ଭୁବନେଶ୍ବର: ମାଆ ଲୋ ! ଉତ୍ସବ ସରିଲା, ଏବେ ବିଦାୟର ବେଳ । ଶରତ ଆସିଲା, ତୁ ବି ଆସିଲୁ… ଧରାବତରଣ କରି ଭକ୍ତଙ୍କୁ ଦର୍ଶନ ବି ଦେଲୁ । ସବୁଠି ଧୂମଧାମ ପରିବେଶ, ତୋ ଆସିବାର ଖୁସିରେ ଫାଟି ପଡୁଥିଲା । ହେଲେ ଆଜି ପରେ ଆଉ କିଛି ନଥିବ ।
ଯେଉଁଠି ଗହଳି ଲାଗୁଥିଲା ସେଠି ପୁଣି ନିରବତା ରାଜୁତି କରିବ । ହଁ- ମାଆ ନଥିବା ଜୀବନ ହେଉ କି ସ୍ଥାନ… ସବୁବେଳେ ଶୂନ୍ୟ । ଏ ବିଦାୟକୁ ଆମେ ମାଆ ଛେଉଣ୍ଡ ବୋଲି କହି ପାରିବୁନି । କାରଣ ମାଆଙ୍କୁ ଦେଇ ହୁଏନି ବିଦାୟ କି କରି ହୁଏନି ପର… ମାଆ ସବୁବେଳେ ଏକାନ୍ତ ନିଜର । ମାଆକୁ କଣ କେହି ବିଦାୟ ଦେଇପାରେ...ମନରୁ, ଆତ୍ମାରୁ, ରକ୍ତରୁ... ମାଆ ତ ଆମ ଆହାରେ ସାହାରେ ଥାଏ…ହଁ ଏଇୟା କହି ହେବ ସାମାଜିକ ବିଧି ବ୍ୟବସ୍ଥାରେ ଆବାହନ ଅଛି ମାନେ ବିଦାୟ ଅଛି । ତେଣୁ ଏହା ବିଦାୟର ପର୍ବ…
ମାଆ ! ଲୋ… ଯାଉଛୁ ଯଦି ଯା... କିନ୍ତୁ ମେଲାଣି ନେବା ପୂର୍ବରୁ ଅନ୍ତତ ଏ ସମାଜକୁ ଟିକେ ସଜାଡି ଦେଇ ଯାଆ । ଦଶରା ଭିଡ ଭିତରେ ତତେ ଏକଥା କହିବେ କହିବେ ବୋଲି କେତେ ଭକ୍ତ ଭାବିଥିବେ ହେଲେ ଭକ୍ତିର ଜୁଆର ଦେଖି, ଆଉ ଖୁସିର ସେ ମାହୋଲ ଦେଖି କେହି ତତେ କିଛି କହି ପାରିନଥିବେ କି ମାଗି ପାରିନଥିବେ । ତେଣୁ ଏବେ ସବୁ ବନ୍ଧନ ତୁଟାଇ ଯେତେବେଳେ ବିସର୍ଜନର ବେଳାରେ ଆମେ ଛିଡା ହୋଇଛୁ… ଏତିକି ମାଗିବି… ମାଆ ! ତତେ ଜଳ ସ୍ପର୍ଶ କରିବା ଆଗରୁ ଏ ସମାଜର ସବୁ ଜହ୍ଲାଦମାନଙ୍କୁ ତୋ ତ୍ରିଶୂଳ ମୁନରେ ଆହତ କରି ଯା… ଯେମିତି ସେମାନେ ନାରୀଙ୍କୁ ଅସମ୍ମାନ କରିବା ଆଗରୁ, ନାରୀଙ୍କ ପ୍ରତି ଲୋଲୁପ ନଜର ପକାଇବା ଆଗରୁ ସେମାନଙ୍କୁ ତୋ ତ୍ରିଶୂଳର ଦାଗ ଦେଖାଯିବ । ତୁ ବିଦାୟ ନେବା ଆଗରୁ ସେମାନଙ୍କ କଥା ବୁଝିଦେଇ ଯା, ଆଉ ବୁଝେଇ ଦେଇ ଯା କି କେମିତି ମାଆ, ମହିଳାଙ୍କୁ ଯଥୋଚିତ ସମ୍ମାନ ଦେଇ ହେବ ।
ମାଆ ଏ ବିଦାୟ ବେଳାରେ ତତେ ଗୋଟେ କଥା କହିବି… ଶୁଣିଲେ ଆଶ୍ଚର୍ଯ୍ୟ ହେବୁ । ପୂଜା ମାହୋଲରେ ଥିଲୁ ତେଣୁ କହିନଥିଲି ଏବେ କହୁଛି ଶୁଣ- ମାଆ ! ତୁ ଜାଣିଛୁ କି ନାହିଁ...ନାରୀଙ୍କୁ ନିର୍ଯାତନା ଦେବାରେ ଆମ ଓଡ଼ିଶା ୩ୟ ସ୍ଥାନରେ । ଏଇ ସପ୍ତାହରେ ଆସିଥିବା ଏନସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି । ଖାଲି କଣ ଓଡିଶା । ଦେଶରେ ବି ମହିଳାଙ୍କ ପ୍ରତି ଅପରାଧର ମାତ୍ରା ବଢିଛି ।
ତୁ ଜାଣି ଆଶ୍ଚର୍ଯ୍ଯ ହେବୁ... ଯେଉଁ ହାତ ତତେ ପୂଜୁଥିଲା, ତତେ ସମ୍ମାନ ଦେଉଥିଲା, ସେହି ହାତ ତୋରି ପରି କୋଟିକୋଟି ନାରୀଙ୍କୁ ଅପମାନ ଦେଉଛି, ଅସମ୍ମାନିତ କରୁଛି... ତୋ ପେଣ୍ଡାଲରୁ ବାହାରି ବୁଲିପଡି ନାରୀକୁ ଅଶାଳୀନ ଇଙ୍ଗିତ କରୁଛି । ତାହାଲେ କହ ମାଆ ! ଏ ପୂଜାର କି ମାନେ...? ଏ ଆକାଶଛୁଆଁ ତୋରଣର କି ଆବଶ୍ଯକତା ...?? ଏତକ ଶୁଣିବା ପରେ ତୋ ଇଚ୍ଛା, ତୁ କଣ କରିବୁ, ଏଥର ଶାସ୍ତି ଦେବୁ ନା ଆଗ ଥର ଆସିଲେ କଡା ଗଣ୍ଡା ହିସାବ କରି ସବୁ ପାପର ବିନାଶ କରିବୁ… ତୋ ଉପରେ ଭରସା ଅଛି ମାଆ- ଏ ଦୁନିଆ, ଏ ସମାଜର, ଏ ଧରାରେ, ଏ ମହିରେ ଯେଯାଏଁ ମଣିଷ ଭିତରର ଗୋଟି ଗୋଟି ମହିଷାସୁର ନମରିଛନ୍ତି...ତୁ ସେଯାଏଁ ଧରାବତରଣ କରୁଥିବୁ ପାପର ବିନାଶ ପାଇଁ…