ଗବେଷଣାରୁ ଜଣାପଡ଼ିଛି ଯେ, ସିମ୍ପାଞ୍ଜିମାନେ ଅସୁସ୍ଥ ବା କ୍ଷତାକ୍ତ ହେଲେ ବୋଧହୁଏ ମଣିଷଙ୍କ ପରି ଔଷଧ ପ୍ରୟୋଗ କରି ଉପଶମ ପାଆନ୍ତି। ଏହି ନରବାନରମାନେ ଅରଣ୍ୟକୁ ଔଷଧାଳୟ ଭାବେ ବ୍ୟବହାର କରନ୍ତି। ଜଙ୍ଗଲରୁ ସେମାନେ ଆରୋଗ୍ୟକାରୀ ଗୁଣ ଥିବା ଗଛର ପତ୍ର ଓ ଡାଳ ବାଛି ଆଣି ବ୍ୟବହାର କରିଥାଆନ୍ତି। ‘ପ୍ଲୋସ୍‌ ୱାନ୍‌’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗବେଷକମାନେ ଦାବି କରିଛନ୍ତି କି, ସେମାନେ ଆଠମାସ ଧରି ଉଗାଣ୍ଡାର ବୁଡ଼ୋଙ୍ଗୋ ଅରଣ୍ୟରେ ଦୁଇ ଦଳ ସିମ୍ପାଞ୍ଜିଙ୍କୁ ପର୍ଯ୍ୟବେକ୍ଷଣ କରୁଥିଲେ। ସେମାନେ କ’ଣ ଖାଉଛନ୍ତି ଏବଂ ସେମାନଙ୍କଠାରେ ଅସୁସ୍ଥତାର ଲକ୍ଷଣ ଦେଖାଯାଉଛି କି ନାହିଁ, ଜାଣିବାକୁ ଗବେଷକମାନେ ସେମାନଙ୍କ ମଳମୂତ୍ର ପରୀକ୍ଷା କରିବା ସହିତ କ୍ଷତ ମଧ୍ୟ ଯାଞ୍ଚ କରିଥିଲେ।

Advertisment

ମନୁଷ୍ୟ ପ୍ରାକୃତିକ ଉପଚାର ଅନ୍ବେଷଣ କରିବାର ଯଥେଷ୍ଟ ଆଗରୁ ନରବାନରମାନେ 
ଆତ୍ମ-ଚିକିତ୍ସା ଉପଚାର ଓ ଔଷଧି ସନ୍ଧାନରେ ସିଦ୍ଧହସ୍ତ ଥିଲେ।

ସିମ୍ପାଞ୍ଜିମାନେ ଖାଉଥିବା ୧୩ଟି ଉଦ୍ଭିଦ ଉପରେ ଗବେଷକ ଦଳ ଧ୍ୟାନ ନିବଦ୍ଧ କରି ୧୩ଟି ଗଛରେ ଖାଦ୍ୟ ଗୁଣ ଅପେକ୍ଷା ବ୍ୟାକ୍ଟେରିଆ ନିରୋଧି ଓ ପ୍ରଦାହ ନିବାରକ ଭଳି ଔଷଧୀୟ ଗୁଣ ଅଧିକ ଥିବା ଦେଖିବାକୁ ପାଇଥିଲେ। ସେମାନେ ଲକ୍ଷ୍ୟ କରିଥିଲେ ଯେ ଅନେକଥର ଅସୁସ୍ଥ ସିମ୍ପାଞ୍ଜିମାନେ ଯାଇ ନିର୍ଦ୍ଦିଷ୍ଟ ଉଦ୍ଭିଦ ଖୋଜାଖୋଜି କରୁଛନ୍ତି। ସିମ୍ପାଞ୍ଜିମାନଙ୍କର ଏତାଦୃଶ ଆଚରଣ ମନୁଷ୍ୟଙ୍କ ପାଇଁ ନୂଆ ଔଷଧୀୟ ବୃକ୍ଷଲତା ଆବିଷ୍କାର କରାଇବା ସହଜ କରିପାରେ। ଏ ଅଧ୍ୟୟନର ମୁଖ୍ୟ ଗବେଷକ ତଥା ଇଂଲଣ୍ଡ୍‌ସ୍ଥିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରାଇମୋଲଜିଷ୍ଟ୍‌ ଇଲୋଡାଇ ‌ଫ୍ରିମାନ୍‌ କହନ୍ତି, ‘‘ଔଷଧୀୟ ଗୁଣ ଜାଣିବା ଲାଗି ଆମେ ଏ ଜଙ୍ଗଲର ବୃକ୍ଷଲତାଗୁଡ଼ିକୁ ପରୀକ୍ଷା କରୁଛେ। ତେଣୁ, ସିମ୍ପାଞ୍ଜିମାନେ ଖୋଜି ବ୍ୟବହାର କରୁଥିବା ଗଛଗୁଡ଼ିକୁ କାହିଁକି ପରୀକ୍ଷା କରି ନ ଦେଖିବା?’’

ଅଳ୍ପ ଦିନ ପୂର୍ବେ ଆତ୍ମ-ଚିକିତ୍ସାର ଅାଉ ଏକ ଦୃଷ୍ଟାନ୍ତ ସ୍ବରୂପ ଗୋଟାଏ ଅଉରାଂ ଅଉଟାଂ ନରବାନର ନିଜ କ୍ଷତକୁ ଭଲ କରିଥିବା କଥା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ। ‘ସାଇଣ୍ଟିଫ୍‌ ରିପୋର୍ଟସ୍‌’ରେ ପ୍ରକାଶିତ ଏକ ନିବନ୍ଧରେ ଗବେଷକମାନେ ଇଣ୍ଡୋନେସିଆରେ ରାକୁସ୍‌ ନାମକ ସେ ଅଣ୍ଡିରା ସୁମାତ୍ରା ଅଉରାଂ ଅଉଟାଂ ବିଷୟରେ ବିଚିତ୍ର କଥା ଉଲ୍ଲେଖ କରିଛନ୍ତି। ତା’ ଗାଲରେ ଗୋଟାଏ କ୍ଷତ ହୋଇଯାଇଥିଲା। ମାତ୍ର ଦିନକ ପରେ ସେ ‘ୟେଲୋ ରୁଟ୍‌’ (ପୀତଚେର) ନାମରେ ଗୋଟାଏ ଉଦ୍ଭିଦ ଚୋବାଇ ଖାଇଲା ଏବଂ ତା’ର ଅର୍କ କାଢ଼ି କ୍ଷତରେ ଲେପନକଲା। ପୁଣି ତହିଁଆର ଦିନ ବି ସେ ଉକ୍ତ ଉଦ୍ଭିଦ ଖାଇଲା। ସଂକ୍ରମଣ ହେବା ତ ଦୂରର କଥା ମାତ୍ର ସପ୍ତାହେ ମଧ୍ୟରେ ତା’ର କ୍ଷତ ଶୁଖିଗଲା। ତେଣୁ ଗବେଷକମାନେ କହୁଛନ୍ତି ମନୁଷ୍ୟ ପ୍ରାକୃତିକ ଉପଚାର ଅନ୍ବେଷଣ କରିବାର ଯଥେଷ୍ଟ ଆଗରୁ ନରବାନରମାନେ ଆତ୍ମ-ଚିକିତ୍ସା ଉପଚାର ଓ ଔଷଧି ସନ୍ଧାନରେ ସିଦ୍ଧହସ୍ତ ଥିଲେ।