ପାହାଡ଼ କାଟି ରାସ୍ତା ତିଆରିଲେ ଦିବ୍ୟାଙ୍ଗ

ହାରର ‘ମାଉଣ୍ଟେନ୍‌ ମ୍ୟାନ୍‌’ ଦଶରଥ ମାଂଝୀ ହାତୁଡ଼ି ଓ ଛେଣି ସାହାଯ୍ୟରେ ପାହାଡ଼ କାଟି ୩୬୦ ଫୁଟ୍‌ ଲମ୍ବା ଏବଂ ୩୦ ଫୁଟ୍‌ ଚଉଡ଼ାର ଏକ ରାସ୍ତା ତିଆରି କରିବା ପରେ ଏକ ଦୁର୍ଗମ ଅଞ୍ଚଳ ସହ ଯୋଗାଯୋଗ ପାଇଁ ତାହା ବାଟ ଫିଟାଇଥିଲା। ଦଶରଥଙ୍କ ଏ କାହାଣୀ ସହ ପରିଚିତ ନ ଥିବା କେରଳର ଜଣେ ଦିବ୍ୟାଙ୍ଗ ମେଲେଥୁଭିଟ୍ଟିଲ୍‌ ଶଶି ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇ ସଫଳ ହୋଇଛନ୍ତି।
ଶଶି ଜଣେ ଦିବ୍ୟାଙ୍ଗ। ପକ୍ଷାଘାତରେ ପୀଡ଼ିତ ହୋଇଥିବାରୁ ସେ ଠିକ୍‌ ଭାବେ ଚଲାବୁଲା କରି ପାରନ୍ତି ନାହିଁ କି ଦୀର୍ଘ ସମୟ ଛିଡ଼ା ହୋଇପାରନ୍ତି ନାହିଁ। ତିନିବର୍ଷ ତଳେ ଶଶିଙ୍କୁ କେହି ଜାଣି ନ ଥିଲେ। ମାତ୍ର ତାଙ୍କର ଦୃଢ଼ତା, ଆତ୍ମବିଶ୍ୱାସ ଆଉ ଧୈର୍ଯ୍ୟ ତାଙ୍କୁ ଏବେ ନିଆରା ଏକ ପରିଚୟ ଦେଇଛି। ଏବେ ଅନେକ ଶଶିଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସୁକ। ଦିବ୍ୟାଙ୍ଗ ହେଲେ ବି ସେ ନିଜ ଘର ସାମ୍ନାରେ ଥିବା ପାହାଡ଼କୁ କାଟି ରାସ୍ତାଟିଏ ତିଆରି କରିପାରିଛନ୍ତି। ତେଷଠି ବର୍ଷୀୟ ଶଶି ଲଗାତର ତିନି ବର୍ଷ ଧରି ପ୍ରତିଦିନ ଛ’ ଘଣ୍ଟା ଲେଖା ପାହାଡ଼ କାଟି ରାସ୍ତା ତିଆରିରେ ଲାଗିପଡ଼ିଥିଲେ। ଏହା ମଧ୍ୟରେ ପାହାଡ଼ କାଟି ୨୦୦ ମିଟରର ରାସ୍ତାଟିଏ ସେ ତିଆରି କରି ପାରିଛନ୍ତି।
ଶଶିଙ୍କ ଶରୀରର ଡାହାଣ ଭାଗ ପକ୍ଷାଘାତରେ ପୀଡ଼ିତ। ଡାହାଣ ପାଦ ଏବଂ ହାତକୁ ସେ ପ୍ରାୟତଃ ବ୍ୟବହାର କରି ପାରନ୍ତି ନାହିଁ। ତେଣୁ ପାହାଡ଼ ଟପି ଆରପଟକୁ ଯାଇ କିଛି କାମ କରିବା ତାଙ୍କ ଦେଇ ସମ୍ଭବ ହୁଏ ନାହିଁ। ପାହାଡ଼ ପ୍ରତିବନ୍ଧକ ଥିବାରୁ ସେ ପାହାଡ଼ କାଟି ପ୍ରଥମେ ବାଟଟିଏ ତିଆରି କରିବାକୁ ଚାହିଲେ। ଏହାଦ୍ୱାରା ସେ ପାହାଡ଼ ଆରପଟକୁ ଯାଇ କିଛି କାମଦାମ କରିବାର ସୁଯୋଗ ପାଇବେ ଏବଂ ନିଜର ପରିବାରକୁ ସାହାଯ୍ୟ କରି ପାରିବେ।
ଅଠର ବର୍ଷ ତଳେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପଇଡ଼ ତୋଳିବା ଶଶିଙ୍କର ପେସା ଥିଲା। ଦିନେ କିନ୍ତୁ ନଡ଼ିଆ ଗଛରୁ ସେ ତଳକୁ ଖସି ପଡ଼ିଲେ। ତାଙ୍କର ହାତ ଗୋଡ଼ ଭାଙ୍ଗି ଯାଇଥିଲା ଆଉ ସେ ପକ୍ଷାଘାତର ଶିକାର ହୋଇଥିଲେ। ବହୁଦିନ ଧରି ବେଡ୍‌ରେ ପଡ଼ି ରହିଲେ। ଘର ଚଳାଇବା ପାଇଁ ତାଙ୍କର ପିଲାମାନେ ପଢ଼ା ଛାଡ଼ି ବିଭିନ୍ନ କାମଧନ୍ଦାରେ ଲାଗିଗଲେ। ଶଶି କହିବା ମୁତାବକ ସେ ଗଛଚଢ଼ାରେ ବେଶ୍‌ କୁଶଳୀ ଥିଲେ। ମାତ୍ର ଘଟଣା ଦିନ ହଠାତ୍‌ ତାଙ୍କର ପାଦ କେମିତି ଖସିଗଲା ସେ ଜାଣି ପାରି ନାହାନ୍ତି। ଏହି ଦୁର୍ଘଟଣା ତାଙ୍କୁ ଏକ ରକମ ଅକ୍ଷମ କରି ଦେଲା। ତା’ପରେ ଶଶୀ ନିଷ୍ପତ୍ତି ନେଇଥିଲେ ଯେ ସେ ଏକ ତିନିଚକିଆ ସ୍କୁଟରଟିଏ କିଣି ନିକଟବର୍ତ୍ତୀ ସହର ତିରୁବନନ୍ତପୁରମ୍‌ରେ ଲଟେରି ଟିକେଟ୍‌ ବିକ୍ରି କରି କିଛି ରୋଜଗାର କରି ପରିବାରକୁ ସାହଯ୍ୟ କରିପାରିବେ।

ତେବେ ସ୍କୁଟର୍‌ଟିଏ କିଣିବାକୁ ଆର୍ଥିକ ସହାୟତା ପାଇବା ପାଇଁ ସେ ପଞ୍ଚାୟତରେ ଆବେଦନ କରିଥିଲେ। ମାତ୍ର ଅଧିକାରୀ ଜଣକ ତାଙ୍କ କଥାକୁ ଥଟ୍ଟାରେ ଉଡ଼ାଇ ଦେଇଥିଲେ। କହିଥିଲେ, ସ୍କୁଟର୍‌ କ’ଣ ଆକାଶରେ ଉଡ଼ାଇ ଉଡ଼ାଇ ନେବ। କାହିଁକି ତାଙ୍କର ଘର ସାମ୍ନାରେ ପାହାଡ଼ଟିଏ ହିଁ ଥିଲା। ଶଶି ତାଙ୍କ ଘର ନିକଟକୁ ରାସ୍ତାଟିଏ ନିର୍ମାଣ ପାଇଁ କେତେକ ଅଫିସର୍‌ଙ୍କ ନିକଟରେ ନେହୁରା ହୋଇଥିଲେ। ମାତ୍ର ତାଙ୍କ କଥା କେହି ଶୁଣି ନ ଥିଲେ। ସବୁଆଡୁ ନିରାଶ ହେଇ ଶଶି ଦୃଢ଼ ସଂକଳ୍ପ ନେଇଥିଲେ ଯେ ଆଉ କାହାକୁ ଗୁହାରି ନ କରି ସେ ନିଜେ ପାହାଡ଼ କାଟି ରାସ୍ତା ତିଆରିବେ। ଗୋଟେପଟେ ପାହାଡ଼ କାଟିବାର ଆହ୍ଵାନ ତ ଆରପଟେ ଦିବ୍ୟାଙ୍ଗ ହେବାର ଅସହାୟତା। ତେବେ ବି ସେ ଲାଗି ପଡ଼ିଲେ। ପ୍ରତିଦିନ ଭୋର୍‌ ପାଞ୍ଚଟାରୁ ସକାଳ ସାଢ଼େଆଠଟା ଯାଏଁ, ପୁଣି ଅପରାହ୍‌ଣ ଚାରିଟାରୁ ଅନ୍ଧାର ହେବା ଯାଏ ଶଶୀ ପାହାଡ଼ କାଟିବା କାମରେ ଲାଗି ରହୁଥିଲେ। ପ୍ରଥମେ ପ୍ରଥମେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବହୁବାର ଆଘାତ ମଧ୍ୟ ପାଇଛନ୍ତି। ମାତ୍ର ପାହାଡ଼ ସାମ୍ନାରେ ସେ ହାର ମାନି ନାହାନ୍ତି।
ଶଶିଙ୍କର ଏତାଦୃଶ କାର୍ଯ୍ୟ ଦେଖି ଲୋକମାନେ ପ୍ରଥମେ ତାଙ୍କୁ ଟାହିଟାପରା କରୁଥିଲେ। ମାତ୍ର ତାଙ୍କର କାର୍ଯ୍ୟ କିଛି ବାଟ ଆଗେଇଯିବା ପରେ ଲୋକମାନେ ତାଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ସଫଳ ହେଲେ ଶଶି। ତେବେ ବି ତାଙ୍କର ସଂଘର୍ଷ ସରି ନ ଥିଲା। ପଞ୍ଚାୟତ ପକ୍ଷରୁ ତାଙ୍କୁ କିଛି ବି ସହଯୋଗ ମଳି ନ ଥିଲା। ଶଶୀଙ୍କର ଏହି କାହାଣୀ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହେବା ପରେ ଯାଇ ଚାପରେ ପଡ଼ି ପଞ୍ଚାୟତ ସହାୟତାର ହାତ ବଢ଼ାଇଥିଲା। ପଞ୍ଚାୟତ ସାହାଯ୍ୟ କରୁ କି ନ କରୁ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ତାଙ୍କୁ ଜାଣିଥିବା ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏବେ ତିନିଚକିଆ ସ୍କୁଟର୍‌ଟିଏ ହାସଲ କରିଛନ୍ତି ଶଶି।
ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଶଶିଙ୍କ ଦୃଢ଼ତା, ଆତ୍ମବିଶ୍ୱାସ ଆଉ ଧୈର୍ଯ୍ୟ ତାଙ୍କୁ ସଫଳତା ଆଣି ଦେଇଛି।

ସମ୍ବନ୍ଧିତ ଖବର