ନୂଆଦିଲ୍ଳୀ: ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗତ କିଛି ମାସ ହେବ ଲଗାତର ଭାବେ ଅସୁସ୍ଥ ରହି ଆସୁଛନ୍ତି। ତାଙ୍କର କିଡ୍ନି ଜନିତ ରୋଗ ସହ ସମେତ ଅନେକ ପ୍ରକାରର ଶାରୀରିକ ସମସ୍ୟା ରହିଛି। ଏବେ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ତାଙ୍କୁ କିଡ୍ନି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁସାରେ, ଗତ ମାସରେ ନିଜର ଚିକିତ୍ସା କରିବାକୁ ସିଙ୍ଗାପୁର ଯାଇଥିଲେ ଲାଲୁ ଯାଦବ। ସେଠାରେ ଡାକ୍ତର ଲାଲୁଙ୍କ ଚିକିତ୍ସା କରି କିନ୍ଡି ପ୍ରତିରୋପଣ ପାଇଁ ପରାମର୍ଶ ଦେଇଛନ୍ତି। ଯାହା ପରେ ରୋହିଣୀ ନିଜ ବାପାଙ୍କୁ ସୁସ୍ଥ କରିବାକୁ ନିଜ କିଡ୍ନିରୁ ଗୋଟାଏ ଦେବାକୁ ଚିନ୍ତା କରିଛନ୍ତି।
ଜାଣିବାକୁ ମିଳିଛି ଯେ ରୋହିଣୀ କିଡ୍ନି ଦାନ କରିବା କଥା ଶୁଣିବା ମାତ୍ରେ ଲାଲୁ ଏହାକୁ ବିରୋଧ କରିଥିଲେ। ତାଙ୍କ ଝିଅ ତାଙ୍କୁ ନିଜ କିଡ୍ନି ଦେଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲୁ ବୋଲି ଲାଲୁ ଚାହାନ୍ତି ନାହିଁ। ସେହି କାରଣରୁ ସେ ବାରମ୍ବାର ଏପରି କରିବାକୁ ମନା କରିଥିଲେ। ମାତ୍ର ରୋହିଣୀ ଓ ପରିବାର ଲୋକଙ୍କ ଚାପରେ ଆସି ଶେଷରେ ଲାଲୁ ରାଜି ହୋଇଛନ୍ତି।
ଲାଲୁ ପ୍ରସାଦ ନିଜର କିଡ୍ନି ପ୍ରତିରୋପଣ ପାଇଁ ନଭେମ୍ବର ୨୦-୨୪ ଭିତରେ ସିଙ୍ଗାପୁର ଯାଇପାରନ୍ତି ବୋଲି ସୂଚନା ରହିଛି। ସେଠାରେ ଲାଲୁଙ୍କ ଅସ୍ତ୍ରୋପଚାର ହେବ। ସିଙ୍ଗାପୁରରେ ଲାଲୁଙ୍କ ଦ୍ବିତୀୟ ଝିଅ ରୋହିଣୀ ରହନ୍ତି। ସେ ହିଁ ନିଜ ବାପାଙ୍କର ସମସ୍ତ ଚିକିତ୍ସା ଦାୟିତ୍ବ ତୁଲାଉଛନ୍ତି।