ଯନ୍ତ୍ରମାନବ (ହ୍ୟୁମାନୋଇଡ୍ ରୋବୋଟ୍) ଉପରେ କାମ କରୁଥିବା କାଲିଫର୍ନିଆର ‘ଫିଗର ଏଆଇ’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ‘ଫିଗର ୦୩’ ଉନ୍ମୋଚନ କରିଛି। ଯାବତୀୟ ଘର କାମ କରିବା ପାଇଁ ଏହି ନୂତନ ଯନ୍ତ୍ରମାନବଟିକୁ ବିକଶିତ କରାଯାଇଛି ବୋଲି କମ୍ପାନି କହିଛି।  ‘ଫିଗର ୦୩’ ଗଛରେ ପାଣି ଦେବାଠାରୁ ଆରମ୍ଭ କରି କୋଠରି ସଫା କରିବା, ଖାଦ୍ୟ ପରଷିବା, ବାସନ ଧୋଇବା ଏବଂ ପୋଷାକପତ୍ର ସଫା କରି ଭାଙ୍ଗି ସାଇତି ରଖିବା ଭଳି ବିଭିନ୍ନ କାର୍ଯ୍ୟ କରିପାରୁଛି। 

Advertisment

ନୂତନ ତଥା ଉନ୍ନତ ହାର୍ଡୱେର୍ ଯୋଗୁଁ ‘ଫିଗର ୦୩’ ଘର ପରି ଏକ ‘ଜଟିଳ ଓ ବିଶୃଙ୍ଖଳିତ ସ୍ଥାନ’ରେ ନିଜକୁ ବୁଦ୍ଧିମାନ ଭାବରେ ସ୍ଥାନିତ କରି ବିଭିନ୍ନ କାର୍ଯ୍ୟ ସଂପାଦନ କରିପାରୁଛି। ଏଥିରେ ଲାଗିଥିବା ନରମ ଆଙ୍ଗୁଠିଗୁଡ଼ିକ ବିଭିନ୍ନ ଆକୃତି ଓ ଆକାରର ବସ୍ତୁକୁ ଧରିବାରେ ସାହାଯ୍ୟ କରେ। ଏହାର ଆଙ୍ଗୁଠି ଟିପରେ ଲାଗିଥିବା ସେନ୍‌ସର ପେପରକ୍ଲିପ୍ ପରି ମାତ୍ର ତିନି ଗ୍ରାମ ଓଜନର ଜିନିଷ ମଧ୍ୟ ଅନୁଭବ କରିପାରିବ। ଏହାର ସବୁଠୁ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା, ଏହା ମଣିଷଠାରୁ ନିରନ୍ତର ଶିଖିପାରିବ ଏବଂ ନିଜକୁ ଉନ୍ନତ କରିପାରିବ। ୬୧ କେଜି ଓଜନ ଓ ୫ ଫୁଟ ୮ ଇଞ୍ଚ ଉଚ୍ଚର ଏହି ରୋବଟ୍‌ ଏକ ୱାୟାରଲେସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ନିଜକୁ ଚାର୍ଜ କରିପାରିବ ଏବଂ ଥରେ ଚାର୍ଜ ହେଲେ ତାହା ୫ ଘଣ୍ଟା ଯାଏ କାମ କରିପାରିବ। କମ୍ପାନି ଏପର୍ଯ୍ୟନ୍ତ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରି ନାହିଁ। ତେବେ ଆସନ୍ତା ବର୍ଷ ତାହାର ବିକ୍ରି ଆରମ୍ଭ ହେବ।