କୋଠାର: ଭଦ୍ରକଜିଲ୍ଲା ଧାମନଗର ବ୍ଲକ୍ ମଧ୍ୟଦେଇ ପ୍ରବାହିତ ରେବ ନଦୀ ଏବେଠୁ ଶୁଖିଗଲାଣି। ନଦୀ ସଂସ୍କାର ଯୋଜନାରେ ପ୍ରାୟ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ରେବ ନଦୀ ଖନନ କରାଯାଇଥିଲେ ମଧ୍ୟ ଏହା କାମ ଦେଲାନି। ଫଳରେ ନଦୀ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି। ମତ୍ସ୍ୟଜୀବୀଙ୍କ କୁଳ ବେଉସା ମଧ୍ୟ ବୁଡ଼ିଯିବାକୁ ବସିଲାଣି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଅଞ୍ଚଳର ଧାନ ବିଲରୁ ଛୋଟିଆ ନାଳ ଭଳି ବାହାରିଥିବା ରେବ ନଦୀ ବନ୍ତ, ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଧାମନଗର ବ୍ଲକ୍ର ଦଇପୁରରେ ପ୍ରବେଶ କରିଛି। ପାଖାପାଖି ୨୨ କିମି ଧାମନଗର ବ୍ଲକ୍ରେ ପ୍ରବାହିତ ହେବାପରେ ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ଦପାନାୟକାଣିରେ ଗେଙ୍ଗୁଟି ନଦୀରେ ମିଶିଛି। ଉକ୍ତ ନଦୀର ଦୈର୍ଘ୍ୟ ପ୍ରାୟ ୫୨ କିମି ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍ର ପ୍ରାୟ ୯ ଶହ ଗାଁର ଲୋକେ ଏହା ଉପରେ ନିର୍ଭର କରନ୍ତି। ଧାମନଗର ବ୍ଲକର ଦଇପୁର, ଚୁଡ଼ାକୁଟି, କଲ୍ୟାଣୀ, ଗୋବିନ୍ଦପୁର, ଅସୁରାଳି, ଫତେପୁର, କାଶିନ୍ଦପୁର ଆଦି ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ଗ୍ରାମର ୫ ହଜାର ଚାଷୀ ନିର୍ଭର କରନ୍ତି।
ନଦୀର ଉଭୟ ପାର୍ଶ୍ବରେ ପ୍ରାୟ ୭ ଶହ ହେକ୍ଟରରୁ ଅଧିକ ଜମିରେ ଧାନ, ମୁଗ, ବିରି ସମେତ ରବି ଋତୁରେ ପନିପରିବା ଚାଷ ହୋଇଥାଏ। ମାତ୍ର ଗ୍ରୀଷ୍ମ ଋତୁ ଆରମ୍ଭରୁ ରେବ ନଦୀ ଶୁଖିବାକୁ ବସିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲାଣି। ନିଜ ଚାଷକୁ କେମିତି ବଞ୍ଚାଇ ରଖିବେ, ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅନ୍ୟପକ୍ଷରେ, ନଦୀ ସଂସ୍କାର ଯୋଜନାରେ ପ୍ରାୟ ୧୨ ବର୍ଷ ପୂର୍ବେ ରେବ ନଦୀ ଶଯ୍ୟା ଖନନ କରାଯାଇଥିଲା। ଏନେଇ ପ୍ରାୟ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ସେବେଠାରୁ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାରୁ ଅଧିକାଂଶ ସ୍ଥାନରେ ଘାସ, ଦଳ, ଆବର୍ଜନା ଜମି ହୋଇ ନଦୀଗର୍ଭ ପୋତି ହୋଇଗଲାଣି। ନଦୀ ଖନନ ସମୟରୁ ଆଡ଼ିବନ୍ଧ ମୁକୁଳା ପଡ଼ିଛି। ଫଳରେ ବର୍ଷାଦିନେ ବନ୍ୟା ପାଣି ଗୋବିନ୍ଦପୁର, କଲ୍ୟାଣୀ, ଚୁଡାକୁଟି, ଅସୁରାଳି, ଦଇପୁର ଆଦି ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛି। ସେହିପରି କାକୁଡ଼ିଗଡ଼ିଆରେ ରେବ ନଦୀରେ ଏକ ଚେକ୍ଡ୍ୟାମ୍ ନିର୍ମାଣ ହେଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ଭଦ୍ରକ ଜଳ ନିଷ୍କାସନ (ଡ୍ରେନେଜ୍) ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।