ମଧ୍ୟପ୍ରଦେଶର ଅମରକଣ୍ଟକ ଅଧିତ୍ୟକାରୁ ସୃଷ୍ଟ ଏ ନଦୀ ଅନ୍ୟ ସବୁ ନଦୀଙ୍କ ପରି ପୂର୍ବପ୍ରାନ୍ତକୁ ପ୍ରବାହିତ ନ ହୋଇ ପଶ୍ଚିମକୁ ପ୍ରବାହିତ ହେଉଛି। ବହୁ ସଭ୍ୟତା ପ୍ରତିପାଳନ କରିଥିବା, ଅସୁମାରି ପୁରାଣକୁ ପ୍ରେରିତ କରିଥିବା ଏବଂ କୋଟି କୋଟି ମଣିଷଙ୍କ ହୃଦୟରେ ସଶ୍ରଦ୍ଧ ସ୍ଥାନ ପାଇଥିବା ନଦୀଟି ହେଉଛି- ପୁଣ୍ୟତୋୟା ନର୍ମଦା। ପ୍ରାୟ ୯୮,୭୯୬ ବର୍ଗ କିଲୋମିଟର୍ ଅଞ୍ଚଳ ପରିବ୍ୟାପ୍ତ ନର୍ମଦା ନଦୀର ଅବବାହିକା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟ ଦେଇ ବହିଯାଉଛି।
‘ନର୍ମଦା’ର ଅର୍ଥ କ’ଣ?
ନମର୍ଦା ଶବ୍ଦ ସଂସ୍କୃତରୁ ଉତ୍ପନ୍ନ ଏବଂ ଏହାର ଅର୍ଥ ବି ଖୁବ୍ ସୁନ୍ଦର। ‘ଯେ ଅନ୍ୟମାନଙ୍କ ମଧ୍ୟରେ କୋମଳ ମନୋଭାବ ପୋଷଣ କରେ’ ଅଥବା ‘ତୃପ୍ତି ପ୍ରଦାୟକ’ ସେ ନର୍ମଦା। ଅତୀତରେ ଭିନ୍ନ ଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟରେ ନର୍ମଦା ବିଭିନ୍ନ ନାମରେ ପରିଚିତ ହେଉଥିଲା। ଗ୍ରୀକ୍ମାନେ ଏହାକୁ ‘ନମାଡସ୍’ ବା ‘ନମାଡେସ୍’ କହୁଥିବା ବେଳେ ପାରସ୍ୟ ସାହିତ୍ୟରେ ଏହାର ନାଁ ‘ନର୍ମଦା’ ବା ‘ନର୍ମଦ୍’ ବୋଲି ଉଲ୍ଲେଖ ରହିଛି। ପ୍ରତ୍ୟେକ ନାଁ ନଦୀର ତାତ୍ପର୍ଯ୍ୟ ଏବଂ ବହୁ ଶତାବ୍ଦୀ ଧରି ଏହା ପରିପୁଷ୍ଟ କରାଇଥିବା ସମୃଦ୍ଧ ସାଂସ୍କୃତିକ ସମ୍ପର୍କ କଥା ସୂଚାଏ।
ନର୍ମଦାର ପୌରାଣିକ ତାତ୍ପର୍ଯ୍ୟ
ନର୍ମଦାର ତାତ୍ପର୍ଯ୍ୟ କେବଳ ଜଳସମ୍ବନ୍ଧୀୟ ନୁହେଁ, ବେଶ୍ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବି। ଆମ ପୁରାଣ ଅନୁଯାୟୀ, ଏ ନଦୀ ମହାଦେବଙ୍କ ଶରୀରରୁ ଉତ୍ପନ୍ନ। ତପସ୍ୟା ସମୟରେ ମହାଦେବଙ୍କ ଶରୀରରେ ଏତେ ଉତ୍ତାପ ସୃଷ୍ଟିହେଲା ଯେ ତାଙ୍କ ଦେହରୁ ନିର୍ଗତ ସ୍ବେଦ ବା ଝାଳ ଗୋଟାଏ ପୁଷ୍କରିଣୀରେ ଠୁଳହୋଇ ନର୍ମଦା ନଦୀ ରୂପେ ପ୍ରବାହିତ ହେଲା। ତେଣୁ ଏ ନଦୀ ଦେବୀ ନର୍ମଦା ବା ମହାଦେବଙ୍କ କନ୍ୟା ରେବା ବୋଲି ସୁପରିଚିତା।
ଗଙ୍ଗା ସ୍ନାନ କରନ୍ତି ନର୍ମଦାରେ
ନର୍ମଦାକୁ ନିଷ୍ପାପ ନଦୀ କୁହାଯାଏ। ପୁରାଣରେ ବର୍ଣ୍ଣନା ଅଛି ଯେ, ଆପଣା ଦେହରେ ଜମି ରହୁଥିବା ଭକ୍ତମାନଙ୍କ ପାପ ଶୋଧନ କରିବା ନିମନ୍ତେ ବର୍ଷକୁ ଥରେ ପବିତ୍ର ଗଙ୍ଗାନଦୀ ବି କାଳିଗାଈ ରୂପ ଧାରଣ କରି ନର୍ମଦା ନଦୀରେ ସ୍ନାନ କରନ୍ତି। ଏ କିଂବଦନ୍ତି ନର୍ମଦା ନଦୀର ଅତୁଳନୀୟ ପବିତ୍ରତା ଏବଂ ଭାରତର ପବିତ୍ର ନଦୀମାନଙ୍କ ମଧ୍ୟରେ ଏହାର ମାନ୍ୟତା ଉପରେ ଗୁରୁତ୍ବାରୋପ କରେ।
ବହୁ ଉତ୍ଥାନପତନର ସାକ୍ଷୀ
ଇତିହାସରୁ ଜଣାପଡ଼େ, ଭାରତର ଉତ୍ତର ଓ ଦକ୍ଷିଣ ପ୍ରାନ୍ତ ମଧ୍ୟରେ ପ୍ରାକୃତିକ ପାଚେରି ଭାବେ ଦଣ୍ଡାୟମାନ ନର୍ମଦା ନଦୀ ଅନେକ ସାମ୍ରାଜ୍ୟର ଉତ୍ଥାନ ଓ ପତନର ସାକ୍ଷୀ। ରାମାୟଣ, ମହାଭାରତ ଓ ଆଉ କେତେକ ପୁରାଣ ଭଳି ପ୍ରାଚୀନ ଗାଥାରେ ନର୍ମଦା ନଦୀ କଥା ଉଲ୍ଲେଖ ଅଛି। ଏ ନଦୀର କଥା ଓ ତାତ୍ପର୍ଯ୍ୟ ପ୍ରତି ବାୟୁ ଓ ସ୍କନ୍ଦ ପୁରାଣର ସବୁ ଅଧ୍ୟାୟ ସମର୍ପିତ।
ପ୍ରଳୟ ପରେ ବି ତିଷ୍ଠିବ
କିଂବଦନ୍ତି କହେ, ନର୍ମଦା ଚିରପ୍ରବାହୀ ନଦୀ ଏବଂ ପ୍ରଳୟ ପରେ ବି ପ୍ରବାହିତ ହେଉଥିବ। ଅନ୍ୟ ନଦୀ ସବୁ ଶୁଖି ଗଲେ ବା ସତ୍ତା ହରାଇଲେ, ନର୍ମଦା ଚିରନ୍ତନ ଜୀବନ ଓ ନିରନ୍ତରତାର ପ୍ରତୀକ ଭାବେ ତିଷ୍ଠିରହିବ। ଏ ଚିନ୍ତାଧାରା ସେ ନଦୀ ପ୍ରବାହିତ ହେଉଥିବା ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନରେ ଓତପ୍ରୋତ ଜଡ଼ିତ। ସେଠାରେ ଏହାକୁ ଖାଲି ନଦୀ ନୁହେଁ, ଦୈବୀ ଓ ନିତ୍ୟ ବୋଲି ବିଚାରି ସମ୍ମାନ ଦିଆଯାଏ।
କୂଳେ କୂଳେ ତୀର୍ଥସ୍ଥଳୀ
ନର୍ମଦା କୂଳେ କୂଳେ ଅସଂଖ୍ୟ ତୀର୍ଥସ୍ଥଳ ରହିଛି। ସେସବୁ ମଧ୍ୟରେ ଅମରକଣ୍ଟକ, ଓଁକାରେଶ୍ବର ଓ ମହେଶ୍ବର ପୀଠ ପ୍ରସିଦ୍ଧ। ଏ ସବୁ କେବଳ ଆଧ୍ୟାତ୍ମିକ ଆଶ୍ରୟ ନୁହେଁ ବରଂ ଗୋଟାଏ ଐତିହାସିକ ନାଭିଚକ୍ର, ଯାହା କଳାର ବିଭିନ୍ନ ରୂପ, ସ୍ଥାପତ୍ୟ ଓ ସାମୂହିକ ଜୀବନ ବିକାଶର ମୂକସାକ୍ଷୀ। ନେମାୱାର ସିଦ୍ଧେଶ୍ବର ମନ୍ଦିର, ଚଉଷଠି ଯୋଗିନୀ ମନ୍ଦିର, ଚୌବିସ ଅବତାର ମନ୍ଦିର ଭଳି ଅନେକ ପୂଜାପୀଠ ପାଇଁ ଏ ନଦୀର ସାଂସ୍କୃତିକ ମହତ୍ତ୍ବ ସମୃଦ୍ଧ।