ଜାପାନୀ ବୈଜ୍ଞାନିକମାନେ ମନୁଷ୍ୟ ଶରୀରର ଜୀବନ୍ତ ଚର୍ମକୁ ଉପଯୋଗ କରି ଏକ ଯନ୍ତ୍ରମାନବ ବା ରୋବଟ୍ ମୁହଁରେ ସତସତିକା ହସ ଫୁଟାଇବାରେ ସକ୍ଷମ ହୋଇପାରିଛନ୍ତି। ଏହାଦ୍ବାରା ଆଗକୁ ରୋବଟ୍‌ମାନଙ୍କ ମୁହଁରେ ବାସ୍ତବ ହସ ଦେଖାଦେବା ସହ ସେମାନେ ମଧ୍ୟ ଅନ୍ୟାନ୍ୟ ମୁଖଭଙ୍ଗୀକୁ ଜୀବନ୍ତ କରି ପ୍ରଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି। ଟୋକିଓ ବିଶ୍ବବିଦ୍ୟାଳୟର ଏହି ଗବେଷକମାନେ ମନୁଷ୍ୟ ଶରୀରରୁ ଜୀବକୋଷ ନେଇ ପରୀକ୍ଷାଗାରରେ ଜୀବକୋଷ ଚାଷ କରି ଜୀବନ୍ତ ତନ୍ତୁ ସୃଷ୍ଟି କରିଥିଲେ। ପରେ ତାହାକୁ ରୋବଟ ମୁହଁରେ ଛୋଟଛୋଟ ଛିଦ୍ର କରି ତହିଁରେ କୋଲାଜେନ୍ ସାହାଯ୍ୟରେ ସ୍ଥାପନ କରି ଅବିକଳ ଜୀବନ୍ତ ଚର୍ମ ଉତ୍ପନ୍ନ କରିପାରିଥିଲେ। ଏହା ପ୍ରକୃତ ଚର୍ମ ପରି ନରମ ଓ ବାସ୍ତବ ମନେହେବା ସହ ସ୍ବତଃ ତାହା କ୍ଷତି ଭରଣା କରିପାରୁଛି। ଫଳରେ ରୋବଟ୍‌ଟି ଗତି କରିବା ଦ୍ବାରା ଚର୍ମର କୌଣସି ପ୍ରକାର ସମ୍ଭାବ୍ୟ କ୍ଷତିକୁ ତାହା ରୋକିପାରିଥିଲା।

Advertisment

ବୈଜ୍ଞାନିକମାନଙ୍କ କହିବା ମୁତାବକ, ଏହି ପରୀକ୍ଷାନିରୀକ୍ଷାରୁ ଭବିଷ୍ୟତରେ ଏଭଳି ସ୍ବୟଂଉପଶମକ୍ଷମ ଚର୍ମର ଉତ୍ପତ୍ତି ପାଇଁ ପଥ ପରିଷ୍କାର ହୋଇପାରିଛି, ଯାହା ଆଉ ଘଷିମାଜି ହୋଇ ଛିଣ୍ଡିଯିବାର ଆଶଙ୍କା ରହିବନି। ଏଥି ସହିତ ବୟସ୍କ ତ୍ବଚାକୁ ବଦଳାଇବା କି କସ୍ମେଟିକ ବା ପ୍ଲାଷ୍ଟିକ ସର୍ଜରି ସମେତ କୌଣସି ପ୍ରକାର ଅସ୍ତ୍ରୋପଚାର ବେଳେ ମଧ୍ୟ ଚର୍ମର ସଂକୋଚନ ପରି କୌଣସି ପ୍ରକାର କ୍ଷତିକୁ ଭରଣା କରିହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ଏହି କୃତ୍ରିମ ଚର୍ମର ପ୍ରକୃତ ବ୍ୟାବସାୟିକ ବ୍ୟବହାର ପାଇଁ ଆହୁରି ଅନେକ ପରୀକ୍ଷାନିରୀକ୍ଷା ଆବଶ୍ୟକ ବୋଲି ଟୋକିଓ ବିଶ୍ବବିଦ୍ୟାଳୟର ଏହି ବୈଜ୍ଞାନିକମାନେ ସ୍ବୀକାର କରିଛନ୍ତି।