ଓମେଗା-ଥ୍ରି ଟାଇପ୍ ଟୁ ଡାଇବେଟିସ୍ ଓ ହୃଦ୍ରୋଗ ଆଶଙ୍କା ହ୍ରାସକରେ ବୋଲି ସମ୍ପ୍ରତି ୬୭ଟି ମାନବୀୟ ଅଧ୍ୟୟନ ବିଶ୍ଳେଷଣରୁ ଜଣାପଡ଼ିଛି। ଓମେଗା-ଥ୍ରି ମୁଖ୍ୟତଃ ମାଛତେଲରୁ ମିଳେ ଏବଂ ସେଥିରେ ଆଇକୋସେପେଣ୍ଟିନୋଇକ୍ ଏସିଡ୍ (ଇପିଏ) ଓ ଡୋକୋସହେକ୍ସନୋଇକ୍ ଏସିଡ୍ (ଡିଏଚ୍ଏ) ଥାଏ। ମନୁଷ୍ୟ ଶରୀର ରାସାୟନିକ ପ୍ରକ୍ରିୟାରେ ଯଥେଷ୍ଟ ପରିମାଣର ‘ଇପିଏ’ ଓ ‘ଡିଏଚ୍ଏ’ ପ୍ରସ୍ତୁତ କରି ପାରୁ ନ ଥିବାରୁ ସୁଷମ ଆହାର ଜରିଆରେ ଏସବୁ ଗ୍ରହଣ କରିବା ଆବଶ୍ୟକ।
ଟାଇପ୍-ଟୁ ଡାଇବେଟସ୍ ଥିବା ଲୋକଙ୍କ ଶରୀରରେ ବହୁସଂଖ୍ୟକ କଣିକା ଖରାପ କୋଲେଷ୍ଟରଲ୍ ବହନ କରିଥାଆନ୍ତି, ଯାହାକୁ ‘ଲୋ-ଡେନ୍ସିଟି ଲିପୋପ୍ରୋଟିନ୍ସ୍ ବା ‘ଏଲ୍ଡିଏଲ୍) କୁହାଯାଏ। ଏହାର ପରିମାପକ ହେଉଛି ‘ହାଇବ୍ଲଡ୍ ଏପିଓବି’। ହୃଦ୍ରୋଗ କରାଇବାରେ ଏହାର ସମ୍ପୃକ୍ତି ଥାଏ। ସପ୍ତାହକୁ ଦୁଇ ଭାଗ ବିଶେଷକରି ହେରିଙ୍ଗ୍, ସାମନ୍ ଓ ମ୍ୟାକରିଲ୍ ଭଳି ତୈଳାକ୍ତ ମାଛ ଖାଇବା ଉଚିତ ବୋଲି ‘ହାର୍ଟ ଆଣ୍ଡ୍ ଷ୍ଟ୍ରୋକ୍ ଫାଉଣ୍ଡେସନ୍ ଅଫ୍ କାନାଡା’ ସୁପାରିସ କରିଛି। ଏହା ସପ୍ତାହକୁ ତିନି ଗ୍ରାମ୍ ‘ଇପିଏ’ ଓ ‘ଡିଏଚ୍ଏ’ ଯୋଗାଇଥାଏ।
ଅଳସୀ ମଞ୍ଜି ଭଳି ଉଦ୍ଭିଦଭିତ୍ତିକ ଖାଦ୍ୟ ଓ ଭିଟାମିନ୍ ମିଶ୍ରିତ ଖାଦ୍ୟରେ ମଧ୍ୟ ଓମେଗା-ଥ୍ରି ତୈଳାମ୍ଳ ଥାଏ। କିନ୍ତୁ, ମନୁଷ୍ୟ ଶରୀର ଉଦ୍ଭିଦଭିତ୍ତିକ ଓମେଗା-ଥ୍ରିକୁ ପର୍ଯ୍ୟାପ୍ତ ପରିମାଣର ‘ଇପିଏ’ ଓ ‘ଡିଏଚ୍ଏ’ରେ ରୂପାନ୍ତର କରିପାରେ ନାହିଁ। ‘ହେଲ୍ଥ୍ କାନାଡା’ ମତରେ, ଦୈନିକ ୫ ଗ୍ରାମ୍ ପର୍ଯ୍ୟନ୍ତ ‘ଇପିଏ’ ଓ ‘ଡିଏଚ୍ଏ’ ଗ୍ରହଣ କଲେ ପ୍ରାପ୍ତବୟସ୍କମାନଙ୍କର ହୃତ୍ପିଣ୍ଡ ଅବସ୍ଥା, ଭାବନା-ଶିକ୍ଷା-ସ୍ମରଣ କ୍ଷମତା, ମସ୍ତିଷ୍କ କାର୍ଯ୍ୟଦକ୍ଷତା ଓ ମିଜାଜ୍ ସନ୍ତୁଳନ ଠିକ୍ ରହେ। ‘ଇପିଏ’ ଓ ‘ଡିଏଚ୍ଏ’ ରକ୍ତାମ୍ଳ ତଥା ଯନ୍ତ୍ରଣାଯୁକ୍ତ ଗଣ୍ଠିବାତ ହ୍ରାସ କରିବାରେ ସହାୟକ ହୋଇଥାଏ। କିନ୍ତୁ, ‘ଇପିଏ’ ଓ ‘ଡିଏଚ୍ଏ’ର ଉତ୍ସ ଏହି ମାଛତୈଳ ବିଶୁଦ୍ଧତା ଓ ସାମର୍ଥ୍ୟ ଦୃଷ୍ଟିରୁ ଉତ୍କୃଷ୍ଟ ବୋଲି ‘ଇଣ୍ଟର୍ନ୍ୟାସ୍ନାଲି ଭେରିଫାଏଡ୍ ଓମେଗା-ଥ୍ରି’ (ଆଇଭିଓ) ପ୍ରମାଣପତ୍ର ପାଇଥିବା ଆବଶ୍ୟକ।