରେ ମହାନଦୀ ବୋଲି କୁହାଯାଉଥିବାର ସୂଚନା ମିଳିଛି। ଆଙ୍ଗକର୍ ୱାଟ୍ ହିନ୍ଦୁ ମନ୍ଦିରରେ ଓଡ଼ିଶାର ମନ୍ଦିର ନିର୍ମାଣ ଶୈଳୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ। ଏହି ସବୁ ତଥ୍ୟ ଭିତ୍ତିରେ କୌଣ୍ଡିନ୍ୟ କଳିଙ୍ଗ ଅଧିବାସୀ ଥିଲେ ବୋଲି ଅଧିକାଂଶ ଗବେଷକଙ୍କର ମତ।
ଏ ଦିଗରେ ଆହୁରି ଅଧିକ ଗବେଷଣା ଜାରି ରହିଛି। ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ପ୍ରାଚୀନ ବନ୍ଦର ପାଲୁର ଓ କଳିଙ୍ଗପଟ୍ଟନମ୍ ଠାରେ ଏବେ ଚାଲିଥିବା ଉତ୍ଖନନ ଓ ଗବେଷଣାରୁ ଏ ସମ୍ପର୍କରେ ଅଧିକ ପ୍ରମାଣ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।