ସାମାଜିକ ସମାନତାର ଏକ ନିଆରା ଉଦାହରଣ ସୃଷ୍ଟି କରିବାକୁ ଯାଇ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ରେସ୍ତୋରାଁ ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ବ୍ରେଲି ଲିପିରେ ମେନ୍ୟୁ ତାଲିକା ପ୍ରସ୍ତୁତ କରାଯାଇଛି ଯଦ୍ଦ୍ବାରା ଦୃଷ୍ଟିବାଧିତ ବ୍ୟକ୍ତିମାନେ ଅନ୍ୟର ଦୟା ଉପରେ ନିର୍ଭର ନକରି ନିଜେ ମଧ୍ୟ ବ୍ୟଞ୍ଜନ ବରାଦ କରିପାରିବେ। ଗତ ରବିବାର ଇନ୍ଦୋର ସ୍ଥିତ ଗୁରୁକୃପା ରେସ୍ତୋରାଁରେ ଏ ପ୍ରକାର ସୁବିଧା ଉପଲବ୍‌ଧ କରାଯାଇଛି। ଏହି ଅବସରରେ ସ୍ଥାନୀୟ ମହେଶ ଦୃଷ୍ଟିହୀନ କଲ୍ୟାଣ ସଂଘର କିଛି ଦୃଷ୍ଟିବାଧିତ ଶିଶୁଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେମାନେ ବ୍ରେଲିରେ ଛପାଯାଇଥିବା ମେନୁ ତାଲିକା ପଢ଼ି ନିଜେ ନିଜେ ବ୍ୟଞ୍ଜନ ମାନ ବରାଦ କରି ବେଶ୍‌ ଉତ୍ସାହିତ ହୋଇଥିବା ଜଣା ପଡୁଥିଲେ।

Advertisment

ଭାରତ ଶିଳ୍ପ ସଂଘ (ସିଆଇଆଇ)ର ଯୁବ ଭାରତୀୟ ଗୋଷ୍ଠୀ ଦ୍ବାରା ଏପରି ସୁବିଧା ସମ୍ପର୍କରେ ପରିକଳ୍ପନା ସହ ବିଭିନ୍ନ ହୋଟେଲ ସହ ଯୋଗାଯୋଗ କରାଯାଇଥିଲା। ରେସ୍ତୋରାଁମାନଙ୍କର ସମ୍ମତି ମିଳିଲା ପରେ ଚଣ୍ଡୀଗଡ଼ରୁ ଏପରି ସ୍ବତନ୍ତ୍ର ଭାବେ ବ୍ରେଲିରେ ଛପାଯାଇଥିବା ୧୦ଟି ମେନୁ ତାଲିକା ମଗାଯାଇଥିଲା। ଆଗକୁ ଅନ୍ୟ ସହରର ରେସ୍ତୋରାଁରେ ଅନୁରୂପ ସୁବିଧା ଉପଲବ୍‌ଧ କରାଯିବ ବୋଲି ଜଣାଯାଇଛି। ଏହା ଦ୍ବାରା ଦୃଷ୍ଟିବାଧିତମାନଙ୍କର ଆତ୍ମସମ୍ମାନ ଓ ମନୋବଳ ବୃଦ୍ଧି ପାଇବା ସହ ସେମାନେ ଆଉ ହୋଟେଲରେ ଖାଦ୍ୟ ବରାଦ କରିବା ପାଇଁ ଅନ୍ୟ ଉପରେ ନିର୍ଭର କରିବେ ନାହିଁ ବୋଲି ସିଆଇଆଇର ଜଣେ କର୍ମକର୍ତ୍ତା କହିଛନ୍ତି।