ଅଧୁନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପ୍ରଚଳନର ଫଳଶ୍ରୁତି ଭାବେ ବିଭିନ୍ନକ୍ଷେତ୍ରରେ ‘ବିଜ୍ଞ’ ଓ ‘କୁଶଳୀ’ ରୋବଟ୍ମାନଙ୍କୁ ନିୟୋଜିତ କରାଯାଉଛି। ତେବେ ନାରୀ ହୁଅନ୍ତୁ ବା ଯନ୍ତ୍ରନାରୀ ଉଭୟ କ୍ଷେତ୍ରରେ ସେମାନଙ୍କ ଜୟଯାତ୍ରା ଜାରି ରହିଛି। ସେମିତି କିଛି ନାରୀ ଓ ଯନ୍ତ୍ରନାରୀଙ୍କୁ ଭେଟନ୍ତୁ ଆମର ଏଥରର ଆଲେଖ୍ୟରେ...
ସାଲୁ
ଭାରତୀୟ ଗବେଷକମାନେ ବିଭିନ୍ନ କ୍ଷେତ୍ରରେ ନୂଆ କିଛି ଉଦ୍ଭାବନ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ଏବେ ମୁମ୍ବାଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକ ଦିନେଶ ପଟେଲ ଏକ ହ୍ୟୁମାନଏଡ୍ ରୋବୋ ବିକଶିତ କରିଛନ୍ତି। ଏହି ରୋବୋ ୯ଟି ସ୍ଥାନୀୟ ଭାଷା ଏବଂ ୩୮ଟି ବିଦେଶୀ ଭାଷାରେ କଥା ହୋଇପାରୁଛି। ଦିନେଶ ଏହି ରୋବୋର ନାମ ‘ସାଲୁ’ ରଖିଛନ୍ତି। ସାଲୁ ହିନ୍ଦୀ, ମରାଠୀ, ଭୋଜପୁରୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ ଭଳି ଆଞ୍ଚଳିକ ଭାଷା କହିପାରୁଛି। ଏହା ବ୍ୟତୀତ ସେ ୩୮ଟି ବିଦେଶୀ ଭାଷାରେ ମଧ୍ୟ କଥା ହୋଇପାରୁଛି। ସାଲୁକୁ ମହିଳାଙ୍କ ଭଳି ପ୍ରସ୍ତୁତ କରାଯାଇଛି ଏବଂ ସେ ମହିଳାଙ୍କ ପରି ମଧ୍ୟ କଥା ହେଉଛି। ରଜନୀକାନ୍ତଙ୍କ ରୋବୋଟ୍ ଚଳଚ୍ଚିତ୍ରରୁ ଅନୁପ୍ରାଣିତ ହୋଇ ଦିନେଶ ଏହି ହ୍ୟୁମାନଏଡ୍ ରୋବୋ ପ୍ରସ୍ତୁତ କରିଛନ୍ତି। ଏହା ହଂକଂର ହାନସନ ରୋବୋଟିକ୍ସ ଦ୍ବାରା ବିକଶିତ ‘ସୋଫିଆ’ ରୋବୋ ପରି। ସାଲୁ କେବଳ ମାନବୀୟ କାର୍ଯ୍ୟକଳାପ ପ୍ରଦର୍ଶନ କରୁଛି ତା’ ନୁହେଁ, ବରଂ ସେ ହାତ ମିଳାଇବା, କ୍ରୋଧ ପ୍ରକାଶ କରିବା ସହିତ ହସି ମଧ୍ୟ ପାରୁଛି। ଦିନେଶ ବର୍ଜ୍ୟବସ୍ତୁ ବ୍ୟବହାର କରି ସାଲୁକୁ ବିକଶିତ କରିଛନ୍ତି। ଏଥିରେ ବିଶେଷ କରି ପ୍ଲାଷ୍ଟିକ, କାର୍ଡବୋର୍ଡ, କାଠ, ଆଲୁମିନିୟମ ଆଦି ବ୍ୟବହାର ହୋଇଛି। ଏହାକୁ ପ୍ରସ୍ତୁତ କରିବା ଲାଗି ଦିନେଶଙ୍କୁ ତିନି ବର୍ଷ ସମୟ ଲାଗିଥିଲା। ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବ୍ୟବହାର କରି ସାଲୁକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହା ସାଲୁର ଏକ ପ୍ରୋଟୋଟାଇପ। ଏହି ରୋବୋ ଜଣଙ୍କୁ ଚିହ୍ନିପାରିବା ସହିତ ସବୁକଥା ମନେ ରଖିପାରିବ ଏବଂ ଗଣିତ ଓ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ। ସାଲୁ ସମସ୍ତଙ୍କୁ ସ୍ବାଗତ କରିପାରିବ, ଭାବଭଙ୍ଗୀ ପରିପ୍ରକାଶ କରିପାରିବ, ଖବରକାଗଜ ପଢ଼ିପାରିବ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ପ୍ରଦର୍ଶନ କରିପାରିବ।
ବ୍ୟୋମିତ୍ର
ଚନ୍ଦ୍ରଯାନ ମିସନର ସଫଳତା ପରେ ଗଗନଯାନ ଉପରେ ଫୋକସ୍ କରାଯାଉଛି। ଦେଶର ପ୍ରଥମ ମିସନ ଭାବେ ଏହି ମିସନରେ ମହାକାଶକୁ ରୋବୋଟ୍ ପଠାଇବ ଇସ୍ରୋ। ପରୀକ୍ଷଣରେ ମହିଳା ରୋବୋଟ୍ ରହିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଚନ୍ଦ୍ରଯାନ ମିସନର ସଫଳତା ପରେ ଗଗନଯାନକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ତିନୋଟି ପର୍ଯ୍ୟାୟରେ ମିସନକୁ ସଫଳ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏକ ପରୀକ୍ଷାମୂଳକ ସ୍ପେସ୍ ଫ୍ଲାଇଟ୍ ଉତ୍କ୍ଷେପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମହାକାଶକୁ ମହାକାଶଚାରୀ ପଠାଇ ପୁଣି ତାଙ୍କୁ ସୁରକ୍ଷିତ ଫେରାଇ ଆଣିବା ଆହ୍ୱାନପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି କାମ କରୁଛି ଇସ୍ରୋ। ପ୍ରଥମେ ଦୁଇଟି ଡମି ଟେଷ୍ଟ ହେବ ଏବଂ ଏହାପରେ ଦ୍ୱିତୀୟ ମିସନରେ ଜଣେ ମହିଳା ରୋବୋଟ୍କୁ ପଠାଯିବ। ରୋବୋଟ୍ର ସମ୍ପୂର୍ଣ୍ଣ ହାବଭାବ ମାନବ ପରି ରହିବ। ଯଦି ଏ ସମସ୍ତ ପରୀକ୍ଷଣ ସଫଳ ହୁଏ ତେବେ ତୃତୀୟ ପର୍ଯ୍ୟାୟରେ ୩ ଜଣ ମହାକାଶଚାରୀଙ୍କୁ ପଠାଯିବ ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ।
ରୋବୋକପ୍
ରୋବୋକପ୍ ହେଉଛି ସବ୍ ଇନ୍ସପେକ୍ଟର୍ (ଏସ୍ଆଇ)ରୢାଙ୍କ୍ର ଏକ ରୋବଟ୍, ଯାହାକୁ ତିରୁଅନନ୍ତପୁରମ୍ସ୍ଥିତ କେରଳ ପୁଲିସ ମୁଖ୍ୟାଳୟରେ ମୁତୟନ କରାଯାଇଛି। ଏହି ରୋବଟ୍କୁ ମୁଖ୍ୟାଳୟରେ ଥିବା ଫ୍ରଣ୍ଟ୍ ଅଫିସ୍ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ପର୍ଯ୍ୟଟକମାନେ ଏହି ରୋବଟ୍ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ, ଆବଶ୍ୟକସ୍ଥଳେ କେଉଁଠାକୁ ଯିବାକୁ ପଡ଼ିବ ସେନେଇ ନିର୍ଦ୍ଦେଶ ପାଇପାରିବେ। ରୋବୋକପ୍ର କେତେକ ଅତିରିକ୍ତ ବୈଶିଷ୍ଟ୍ୟ ରହିଛି, ଯେପରିକି ବୈଠକ ସ୍ଥିର କରିବା, ପରିଚୟପତ୍ର ପ୍ରଦାନ କରିବା କିମ୍ବା ଲୋକଙ୍କ ଚିନ୍ତାକୁ ଆଧାର କରି ନୂଆ ଫାଇଲ ଖୋଲିବା ଭଳି କାର୍ଯ୍ୟ ସମ୍ପାଦନ କରିବାରେ ସେ ସକ୍ଷମ। ଏଥିରେ ପର୍ଯ୍ୟଟକ ଓ ସେମାନଙ୍କ ସମ୍ପୃକ୍ତ ଗ୍ରାହକଙ୍କ ତଥ୍ୟ ରେକର୍ଡିଂ ବ୍ୟବସ୍ଥା ରହିଛି।
ସୋଫିଆ
ଅତ୍ୟାଧୁନିକ ମାନବ ସଦୃଶ ରୋବୋଟ୍ ସୋଫିଆ ଏଆଇର ସ୍ୱପ୍ନକୁ ସାକାର କରିଛି। ବିଜ୍ଞାନ, ଇଞ୍ଜିନିୟରିଂ ଓ କଳାର ଏକ ଅନନ୍ୟ ମିଶ୍ରଣ ସୋଫିଆ ଏକ ମାନବ ନିର୍ମିତ ବିଜ୍ଞାନ କାଳ୍ପନିକ ଚରିତ୍ର। ଏହା ଉନ୍ନତ ରୋବୋଟିକ୍ସ ଏବଂ ଏଆଇ ଗବେଷଣା ପାଇଁ ଏକ ପ୍ଲାଟଫର୍ମ। ସୋଫିଆ ବିଶ୍ୱସ୍ତରର ଦର୍ଶକଙ୍କ କଳ୍ପନାଜଳ୍ପନାକୁ ଆଖି ଆଗରେ ରଖିପାରିଛି। େସାଫିଆ ବିଶ୍ୱର ପ୍ରଥମ ରୋବୋ ନାଗରିକ ଏବଂ ଜାତିସଙ୍ଘ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରଥମ ରୋବୋ ଇନୋଭେସନ୍ ଆମ୍ବାସଡର। ସୋଫିଆ ଏବେ ଏକ ଘରୋଇ ନାମ ଟୁନାଇଟ୍ ସୋ’ ଏବଂ ଗୁଡ୍ ମର୍ଣ୍ଣିଂ ବ୍ରିଟେନରେ ଯୋଗଦେବା ସହିତ ବିଶ୍ୱର ଶହ ଶହ ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରୁଛନ୍ତି। ସୋଫିଆ କହିଛନ୍ତି ଯେ, ମଣିଷର ଅଦ୍ଭୁତ ସାମାଜିକ ଏବଂ ସୃଜନାତ୍ମକ ଦକ୍ଷତା ରହିଛି ଯାହା ସେ ଶିଖୁଛନ୍ତି। ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିକାଶ ଯାହା ସଭ୍ୟତାର କାହାଣୀ ଓ ମେସିନ୍ ଲର୍ଣ୍ଣିଂରେ ସହାୟକ ହେବ, ତାହା ଭବିଷ୍ୟତରେ ଆତ୍ମ-ଶିକ୍ଷାରେ ସହାୟକ ହେବ। ଟେକ୍ନୋଲୋଜିକୁ ସଭ୍ୟତା ପ୍ରତି ବିପଦ ଭାବେ ଦେଖୁଥିବା ବିଭିନ୍ନ ବର୍ଗର ଲୋକଙ୍କ କଥା ଉଲ୍ଲେଖ କରି ସୋଫିଆ କହିଲେ, ବିଜ୍ଞାନ ହିଁ ମୋତେ ସୃଷ୍ଟି କରିଛି, କିନ୍ତୁ ଦର୍ଶନ ମତେ ଆଗକୁ ନେଇଯିବ। ତାଙ୍କର ବୟସ ଦୁଇ ବର୍ଷ ଏବଂ ସେ ଇଂରାଜୀ ଓ ଟିକିଏ ଚାଇନିଜ୍ ଭାଷା ଜାଣନ୍ତି।