ସ୍ବରାଜ ମିଶ୍ର
ଉତ୍କୃଷ୍ଟ କଳାର ଦେଶ ଉତ୍କଳ। କାହିଁ କେତେ ଯୁଗ ତଳୁ ଆମ ରାଇଜରେ ଲୀଳା, ସୁଆଙ୍ଗ, ଫାର୍ଶ ପରି ନାଟ୍ୟାଭିନୟ ହୋଇଆସୁଛି। ବିଶ୍ବାସ କରିବା କଷ୍ଟ, ମାତ୍ର ଆଜିକୁ ପ୍ରାୟ ୨୦୦ ବର୍ଷ ତଳେ ଆମରି ରାଇଜର ପିଲାଟିଏ କଲିକତାରେ ପହଞ୍ଚି ଏକ ବିଚିତ୍ର ଘଟଣାକ୍ରମରେ ସେଠିକାର ସଙ୍ଗୀତ ଓ ଅଭିନୟ ଜଗତରେ ପ୍ରବେଶ କରିଥିଲା ଏବଂ ମାତ୍ର ବର୍ଷ କେଇଟା ଭିତରେ ଏପରି ସଫଳତା ହାସଲ କରିଥିଲା ଯେ ତା’ର ନାମ ଆଜି ବି ଉଚ୍ଚାରିତ ହେଉଛି ବଙ୍ଗୀୟ ନାଟ୍ୟ ପରମ୍ପରାର ଅନ୍ୟତମ ଆଦ୍ୟସୂରୀ ହିସାବରେ। ମାତ୍ର ୪୦ ବର୍ଷର ଜୀବନ ଜିଇଥିବା ଏଇ କ୍ଷଣଜନ୍ମା ଓଡ଼ିଆ ଯୁବକଙ୍କ ନାଁ ଗୋପାଳ ଦାସ। ତାଙ୍କ ଜୀବନ କାହାଣୀ ଯେତିକି ରୋମାଞ୍ଚକର, ସେତିକି ପ୍ରେରଣାପ୍ରଦ।
ଊନବିଂଶ ଶତାବ୍ଦୀର ଦ୍ବିତୀୟ ଦଶକର କଥା। ୧୮୧୯ (ମତାନ୍ତରେ ୧୮୧୭) ଖ୍ରୀଷ୍ଟାବ୍ଦରେ ଅବିଭାଜିତ କଟକ ଜିଲ୍ଲାର ଯାଜପୁର ଅଞ୍ଚଳରେ ଏକ ଦରିଦ୍ର କରଣ ପରିବାରରେ ଜନ୍ମ ନେଇଥିଲେ ଗୋପାଳ। ତାଙ୍କ ବାଲ୍ୟ ଜୀବନ ବିଷୟରେ ବିଶେଷ ସୂଚନା ନାହିଁ। ତେବେ ଯେତିକି ଜଣାଯାଏ, ବାପା ମୁକୁନ୍ଦ ଦାସଙ୍କର ତିନି ପୁଅଙ୍କ ଭିତରୁ ସେ ଥିଲେ ମଝିଆଁ। ମୁକୁନ୍ଦ ଚାଷବାସ କରି ପରିବା ବିକି ପେଟ ପୋଷୁଥିଲେ। ସେତେବେଳେ ଗମନାଗମନର ସୁବିଧା ନଥିଲେ ମଧ୍ୟ ଜୀବିକା ଅନ୍ବେଷଣରେ କିଛି ଲୋକ ଚାଲି ଯାଉଥିଲେ କଲିକତା। ସେହିପରି ରୋଜଗାର ଆଶାରେ ୧୮/୧୯ ବର୍ଷ ବୟସରେ କଲିକତା ଆସି ବୋହୂବଜାର ଅଞ୍ଚଳରେ ଠେଲାଗାଡ଼ିରେ କଦଳୀ ବିକିବା ଆରମ୍ଭ କରିଥିଲେ ଗୋପାଳ। ସେତେବେଳେ ନିଜର ସୌଖୀନ ଯାତ୍ରାଦଳ ଗଢ଼ି ଭାରତଚନ୍ଦ୍ର ରାୟଙ୍କ ରଚନା ଆଧାରିତ ବିଦ୍ୟାସୁନ୍ଦର ପାଲା ପରିବେଷଣ କରିବାକୁ ଚେଷ୍ଟା କରୁଥିଲେ ରାଧାମୋହନ ସରକାର। ସେଦିନ ସେ ତାଙ୍କ ବୋହୂବଜାର ଘରେ ବସି କଳାକାର ଗୋଷ୍ଠୀଙ୍କ ସହ ଆଲୋଚନା କରୁଥାନ୍ତି। ହଠାତ୍ ଦୂରରୁ ଶୁଭିଲା ଏକ କୁହାଟ- ‘କଲା ନିବେ କଲା... ଚାଁପା କଲା...।’ ଅଳସ ଅପରାହ୍ଣ ଆପାତ ନିଶବ୍ଦ ପରିବେଶରେ ଦୂରରୁ ଭାସି ଆସୁଥିବା ସେ ସ୍ବର ଥିଲା ଖୁବ୍ ମଧୁର ଓ ସ୍ପଷ୍ଟ। ଉଚ୍ଚାରଣରେ ଥାଏ ଏକ ଅପୂର୍ବ ସାଂଗୀତିକତା। ରାଧାମୋହନ ଚମକି ପଡ଼ିଲେ। ପାଖରେ ଥିବା ସହଯୋଗୀଙ୍କୁ ସେ ପଠାଇଲେ, ଲୋକଟିକୁ ଡାକି ଆଣିବା ପାଇଁ। କିନ୍ତୁ ସେ ତ ଲୋକ ନୁହେଁ, ଜଣେ ନବଯୁବକ। ସୁଦର୍ଶନ ଚେହେରା, ଗୌରବର୍ଣ୍ଣ, ପୁଣି କଣ୍ଠସ୍ବର ଅଦ୍ଭୁତ ଭାବେ ମଧୁର। କଥା ହୋଇ ଜାଣିଲେ ପିଲାଟି ଓଡ଼ିଶାର। କିନ୍ତୁ ତା’ ଚେହେରା ଓ ସୁରରେ କି ଯାଦୁ ଥିଲା କେଜାଣି, ରାଧାମୋହନ ସେଇଠି ତାଙ୍କୁ ପ୍ରସ୍ତାବ ଦେଲେ- ‘‘ଆମ ସଙ୍ଗେ ଯାତ୍ରାଦଳରେ କାମ କରିବ?’’ ଗୋପାଳ ପ୍ରଥମେ ହଡ଼ବଡ଼େଇ ଗଲେ। କିନ୍ତୁ ଯେତେବେଳେ ରାଧାମୋହନ ତାଙ୍କୁ ଖାଇବା ରହିବା ସହ ମାସକୁ ୧୦ ଟଙ୍କା ଦେବେ ବୋଲି କହିଲେ, ସେ ରାଜି ହୋଇଗଲେ। ଖରାବର୍ଷାରେ ବୁଲିବୁଲି କଦଳୀବିକି ଯାହା ରୋଜଗାର ହେଉଥିଲା ତା’ଠାରୁ ଏହା ଥିଲା ବହୁତ ବେଶୀ। ପୁଣି ନାଚଗୀତ ପାଇଁ ତାଙ୍କ ମନରେ ଆଗ୍ରହ ଅନେକ ଦିନରୁ।
ରାଧାମୋହନ ଥିଲେ ଜଣେ ପୋଖତ ସଂଗଠକ। ଅଭିନୟ ସହ ଗାୟନ ଦକ୍ଷତା ଥିବା ପ୍ରତିଭାବାନ୍ କଳାକାରଙ୍କୁ ଏକାଠି କରୁଥିଲେ ସେ। ଦୀର୍ଘ ଦୁଇବର୍ଷ କାଳ ପ୍ରଶିକ୍ଷଣ ଚାଲିଲା ଗୋପାଳଙ୍କର। ଓସ୍ତାତ ହରିକିଷନ୍ ମିଶ୍ରଙ୍କ ପ୍ରଶିକ୍ଷଣରେ ସେ ଶିଖିଲେ ଶାସ୍ତ୍ରୀୟ ଗାୟନ। ତାଙ୍କର ବଙ୍ଗଳା ଉଚ୍ଚାରଣ ଓ ଗାୟନ ଏତେ ଉଚ୍ଚକୋଟୀର ଥିଲା ଯେ ସେ ଓଡ଼ିଆ ବୋଲି କେହି ଜାଣିବାର ସମ୍ଭାବନା ନଥିଲା। ତେବେ ଆଦରରେ ତାଙ୍କୁ ସଭିଏଁ ଡାକୁଥିଲେ ‘ଗୋପାଳ ଉଡ଼େ’ ଏବଂ ସେଇ ନାଁଟି ରହିଗଲା ଶେଷ ପର୍ଯ୍ୟନ୍ତ। ଦୁଇବର୍ଷ ପରେ ରାଧାମୋହନଙ୍କ ସୌଖୀନ ଯାତ୍ରାଦଳ ବିଦ୍ୟାସୁନ୍ଦର ଯାତ୍ରାର ପ୍ରଥମ ପରିବେଷଣ କଲେ ଶୋଭାବଜାର ରାଜପ୍ରାସାଦରେ। ଗୋପାଳ ଥିଲେ ‘ମାଲୁଣୀ’ ଭୂମିକାରେ, ଯେ କି ନାୟିକା ‘ବିଦ୍ୟା’ ଓ ନାୟକ ‘ସୁନ୍ଦର’ଙ୍କ ମିଳନ ପାଇଁ ଯୋଗସୂତ୍ର ସାଜିଛି। ସେଦିନ ଦର୍ଶକମାନେ ଥମ୍ ହୋଇ ରହିଗଲେ। କି ସୁନ୍ଦର ଅଭିନୟ, କି ସୁନ୍ଦର ଗାୟନ! ମାଲୁଣୀ ବେଶଭୂଷାରେ ଗୋପାଳ ଦିଶୁଥିଲେ ଅପୂର୍ବ ସୁନ୍ଦରୀ। ତାଙ୍କର ଅଭିନୟ ଏତେ ଜୀବନ୍ତ ଥିଲା ଯେ ସମସ୍ତଙ୍କ ଆଖି ଲାଖି ରହିଗଲା ତାଙ୍କରି ପାଖରେ। ସେଦିନ ରାଧାମୋହନ ଖୁସି ହୋଇ ଗୋପାଳଙ୍କ ମାସିକ ଦରମା ବଢ଼ାଇଦେଲେ ୧୦ଟଙ୍କାରୁ ଏକାବେଳେକେ ୫୦ ଟଙ୍କା! ତାହା ଥିଲା ଗୋପାଳଙ୍କ ପ୍ରତିଭାର ଏକ ଅନନ୍ୟ ସ୍ବୀକୃତି।
ତା’ପରେ ରାଧାମୋହନଙ୍କ ଯାତ୍ରାର ଦୁଇଥର ସଫଳ ପ୍ରଦର୍ଶନ ହୋଇଛି ହାଟଖୋଲା ଓ ସିମୁଳିଆରେ। ବଙ୍ଗଳାର ବିଭିନ୍ନ ସ୍ଥାନରୁ ଜମିଦାର ଓ ବିତ୍ତଶାଳୀ ବ୍ୟକ୍ତିମାନଙ୍କ ତରଫରୁ ଯାତ୍ରା ପାଇଁ ନିମନ୍ତ୍ରଣର ଧାଡ଼ି ଲମ୍ବିଥାଏ। ମାତ୍ର ଏଇ ଅବସରରେ ହଠାତ୍ ରାଧାମୋହନ ସରକାରଙ୍କ ଦେହାନ୍ତ ହୁଏ ଏବଂ ପୂରା ବ୍ୟବସ୍ଥା ବିଗିଡ଼ିଯାଏ। ତେବେ ଗୋପାଳଙ୍କ ବିଚକ୍ଷଣ ଅଭିନୟ କଳା ଓ ପରିଚାଳନା ଦକ୍ଷତା ଦେଖି ସମସ୍ତେ ବିଶ୍ବାସ ସ୍ଥାପନ କରନ୍ତି ତାଙ୍କ ଉପରେ ଏବଂ ତାଙ୍କରି ନେତୃତ୍ବରେ ଦଳଟି ପୁନର୍ଗଠିତ ହୁଏ। ଅନେକ ଅର୍ଥ ବ୍ୟୟ କରି ରାଧାମୋହନ ଯେଉଁ ସୌଖୀନ ଯାତ୍ରାଦଳଟି ଗଢ଼ିଥିଲେ ଗୋପାଳ ତାକୁ ପୁନର୍ଗଠିତ କଲେ ପେସାଦାର ଦଳ ହିସାବରେ ଏବଂ ତାହାର ଆୟବ୍ୟୟକୁ ନିୟନ୍ତ୍ରଣରେ ରଖିଲେ। ଦ୍ବିତୀୟ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ସେ ମୂଳ ରଚନାର ଗମ୍ଭୀର ଭାଷାକୁ ବଦଳାଇ ସେଥିରେ ଲୋକମୁଖର ଭାଷାର ଗୀତ ସଂଯୋଗ କଲେ। ସେଥିରେ ସେ ଏପରି ଚଟୁଳତା ଓ ଗୀତିମୟତା ଭରିଦେଲେ ଯେ ଗାଁଗହଳିରୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଦୂରଦୂରାନ୍ତରୁ ଧାଇଁ ଆସିଲେ ଯାତ୍ରା ଦେଖିବାକୁ। ତାହା ଥିଲା ବଙ୍ଗଳା ଯାତ୍ରାର କଡ଼ ଲେଉଟାଣି ବେଳ। ରାଜା ଜମିଦାରଙ୍କ ପୃଷ୍ଠପୋଷକତାରୁ ମୁକ୍ତହୋଇ ଯାତ୍ରା ଏବେ ପହଞ୍ଚିଲା ସାଧାରଣ ଲୋକଙ୍କ ମେଳରେ ଏବଂ ଏହାର ମୁଖ୍ୟ ଶ୍ରେୟ ପାଇଲେ ଗୋପାଳ। ଦୁର୍ଭାଗ୍ୟ, ମାତ୍ର ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହେଲା। ସେତେବେଳକୁ କିନ୍ତୁ ବଙ୍ଗଳାର ଘରେ ଘରେ ପରିଚିତ ହୋଇ ସାରିଥିଲେ ସେ। ଲୋକଭାଷାରେ ତାଙ୍କ ଗୀତ ଓ ସଂଳାପ ଖୁବ୍ ଜନପ୍ରିୟ ହୋଇଥାଏ। ଦୁର୍ଗାଦାସ ଲାହିଡ଼ି ସମ୍ପାଦିତ ‘ବାଙ୍ଗାଲୀର୍ ଗାନ୍’ (୧୯୦୫) ପୁସ୍ତକରେ ଗୋପାଳଙ୍କର ୩୩୯ଟି ଗୀତ ସ୍ଥାନିତ ହୋଇଛି। ସଂକ୍ଷିପ୍ତ କବି ପରିଚିତିରେ ଲାହିଡ଼ି ଲେଖିଛନ୍ତି, ‘‘ଯିଏ ତାଙ୍କର ଗୀତ ଥରେ ଶୁଣିଛି, ସେ ତାକୁ କେବେ ବି ଭୁଲି ପାରିନାହିଁ।’’
ତାଙ୍କର ଅପୂର୍ବ ପ୍ରତିଭା ସେତେବେଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି। ରବୀନ୍ଦ୍ରନାଥ ଠାକୁରଙ୍କ ଭାଇ ଜ୍ୟୋତିରିନ୍ଦ୍ରନାଥଙ୍କ ଭାଷାରେ, ‘‘ସେଦିନ ଗୋପାଳ ଓଡ଼ିଆଙ୍କ ଯାତ୍ରା ଆମକୁ ଅନୁପ୍ରେରଣା ଦେଇଥିଲା ଗୋଟିଏ ନାଟ୍ୟଶାଳାର ପରିକଳ୍ପନା କରିବାକୁ।’’ ବଙ୍କିମଚନ୍ଦ୍ର ମଧ୍ୟ ୧୮୭୩ରେ ପ୍ରକାଶିତ ତାଙ୍କର ‘ବିଷବୃକ୍ଷ’ ଉପନ୍ୟାସରେ ଗୋପାଳଙ୍କ ନାମ ଉଲ୍ଲେଖ କରିଛନ୍ତି, ‘‘କ’ଣ ଗାଇବି? ବୈଷ୍ଣବୀ ପଚାରିଲା। ସଙ୍ଗେ ସଙ୍ଗେ ସ୍ତ୍ରୀ ଲୋକମାନେ ବିଭିନ୍ନ ଫରମାସୀ କରିବାକୁ ଲାଗିଲେ। କେହି ଚାହିଲା ଗୋବିନ୍ଦ ଅଧିକାରୀଙ୍କ ଗୀତ ଶୁଣିବାକୁ, ଅନ୍ୟ କେହି କହିଲା-ଗୋପାଲ୍ ଉଡ଼େଙ୍କ ଗୀତ ଶୁଣାଅ।’’
ଗୋପାଳଙ୍କର ବାସସ୍ଥାନ ଥିଲା କଲିକତାର ଚାମ୍ପାତାଲା ଅଞ୍ଚଳରେ। ୮୧ ନମ୍ବର କଲେଜ୍ ଷ୍ଟ୍ରିଟ୍ ଥିଲା ତାଙ୍କ ଯାତ୍ରା ଦଳର ଠିକଣା। ତାଙ୍କ ମୃତ୍ୟୁପରେ ବିଂଶ ଶତାବ୍ଦୀର ପ୍ରଥମ ଦଶକ ପର୍ଯ୍ୟନ୍ତ ତାଙ୍କ ଦଳର ବିଦ୍ୟାସୁନ୍ଦର ଯାତ୍ରା ପରିବେଷିତ ହେଉଥିବାର ଜଣାଯାଏ। ବଙ୍ଗଳା ନିଜର ମାତୃଭାଷା ନହୋଇଥିଲେ ମଧ୍ୟ ସେହି ଭାଷାକୁ ଆୟତ୍ତ କରି ଲୋକମୁଖର ଭାଷାରେ ମନଛୁଆଁ ଗୀତ ଲେଖିବା ସହିତ ଗାୟନ ଓ ଅଭିନୟ କଳାରେ ଉତ୍କର୍ଷ ହାସଲ କରି ଜଣେ ଓଡ଼ିଆ ଯୁବକ ବଙ୍ଗୀୟ ନାଟ୍ୟଧାରାକୁ ଯେଭଳି ନୂଆ ଦିଶା ଦେଇ ପାରିଥିଲେ ତାହା ଆଜିବି ସମସ୍ତଙ୍କୁ ବିସ୍ମିତ କରେ।