ଯେତେବେଳେ ସୃଷ୍ଟିକର୍ତ୍ତା ବ୍ରହ୍ମା ବ୍ରହ୍ମାଣ୍ଡର ସର୍ଜନା ଆରମ୍ଭ କଲେ, ବିଷ୍ଣୁ ପଚାରିଲେ- ବ୍ରହ୍ମାଣ୍ଡରେ ତାଙ୍କର ନିବାସସ୍ଥାନ କେଉଁଠାରେ ହେବ? ଉତ୍ତରରେ, ବ୍ରହ୍ମା ଏକ କୁଶଗୁଚ୍ଛକୁ ମର୍ତ୍ତ୍ୟକୁ ଫିଙ୍ଗିଦେଲେ। ତାହା ଯେଉଁଠାରେ ପଡ଼ିଲା, ବ୍ରହ୍ମା ତାହାକୁ ଶ୍ରୀବିଷ୍ଣୁଙ୍କର ନିତ୍ୟନିବାସ ସ୍ଥାନ ଭାବରେ ଘୋଷଣା କଲେ। କୁଶ ପଡ଼ିଥିବା ସେହି ସ୍ଥାନ ହେଲା ‘କୁଶସ୍ଥଳୀ’। ତାହା ନିକଟରେ ରହିଛି ରୈବତକ। କୃଷ୍ଣାବତାର କାଳରେ ଶ୍ରୀକୃଷ୍ଣ ସେଠାରେ ଦ୍ୱାରକାନଗରୀ ନିର୍ମାଣ କରିଥିଲେ। ସଂପ୍ରତି ଗୁଜୁରାଟର ଜୁନାଗଡ଼ ଜିଲାରେ ଏହା ଅବସ୍ଥିତ। ଏହାର ନାମ ଗୀରନାରଗିରି। ରୈବତକ ପର୍ବତର ବିଶେଷ ଉଲ୍ଲେଖ ଭାଗବତ, ମହାଭାରତ, ହରିବଂଶ, ବିଷ୍ଣୁପୁରାଣ ଓ ଦେବୀ ଭାଗବତରେ ମିଳେ। ଆଜି ମଧ୍ୟ ଏହା ଈଶ୍ୱରଙ୍କର ନିତ୍ୟନିବାସ ଭାବରେ ପୂଜିତ।
ମହାରାଜ କୁକୁଦ୍ମ (ରେବତ)ଙ୍କର ରେବତୀ ନାମରେ ଏକ ପରମାସୁନ୍ଦରୀ କନ୍ୟା ଥିଲେ। ମର୍ତ୍ତ୍ୟରେ ତାଙ୍କ ପାଇଁ ଯୋଗ୍ୟ ବର ନ ମିଳିବାରୁ, କୁକୁଦ୍ମ କନ୍ୟାକୁ ସଙ୍ଗରେ ନେଇ ବ୍ରହ୍ମଲୋକ ଗଲେ। ସେଠାରେ ସେ ପହଞ୍ଚିଲା ବେଳକୁ ବ୍ରହ୍ମା ହାହା ଓ ହୁହୁ ଗନ୍ଧର୍ବଙ୍କର ସଂଗୀତ ଶୁଣୁୁଥିଲେ। ସଂଗୀତ ଆସର ସରିଲା ପରେ, ସେ ବ୍ରହ୍ମାଙ୍କୁ ତାଙ୍କ ଆସିବାର ଅଭିପ୍ରାୟ ଜଣାଇଲେ। ବ୍ରହ୍ମା କୁକୁଦ୍ମଙ୍କୁ ଜଣାଇଲେ, ଯେ ଏହା ଭିତରେ ୨୮ଟି ମନ୍ୱନ୍ତର ଅତିକ୍ରାନ୍ତ ହୋଇଗଲାଣି ଏବଂ ମର୍ତ୍ତ୍ୟଲୋକରେ ଏବେ ଦ୍ୱାପର ଯୁଗ ଚାଲିଛି। ବର୍ତ୍ତମାନ ରେବତୀଙ୍କର ଯୋଗ୍ୟପାତ୍ର, ମର୍ତ୍ତ୍ୟରେ ଦ୍ୱାରକା ନିର୍ମାଣ କରି ସେଠାରେ ବାସ କରୁଛନ୍ତି। ଶ୍ରୀକୃଷ୍ଣଙ୍କ ଭ୍ରାତା ବଳରାମ ହିଁ ରେବତୀଙ୍କର ଯୋଗ୍ୟ ପାତ୍ର। କୁକୁଦ୍ମ ଫେରିଆସି ବଳରାମଙ୍କୁ ରେବତୀଙ୍କୁ ଅର୍ପଣ କରି ବଦ୍ରିକା ଚାଲିଗଲେ।
ଗୋପରେ ଶ୍ରୀକୃଷ୍ଣ ଯେଉଁ ଗିରିପୂଜନ ପରଂପରା ସୃଷ୍ଟି କରିଥିଲେ, ତାହା ଅନୁସାରେ, ଯାଦବ, ବୃଷ୍ଣି ଓ ଅନ୍ଧକମାନେ ମହାସମାରୋହରେ ରୈବତକ ପୂଜନ କରି ଉତ୍ସବ ପାଳନ କରୁଥିଲେ। ଏହି ଉତ୍ସବରେ ଅର୍ଜୁନ ପ୍ରଥମେ ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ ଏବଂ ତାଙ୍କୁ ହରଣ କରି ନେଇ ବିବାହ କରିଥିଲେ। ହରିବଂଶ ପୁରାଣର ବର୍ଣ୍ଣନା ଅନୁସାରେ, ଏହି ପର୍ବତ ଉପରେ ଦେବୀ ଋକ୍ମିଣୀଙ୍କ ଏକ ବ୍ରତପୂଜନ ସମୟରେ ନାରଦ ମୁନିଙ୍କଠାରୁ ପ୍ରାପ୍ତ ଦୁର୍ଲଭ ପାରିଜାତ ପୁଷ୍ପ ଉପହାର ରୂପେ ଶ୍ରୀକୃଷ୍ଣ ଋକ୍ମିଣୀଙ୍କୁ ପ୍ରଦାନ କରିଥିଲେ। ସେଥିରେ ସତ୍ୟଭାମା କ୍ରୋଧିତ ହୋଇଥିଲେ। ତାହାର ଫଳ ସ୍ୱରୂପ ଶ୍ରୀକୃଷ୍ଣ ପାରିଜାତକୁ ମର୍ତ୍ତ୍ୟଲୋକକୁ ଆଣିଥିଲେ।
ରୈବତକ ପର୍ବତ ଦ୍ୱାପରର ଅନେକ ସ୍ମୃତି ବହନ କରିଥିବାରୁ, ପ୍ରତ୍ୟେକ ବର୍ଷ କାର୍ତ୍ତିକମାସରେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଏହାର ପରିକ୍ରମା କରିଥାନ୍ତି। ଏହି ପର୍ବତର ସର୍ବୋଚ୍ଚ ଶିଖରରେ ଦତ୍ତାତ୍ରେୟଙ୍କର ମନ୍ଦିର ରହିଛି। ବୌଦ୍ଧ, ଜୈନ, ହିନ୍ଦୁ, ବୈଷ୍ଣବ, ଶୈବ ଓ ଶାକ୍ତମାନେ ଏହାକୁ ପବିତ୍ର ମନେ କରନ୍ତି। ଏଣୁ ଏଠାରେ ପ୍ରତ୍ୟେକ ଧର୍ମୀୟ ପରଂପରାର ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ।
- ଡକ୍ଟର ତୁଳସୀ ଓଝା