ଓଡ଼ିଆ ଘର ରୋଷେଇଶାଳରେ କଖାରୁଫୁଲରୁ ତିଆରି ହୁଏ ଅନେକ ସୁଆଦିଅା ବ୍ୟଞ୍ଜନ। ପିଠଉ ଦେଇ କଖାରୁଫୁଲ ଭଜା ହୁଏ ତ ପୁଣି ରାଇ ଓ ବେସରରେ ପଡ଼ିଥାଏ। କେଉଁଠି କେଉଁଠି କଖାରୁ ଫୁଲରୁ ପିଠା ବି ହୁଏ। ବହୁ ପୁରୁଣା କାଳରୁ ରାନ୍ଧଣାରେ ଯୋଡ଼ି ହୋଇଥିବା ହଳଦି ଟହଟହ କଖାରୁ ଫୁଲ ପାଟିକୁ ଯେମିତି ସୁଆଦିଆ ଦେହ ପାଇଁ ବି ସେମିତି ହିତକର।
ଗତ ଫେବ୍ରୁଆରି ମାସରେ ‘ମଲିକ୍ୟୁଲସ୍’ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି, ଆମ ବାଡ଼ିବଗିଚାରେ ଫଳୁଥିବା କଖାରୁଫୁଲର ଅନେକ ଔଷଧୀୟ ଗୁଣ ରହିଛି। ବାଂଲାଦେଶ, ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆର ଗବେଷକଙ୍କ ଅନୁଯାୟୀ, ଏହା ପୀଡ଼ାହରଣକାରୀ (ଏନାଲ୍ଜେସିକ୍), ପ୍ରଦାହ ନିବାରକ (ଆଣ୍ଟିଇନ୍ଫ୍ଲାମାଟୋରି) ଏବଂ ଜୀବାଣୁନାଶକ (ଆଣ୍ଟିବ୍ୟାକ୍ଟେରିଆଲ୍)। ପୁଣି କଖାରୁ ଓ ଏହାର ଫୁଲ ହେଉଛି କ୍ୟାରୋଟିନୋଏଡ୍, ଫେନଲ୍ ଶ୍ରେଣୀର ଉଦ୍ଭିଦ, ଯେଉଁଥିରେ ଭିଟାମିନ୍ ସି ଓ ଇ, ସାପୋନିକ୍ ଓ ଫାଇଟୋଷ୍ଟେରୋଲ୍ ପରି ଉପାଦାନ ରହିଛି।
ବରିଷ୍ଠ ଉଦ୍ଭିଦବିଜ୍ଞାନୀ ଡକ୍ଟର ମୀରା ଦାସ କହନ୍ତି, ‘‘କଖାରୁ ଓ ଏହାର ଫୁଲରେ ଜଳୀୟ ଅଂଶ ୮୫% । ପୁଣି ଏଥିରେ ବହୁ ପରିମାଣରେ ଫାଇଟୋ ନ୍ୟୁଟ୍ରିଏଣ୍ଟ୍ ଏବଂ ଫ୍ୟାଟି ଏସିଡ୍ ଭରି ରହିଛି। ୧୦୦ ଗ୍ରାମ୍ କଖାରୁ ଫୁଲରେ ୧୧.୫ ମିଲିଗ୍ରାମ୍ ସୋଡିୟମ୍, ୧୮.୨ ମିଲିଗ୍ରାମ୍ ପଟାସିୟମ୍, ୧୭.୬ ମିଲିଗ୍ରାମ୍ କ୍ୟାଲ୍ସିୟମ୍ ଏବଂ ୧୦.୩ ମିଲିଗ୍ରାମ୍ ଏଣ୍ଟୋସିଆନିନ୍ ରହିଛି। କଖାରୁଫୁଲରେ ଓଲେଇକ୍ ଏସିଡ୍, ମିରିଷ୍ଟିକ୍ ଏସିଡ୍ ଓ ଷ୍ଟିଅରିକ୍ ଏସିଡ୍ ପରି ଫ୍ୟାଟି ଏସିଡ୍ ସମୂହ ମଧ୍ୟ ରହିଛି। କଖାରୁଫୁଲକୁ ସାଲାଡ୍ରେ କଞ୍ଚା ଖିଆଯାଇ ପାରିବ, ଅନ୍ୟ ପରିବା ସହ ମିଶାଇ ରନ୍ଧା ଯାଇପାରିବ ଏବଂ ବାମ୍ଫଦେଇ ସୁପ୍ ଆକାରରେ ମଧ୍ୟ ଖିଆଯାଇ ପାରିବ। କଖାରୁରୁ ଏକ ପ୍ରକାର ୱାଇନ୍ (ମଦ) ପ୍ରସ୍ତୁତ ହୁଏ। ଏଥିରେ ୧୧.୩୭% ଆଲ୍କୋହଲ୍ ଅଂଶ ରହିଛି। ଝାଡ଼ଖଣ୍ଡର ଓରାଓଁ ଜନଜାତି ତିନି ପ୍ରକାରର ଫୁଲ ନିଜ ଖାଦ୍ୟରେ ବ୍ୟବହାର କରନ୍ତି, ସେଥିମଧ୍ୟରୁ କଖାରୁ ଫୁଲ ଗୋଟିଏ।’’
ଅଲୋଡ଼ା ଅଣ୍ଡିରାଫୁଲ
କଖାରୁ ଲତାରେ ଦୁଇ ପ୍ରକାରର ଫୁଲ ଫୁଟିଥାଏ- ଅଣ୍ଡିରାଫୁଲ ଓ ମାଈଫୁଲ। ସେଥିରୁ ସାଧାରଣ ଭାବେ ମାଈଫୁଲର ସଂଖ୍ୟା ଅଧିକ। କାରଣ, ମାଈଫୁଲରେ କଖାରୁ ଫଳାଇବାକୁ ପରାଗ ସଙ୍ଗମ ପାଇଁ ଖୁବ୍ ଅଳ୍ପ ସଂଖ୍ୟକ ଅଣ୍ଡିରାଫୁଲ ଆବଶ୍ୟକ ହୋଇଥାଏ। ଗୋଟିଏ ଅଣ୍ଡିରା ଫୁଲରେ ପ୍ରାୟ ୪୦,୦୦୦ ପର୍ଯ୍ୟନ୍ତ ପରାଗରେଣୁ ଥାଏ । ମାତ୍ର ଗୋଟିଏ ମାଈଫୁଲର ଗର୍ଭଧାରଣ ଅର୍ଥାତ୍ ପରାଗ ସଙ୍ଗମ ସକାଶେ କେବଳ ୧୨୫୦ରୁ ୨୦୦୦ ପର୍ଯ୍ୟନ୍ତ ପରାଗରେଣୁ ଆବଶ୍ୟକ ହୋଇଥାଏ। ଅଣ୍ଡିରାଫୁଲ ଭୋର୍ ସମୟରୁ ଫୁଟି ଯାଇଥାଏ। ଏହାର ପରବର୍ତ୍ତୀ ୭/୮ ଘଣ୍ଟା କାଳ (ଖରା ଟାଣ ହେବା ପର୍ଯ୍ୟନ୍ତ) ମହୁମାଛି ଓ ଥ୍ରିପ୍ସ୍ ପରି କୀଟପତଙ୍ଗମାନେ ଅଣ୍ଡିରାଫୁଲର ପରାଗରେଣୁ ବିକ୍ଷେପିତ କରିବାରେ ଲାଗିପଡ଼ନ୍ତି। ପରାଗ ସଙ୍ଗମ ପରେ ମାଈ ଫୁଲଗୁଡ଼ିକ ବନ୍ଦ ହୋଇଯାଆନ୍ତି। ପରବର୍ତ୍ତୀ କାଳରେ ମାଈଫୁଲଗୁଡ଼ିକ କଖାରୁରେ ପରିଣତ ହେଉଥିବା ବେଳେ ଅଣ୍ଡିରାଫୁଲଗୁଡ଼ିକ ଅଲୋଡ଼ା ହୋଇପଡ଼ନ୍ତି। ତେଣୁ, ଚାଷୀ ଅଣ୍ଡିରାଫୁଲଗୁଡ଼ିକୁ ତୋଳି ବଜାରରେ ବିକ୍ରୟ କରିଥାଏ।
କଖାରୁର ଜନ୍ମସ୍ଥାନ ଓଡ଼ିଶା?
ଯଦିଓ କଖାରୁର ଜନ୍ମସ୍ଥାନ ମେକ୍ସିକୋ ବୋଲି ବିଶ୍ବାସ କରାଯାଏ, କିନ୍ତୁ ଓଡ଼ିଶା କଖାରୁର ଜନ୍ମସ୍ଥାନ ବୋଲି ମଧ୍ୟ ଅନେକେ ଦର୍ଶାଇଛନ୍ତି। କଖାରୁର ଜନ୍ମସ୍ଥାନକୁ ନେଇ ଅନିଶ୍ଚିତତା ରହିଥିବା ବେଳେ ମାର୍ଚ୍ଚ ୨୦୨୩ରେ ‘ଫ୍ରଣ୍ଟିୟର୍ସ ଇନ୍ ପ୍ଲାଣ୍ଟ୍ ସାଇନ୍ସ’ ଜର୍ଣ୍ଣାଲ୍ରେ ପ୍ରକାଶିତ ରିପୋର୍ଟ ଦର୍ଶାଇଛି, ଭାରତର ଓଡ଼ିଶା କଖାରୁର ଜନ୍ମସ୍ଥାନ ହୋଇପାରେ। କାରଣ, ଲାଟିନ୍ ଆମେରିକୀୟ ଦେଶରେ ମୁଖ୍ୟତଃ ଦେଖାଯାଉଥିବା କଖାରୁ ପ୍ରଜାତି, ଭାରତରେ ଦେଖାଯାଉଥିବା କଖାରୁ ପ୍ରଜାତି ଠାରୁ ସଂପୂର୍ଣ୍ଣ ଭିନ୍ନ। ତେବେ ବହୁ ପ୍ରାଚୀନ କାଳରୁ ପୁରୀର ଜଗନ୍ନାଥ ମନ୍ଦିରରେ ଭୋଗ ଲାଗୁଥିବା ମହାପ୍ରସାଦରେ କଖାରୁ ବ୍ୟବହାର କରାଯାଇଥାଏ ବୋଲି ଲିଖିତ ତଥା ପ୍ରାମାଣିକ ତଥ୍ୟ ରହିଛି। ଏହାଛଡ଼ା, ସମଗ୍ର ବିଶ୍ବରେ ଚୀନ୍ ହେଉଛି କଖାରୁର ସର୍ବୋଚ୍ଚ ଉତ୍ପାଦନକାରୀ ଦେଶ। ଚୀନ୍ ପଛକୁ ଭାରତର ସ୍ଥାନ ଦ୍ବିତୀୟ। ବିଶ୍ବବ୍ୟାପୀ ଉତ୍ପାଦିତ କଖାରୁର ୫୦% ଚୀନ୍ ଓ ଭାରତରେ ହୋଇଥାଏ।