ତାମିଲନାଡୁରୁ ହଜିଲା ପୁଅ ଦୀର୍ଘ ୧୦ ବର୍ଷ ପରେ ଛତିଶଗଡ଼ରେ ମିଳିଲା, ଖୁସିରେ ଆତ୍ମବିଭୋର ବାପାମାଆ

ରାୟପୁର: ଦୀର୍ଘ ୧୦ ବର୍ଷ ପରେ ନିଜର ହଜି ଯାଇଥିବା ପୁଅକୁ ଫେରି ପାଇବା ଯେକୌଣସି ବି ବାପାମାଆଙ୍କ ପାଇଁ ଏକ ଚମତ୍କାର ଅନୁଭୂତି ନିଶ୍ଚୟ। ଏହିପରି ଘଟଣା ଘଟିଛି ୪୨ ବର୍ଷୀୟ ଶିବ ପ୍ରକାଶଙ୍କ ‌କ୍ଷେତ୍ରରେ। ସେ ୧୦ ବର୍ଷ ତଳୁ ନିଜ ବାପାମାଆଙ୍କଠାରୁ ତାମିଲ୍‌ନାଡୁରୁ ଅଲଗା ହୋଇ କେଉଁଆଡ଼େ ହଜି ଯାଇଥିଲେ। ନିକଟରେ ତାଙ୍କୁ ଲକ୍‌ଡାଉନ୍‌ ସମୟରେ ଛତିଶଗଡ଼ ବସ୍ତରର ଜଗଦଲପୁର ସହରରେ ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରକାଶଙ୍କୁ ଏକ ସଂଗରୋଧ କେନ୍ଦ୍ରକୁ ନେଇ ଯାଇଥିଲେ। ଭାଷା ପ୍ରତିବନ୍ଧକର ସାମ୍ନା କରିବା ହେତୁ ସେ ଅଧିକାରୀମାନଙ୍କୁ ନିଜ ଠିକଣା କହିପାରି ନଥିଲେ। ‌ଶେଷରେ ଅଧିକାରୀମାନେ ବହୁ ଚେଷ୍ଟା ପରେ ତାଙ୍କ ଠିକଣା ଜାଣିବାକୁ ପାଇଥିଲେ।

ଏ ନେଇ ଜଗଦଲପୁର ରେଡକ୍ରସ୍ ସୋସାଇଟିର ଉପାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍ ଏମ୍ ଚେରିୟାନ୍ କହନ୍ତି କି, ‘ତାଙ୍କ ବିଷୟରେ ସୂଚନା ପାଇବା ପାଇଁ ଆମେ କଠିନ ଚେଷ୍ଟା କରିଥିଲୁ। ଜଣେ ଶାନ୍ତ ବ୍ୟକ୍ତି, ସେ ହିନ୍ଦୀ ଅନୁସରଣ କରିପାରନ୍ତି ନାହିଁ, କିନ୍ତୁ ଆମେ ବିଭିନ୍ନ ଉପାୟରେ ତାଙ୍କ ଠିକଣା ପାଇବାକୁ ଚେଷ୍ଟା କଲୁ। ଏଠାରେ କିଛି ମାସ ରହିବା ପରେ ସେ ଶେଷରେ ତାମିଲରେ ଦୁଇଟି ଧାଡ଼ି ଲେଖିଥିଲେ। ଆମେ ଜାଣିଲୁ ତାଙ୍କ ନାମ ଶିବ ପ୍ରକାଶ ଏବଂ ସେ ତିରୁବନନାମାଲାଇ ଜିଲ୍ଲାର  ଇଚୁରଙ୍କର ବାସିନ୍ଦା । ଆମେ ତାଙ୍କ ସୂଚନା ତାଙ୍କ ଠିକଣାରେ ପଠାଇ ତାଙ୍କ ପରିଚୟ ନିଶ୍ଚିତ କରିବାରେ ସଫଳ ହେଲୁ।’

ଏ ପଟେ ଜାଣିବାକୁ ମିଳିଛି ଯେ ପ୍ରକାଶଙ୍କ ବାପା ମାଆ ଦୀର୍ଘ ୧୦ ବର୍ଷ ତଳେ ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ଏତେ ବର୍ଷ ପରେ ନିଜ ହଜିଲା ପୁଅକୁ ଫେରି ପାଇ ତାଙ୍କ ବାପାମାଆ ବେଶ୍‌ ଆନନ୍ଦିତ ଅଛନ୍ତି।

ସମ୍ବନ୍ଧିତ ଖବର