ସ୍ବରାଜ ମିଶ୍ର

Advertisment

ବାପାଙ୍କ ନାଁ ହୋଇଥିବ ରାମଚନ୍ଦ୍ର, ଆଉ ତାଙ୍କର ଥିବେ ଯାଆଁଳା ପୁଅ, ଯିଏ ଜ୍ଞାନ, ବୁଦ୍ଧି, ନିଷ୍ଠା ଓ ଦକ୍ଷତାରେ ଏକରୁ ଆରେକ ବଳି। ଓଡ଼ିଶା ମାଟିରେ ଏମିତି ଦୁଇଜଣ ଲବକୁଶ ଜନ୍ମ ନେଇଥିଲେ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଜଣେ ଓକିଲାତି ଓ ସମାଜସେବାରେ ଏବଂ ଆଉଜଣେ ଶିଳ୍ପୋଦ୍ୟୋଗ ଓ ରାଜନୀତି କ୍ଷେତ୍ରରେ ବିରଳ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି। ୧୮୮୫ ମସିହା ମେ ମାସ ୧୪ ତାରିଖ ସାବିତ୍ରୀ ଅମବାସ୍ୟା ତିଥିରେ ଅବିଭାଜିତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ କୁରଞ୍ଜିପୁର ଗାଁର କାନୁନ୍‌ଗୋ ରାମଚନ୍ଦ୍ର ଦାସଙ୍କ ଘରେ ଜନ୍ମ ନେଇଥିଲେ ଯାଆଁଳା ପୁଅ- ବିଚିତ୍ରାନନ୍ଦ ଓ ଭୁବନାନନ୍ଦ। ସ୍ନେହରେ ସେମାନେ ପରସ୍ପରକୁ ଡାକୁଥିଲେ ଲବ ଓ କୁଶ। ୧୯୦୫ରେ ଉଭୟେ କଟକର ରେଭେନ୍ସା କଲେଜିଏଟ୍ ସ୍କୁଲ୍‌ରୁ ଏଣ୍ଟ୍ରାନ୍ସ ଓ ୧୯୦୭ରେ ରେଭେନ୍ସା କଲେଜରୁ ଏଫ୍.ଏ. ପାସ୍ କଲେ। କିନ୍ତୁ ତା’ପରେ ଉଭୟଙ୍କ ରାସ୍ତା ବଦଳିଗଲା। ବଡ଼ଭାଇ ବିଚିତ୍ରାନନ୍ଦ (କୁଶ) କଲିକତା ବିଶ୍ବବିଦ୍ୟାଳୟରୁ ବି.ଏ. ଓ ବି.ଏଲ୍. ପାସ୍ କରି ଉତ୍କଳ ଗୌରବ ମଧୁସୂଦନଙ୍କ ଅଧୀନରେ ଓକିଲାତି ଆରମ୍ଭ କରିଥିଲେ। କନିଷ୍ଠ ଭୁବନାନନ୍ଦ (ଲବ) କିନ୍ତୁ ଏଫ୍.ଏ. ପରେ ପଢ଼ିଲେ ଇଞ୍ଜିନିୟରିଙ୍ଗ୍। ସେ ଶିବପୁର  ଇଞ୍ଜିନିୟରିଙ୍ଗ୍ କଲେଜରୁ ପଢ଼ା ସାରି ଉଚ୍ଚଶିକ୍ଷା ପାଇଁ ବିଲାତ ଚାଲିଗଲେ ଏବଂ ଗ୍ଲାସ୍‌ଗୋ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଙ୍ଗ୍‌ରେ ଡିଗ୍ରି ହାସଲକରି ଭାରତ ଫେରିଲେ।

ଏ ଦୁଇଭାଇ ଥିଲେ ଓଡ଼ିଶାର ଦୁଇଟି ରତ୍ନ। ସମାଜସେବା ପାଇଁ ସମର୍ପିତ ତଥା ଠକ୍କରବାପାଙ୍କ ଦ୍ବାରା ‘ସ୍ବାମୀଜୀ’ ନାମରେ ନାମିତ ମଧୁବାବୁଙ୍କର ପଟ୍ଟଶିଷ୍ୟ ବିଚିତ୍ରାନନ୍ଦ ସ୍ବାଧୀନତା ପରେ ଓଡ଼ିଶାର ପ୍ରଥମ ଆଡ୍‌ଭୋକେଟ୍ ଜେନେରାଲ୍ ପଦ ମଣ୍ଡନ କରିଥିଲେ। ଅନ୍ୟପକ୍ଷରେ ୧୯୨୩ ଠାରୁ ୧୯୫୮ରେ ଦେହାନ୍ତ ହେବା ପର୍ଯ୍ୟନ୍ତ ସ୍ବାଧୀନତା ପୂର୍ବରୁ ଓ ପରେ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିବା ଭୁବନାନନ୍ଦ ପରିଚିତ ହେଉଥିଲେ ‘ସଂସଦର ପିତା’ ନାମରେ। ଏହି କୁଶଳୀ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର୍ ଥିଲେ ଓଡ଼ିଶାରେ ବିଦ୍ୟୁତ୍‌ ଉତ୍ପାଦନ ଓ ସରବରାହ ବ୍ୟବସ୍ଥାର ଆଦ୍ୟପୁରୁଷ। ହୀରାକୁଦ ବନ୍ଧ ନିର୍ମାଣ ଓ ବିଦ୍ୟୁତ୍‌ ଉତ୍ପାଦନର ବହୁ ପୂର୍ବରୁ ସେ ‘ପୁରୀ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି’ ମାଧ୍ୟମରେ ପୁରୀ ସହରରେ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ କରାଇଥିଲେ। ୧୯୧୮ରେ ବିଲାତରୁ ଫେରି ଭୁବନାନନ୍ଦ ବମ୍ବେ ଇଲେକ୍ଟ୍ରିକାଲ୍‌ ସପ୍ଲାଇ ଏଣ୍ଡ୍ ଟ୍ରାନ୍ସପୋର୍ଟ (ବି.ଇ.ଏସ୍.ଟି.) କମ୍ପାନିରେ ଏକ ବଡ଼ ପଦବିରେ ଯୋଗ ଦେଇଥିଲେ। ପରେ ସେ ଚାକିରି ଛାଡ଼ି ବିଦ୍ୟୁତ୍‌ ଉତ୍ପାଦନ ଓ ସରବରାହ କ୍ଷେତ୍ରରେ ସ୍ବାଧୀନ ପରାମର୍ଶଦାତା ହିସାବରେ କାମ କଲେ। ତାଙ୍କ ପରାମର୍ଶ ଓ ତତ୍ତ୍ବାବଧାନରେ ରାଜକୋଟ ରାଜ୍ୟରେ ବିଦ୍ୟୁତ୍‌ ଉତ୍ପାଦନ ଓ ସରବରାହ ବ୍ୟବସ୍ଥା ଆରମ୍ଭ ହେଲା। ଏହାଛଡ଼ା କାମ୍ବେ, ଆଲିଗଡ଼, ଗୟା, ଛାପ୍ରା, ରାଜମହେନ୍ଦ୍ରୀ ଓ କାକିନାଡ଼ା ଆଦି ସହରରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା ଆରମ୍ଭ କରିବାରେ ତାଙ୍କର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ। ସେତେବେଳେ ଓଡ଼ିଶାର ଲୋକେ ବିଜୁଳିଶକ୍ତିର ଉପଯୋଗିତା ବୁଝିବା ତ ଦୂରର କଥା, ବିଜୁଳି ଆସିଲେ ମଶା ବଢ଼ିଯିବେ, ଦେବାଦେବୀ ରାତିରେ ନଗର ପରିକ୍ରମା କରିପାରିବେ ନାହିଁ କହି ଏହାର ବିରୋଧ କରୁଥିଲେ। କିନ୍ତୁ ଦୂରଦୃଷ୍ଟିସମ୍ପନ୍ନ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବାରିପଦାରେ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ଭୁବନାନନ୍ଦଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ।

ବିଚିତ୍ରାନନ୍ଦ-ଭୁବନାନନ୍ଦ ଶତବାର୍ଷିକୀ କମିଟି ତରଫରୁ ୧୯୮୫ରେ ପ୍ରକାଶିତ ସ୍ମରଣିକାରେ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଭୁବନାନନ୍ଦଙ୍କ ସମ୍ପର୍କରେ ଲେଖିଛନ୍ତି, ‘‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳ ପୁରୀରେ  ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଗଠନ ନିମନ୍ତେ ତାଙ୍କୁ ଅନୁମତି ଦେଇଥିଲେ। ବହୁ ବାଧାବିଘ୍ନ ସତ୍ତ୍ୱେ ୧୯୪୦ ମସିହାରେ ଏହା ସମ୍ଭବ ହୋଇ ପାରିଥିଲା।’’ ଭୁବନାନନ୍ଦ ଓ ବିଚିତ୍ରାନନ୍ଦ ଦୁହିଁଙ୍କୁ ପାଠପଢ଼ାଇ ଯୋଗ୍ୟ କରିବାରେ ବଡ଼ଭାଇ ରାଘବାନନ୍ଦ ଦାସଙ୍କର ମୁଖ୍ୟ ଭୂମିକା ଥିଲା। ତ‌ାଙ୍କ ପୁଅ ରାଧାକୃଷ୍ଣ ଦାସ ଦୀର୍ଘଦିନ ଧରି ଏହି କମ୍ପାନିର ସୁପରିଚାଳନା କରି ଆସୁଥିଲେ। ରାଧାକୃଷ୍ଣଙ୍କ ଝିଅ ସ୍ବର୍ଣ୍ଣଲତାଙ୍କର ଏକ ହାତଲେଖା ନୋଟ୍‌ରୁ ଜଣାଯାଏ ଯେ ଏହି କମ୍ପାନି ପ୍ରଥମେ ନିଜର ବଡ଼ ବଡ଼ ଜେନେରେଟର୍‌ ସାହାଯ୍ୟରେ ବିଦ୍ୟୁତ୍‌ ଉତ୍ପାଦନ କରି ଯୋଗାଉଥିଲା। ପରେ ୧୯୬୧ରେ ଓଡ଼ିଶା ସରକାର ଏହି କମ୍ପାନିକୁ ଜାତୀୟକରଣ କରି ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ଜରିଆରେ ପୁରୀରେ ବିଜୁଳି ଯୋଗାଣ କଲେ। ଆଜି ମଧ୍ୟ ପୁରୀର ରେଡ୍‌କ୍ରସ୍‌ ରୋଡ୍‌ସ୍ଥିତ ଏହି ପରିସରରେ ଭୁବନାନନ୍ଦଙ୍କ ମୂର୍ତ୍ତି ଶୋଭା ପାଉଛି।

ସ୍ବାଧୀନତା ପୂର୍ବରୁ ୧୯୧୯ ଭାରତ ଶାସନ ଆଇନର ପ୍ରାବଧାନ ଅନୁସାରେ ଭାରତରେ କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଚ୍ଚଶିକ୍ଷିତ ଭୁବନାନନ୍ଦଙ୍କୁ ୧୯୨୩ ନିର୍ବାଚନରେ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା (ବଡ଼ଲାଟ୍‌ ସଭା) ପାଇଁ ପ୍ରାର୍ଥୀ କରାଗଲା। ବିହାର-ଓଡ଼ିଶା ରାଜ୍ୟରୁ ନୀଳକଣ୍ଠ ଦାସଙ୍କ ସହ ସେ ମଧ୍ୟ ବିଜୟୀ ହେଲେ। ଏହାପରେ ୧୯୨୬, ୧୯୩୦ ଆଦି ପରବର୍ତ୍ତୀ ସମସ୍ତ ନିର୍ବାଚନ ଜିଣି ସେ ୧୯୪୬ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ସଦସ୍ୟ ରହିଥିଲେ। ଏହି ସମୟକାଳ ଭିତରେ ସେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଖଲ୍ଲିକୋଟର ରାଜାବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସହ ଲଣ୍ଡନ୍‌ ଯାଇ ଗୋଲ୍‌ଟେବୁଲ୍ ବୈଠକରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଇଂରେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଓ ବିଭିନ୍ନ ଦସ୍ତାବିଜ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନେଇଥିଲେ।

୧୯୪୬ରେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ରହିଥିବା ଭୁବନାନନ୍ଦ ସ୍ବାଧୀନତା ପରେ ପ୍ରଥମ ସାଧାରଣ ନିର୍ବାଚନ (୧୯୫୧-୫୨)ରେ କଂଗ୍ରେସ ପ୍ରାର୍ଥୀ ହିସାବରେ ଯାଜପୁର-କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ଜିଣି ଲୋକସଭାକୁ ଗଲେ। ବ୍ୟବସ୍ଥାପକ ସଭାରେ ଦୀର୍ଘବର୍ଷ ଅଭିଜ୍ଞତା କାରଣରୁ ଲୋକେ ତାଙ୍କୁ  ‘ସଂସଦର ପିତା’ ନାମରେ ସମ୍ବୋଧନ କରୁଥିଲେ। ଲୋକସଭାରେ ଜଣେ ବରିଷ୍ଠ ନୀତିନିଷ୍ଠ ସଦସ୍ୟ ହିସାବରେ ସେ ‘ପବ୍ଲିକ୍‌ ଆକାଉଣ୍ଟସ୍ କମିଟି’ର ଅଧ୍ୟକ୍ଷ ପଦରେ ଦୀର୍ଘ ୫ବର୍ଷ କାଳ ରହିଥିଲେ। ଏହି ଗୌରବ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ। ୧୯୫୭ରେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ ଏବଂ ସେହି କାର୍ଯ୍ୟକାଳ ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା।

ଏପାଖେ ବିଚିତ୍ରାନନ୍ଦ ଥିଲେ ମଧୁବାବୁଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ଉତ୍ସର୍ଗୀକୃତ ସମାଜସେବୀ। ୧୯୨୧ରୁ ସେ କଟକ ଡଗରପଡ଼ାରେ ‘ଓଡ଼ିଶା ଅନାଥାଶ୍ରମ’ ପ୍ରତିଷ୍ଠା କରିଥିଲେ, ଯାହା ଆଜି ‘ସ୍ବାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ’ ନାମରେ ପରିଚିତ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ସେ ନିର୍ବାଚିତ ହୋଇ ଆସିଥିଲେ ରାଜ୍ୟ ବିଧାନସଭାକୁ। ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନରେ ସେ ଅଧ୍ୟକ୍ଷତା କରି ନିର୍ବାଚିତ ସଦସ୍ୟମାନଙ୍କୁ ଶପଥପାଠ କରାଇବା ସହ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ କରାଇଥିଲେ। ସ୍ବାଧୀନତା ପରେ ସେ ହେଲେ ଓଡ଼ିଶା ରାଜ୍ୟର ପ୍ରଥମ ଆଡଭୋକେଟ୍ ଜେନେରାଲ୍। କିନ୍ତୁ ଭୁବନାନନ୍ଦଙ୍କ ଆଦରର ବଡ଼ଭାଇ ‘କୁଶା’ ତାଙ୍କର ଜନସେବା ଓ ଋଷିପ୍ରତିମ ଜୀବନ ଯୋଗୁଁ ଲୋକଙ୍କ ଭିତରେ ପରିଚିତ ଥିଲେ ‘ସ୍ବାମିଜୀ’ ନାମରେ, ଯେମିତି  ବିଦେଶଫେରନ୍ତା ସାନଭାଇ ‘ନବା’ ଓରଫ୍ ଭୁବନାନନ୍ଦ ସାରାଦେଶରେ ପରିଚିତ ଥିଲେ ‘ମିଷ୍ଟର୍‌ ବି. ଦାସ’ ହିସାବରେ। 
ମେ ୧୪ତାରିଖ ପବିତ୍ର ଜୟନ୍ତୀ ଅବସରରେ ସେହି ଯୋଗଜନ୍ମା ଲବକୁଶ ଦୁଇଭାଇଙ୍କୁ ବିନମ୍ର ପ୍ରଣାମ।