ସ୍ବରାଜ ମିଶ୍ର

Advertisment

ଜନବସତି ଭିତରକୁ ବାଘ ପଶି ଆସିଥିବା ଖବର ଶୁଣିଲେ ଲୋକେ ଚମକିପଡନ୍ତି। ବିଶ୍ବାସ କରିବା କଷ୍ଟ, କିନ୍ତୁ ପୁରୁଣା ଭୁବନେଶ୍ବର ରଥଦାଣ୍ଡରେ ଥିବା ଗୋଟିଏ ଘରକୁ ମହାବଳ ବାଘୁଣୀଟିଏ ବାରମ୍ବାର ଆସୁଥିଲା ଗତ ଶତାବ୍ଦୀର ସତୁରୀ ଦଶକରେ। ଘରର ଅତିଥି ହୋଇ ଜିପ୍‌ରେ ବସି ମଣିଷ ବାପାମା’ଙ୍କ ସହ ସେ ଆସୁଥିଲା ମାଉସୀମା’ ଛକ ପାଖରେ ଥିବା ପିଉସୀଘରକୁ। ଘରଟିର ନାଁ ‘ବାଲିଘର’, ଆଉ ପିଉସା ହେଲେ ଓଡ଼ିଶାର ପ୍ରଖ୍ୟାତ ଲେଖକ ଅଖିଳମୋହନ ପଟ୍ଟନାୟକ। ‘ଖଇରୀ’ ବାଘୁଣୀ ଓ ତାକୁ ନିଜ ଘରେ ଝିଅ ପରି ପାଳିଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରତିଷ୍ଠାତା ନିର୍ଦ୍ଦେଶକ ବନ୍ୟପ୍ରାଣୀ ବିଶାରଦ ସରୋଜରାଜ ଚୌଧୁରୀଙ୍କ କାହାଣୀ ସର୍ବଜନବିଦିତ। କିନ୍ତୁ ଅନେକେ ଜାଣନ୍ତି ନାହିଁ ଯେ ଅଖିଳମୋହନ ପଟ୍ଟନାୟକ ଥିଲେ ସରୋଜଙ୍କ ଭିଣୋଇ। ସେ ସରୋଜଙ୍କ ଭଉଣୀ ଜ୍ଞାନଦାଙ୍କୁ ବିବାହ କରିଥିଲେ। ୧୯୭୪ରେ ବାଘଛୁଆ ଖଇରୀକୁ ଘରକୁ ଆଣିବା ପରେ ସରୋଜ ପ୍ରାୟ ଯେତେଥର ଭଉଣୀଭିଣୋଇଙ୍କ ଘରକୁ ଆସିଛନ୍ତି, ତାଙ୍କ ସାଙ୍ଗରେ ଆସିଛି ଖଇରୀ। 

ସରୋଜରାଜ ଏକ ଅନନ୍ୟ ବ୍ୟକ୍ତିତ୍ବ। ୧୯୨୪ ମସିହା ଅଗଷ୍ଟ ୧୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା କଟକ ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଭଗତପୁରରେ। ତାଙ୍କ ବାପା ଥିଲେ ଦନ୍ତଚିକିତ୍ସକ ଧନୀରାଜ ଚୌଧୁରୀ ଓ ମା’ଙ୍କ ନାମ ଦକ୍ଷଲତା। ପିଲାଟି ଦିନରୁ ଗଛଲତା ଓ ପଶୁପକ୍ଷୀଙ୍କ ପ୍ରତି ସରୋଜଙ୍କର ଖୁବ୍ ଆକର୍ଷଣ। ଏଣୁ ସେ ସ୍ନାତକ ଶିକ୍ଷା ପରେ ଡେରାଡୁନ୍‌ର ଭାରତୀୟ ବନ ମହାବିଦ୍ୟାଳୟରୁ ପ୍ରଶିକ୍ଷଣ ନେଇ ୧୯୪୯ରେ ସହକାରୀ ବନ ସଂରକ୍ଷକ ପଦବିରେ ଯୋଗଦେଲେ। ସେ ଥିଲେ ଜଣେ ଉତ୍ସାହୀ, ଦୁଃସାହସୀ ଓ ଦକ୍ଷ ଅଫିସର୍। ବିଶେଷକରି ତୃଣମୂଳସ୍ତରକୁ ଯାଇ ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଥିଲା ତାଙ୍କର ନିଶା। ସମୟକ୍ରମେ ବାଘକୁ ଜାତୀୟ ପଶୁ ଘୋଷଣା କରାଗଲା ଏବଂ ଦ୍ରୁତ ହ୍ରାସ ପାଉଥିବା ବାଘମାନଙ୍କ ସଂରକ୍ଷଣ ପାଇଁ ୧୯୭୩ରୁ ‘ପ୍ରୋଜେକ୍ଟ୍‌ ଟାଇଗର୍‌’ ପ୍ରକଳ୍ପ ଆରମ୍ଭ ହେଲା। ଦେଶରେ ପ୍ରଥମକରି ପ୍ରତିଷ୍ଠିତ ୯ଟି ବ୍ୟାଘ୍ର ପ୍ରକଳ୍ପ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଥିଲା ଗୋଟିଏ ଏବଂ ସରୋଜରାଜ ଏହାର ପ୍ରଥମ ଫିଲ୍‌ଡ ଡିରେକ୍ଟର୍‌ ଭାବେ ନିଯୁକ୍ତି ପାଇଲେ। ପଦଚିହ୍ନ ନିରୀକ୍ଷଣ ପଦ୍ଧତିରେ ବ୍ୟାଘ୍ରଗଣନାର ଆଦ୍ୟ ପ୍ରବର୍ତ୍ତକ ହିସାବରେ ସେ ସାରା ଦେଶରେ ସୁପରିଚିତ।

ସେଦିନ ଥିଲା ୧୯୭୪ ମସିହା ଅକ୍ଟୋବର ୫ ତାରିଖ। ଦୁଇଦିନ ତଳେ କିଛି ଖଡ଼ିଆ ଆଦିବାସୀ ଜଙ୍ଗଲକୁ ଝୁଣା, ମହୁ ଆଦି ଅନ୍ବେଷଣରେ ଯାଇଥିବା ବେଳେ ଧରି ଆଣିଥିଲେ ଏକ ବାଘଛୁଆ। ସେମାନେ ତାକୁ ଚୌଧୁରୀ ସାହେବଙ୍କୁ ଧରାଇ ଦେଇଥିଲେ। ବାଘମାନଙ୍କ ଜୀବନ ଓ ସ୍ବଭାବ ସମ୍ପର୍କରେ ଗବେଷଣା କରିବାକୁ ଚାହୁଥିବା ସରୋଜଙ୍କ ପାଇଁ ତାହା ଥିଲା ଈଶ୍ବରଙ୍କ ଆଶୀର୍ବାଦ। ସେ ତାକୁ ନିଜ ଘରେ ରଖିବାକୁ ଚାହିଲେ ଏବଂ ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ ଦେବାପାଇଁ ଆଗେଇ ଆସିଲେ ତାଙ୍କର ଘନିଷ୍ଠ ସହଯୋଗୀ  ତଥା ସ୍କାଉଟ୍‌ସ୍‌ ଆଣ୍ଡ୍‌ ଗାଇଡ୍‌ସ୍‌ର ବରିଷ୍ଠ ଅଧିକାରୀ ନିହାରନଳିନୀ ସ୍ବାଇଁ, ଯେ କି ଚାକିରି ଛାଡ଼ି ଶିମିଳିପାଳରେ ରହି ଖଇରୀର ଲାଳନପାଳନ ପାଇଁ ପ୍ରସ୍ତୁତ ହୋଇଗଲେ।

‘‘ଖଇରୀକୁ ଯେତେବେଳେ ମାତ୍ର ତିନିମାସ, ସେତେବେଳେ ମୋର ଭାଇ ତାକୁ ନେଇ ଆମ ଘର ‘ବାଲିଘର’କୁ ଆସିଥାନ୍ତି। ସେତେବେଳେ ଖଇରୀକୁ ଦେଖିବାପାଇଁ ଆମ ଘର ସାମ୍ନାରେ କି ଭିଡ଼!! ଆଜିଯାଏ ଆମ ଏଠାଲୋକ କହନ୍ତି, ଅଖିଳବାବୁ ଗୋଟିଏ ବାଘ ପୋଷିଥିଲେ।’’

ଖଇରୀ ନଦୀ କୂଳରୁ ବାଘଛୁଆଟି ମିଳିଥିବାରୁ ତା’ ନାମ ରଖାଗଲା- ଖଇରୀ। ପୂର୍ବରୁ ସରୋଜଙ୍କ ଘରେ ଥିବା ଭାଲୁଛୁଆ ଜମ୍ବୁ, ଦୃଷ୍ଟିହୀନ ଗଧିଆଛୁଆ ଭାଇନା, କୁକୁର ବ୍ଲାକି ଆଦିଙ୍କ ସହ ସାମିଲ ହୋଇଗଲା ଖଇରୀ। ସରୋଜ ଥିଲେ ଜଣେ ନିଷ୍ଠାପର ଗବେଷକ। ଏଥିପାଇଁ ସେ ଆଠଘଣ୍ଟିଆ ସିଫ୍ଟ୍‌ରେ ତିନିଜଣ ଗାର୍ଡଙ୍କୁ ରଖି ସାରାଦିନ ଖଇରୀ କେତେବେଳେ କ’ଣ କରୁଛି ତା’ର ସବିଶେଷ ତଥ୍ୟ ଲେଖାଇ ରଖିଲେ। ଘର ଚାରିପଟେ ମଜଭୁତ ବାଡ଼ ହେଲା। କିନ୍ତୁ ଘର ଭିତରେ ଖଇରୀ ସମ୍ପୂର୍ଣ୍ଣ ମୁକ୍ତ। ନିହାରନଳିନୀଙ୍କ ସ୍ନେହଶୀଳ ଲାଳନପାଳନ ତଥା ସରୋଜଙ୍କ କଡ଼ା ଶୃଙ୍ଖଳା ଭିତରେ ଖଇରୀ ଧୀରେ ଧୀରେ ବଢ଼ିଚାଲିଲା। ୧୯୮୬ ଜାନୁଆରିରେ ‘ସମାବେଶ’ ପତ୍ରିକାରେ ପ୍ରକାଶିତ ଏକ ସାକ୍ଷାତ୍‌କାରରେ ନିହାରନଳିନୀ କହିଛନ୍ତି- ମୃତ୍ୟୁ ପୂର୍ବରୁ ଜଳାତଙ୍କରେ ଆକ୍ରାନ୍ତ ହେବା ପର୍ଯ୍ୟନ୍ତ ସେ କେବେ ବି ଅଣାୟତ୍ତ ହୋଇନାହିଁ ବା କାହାକୁ କାମୁଡ଼ି ନାହିଁ। ଖଇରୀକୁ ଦେଖିବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ  ବଡ଼ ବଡ଼ ଅଫିସର୍‌, ଗବେଷକ ଓ ପର୍ଯ୍ୟଟକ ଆସିବାବେଳେ ସେମାନଙ୍କ ସହ ବେଶ୍ ଶାନ୍ତ ଓ ସୁଧାର ଭାବେ ମିଶୁଥିଲା ସେ। କେବେ ସାମାନ୍ୟ ଅସ୍ବାଭାବିକ ବ୍ୟବହାର କଲେ ସରୋଜ ବା ନିହାରନଳିନୀ ତାଗିଦା କରିଦେଲେ ସେ ସ୍ବାଭାବିକ ହୋଇଯାଏ। ଏପରିକି ସେ ଖୋଲାରେ ବୁଲୁଥିବା ବେଳେ ପାଖରେ ଗାଈଗୋରୁ ବା ଛେଳି ଚରୁଥିଲେ ମଧ୍ୟ ମୁହଁଟେକି ଚାହେଁନାହିଁ। ତେବେ ସର୍କସ୍‌ ବା ଚିଡ଼ିଆଖାନାର ବାଘଙ୍କଠାରୁ ଖଇରୀ ଥିଲା ଭିନ୍ନ। ସେ ଝରଣାରେ ପହଁରି, ଜଙ୍ଗଲରେ ସ୍ବଚ୍ଛନ୍ଦ ବିଚରଣ କରୁଥିଲା। ସରୋଜ ବା ନିହାରଙ୍କ ଡାକ ଶୁଣିବା ମାତ୍ରେ ଫେରିଆସୁଥିଲା ଘରକୁ। ଖଇରୀ ମୁଖ୍ୟତଃ ରହୁଥିଲା ଯଶିପୁରରେ ସରୋଜଙ୍କ ସରକାରୀ ବଙ୍ଗଳାରେ। ମାତ୍ର ଜଣେ ପରିବାର ସଦସ୍ୟ ଭଳି ସେ ତାଙ୍କ ସହ ଜିପ୍‌ରେ ଭୁବନେଶ୍ବରର ପିଉସୀ ଘର ସମେତ ଅନେକ ସ୍ଥାନକୁ ବୁଲିବାକୁ ଯାଏ। ଅଖିଳମୋହନଙ୍କ ‘ବାଘରାଣୀ ଖଇରୀ’ ପୁସ୍ତକର ଭୂମିକାରେ ପତ୍ନୀ ଜ୍ଞାନଦା ଲେଖିଛନ୍ତି, ‘‘ଖଇରୀକୁ ଯେତେବେଳେ ମାତ୍ର ତିନିମାସ, ସେତେବେଳେ ମୋର ଭାଇ ତାକୁ ନେଇ ଆମ ଘର ‘ବାଲିଘର’କୁ ଆସିଥାନ୍ତି। ସେତେବେଳେ ଖଇରୀକୁ ଦେଖିବାପାଇଁ ଆମ ଘର ସାମ୍ନାରେ କି ଭିଡ଼!! ଆଜିଯାଏ ଆମ ଏଠାଲୋକ କହନ୍ତି, ଅଖିଳବାବୁ ଗୋଟିଏ ବାଘ ପୋଷିଥିଲେ।’’ ତେବେ ୧୯୮୧ରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଲା। ଏପ୍ରିଲ୍‌ ମାସରେ ସରୋଜ ସରକାରୀ କାମରେ ଦିଲ୍ଲୀ ଯାଇଥିବା ସମୟରେ ବାଡ଼ଭିତରେ ଗଳି ବଙ୍ଗଳା ଭିତରକୁ ପଶିଆସିଥିବା ଏକ ଜଳାତଙ୍କ ପୀଡ଼ିତ କୁକୁର ସହ ଝଗଡ଼ା କରି ଖଇରୀ ତାକୁ ମାରିଦେଲା। ମାତ୍ର କୁକୁରଠାରୁ ସଂକ୍ରମଣ ତା’ ପାଖକୁ ଆସିଲା ଏବଂ ସମସ୍ତ ଚେଷ୍ଟା ସତ୍ତ୍ବେ କିଛିଦିନ ପରେ ତା’ର ମୃତ୍ୟୁ ହେଲା।

ଖଇରୀର ମୃତ୍ୟୁରେ ସରୋଜ ଖୁବ୍ ଭାଙ୍ଗି ପଡ଼ିଥିଲେ। ଜ୍ଞାନଦା ପଟ୍ଟନାୟକଙ୍କ ଭାଷାରେ-‘‘ଖଇରୀକୁ ଝୁରି ଝୁରି ଭାଇ ପ୍ରାୟ ପନ୍ଦରଦିନ ଖାଇବାପିଇବା ଛାଡ଼ିଦେଲେ। ତାଙ୍କର ସ୍ବାସ୍ଥ୍ୟହାନୀ ଘଟିଲା। ତାଙ୍କର କେତେ ସ୍ବପ୍ନ ଥିଲା- ଖଇରୀର ପିଲାକୁ ମଧ୍ୟ ସେ ପାଳିବେ, ବିଶ୍ବଦରବାରରେ ପଶୁ ଓ ମନୁଷ୍ୟର ସ୍ନେହ ସମ୍ପର୍କ ପ୍ରତିପାଦନ କରିବେ। ମାତ୍ର ତାଙ୍କ ସବୁ ସ୍ବପ୍ନ ଅଧାରେ ଓ ଅକାଳରେ ତୁଟିଗଲା।’’ ତା’ପରର ଘଟଣାକ୍ରମ ଅତ୍ୟନ୍ତ ଦୁଃଖଦ। ଖଇରୀ ମୃତ୍ୟୁର ମାତ୍ର ବର୍ଷକ ପରେ ୧୯୮୨ ମେ ୪ ତାରିଖରେ ସରୋଜଙ୍କର ଦେହାନ୍ତ ହେଲା। ପଛକୁ ପଛ ଚାଲିଗଲେ ଅଖିଳମୋହନ ସେହିବର୍ଷ ନଭେମ୍ବରରେ। କେବଳ ବଞ୍ଚି ରହିଥିଲେ ଖଇରୀକୁ ଝିଅଠାରୁ ଅଧିକକରି ପାଳିଥିବା ନିହାରନଳିନୀ ସ୍ବାଇଁ।  ପରିଣତ ବୟସରେ କଟକର ଏକ ବୃଦ୍ଧାଶ୍ରମରେ ରହୁଥିବା ସମୟରେ ୨୦୨୧ ମସିହାରେ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଆଜି ଖଇରୀ ନାହିଁ। କିନ୍ତୁ ବନ୍ୟଜନ୍ତୁଟିଏ ହୋଇ ମଧ୍ୟ ମଣିଷମାନଙ୍କ ସହ ତା’ର ଅନନ୍ୟ ସ୍ନେହସମ୍ପର୍କର କାହାଣୀ ଆଜି ବି ଆଲୋଚିତ ହେଉଛି ଘରେ ଘରେ।  ‘ଖଇରୀ ନିବାସ’ ନାମରେ ନାମିତ ଯଶିପୁରରେ ସେ ରହୁଥିବା ବଙ୍ଗଳା ଆଜି ଝୁରୁଛି ତାକୁ। ସେଠାରେ ଥିବା ତା’ର ସମାଧିପୀଠକୁ  ଲୋକେ ଧାଇଁ ଆସୁଛନ୍ତି ହୃଦୟର ଶ୍ରଦ୍ଧାଅର୍ଘ୍ୟ ବାଢିଦେବାକୁ। ଠିକ୍ ସେମିତି ଆଜିବି ଝୁରୁଛି ଅଖିଳମୋହନଙ୍କ ‘ବାଲିଘର’ କାହିଁ କେତେଥର ତା’ରି କୋଳରେ ଅତିଥି ହୋଇଥିବା ସେଇ ବଣର ରାଜକୁମାରୀକୁ।