ସାଧାରଣତନ୍ତ୍ର ଦିବସ: ଭାରତୀୟ ସମ୍ବିଧାନର ପ୍ରସ୍ତାବନା

ଆଜି ସମଗ୍ର ଦେଶରେ ୭୩ତମ ଜାତୀୟ ଜନରାଜ୍ୟ ଦିବସ ବା ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ୧୯୫୦ ମସିହା ଆଜିର ତାରିଖରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରରେ ବ୍ରିଟିସ୍‌ ସରକାର ଭାରତର ଆଧିପତ୍ୟକୁ ପରିହାର କରି ଦେଶବାସୀଙ୍କ ହାତରେ ଦେଶର ଶାସନ ଡୋରି ଅର୍ପଣ କରିଥିଲେ। ମାତ୍ର ଦେଶର ସୁପରିଚାଳନା ପାଇଁ ସେତେବେଳେ ଦେଶର କୌଣସି ନିଜସ୍ବ ସମ୍ବିଧାନ ଉପଲବ୍‌ଧ ନଥିଲା। ତେବେ ଏଥିପାଇଁ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍‌ଟିଂ କମିଟି ଗଠିତ ହୋଇଥିଲା ଏବଂ ବିଶ୍ବର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର ସାରମର୍ମକୁ ଅନୁସରଣ କରି ଏବଂ ଦେଶର ବିଭିନ୍ନ ବର୍ଗର ଜନନାୟକଙ୍କ ସହ ଆଲୋଚନା କରି ଉକ୍ତ କମିଟି ୧୯୪୯ ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରିଥିଲେ। ଏହାର ଠିକ୍‌ ଦୁଇ ମାସ ପରେ ୧୯୫୦ ଜାନୁଆରି ୨୬ ତାରିଖରେ ଦେଶ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ ହେବା ସହ ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ଇଣ୍ଡିଆ ଆକ୍ଟ-୧୯୩୫ ବଦଳରେ ସଦ୍ୟ ପ୍ରସ୍ତାବିତ ସମ୍ବିଧାନ ଦ୍ବାରା ଦେଶର ଶାସନ ଆରମ୍ଭ ହୋଇଥିଲା। ନିର୍ଦ୍ଦିଷ୍ଟ ଭାବରେ ଏହି ତାରିଖରେ ନୂତନ ସମ୍ବିଧାନ ଗୃହୀତ ହେବା ପଛର କାରଣ ହେଉଛି ତାହାର ଠିକ୍‌ ୨୦ ବର୍ଷ ତଳେ ୧୯୩୦ ଜାନୁଆରି ୨୬ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ବାରା ଭାରତୀୟ ସ୍ବାଧୀନତା ବା ପୂର୍ଣ୍ଣ ସ୍ବରାଜ ଘୋଷଣା କରାଯାଇଥିଲା। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶର ଐକ୍ୟର ପ୍ରତୀକ ବିଭିନ୍ନ ସାଂସ୍କୃତିକ ସମାରୋହକୁ ମଧ୍ୟ ଉଦ୍‌ଘାଟନ କରିଥା’ନ୍ତି। ସେହିପରି ଦେଶର ପ୍ରଗତିର ସଂକେତ ସ୍ବରୂପ ଦେଶ ନିଜ ସାର୍ବଭୌମ୍ୟର ସୁରକ୍ଷା ପାଇଁ ହାସଲ କରିଥିବା ନୂତନ ଜ୍ଞାନକୌଶଳ ସଂପନ୍ନ ବିଭିନ୍ନ ଯୁଦ୍ଧାସ୍ତ୍ର ଓ ବିମାନକୁ ମଧ୍ୟ ପ୍ରଦର୍ଶନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହାନ୍‌ ବ୍ୟକ୍ତିତ୍ବଙ୍କୁ ରାଷ୍ଟ୍ରପତି ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରିଥା’ନ୍ତି।

ଭାରତୀୟ ସମ୍ବିଧାନର ପ୍ରସ୍ତାବନା
ଭାରତୀୟ ସମ୍ବିଧାନ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଯେଉଁଥିରେ ୧.୪୬ ଲକ୍ଷ ଶବ୍ଦ ରହିଛି। ତେବେ ଏକ ପୃଷ୍ଠାରେ ସୀମିତ ସମ୍ବିଧାନର ପ୍ରସ୍ତାବନାରେ ଏହାର ଆତ୍ମା ନିହିତ। ଏଥିରେ ସମ୍ବିଧାନର ମୂଳ ତତ୍ତ୍ବ ପ୍ରତିଫଳିତ ହୋଇଥାଏ। ପ୍ରସ୍ତାବନାରେ ଉଲ୍ଲେଖ ଅନୁଯାୟୀ ସମ୍ବିଧାନ ଲାଗୁ ହେବା ସହିତ ଭାରତ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଗଣରାଜ୍ୟର ପରିଚୟ ହାସଲ କରିଥିଲା। ଏହି ସର୍ବୋଚ୍ଚ ଆଇନ ପୁସ୍ତକ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ଏବଂ ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଓ ଉପସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇଥାଏ। ସେହିପରି ଭ୍ରାତୃତ୍ବ ପ୍ରତିଷ୍ଠା ଦ୍ବାରା ଦେଶବାସୀଙ୍କର ବ୍ୟକ୍ତିଗତ ଗରିମା ଓ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ଭାରତବାସୀଙ୍କ ଦାୟିତ୍ବ ମଧ୍ୟ। ଆମ ସମ୍ବିଧାନର ଆଉ ଏକ ବିଶେଷତ୍ବ ହେଲା ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ବିଧିବଦ୍ଧ ଭାବେ ଏଥିରେ ସଂଶୋଧନ ଆଣିବାର ବ୍ୟବସ୍ଥା ରହିଛି। ଏହି କାରଣରୁ ଏ ପର୍ଯ୍ୟନ୍ତ ୯୦ରୁ ଅଧିକ ଥର ସମ୍ବିଧାନ ସଂଶୋଧିତ ହୋଇଛି। ୬୧ତମ ସଂଶୋଧନରେ ନିର୍ବାଚନରେ ମତଦାନ ବୟସକୁ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା, ୭୩ତମ ସଂଶୋଧନରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ କରାଯିବା କେତେକ ଉଲ୍ଲେଖନୀୟ ସଂଶୋଧନ। ସମ୍ବିଧାନର ପ୍ରସ୍ତାବନାକୁ ଏ ଯାଏଁ ମାତ୍ର ଥରେ ସଂଶୋଧିତ କରାଯାଇଛି। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ୪୨ତମ ସଂଶୋଧନ ଦ୍ବାରା ପ୍ରସ୍ତାବନାରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଯୋଡ଼ାଯାଇଥିଲା।

ସମ୍ବନ୍ଧିତ ଖବର