ସ୍ବରାଜ ମିଶ୍ର
ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠାରୁ ବେଶୀ ପ୍ରିୟ ‘ଗୀତଗୋବିନ୍ଦ’। ଶ୍ରୀଜୟଦେବ ବିରଚିତ ପ୍ରେମର ଏଇ ମହାକାବ୍ୟର ଲଳିତ ପଦ୍ୟାବଳି ନଶୁଣିଲେ ତାଙ୍କ ଆଖିକୁ ନିଦ ଆସେନାହିଁ। ଗୀତଗୋବିନ୍ଦ ଗାୟନ ସହ ନୃତ୍ୟାଭିନୟ ଖାଲି ମହାପ୍ରଭୁଙ୍କର କାହିଁକି, ସମଗ୍ର ବିଶ୍ବବାସୀଙ୍କର ପ୍ରିୟ। ତେବେ ଓଡିଶୀ ନୃତ୍ୟ ସହ ଗୀତଗୋବିନ୍ଦ ଗାୟନର ଯୁଗଳବନ୍ଦୀକୁ ସାରା ବିଶ୍ବରେ ପହଞ୍ଚାଇବା କ୍ଷେତ୍ରରେ ଯେଉଁ କଳାକାର ଦମ୍ପତି ଐତିହାସିକ ଭୂମିକା ନିଭାଇଥିଲେ, ସେମାନେ ହେଲେ ପଣ୍ଡିତ ରଘୁନାଥ ଓ ସଂଯୁକ୍ତା ପାଣିଗ୍ରାହୀ। ଏହି ଦୁଇଜଣଙ୍କର ପ୍ରେମ ଓ ପ୍ରତିଭାର କାହାଣୀ ଯେତିକି ବିସ୍ମୟକର, ସେତିକି ପ୍ରେରଣାପ୍ରଦ। ୧୯୩୨ ମସିହାରେ ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ରଘୁନାଥଙ୍କର ଜନ୍ମ। ବାପା ପଣ୍ଡିତ ନୀଳମଣି ପାଣିଗ୍ରାହୀ ଥିଲେ ଗୀତଗୋବିନ୍ଦର ଜଣେ ନିରୁତା ପୃଷ୍ଠପୋଷକ। ପିଲାଦିନୁ ବାପାଙ୍କ ତତ୍ତ୍ବାବଧାନରେ ଗୀତଗୋବିନ୍ଦ ଗାୟନରେ ପାରଦର୍ଶିତା ହାସଲ କରିଥିଲେ ରଘୁନାଥ। ଏକ ସଙ୍ଗୀତ ସମ୍ମିଳନୀରେ ଯୋଗଦେବା ପାଇଁ ବାପାଙ୍କ ସହ ମାଡ୍ରାସ (ଚେନ୍ନାଇ) ଆସିଥିବା ବେଳେ ତାଙ୍କ କଣ୍ଠର ଯାଦୁ ଓ ଗାୟନ ଶୈଳୀରେ ପ୍ରଭାବିତ ହୋଇ ସ୍ଥାନୀୟ ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ସୁଯୋଗ ଦେବାପାଇଁ ଆଗ୍ରହୀ ହେଲେ। ରଘୁନାଥ ମଧ୍ୟ ସେଇଠି ରହି ସଙ୍ଗୀତ ସାଧନା ଜାରି ରଖିଲେ। ତାହା ଥିଲା ୧୯୫୦ ଦଶକର ଆଦ୍ୟ ଭାଗ। ଦକ୍ଷିଣ ଭାରତୀୟ ଭାଷାରେ ଦକ୍ଷତା ଥିବାରୁ କ୍ରମେ ତାଙ୍କୁ ତେଲୁଗୁ, ତାମିଲ ଏପରିକି କନ୍ନଡ ସିନେମାରେ କାମ ମିଳିଲା। ସେ ତେଲୁଗୁ ଓ ତାମିଲ୍ ସିନେମାର ଅନେକ କିଂବଦନ୍ତି ପୁରୁଷଙ୍କ ପାଇଁ କଣ୍ଠଦାନ କରିଛନ୍ତି। କିନ୍ତୁ ଏହି ସମୟକାଳ ଭିତରେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଘଟଣାଟି ଘଟିଥିଲା। ତାଙ୍କର ସାକ୍ଷାତ ହୋଇଥିଲା କିଶୋରୀ ସଂଯୁକ୍ତାଙ୍କ ସହ ରୁକ୍ମଣୀ ଦେବୀ ଅରୁେଣ୍ଡଲ୍ଙ୍କ ‘କଳାକ୍ଷେତ୍ର’ ଅନୁଷ୍ଠାନରେ।
୧୯୪୪ ମସିହାରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିବା ସଂଯୁକ୍ତାଙ୍କର ନୃତ୍ୟଶିକ୍ଷା ପାଇଁ ଆଗ୍ରହ ଥିଲା ପିଲାଟିଦିନରୁ। ବାପା ଅଭିରାମ ମିଶ୍ରଙ୍କର ଇଚ୍ଛା ନଥିଲେ ମଧ୍ୟ ମା’ ଶକୁନ୍ତଳା ଝିଅର ଆଗ୍ରହ ଦେଖି ତାକୁ ନାଚ ଶିଖାଇବା ପାଇଁ ମାତ୍ର ସାଢ଼େ ଚାରିବର୍ଷ ବୟସରେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ପହଞ୍ଚାଇ ଦେଇଥିଲେ। ସେଇ ଶିଶୁ ବୟସରେ ମଞ୍ଚରେ ନୃତ୍ୟ ପରିବେଷଣ କରି ସେ କଳାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏବଂ ଓଡ଼ିଶା ଓ ଓଡ଼ିଶା ବାହାରେ ପୁରସ୍କାର ସାଉଁଟିବା ଆରମ୍ଭ କଲେ। ଏଣୁ ବାପାମା’ ଚାହିଲେ ତାଙ୍କୁ ଦେଶର ଶ୍ରେଷ୍ଠ ନୃତ୍ୟ ଶିକ୍ଷାନୁଷ୍ଠାନ ମାଡ୍ରାସର କଳାକ୍ଷେତ୍ରକୁ ପଠାଇ ରୁକ୍ମିଣୀ ଦେବୀ ଅରୁଣ୍ଡେଲ୍ଙ୍କଠାରୁ ଭରତନାଟ୍ୟମ୍ ପ୍ରଶିକ୍ଷଣ ଦେବାକୁ। କାରଣ ସେତେବେଳେ ଭରତନାଟ୍ୟମ୍କୁ ଶାସ୍ତ୍ରୀୟ ମାନ୍ୟତା ମିଳି ସାରିଥିଲା। ଦଶବର୍ଷରୁ କମ୍ ବୟସର ଝିଅଙ୍କୁ ସେଠାରେ ଭର୍ତ୍ତି କରାଯାଉ ନଥିଲେ ମଧ୍ୟ ସଂଯୁକ୍ତାଙ୍କ ଜିଦ୍ ଓ ପ୍ରତିଭା ଦେଖି ତାଙ୍କୁ ମାତ୍ର ନଅବର୍ଷ ବୟସରେ ସେଠାରେ ଯୋଗଦେବାକୁ ଅନୁମତି ଦେଇଥିଲେ ରୁକ୍ମିଣୀ ଦେବୀ। ସଂଯୁକ୍ତା ଛଅ ବର୍ଷର କଠୋର ସାଧନା ପରେ ଭରତନାଟ୍ୟମ୍ରେ ପ୍ରଥମ ହୋଇ ସେଠାରୁ ‘ନୃତ୍ୟପ୍ରବୀଣା’ ଉପାଧି ଲାଭ କରିଥିଲେ।
ଏହି ସମୟଟି ଥିଲା ରଘୁନାଥ ଓ ସଂଯୁକ୍ତା ଉଭୟଙ୍କ ସାଧନାମୟ ଜୀବନର ଏକ ମଧୁମୟ ସୋପାନ। କାରଣ ଚେନ୍ନାଇର ସେଇ ସାଧନାକାଳ ଭିତରେ ନୃତ୍ୟ ଓ ସଙ୍ଗୀତର ଏ ଦୁଇ ଅପୂର୍ବ ପ୍ରତିଭାଙ୍କ ଭିତରେ ଏକ ଚିରନ୍ତନ ଯୁଗଳବନ୍ଦୀର ମୂଳଦୁଆ ପଡ଼ିଥିଲା। ରଘୁନାଥ ସେତେବେଳେ ପ୍ରାୟ କଳାକ୍ଷେତ୍ର ଯାଉଥିଲେ ଏବଂ କିଶୋରୀ ସଂଯୁକ୍ତାଙ୍କ ଅପୂର୍ବ ନୃତ୍ୟଶୈଳୀ ଓ ଲାସ୍ୟ ଛୁଇଁ ଯାଉଥିଲା ତାଙ୍କ ହୃଦୟକୁ। ରଘୁନାଥ ସେତେବେଳେ ୨୨/୨୩ ବର୍ଷର ସୁଦର୍ଶନ ଯୁବକ। ତାଙ୍କ କଣ୍ଠର ଯାଦୁ ମଧ୍ୟ ଯଥେଷ୍ଟ ଥିଲା ସଂଯୁକ୍ତାଙ୍କୁ ଆନମନା କରିବାକୁ। ସେ ସମୟର ଏକ ମଜାଦାର ଘଟଣାର ଅବତାରଣା କରିଛନ୍ତି ଇଞ୍ଜିନିୟର ଜି. ରାମମୋହନ। ୨୦୧୩ ମସିହାରେ ରଘୁନାଥଙ୍କ ଦେହାନ୍ତ ପରେ ଚେନ୍ନାଇରୁ ପ୍ରକାଶ ପାଉଥିବା ‘ମାଡ୍ରାସ ମ୍ୟୁଜିଙ୍ଗସ୍’ ପାକ୍ଷିକରେ ରାମମୋହନ ରଘୁନାଥଙ୍କ ସ୍ମୃତିଚାରଣ କରି ଲେଖିଛନ୍ତି, ସେତେବେଳେ ରଘୁନାଥ ମାୟଲାପୁରର ଏକ ଡର୍ମିଟୋରିରେ ରହୁଥିଲେ। ନିକଟସ୍ଥ ଛକରେ ରାମମୋହନ ଓ ତାଙ୍କ ସାଙ୍ଗମାନେ ନିତି ଗପ ମାରୁଥିଲେ। ତାମିଲ କହିପାରୁଥିବାରୁ ରଘୁନାଥ ବି ସେମାନଙ୍କ ସହ ଯୋଗ ଦେଉଥିଲେ। ତେବେ ରଘୁନାଥଙ୍କର ‘ପାଣିଗ୍ରାହୀ’ ସାଙ୍ଗିଆଟି ଥିଲା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ସଂସ୍କୃତ ଭାଷାର ‘ପାଣିଗ୍ରହଣମ୍’ ଶବ୍ଦଟିର ଅର୍ଥ ସହ କିନ୍ତୁ ସେମାନେ ପରିଚିତ ଥିଲେ। ଦିନେ ରଘୁନାଥଙ୍କୁ ଖଟିରେ ସେମାନଙ୍କ ଭିତରୁ ଜଣେ ଥଟ୍ଟାରେ ପଚାରିଦେଲା, “ଆଚ୍ଛା, ପାଣିଗ୍ରାହୀଙ୍କ ପାଣିଗ୍ରହଣମ୍ କେବେ?” ରଘୁନାଥ ସେତେବେଳେ ଫେରୁଥିଲେ କଳାକ୍ଷେତ୍ରରୁ। ସେ ହଠାତ୍ ଚମକିପଡ଼ିଲେ, ଲାଜେଇଯାଇ କହିଥିଲେ,“ଖୁବ୍ ଶୀଘ୍ର, ଖୁବ୍ ଶୀଘ୍ର।’’ ମାଡ୍ରାସରେ ଥିବା ବେଳେ ହିଁ ରଘୁନାଥ-ସଂଯୁକ୍ତାଙ୍କ ବିବାହ ପାଇଁ ଉଭୟ ପରିବାର ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ‘ରବିବାର ସମ୍ବାଦ’କୁ ଏକ ସାକ୍ଷାତ୍କାରରେ ଥରେ ସଂଯୁକ୍ତା କହିଥିଲେ, ‘‘ପ୍ରଥମେ ମୋ ବାପା ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ଗୁରୁଜୀ କହିଲେ, ଦୁହେଁ କଳାକାର, ସେମାନଙ୍କର ବିଭାଘର ହେଲେ ପରସ୍ପରର ଅନୁପ୍ରେରଣାରେ ଦିନେ ବଡ଼ ହେବେ।’’ ‘କଳାକ୍ଷେତ୍ର’ରୁ ଶିକ୍ଷା ସାରି ସଂଯୁକ୍ତା ଓଡ଼ିଶା ରାଜ୍ୟ ସରକାରଙ୍କ ବୃତ୍ତି ପାଇ ବମ୍ବେ ଗଲେ କଥକ ନୃତ୍ୟ ଶିକ୍ଷା ପାଇଁ। ରଘୁନାଥ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ଭବିଷ୍ୟତ ଖୋଜିବା ପାଇଁ ଚାଲିଆସିଥିଲେ ସେଠାକୁ।
ସଂଯୁକ୍ତାଙ୍କ ଭାଷାରେ ,‘‘ଏହାପରେ ବମ୍ବେରେ ଆମ ଦୁହିଁଙ୍କର ଦେଖା ହେଲା। ଆମେ ପରସ୍ପରକୁ ଭଲପାଇ ବସିଲୁ। ବାପାଙ୍କୁ ମୁହଁଖୋଲି କହିବାର ସାହସ ବି ଆମର ହୋଇଥିଲା।’’ ମାୟାନଗରୀ ମୁମ୍ବାଇରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ୧୯୬୦ରେ, ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିରରେ। ତାହା ଥିଲା ଉଭୟଙ୍କ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। କାରଣ ପରିବାରର ସଦସ୍ୟଙ୍କ ଛଡ଼ା ସେଦିନ ଉଭୟଙ୍କୁ ଆଶୀର୍ବାଦ ଦେବା ପାଇଁ ବଲିଉଡ୍ର ମହାନ୍ ତାରକା ପୃଥ୍ବୀରାଜ କପୁର ମଧ୍ୟ ଉପସ୍ଥିତ ଥିଲେ। ସେ ଥିଲେ ରଘୁନାଥଙ୍କ ଗୀତଗୋବିନ୍ଦ ଗାୟନର ଜଣେ ବଡ଼ ପ୍ରଶଂସକ ଏବଂ ଆଦରରେ ତାଙ୍କୁ ଡାକୁଥିଲେ ‘ଗୀତଗୋବିନ୍ଦ ପାଣିଗ୍ରାହୀ’। ନବଦମ୍ପତିଙ୍କ ପାଇଁ ବମ୍ବେର ରହଣି ଥିଲା କଠୋର ସାଧନା ଓ ସଂଘର୍ଷର ସମୟ। କାରଣ ମାଡ୍ରାସ ପରି ବମ୍ବେ ଚଳଚ୍ଚିତ୍ର ଜଗତରେ ବିଶେଷ ସୁଯୋଗ ମିଳୁ ନଥାଏ ରଘୁନାଥଙ୍କୁ। ସଂଯୁକ୍ତା ମଧ୍ୟ ଦୁଇଟି ସନ୍ତାନଙ୍କ ଜନନୀ ହୋଇ ଜଞ୍ଜାଳରେ ଛନ୍ଦି ହୋଇ ପଡ଼ିଥାନ୍ତି। କିନ୍ତୁ ଈଶ୍ବରଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ। ସେମାନଙ୍କ ମାଧ୍ୟମରେ ଓଡିଶୀ ନୃତ୍ୟ ଓ ସଙ୍ଗୀତକୁ ବିଶ୍ବ ଦରବାରରେ ପହଞ୍ଚାଇବା ଥିଲା ସମ୍ଭବତଃ ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା। ଚଳଚ୍ଚିତ୍ର ଦୁନିଆର ଆକର୍ଷଣକୁ ଏଡ଼ାଇଯାଇ ରଘୁନାଥ ଓ ସଂଯୁକ୍ତା ସ୍ଥିର କଲେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତରେ ଧ୍ୟାନ ଦେବାପାଇଁ। ଏହା ପଛରେ ପ୍ରେରଣା ଥିଲା ଗୁରୁ କେଳୁଚରଣ ମହାପାତ୍ରଙ୍କର। ତାଙ୍କର ନୂଆ ନୂଆ ସଂରଚନା ସବୁକୁ ନିର୍ଭୁଲ୍ ଓ ନିଖୁଣ ଭାବରେ ମଞ୍ଚରେ ପ୍ରସ୍ତୁତ କରୁଥିଲେ ସଂଯୁକ୍ତା। ତା’ ସହିତ ଯେତେବେଳେ ଯୋଡ଼ି ହୋଇ ଯାଉଥିଲା ରଘୁନାଥଙ୍କ ମଧୁଝରା କଣ୍ଠର ଭାବଭରା ଗାୟନ, ଦର୍ଶକ ମନ୍ତ୍ରମୁଗ୍ଧ ହୋଇପଡୁଥିଲେ।
ସଂଯୁକ୍ତା ଓ ରଘୁନାଥଙ୍କ ଉଦ୍ୟମରେ ଓଡ଼ିଶୀର ବୈଶିଷ୍ଟ୍ୟଗୁଡ଼ିକ ଚମତ୍କାର ଭାବେ ବିଶ୍ବ ଦରବାରରେ ଉପସ୍ଥାପିତ ହେଲା। ରଘୁନାଥଙ୍କ ଭାଷାରେ,‘‘ମୋ ଗୀତଗୋବିନ୍ଦ ଗାୟନଶୈଳୀରେ କୌଣସି ଅଭାବ ନଥିଲା। କିନ୍ତୁ ସେଥିରେ ଭିଜୁଆଲ୍ ନଥିଲା, ଯାହାକୁ ମୋ ସ୍ତ୍ରୀ ନୃତ୍ୟ ମାଧ୍ୟମରେ ଅତି ସରଳ ଓ ଭକ୍ତିଭାବରେ ଉପସ୍ଥାପିତ କଲା। ମୁଁ ଖାଲି ଗାଇଲେ ତ ସମସ୍ତେ ତା’ର ଭାବ ବୁଝିପାରିବେନି। ନୃତ୍ୟରେ ପ୍ରାଣ ପ୍ରତିଷ୍ଠା କଲା ସଞ୍ଜୁ।’’ ସେଇପରି ସଂଯୁକ୍ତା କହନ୍ତି-‘‘ସେ ଗାୟକ ସଙ୍ଗୀତଜ୍ଞ, ଆଉ ମୁଁ ନୃତ୍ୟଶିଳ୍ପୀ। ଜଣେ ଅନ୍ୟର ପରିପୂରକ।’’ ପ୍ରକୃତରେ ଉଭୟ ପରସ୍ପରର ଜୀବନରେ ଆଣିଦେଇଥିଲେ ପୂର୍ଣ୍ଣତା। ସୁରମଣି ରଘୁନାଥ ଓ ନୃତ୍ୟସାମ୍ରାଜ୍ଞୀ ସଂଯୁକ୍ତା ପାଣିଗ୍ରାହୀଙ୍କର ଶୁଭପରିଣୟ ଥିଲା ଓଡ଼ିଶୀ ସଂଗୀତ ଓ ନୃତ୍ୟର ଅମୃତ ସଙ୍ଗମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/09/Nx60Fxk5cZo6KkZpyB3F.jpg)