ସନ୍ତାନ ଜନ୍ମ ପାଇଁ ପୁରସ୍କାର

ସନ୍ତାନ ଜନ୍ମ ପାଇଁ ପୁରସ୍କାର

ଦେଶର ପ୍ରଗତିରେ ଜନସଂଖ୍ୟା ବୃଦ୍ଧିର ନକାରାତ୍ମକ ପ୍ରଭାବ ଯୋଗୁଁ ଅନେକ ଦେଶରେ ଅଧିକ ସନ୍ତାନ ଜନ୍ମକୁ ନିରୁତ୍ସାହିତ କରାଯାଉଛି। ଏପରିକି ଆମ ଭାରତରେ ‘ଛୋଟ ପରିବାର, ସୁଖୀ ପରିବାର’ର ସ୍ଲୋଗାନ ସହ ସର୍ବାଧିକ ଦୁଇ ସନ୍ତାନରେ ପରିବାର ସୀମିତ ରଖିବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି। ବିଶ୍ବ ବ୍ୟାପୀ ମୁଦ୍ରାସ୍ଫୀତି, ଦରବୃଦ୍ଧି ଓ ଜୀବନଧାରଣର ଖର୍ଚ୍ଚ ବଢ଼ିବା ଆଦି ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ସନ୍ତାନଟିଏ ପାଳନପୋଷଣ କରିବା ଏକ ଆହ୍ବାନ ପାଲଟିଛି। ସେ ଦୃଷ୍ଟିରୁ ଅନେକ ଦମ୍ପତି ମଧ୍ୟ ଏକ ସନ୍ତାନଯୁକ୍ତ ଅଥବା ସନ୍ତାନହୀନ ହେବାକୁ ପସନ୍ଦ କରୁଥିବା ଦେଖାଯାଉଛି। ଫଳସ୍ବରୂପ ଅନେକ ଦେଶରେ କମ୍ ଶିଶୁ ଜନ୍ମ ଯୋଗୁଁ ସୃଷ୍ଟ ଲୋକସଂଖ୍ୟାରେ ହ୍ରାସ ମଧ୍ୟ ଦେଶର ଅଭିବୃଦ୍ଧିରେ ହ୍ରାସ ଘଟାଇବାର ଅନ୍ୟତମ କାରଣ ସାଜିଛି। ତେବେ ଏଭଳି ସଂକଟର ମୁକାବିଲା ପାଇଁ ଜାପାନ, ରୁଷିଆ ଓ ବେଲାରୁଷ ଆଦି ଦେଶରେ ଜନସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ ଦମ୍ପତିଙ୍କୁ ସନ୍ତାନ ଜନ୍ମ ପାଇଁ ପୁରସ୍କୃତ କରାଯାଉଛି।

ଜାପାନ ଜନସଂଖ୍ୟାରେ ବୃଦ୍ଧାବୃଦ୍ଧଙ୍କ ଅନୁପାତ କଳ୍ପନାତୀତ ଭାବେ ଅଧିକ ଥିବାରୁ ସରକାର ସେଠାରେ ନବଜାତକଙ୍କ ଆଗମନ ପାଇଁ ଆଗଭର ହୋଇପଡ଼ିଛନ୍ତି। ସେଥିପାଇଁ ସେଠାରେ ପ୍ରତି ସନ୍ତାନ ଜନ୍ମ ପାଇଁ ଦମ୍ପତିଙ୍କୁ ୬ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ତେବେ ରୁଷିଆରେ ସରକାର ଆଉ ପାଦେ ଆଗେଇ ଯାଇଛନ୍ତି। ସେଠାରେ ପ୍ରଥମ ସନ୍ତାନ ହେଲେ ଦମ୍ପତିଙ୍କୁ ନିଜସ୍ବ ଗାଡ଼ି ଓ ବାସଗୃହ ଯୋଗାଇ ଦିଆଯାଉଥିବା ବେଳେ ଦ୍ବିତୀୟ ଓ ତୃତୀୟ ସନ୍ତାନ ପାଇଁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି କର-ସଚେତନ ୟୁରୋପୀୟ ଦେଶ ରୋମାନିଆରେ ସନ୍ତାନଯୁକ୍ତ ଦମ୍ପତିଙ୍କୁ ସରକାର ସଂପୂର୍ଣ୍ଣ କରଛାଡ଼ କରିଛନ୍ତି। ଅପରପକ୍ଷେ, ସନ୍ତାନ ଜନ୍ମ ପାଇଁ ବିମୁଖ ଥିବା ଦମ୍ପତିଙ୍କ ଠାରୁ ୨୦ ପ୍ରତିଶତ ଅଧିକ ଆୟକର ଆଦାୟ କରାଯାଉଛି। ବେଲାରୁଷରେ ସନ୍ତାନ ଜନ୍ମ ସହ ସେମାନଙ୍କ ପାଳନ ପୋଷଣ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସେଠାରେ ସନ୍ତାନଟିଏ ଜନ୍ମ ହେଲା ମାତ୍ରେ ୧.୨୮ ଲକ୍ଷ ଟଙ୍କାର ନଗଦ ରାଶି ମିଳିବା ସହ ତିନି ବର୍ଷ ଯାଏ ଭରଣପୋଷଣ ପାଇଁ ମାସକୁ ୧୮ ହଜାର ଟଙ୍କା ଲେଖାଏଁ ମିଳିବାର ପ୍ରାବଧାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe