ନିଜର ବିବାହ ଉତ୍ସବକୁ ନିମନ୍ତ୍ରଣ କରିଥିବା ସହକର୍ମୀମାନେ ନ ଆସିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଣେ ଚୀନୀ ମହିଳା ତାଙ୍କ ପାଞ୍ଚ ବର୍ଷର ଚାକିରି ତ୍ୟାଗ କରିବା କଥା ଏବେ ଚର୍ଚାର ବିଷୟ ହୋଇଛି। ଚୀନୀ ଖବରକାଗଜ ‘ଇଟି ଟୁଡେ’ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ସଂପୃକ୍ତ ମହିଳା ଜଣକ ଏକ ବେସରକାରୀ କମ୍ପାନିରେ କାମ କରୁଥିଲେ ଯେଉଁଠି ତାଙ୍କର ୭୦ ଜଣ ସହକର୍ମୀ ଥିଲେ। ସମସ୍ତଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ମଧ୍ୟ ରହିଥିଲା। ଏପରିକି ପ୍ରାୟ ଏକ-ତୃତୀୟାଂଶ ସହକର୍ମୀଙ୍କ ନିମନ୍ତ୍ରଣ ରକ୍ଷା କରି ସେ ସେମାନଙ୍କ ବିଭିନ୍ନ ସାମାଜିକ ଉତ୍ସବରେ ଯୋଗ ଦେଇଆସୁଥିଲେ। ନିକଟରେ ସେହି ମହିଳାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ସେ ସମସ୍ତ ସହକର୍ମୀଙ୍କୁ ଆସିବାକୁ ନିମନ୍ତ୍ରଣ କରି ଆଶା ରଖିଥିଲେ ଯେ ସେମାନେ ଆସି ତାଙ୍କୁ ଉତ୍ସାହିତ କରିବେ। ମାତ୍ର ସେମାନଙ୍କ ଭିତରୁ ଜଣେମାତ୍ର ସହକର୍ମୀ ତାଙ୍କର ବିବାହ ଉତ୍ସବରେ ଉପସ୍ଥିତ ରହିଥିଲେ। ଏଥିରେ ସେ ଭୀଷଣ ଅପମାନିତ ବୋଧ କରିଥିଲେ। ଏହାଦ୍ବାରା କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ସହ ତାଙ୍କର ସୁସମ୍ପର୍କ ନାହିଁ ବୋଲି ମଧ୍ୟ କେହି କେହି ବନ୍ଧୁବାନ୍ଧବ ପରୋକ୍ଷରେ କଟାକ୍ଷ କରିଥିଲେ। ଏଥିରେ ମହିଳା ଜଣକ କ୍ଷୁବ୍ଧ ହୋଇ ବିବାହ ପରେ ପରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ନିଜର ଇସ୍ତଫାପତ୍ର ପଠେଇଦେଇଥିଲେ। ଏଥିରେ ଅନ୍ୟ ସହଯୋଗୀ ଓ କମ୍ପାନି କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସଂପୃକ୍ତ ମହିଳାଙ୍କୁ କମ୍ପାନିରେ ଯୋଗଦେବା ଲାଗି ନିବେଦନ କରିଥିଲେ। ମାତ୍ର ତାଙ୍କୁ ବିବାହ ପରି ଶୁଭ ଉତ୍ସବରେ ଅପମାନିତ କରିଥିବା ସହକର୍ମୀମାନଙ୍କ ସହ ସେ ଆଉ କାମ କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଜିଦ୍ରେ ଅଟଳ ରହିଛନ୍ତି।