କୋଟି ‌କୋଟି ଟଙ୍କାର ମାଲିକ ହୋଇ ବି ନିଜ ପାଇଁ ଘର ତିଆରି କରିନାହାନ୍ତି ଏଲନ ମସ୍କ, ସାଙ୍ଗ ଘରେ କଟାନ୍ତି ରାତି

ନୂଆଦିଲ୍ଲୀ: ବିଦ୍ୟୁତ ଯାନ ଟେସଲା ଏବଂ ମହାକାଶ ଯାନ ପ୍ରେରଣ କମ୍ପାନି ସ୍ପେସଏକ୍ସର ପ୍ରତିଷ୍ଠାତା ହେଉଛନ୍ତି ଏଲନ ମସ୍କ। କୋଟି ‌କୋଟି ଟଙ୍କାର ମାଲିକ ହୋଇ ବି ନିଜ ପାଇଁ ଘର ତିଆରି କରିନାହାନ୍ତି ଟେସଲାର ସିଇଓ ଏଲନ ମସ୍କ। ବିଶ୍ବର ଧନୀମାନଙ୍କ ମଧ୍ୟରୁ ଜଣେ ଥିବା ଏଲନଙ୍କ ପାଖରେ ଟଙ୍କା ବହୁତ ଥିଲେ ବି ସେ ଏପର୍ଯ୍ୟନ୍ତ ନିଜ ପାଇଁ ଖଣ୍ଡିଏ ଘର କରିନଥିବା ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଣ୍ଚୟ। ହେଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏବିଷୟରେ ନିଜେ ଏଲନ ଏକ ସାକ୍ଷାତକାରରେ କହିଛନ୍ତି। ନିଜ ପାଇଁ ସେ ଏପର୍ଯ୍ୟନ୍ତ ଘର ତିଆରି କରିନଥିବା ବେଳେ ନିଜ ସାଙ୍ଗ ଘରେ ଶୁଅନ୍ତି ବୋଲି କହିଛନ୍ତି ମସ୍କ।

ଏକ ସାକ୍ଷାତକାରରେ ମସ୍କ କହିଥିଲେ ଯେ, ମୋର ବର୍ତ୍ତମାନ ସୁଦ୍ଧା ନିଜର ଘର ନାହିଁ, ମୁଁ ସତରେ ମୋ ସାଙ୍ଗମାନଙ୍କ ଘରେ ରୁହେ। କୌଣସି ସ୍ଥାନକୁ ଗଲେ ବି ସେଠାରେ ଥିବା ମୋ ବନ୍ଧୁଙ୍କ ଘରେ ମୁଁ ରହିବାକୁ ପସନ୍ଦ କରେ। ତେବେ ୨୬୯.୫ ବିଲିୟନ ଡଲାରର ମାଲିକଙ୍କ ପାଖରେ ନିଜର ଖଣ୍ଡିଏ ଘର ନାହିଁ ବୋଲି ଜାଣି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ।

ତେବେ ଏଲନ ମସ୍କ ଏବେ ଟ୍ବିଟରକୁ କିଣିବାକୁ ମନବଳାଇଥିବା ବେଳେ ‌ସେ ଟ୍ବିଟରକୁ ଦେଇଥିବା ପ୍ରସ୍ତାବ ଏବେ ଚର୍ଚ୍ଚାରେ ରହିଛି। ପ୍ରଥମେ ମସ୍କ ୪୧୦୦ କୋଟି ଡଲାର ମୂଲ୍ୟର ଏକ ପ୍ରସ୍ତାବ ଦେଇଥିବା ବେଳେ ଏବେ ନିଜ ପକେଟରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରି ଟ୍ବିଟର କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୪୧୦୦ କୋଟି ଡଲାର ଅଫର ଟ୍ବିଟର ଖାରଜ କରିବା ପରେ ଏବେ ପୁଣି ଥରେ ୭୬,୪୩୫ରୁ ୧,୧୪,୬୬୪କୋଟି ଟଙ୍କା ଖର୍ଚ୍ଚ କରି ଟ୍ବିଟର କିଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳୁଥିବା ବେଳେ ଏହି ଖବରକୁ ନେଇ ମସ୍କଙ୍କ ପକ୍ଷରୁ କିଛି କୁହାଯାଇନାହିଁ।

ସମ୍ବନ୍ଧିତ ଖବର