ସେନାରେ ଯୋଗ ଦେବାର ସ୍ବପ୍ନ ପୂରଣ ପାଇଁ ପ୍ରଦୀପଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ

ନୂଆଦିଲ୍ଲୀ: ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଏହି କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ଉତ୍ତରାଖଣ୍ଡର ମୂଳ ବାସିନ୍ଦା ପ୍ରଦୀପ ମେହରା। ଗତକାଲି ତାଙ୍କର ଏକ ଭିଡିଓ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଟ୍ବିଟ କରିବା ପରେ ରାତାରାତି ‌ହିରୋ ପାଲଟିଛନ୍ତି ପ୍ରଦୀପ। ସେନାରେ ଯୋଗ ଦେବାକୁ ଇଚ୍ଛା ଥିବାରୁ ସେ ୧୦କିଲୋମିଟର ଦୌଡ଼ି ଦୌଡ଼ି ଘରକୁ ଫେରୁଥିବା କାପ୍ରିଙ୍କୁ କହିଥିଲେ। ‘ମ୍ୟାକ୍‌ ଡୋନାଲଡ୍‌’ରେ କାମ କରୁଥିବାରୁ ଅଭ୍ୟାସ ପାଇଁ ସମୟ ନାହିଁ। ସେଥିପାଇଁ କାମ ସରିବା ପରେ ସେ ଏଭଳି କରୁଥିବା କାପ୍ରିଙ୍କୁ କହିଥିଲେ। ସେନାର ଯୋଗ ଦେବାର ତାଙ୍କ ସେହି ଇଚ୍ଛାକୁ ଦେଖି ଏବେ ତାଙ୍କର ମାର୍ଗଦର୍ଶନ କରିବାକୁ ଆଗେଇ ଆସିଛନ୍ତି ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ।

ଭାଇରାଲ ହୋଇଥିବା ଭିଡିଓକୁ ରିଟ୍ବିଟ କରି ସେ ଲେଖିଛନ୍ତି ଯେ, ତାଙ୍କର ଯୋଶ୍ ପ୍ରଶଂସନୀୟ। ତାଙ୍କର ଥିବା ଯୋଗ୍ୟତା ସହ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବା ପାଇଁ ମୁଁ କୁମାଓଁ ରେଜିମେଣ୍ଟର କର୍ଣ୍ଣେଲ, ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଣା କାଲିତାଙ୍କ ସହିତ ଯୋଗାଯୋଗ କରିଛି। ସେ ନିଜ ରେଜିମେଣ୍ଟରେ ନିଯୁକ୍ତି ନେଇ ପ୍ରଦୀପକୁ ଆବଶ୍ୟକ ଥିବା ତାଲିମ ଦେବେ।

ପ୍ରଦୀପଙ୍କ ଭିଡିଓ ଭାଇରାଲ ପରେ ସେ ଦିନେ ନା ଦିନେ ସେନାର ଯୋଗ ଦେବେ ବୋଲି ଲୋକେ କହୁଥିବା ବେଳେ ଏତେ ଶୀଘ୍ର ତାଙ୍କୁ ଏଭଳି ସାହାଯ୍ୟ ମିଳିବ‌ ବୋଲି କେହି ଭାବିନଥିଲେ। ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆଙ୍କ ଏଭଳି କାମ ପାଇଁ ଲୋକେ ତାଙ୍କର ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ମୂଳ ବାସିନ୍ଦା ପ୍ରଦୀପ ମେହରା ବରୋଲାରେ ତାଙ୍କ ଭାଇଙ୍କ ସହ ରହନ୍ତି। ପ୍ରତିଦିନ ସେ ନୋଏଡାର ସେକ୍ଟର୍‌ ୧୬ରୁ ଦୌଡ଼ି ଦୌଡ଼ି ରହୁଥିବା ଘରକୁ ଫେରନ୍ତି।

ସମ୍ବନ୍ଧିତ ଖବର