ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରର ସୁରକ୍ଷା ଦାୟିତ୍ବରେ ଏବେ ଦୁଇଟି ରୋବଟ ନିଯୁକ୍ତ ହେବା ଘଟଣା ଯାତ୍ରୀମାନଙ୍କୁ ଚକିତ କରିଛି। ବିମାନବନ୍ଦରରେ ନିଯୁକ୍ତ ଥିବା ଅନ୍ୟ ପୁଲିସ ବଳ ସହିତ ୭ ଫୁଟ ଉଚ୍ଚର ଏହି ରୋବଟ୍‌ ଦୁଇଟିକୁ ସାମିଲ କରାଯାଇଛି। ସଂପୂର୍ଣ୍ଣ ଚାରିପାଖରେ ଅର୍ଥାତ୍‌ ୩୬୦ ଡିଗ୍ରି ଦୃଶ୍ୟପଟରେ ନିଘା ରଖି ପାରୁଥିବା ଏହି ରୋବଟ୍ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ସାଂଘାତିକ ପରିଣତି ଆଣିଦେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗତ ପାଞ୍ଚ ବର୍ଷ ଧରି ଏହି ଶ୍ରେଣୀୟ ରୋବଟ୍‌କୁ ସିଙ୍ଗାପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ନିୟୋଜିତ କରାଯାଇଥିଲା। ତାହାର ସଫଳ କାର୍ଯ୍ୟଦକ୍ଷତା ଦେଖି ଏହାକୁ ଆନୁଷ୍ଠାନିକ ଭାବେ ନିଯୁକ୍ତ କରାଯାଇଛି। ଏହା ବିମାନବନ୍ଦରରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ଶାଣିତ କରିପାରିବ ବୋଲି ସିଙ୍ଗାପୁର ପୁଲିସ ଆଶା ରଖିଛି। ବାର୍ତ୍ତା ପରିବେଷଣ ପାଇଁ ଏଥିରେ ସ୍ପିକର ଓ ଦୃଶ୍ୟମାନ ବାର୍ତ୍ତା ପାଇଁ ଏଲ୍‌ସିଡି ପରଦା ମଧ୍ୟ ଖଞ୍ଜାଯାଇଛି। ଯାତ୍ରୀମାନେ ଆବଶ୍ୟକ ସ୍ଥଳେ ଏଥିରେ ରହିଥିବା ଏକ ସ୍ବତନ୍ତ୍ର ବୋତାମକୁ ଟିପିଲେ କୌଣସି ଅସୁବିଧା ସମ୍ପର୍କରେ ସିଧାସଳଖ ପୁଲିସ ସହ କଥା ହୋଇପାରିବେ। ସେହିପରି କୌଣସି ଅଘଟଣ ଘଟିଲେ ଏହା ତତ୍କାଳ ସାଇରନ୍‌ ବଜାଇ ସମସ୍ତଙ୍କୁ ସତର୍କ କରିବା ସହ ତା’ ଦେହରେ ଲାଗିଥିବା ୨.୩ ମିଟରର ସମ୍ପ୍ରସାରଣଶୀଳ ବାହୁକୁ ବିସ୍ତାରି ଆଖପାଖ ଇଲାକାକୁ ଘେରାବନ୍ଦୀ କରି ରଖିପାରିବ।

Advertisment