ତାପମାତ୍ରା ରେକର୍ଡ ରଖାଯିବା ପରଠାରୁ ଉତ୍ତର ଓ କେନ୍ଦ୍ରୀୟ ଭାରତର ଲୋକମାନେ ଏ ବର୍ଷ ଦୀର୍ଘତମ ଗ୍ରୀଷ୍ମଲହରି ସହ୍ୟ କରିଛନ୍ତି। ମାତ୍ରାଧିକ ମୌସୁମି ବର୍ଷା ମଧ୍ୟ ଦେଶର ଅନେକ ଭାଗକୁ କ୍ଷତିଗ୍ରସ୍ତ କରୁଛି। ଏଭଳି ଚରମ ପାଣିପାଗ ଚାଷୀଙ୍କର ଶସ୍ୟ, ପନିପରିବା, ଫଳମୂଳ ଓ କ୍ଷୀର ଆଦି ଅମଳରେ ହ୍ରାସ ଘଟାଇ ସେମାନଙ୍କର ଆୟ ଓ ଖାଉଟି ଦରଦାମ ଉପରେ ମାସ ମାସ ଧରି ପ୍ରଭାବ ପକାଇଥାଏ। ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଜଳବାୟୁ ପରିବର୍ତ୍ତନ ଏକ ଜରୁରି ପ୍ରାଥମିକତା ପାଲଟିଛି।

Advertisment

ମୁଦ୍ରାସ୍ଫୀତି ପରିଚାଳନା ଆଦି ଉପରେ ଏହା ସ୍ପଷ୍ଟ ପ୍ରଭାବ ପକାଇବା କାରଣରୁ ପ୍ରଥମେ ଜଳବାୟୁ ବିପଦ ବାବଦରେ ଆର୍‌ବିଆଇ ବିଚାର କରିବା ଆରମ୍ଭ କରିଥିଲା। ତେବେ ଜଳବାୟୁ ସଂକଟ ପାଇଁ ଭାରତର ଆର୍ଥିକ ବ୍ୟବସ୍ଥା ପ୍ରସ୍ତୁତ କି? ପରିତାପର ବିଷୟ, କୌଣସି ଦେଶର ଆର୍ଥିକ ବ୍ୟବସ୍ଥା ଜଳବାୟୁ ପରିବର୍ତ୍ତନର କୁପରିଣାମ ସହ ମୁକାବିଲା ଲାଗି ପ୍ରସ୍ତୁତ ନାହିଁ। ତେବେ ଖୁସିର କଥା, ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥି ପାଇଁ ଯଥେଷ୍ଟ ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି। ‘ଲିକ୍ବିଡିଟି ମ୍ୟାନେଜ୍‌ମେଣ୍ଟ୍‌’, ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ବିସ୍ତାରିତ ଋଣ ଉପଲବ୍ଧତା ଭଳି ବୈଶିଷ୍ଟ୍ୟ ସହ ଏହା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି। ଏହା ୨୦୧୯ରେ ପ୍ରଥମେ ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ବିପଦକୁ ସ୍ବୀକୃତି ଦେଇଥିଲା। ଏହା ପରଠାରୁ ଆର୍‌ବିଆଇ କର୍ମଚାରୀମାନେ ସେହି ବିପଦର ପ୍ରଭାବର ଅତ୍ୟାଧୁନିକ ବିଶ୍ଳେଷଣ କରି ଆସୁଛନ୍ତି।

ଏହା ସମସ୍ତ ଭାରତୀୟ ଆର୍ଥିକ ପ୍ରତିଷ୍ଠାନ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନିଗୁଡ଼ିକ ପାଇଁ ଏକ ଜଳବାୟୁ ସମ୍ବନ୍ଧିତ ବିପଦ ଢାଞ୍ଚା ଚିଠା ପ୍ରକାଶ କରିସାରିଛି। ଜଳବାୟୁ ବିପଦ ଓ ସ୍ଥାୟୀ ଅର୍ଥନୀତି ଉପରେ ରିଜର୍ଭ ବ୍ୟାଙ୍କର କ୍ରମାଗତ ଘୋଷଣା ଏହି ପ୍ରସଙ୍ଗ ଉପରେ ବ୍ୟାଙ୍କଗୁଡ଼ିକର ଆଭିମୁଖ୍ୟରେ ଠୋସ ପରିବର୍ତ୍ତନ ଆଣିଛି। ଭାରତର ଆର୍ଥିକ କ୍ଷେତ୍ର ଯଦିଓ ଏକ ଉତ୍ତପ୍ତ ବିଶ୍ବ ପାଇଁ ଅଦ୍ୟାବଧି ପ୍ରସ୍ତୁତ ନୁହେଁ, ତେବେ ରିଜର୍ଭ ବ୍ୟାଙ୍କର ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଅଧିକ ଜଳବାୟୁ-ସ୍ଥାୟୀ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଭିତ୍ତି ସ୍ଥାପନ କରିଛି।