ଟିକା ନେବା ପରେ ସଂକ୍ରମଣ ଆଶଙ୍କା କ୍ଷୀଣ, ୧୦ହଜାରଙ୍କ ମଧ୍ୟରୁ ସଂକ୍ରମିତ ହେଉଛନ୍ତି ୨ରୁ ୪ଜଣ

କରୋନା ଟିକାକୁ ନେଇ ଲୋକମାନଙ୍କ ମଧ୍ୟ‌ରେ ଅନେକ ପ୍ରକାର ଭ୍ରାନ୍ତଧାରଣା ରହିଛି। ଟିକା ନେବା ପରେ ବି ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ଆସୁଥିବା ଖବର ଲୋକଙ୍କୁ ଚିନ୍ତାରେ ପକାଉଛି। ମାତ୍ର ତଥ୍ୟ କହୁଛି, ଟିକା ନେଇଥିବା ୧୦ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୨ରୁ ୪ଜଣ କରୋନାରେ ସଂକ୍ରମିତ ହେଉଛନ୍ତି। ଦେଶରେ ଯେତିକି ଲୋକ ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୦୪ ପ୍ରତିଶତ ସଂକ୍ରମିତ ହୋଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଯାହାକି ଚିନ୍ତାଜନକ ନୁହେଁ। ତେଣୁ ସମସ୍ତଙ୍କ ପାଇଁ ଏହା ଏକ ଭଲ ଖବର ବୋଲି ବିଚାର କରାଯାଉଛି।

ଦେଶରେ ଏବେ ଦୁଇ ପ୍ରକାର କରୋନା ଟିକା ଦିଆଯାଉଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ‘କୋଭିସିଲ୍‌ଡ’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍’। ଏ ପର୍ଯ୍ୟନ୍ତ ୯୩ଲକ୍ଷ ୫୬ହଜାର ୪୩୬ଜଣ ‘କୋଭାକ୍ସିନ୍’ର ପ୍ରଥମ ଡୋଜ୍ ନେଇଥିବା ବେଳେ ତହିଁରୁ ୪୨୦୮ଜଣ ବା ୦.୦୪ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ଦ୍ବିତୀୟ ଡୋଜ୍ ନେଇଥିବା ୧୭ଲକ୍ଷ ୩୭ହଜାର ୧୭୮ଜଣଙ୍କ ମଧ୍ୟରୁ ୬୯୫ଜଣ ବା ୦.୦୪ ପ୍ରତିଶତ ସଂକ୍ରମିତ ହୋଇଥିଲେ। ସେହିପରି ‘କୋଭିସିଲ୍‌ଡ’ର ପ୍ରଥମ ଡୋଜ୍ ୧୦କୋଟି ୩ଲକ୍ଷ ୨ହଜାର ୭୪୫ଜଣ ନେଇଥିବା ବେଳେ ତହିଁରୁ ୧୭,୧୪୫ଜଣ ବା ୦.୦୨ ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ୧କୋଟି ୫୭ଲକ୍ଷ ୩୨ହଜାର ୭୫୪ଜଣଙ୍କ ମଧ୍ୟରୁ ୫୦୧୪ଜଣ ବା ୦.୦୩ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସଂଖ୍ୟା ଯଥେଷ୍ଟ କମ୍ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହଯାଇଛି।

ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍ବାସ୍ଥ୍ୟକର୍ମୀ କିମ୍ବା ଆଗଧାଡ଼ିର ଯୋଦ୍ଧା। କୋଭିଡ୍‌ ଲଢ଼େଇରେ ଏହି ଦୁଇ ବର୍ଗର ଲୋକମାନେ ଆଗରେ ରହିଥିବା ବେଳେ ସେମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ତେବେ ଦୁଇ ଡୋଜ୍‌ର ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ କୋଭିଡ୍‌ ସଂପର୍କିତ ନିୟମାବଳିକୁ ପାଳନ କରିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ କହିବା ମୁତାବକ, ଟିକା ନେଇଥିବା ବ୍ୟକ୍ତିମାନେ କରୋନା‌ରେ ଅଧିକ ମାତ୍ରାରେ ସଂକ୍ରମିତ ହେବାର ଆଶଙ୍କା କମ୍। ମାତ୍ର ଏହା ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏ ଦୃଷ୍ଟିରୁ ନିୟମିତ ମାସ୍କ ପିନ୍ଧିବା ଜାରି ରଖିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ରୋକିପାରୁଛି ‘କୋଭାକ୍ସିନ୍’
ଦେଶରେ କରୋନାର ଦେଖିବାକୁ ମିଳିଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ରୋକିବାରେ ସଫଳ ହେଉଛି ଦେଶୀ ଟିକା ‘କୋଭାକ୍ସିନ୍’। ବି.୧.୬୧୭ ବା ଡବଲ ମ୍ୟୁଟାଣ୍ଟ ଭୂତାଣରୁ ଏଲ୍‌୪୫୨ଆର ଓ ଇ୪୮୪କ୍ୟୁ ମ୍ୟୁଟେସନ୍‌ ଦେଖିବାକୁ ମିଳିଥାଏ। ମାତ୍ର ଦ୍ରୁତ ସଂକ୍ରମଣକାରୀ ଏହି ଷ୍ଟ୍ରେନ୍‌କୁ ‘କୋଭାକ୍ସିନ୍’ ରୋକି ପାରୁଥିବା ନେଇ ଆଇସିଏମ୍‌ଆର ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ‘କୋଭାକ୍ସିନ୍’ ଟିକା ୟୁକେ ବା ବି.୧.୧୭ ଓ ଦକ୍ଷିଣ ଆଫ୍ରିକା ବି.୧.୩୫୧ ଷ୍ଟ୍ରେନ୍‌କୁ ବି ସଫଳତାର ସହ ରୋକିବାରେ ସଫଳ ହେଉଥିବା ପୂର୍ବରୁ କୁହାଯାଇଛି। ନିକଟରେ ଏନ୍‌ଆଇଭି ପୁନେ ପକ୍ଷରୁ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଆଇସୋଲେଟ୍‌ କରିବାରେ ସଫଳ ହୋଇଥିଲା। ଅପରପକ୍ଷରେ ‘କୋଭାକ୍ସିନ୍’ ଟିକାର ମୋଟାମୋଟି ଫଳପ୍ରଦ ହାର ୭୮ ପ୍ରତିଶତ ରହିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏଥିରେ ଲକ୍ଷଣବିହୀନ ରୋଗୀଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ସଂକ୍ରମଣ ରୋକିବାରେ ସଫଳ ହୋଇପାରୁଛି। ସେହିପରି ଅଧିକ ସଂକ୍ରମଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଶତ ପ୍ରତିଶତ ସଫଳତାର ସହ କାମ କରୁଥିବା ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ଡବଲ ବ୍ଲାଇଣ୍ଡ ପରୀକ୍ଷଣ କରାଯାଇଥିଲା। ‌ଏଥିରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀ କିମ୍ବା ଟିକା ପ୍ରଦାନକାରୀ ବ୍ୟକ୍ତିଙ୍କୁ କେଉଁଥିରେ ଟିକା ରହିଛି କି କେଉଁଟି ବିନା ଟିକା ବା ପ୍ଲାସିବୋ ଦିଆଯାଉଛି ସେ ସଂପର୍କରେ ସୂଚନା ଦିଆଯାଇ ନ ଥିଲା। ନିକଟରେ ଦେଶବ୍ୟାପୀ ଦ୍ବିତୀୟ ଲହର ଆରମ୍ଭ ହୋଇଥିବା ବେଳେ ୧୨୭ ଲକ୍ଷଣଯୁକ୍ତ ରୋଗୀଙ୍କ ତଥ୍ୟ ନିଆଯାଇଥିଲା। ତହିଁରୁ ଟିକା ଶତ ପ୍ରତିଶତ ଫଳପ୍ରଦ ହେଉଥିବା ନଜରକୁ ଆସିଛି। ସ୍ବଳ୍ପ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଫଳତା ହାର ରହିଛି ୭୮ ପ୍ରତିଶତ।

ସମ୍ବନ୍ଧିତ ଖବର