ନୂଆଦିଲ୍ଲୀ:  ଦିନ ଥିଲା ଯେବେ ପାଲଟଣା ଜାହାଜ ଦ୍ବାରା ବିଶ୍ବ ବାଣିଜ୍ୟ ଚାଲୁଥିଲା। ଯାନ୍ତ୍ରିକ ବିକାଶ ଫଳରେ ବିଶାଳ ଜାହାଜ ନିର୍ମିତ ହେଲା ଏବଂ କମ୍ ସମୟରେ ଅଧିକ ମାଲ୍ ପରିବହନ ହୋଇପାରିଲା। ଇଂଜିନ୍‌ଚାଳିତ ଜାହାଜ ସମୟକ୍ରମେ ପାଲଟଣା ଜାହାଜକୁ ଅଲୋଡ଼ା କରିପକାଇଲା। ଏବେ କିନ୍ତୁ ପ୍ରଦୂଷଣ ହ୍ରାସ କରିବା ପାଇଁ ପୁଣି ଥରେ ପାରମ୍ପରିକ ପାଲକୁ ନେଇ ପରୀକ୍ଷା ଆରମ୍ଭ ହୋଇଛି। ନିକଟରେ ପବନ ଶକ୍ତି ଦ୍ବାରା ଚାଳିତ ପ୍ରଥମ ହାଇବ୍ରିଡ୍‌ ମାଲବାହୀ ଜାହାଜ ‘ପାଇକ୍ସିସ ଓସିନ୍‌’ ତାହାର ପରୀକ୍ଷାମୂଳକ ଯାତ୍ରା ଆରମ୍ଭ କରିଛି ବୋଲି ପରିବାହନ କମ୍ପାନି ‘କାର୍ଗିଲ’ ପକ୍ଷରୁ ଘୋଷଣା କରାଯାଇଛି। ଏହି ଜାହାଜରେ ଦୁଇଟି ବିଶାଳ ପାଲ ଲାଗିଛି।ଏହା ଦ୍ବାରା ଇନ୍ଧନ ବ୍ୟବହାର ୩୦ ପ୍ରତିଶତ କମିବା ଯୋଗୁଁ ପ୍ରଦୂଷଣ ହ୍ରାସ ପାଇବ ବୋଲି ଆଶା ରଖାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଆମ ବାୟୁମଣ୍ଡଳରେ ଘଟୁଥିବା ମୋଟ ସବୁଜ ଗୃହ ଗ୍ୟାସ୍ ପ୍ରଦୂଷଣର ୨ ପ୍ରତିଶତ ସମୁଦ୍ରରେ ଜାହାଜ ଚଳାଚଳ ଯୋଗୁଁ ହୋଇଥାଏ। ତେଣୁ ଜାହାଜ ପରିବହନ ଶିଳ୍ପ ଅଧିକରୁ ଅଧିକ ବିକଳ୍ପ ସବୁଜ ଇନ୍ଧନକୁ ଆପଣାଇବା ଲାଗି ଆନ୍ତର୍ଜାତିକ ସାମୁଦ୍ରିକ ସଂଘ (ଆଇଏମ୍‌ଓ) ଗୁରୁତ୍ବାରୋପ କରୁଛି। ଏହି କ୍ରମରେ କାର୍ଗିଲ କମ୍ପାନି ତାହାର ପ୍ରଥମ ପବନ ଶକ୍ତିଚାଳିତ ଜାହାଜକୁ ଛାଡ଼ିଛି। ତେବେ ତାହା ସଂପୂର୍ଣ୍ଣ ପବନରେ ପରିଚାଳିତ ନହୋଇ ପାରମ୍ପରିକ ଖଣିଜ ଇନ୍ଧନ ଉପରେ ମଧ୍ୟ ନିର୍ଭର କରୁଛି। ଆଗକୁ ଅଧିକରୁ ଅଧିକ ସବୁଜ ଇନ୍ଧନ ବ୍ୟବହାର ଏବଂ ଶକ୍ତିଶାଳୀ ପାଲ ଖଞ୍ଜି ପ୍ରଦୂଷଣ ମାତ୍ରାକୁ ଯଥେଷ୍ଟ କମାଯାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।