ଆମେରିକାର ବିଶିଷ୍ଟ ଉଦ୍ୟୋଗପତି ତଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଏଲନ୍ ମସ୍କ ସ୍ୱାସ୍ଥ୍ୟସେବାରେ ମେସିନ୍ ବ୍ୟବହାରର ଉପାଦେୟତା ଉପରେ ପୁଣି ଥରେ ଗୁରୁତ୍ବାରୋପ କରିଛନ୍ତି। ଏପରିକି ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସର୍ବୋତ୍ତମ ସର୍ଜନମାନଙ୍କ ସ୍ଥାନ ରୋବଟ୍ ନେବ ବୋଲି ମସ୍କ କହିଛନ୍ତି। ପ୍ରୋଷ୍ଟେଟ୍, କିଡ୍‌ନି ଓ ମୂତ୍ରାଶୟର ଶଲ୍ୟ ଚିକିତ୍ସା କ୍ଷେତ୍ରରେ ରୋବଟ୍‌ ବ୍ୟବହାର କରାଯିବ। ୧୩୦ରୁ ଅଧିକ ଅସ୍ତ୍ରୋପଚାରରେ ରୋବଟ୍ ବ୍ୟବହାର କରୁଥିବା ଚିକିତ୍ସା ପ୍ରଯୁକ୍ତି କମ୍ପାନି ମେଡ୍‌ଟ୍ରୋନିକ୍ ସଂପର୍କରେ ପ୍ରତିକ୍ରିୟା ରଖି ସେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଡାକ୍ତରଙ୍କୁ ବଦଳାଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସମ୍ଭାବ୍ୟ ଉପଯୋଗ ବିଷୟରେ ସେ ଏପରି ପ୍ରଥମ ଥର ପାଇଁ ଇଙ୍ଗିତ କରିନାହାନ୍ତି। ଚଳିତବର୍ଷ ଆରମ୍ଭରେ ତାଙ୍କ କମ୍ପାନିର ଏଆଇ ଚାଟ୍‌ବଟ୍‌ ‘ଗ୍ରକ୍’ ମଧ୍ୟ ରୋଗ ନିର୍ଣ୍ଣୟ କରିପାରିବ ବୋଲି ସେ ଦାବି କରିଥିଲେ। ସେହିପରି ତାଙ୍କ କମ୍ପାନି ନ୍ୟୁରାଲିଙ୍କ୍‌କୁ  ମସ୍ତିଷ୍କ-କମ୍ପ୍ୟୁଟର ଇଲେକ୍ଟ୍ରୋଡ୍ ପ୍ରବେଶ ପାଇଁ ଏକ ରୋବଟ୍ ବ୍ୟବହାର କରିବାକୁ ପଡ଼ିଥିଲା, କାରଣ ଜଣେ ମଣିଷ ପାଇଁ ତାହା ଅସମ୍ଭବ ଥିଲା ବୋଲି ମଧ୍ୟ ବିଶ୍ୱର ସବୁଠୁ ଧନାଢ଼୍ୟ ବ୍ୟକ୍ତି ଭାବେ ପରିଚିତ ମସ୍କ କହିଛନ୍ତି। 

Advertisment

ଏଆଇ ଉପକରଣଗୁଡ଼ିକ ଏବେ ବି ଭ୍ରମପ୍ରବଣ। ଏଆଇ ଦ୍ୱାରା ରୋଗ ନିର୍ଣ୍ଣୟରେ ଯଦି ସାମାନ୍ୟ ତ୍ରୁଟି ହୁଏ ତେବେ ମଣିଷକୁ ତାହା 
ମୃତ୍ୟୁମୁଖକୁ ବି ନେଇପାରେ।  ଏ କ୍ଷେତ୍ରରେ ଆଇନ ବର୍ତ୍ତମାନ ଅସ୍ପଷ୍ଟ ଥିବାରୁ, ଉତ୍ତରଦାୟୀ ସ୍ଥିର କରିବାର ନିର୍ଦ୍ଦିଷ୍ଟ ଉପାୟ ମଧ୍ୟ ନାହିଁ।

ଗତ କିଛି ସପ୍ତାହ ମଧ୍ୟରେ ପ୍ରାୟ ସମସ୍ତ ବଡ଼ ବଡ଼ ପ୍ରଯୁକ୍ତି କମ୍ପାନି ସ୍ୱାସ୍ଥ୍ୟସେବାରେ ଏଆଇର ବ୍ୟବହାରଜନିତ ଫାଇଦା ହାସଲ ଲାଗି ଲକ୍ଷ୍ୟ ରଖିଛନ୍ତି। ଏଆଇ କିଛି ବର୍ଷ ମଧ୍ୟରେ ସମସ୍ତ ରୋଗକୁ ଭଲ କରିପାରିବ ବୋଲି ଗୁଗଲ୍ ଡିପ୍‌ମାଇଣ୍ଡ୍‌ର ସିଇଓ ଡେନିସ୍ ହାସାବିଜ୍ ଏକ ସାକ୍ଷାତ୍‌କାରରେ କହିଥିଲେ। ସେହିପରି ‘ଓପନ୍ଏଆଇ’ର ବଡ଼ ସମର୍ଥକ ମାଇକ୍ରୋସଫ୍ଟ କମ୍ପାନି ପକ୍ଷରୁ ମଧ୍ୟ ବିରଳ ରୋଗ ଖୋଜିବା ପାଇଁ ଏକ ନୂତନ ଡାଇଗ୍ନୋଷ୍ଟିକ୍ ଉପକରଣ ଉଦ୍ଭାବନ କରାଯାଇଥିଲା, ଯାହା ପ୍ରକୃତରେ ଜୀବନକୁ ଉନ୍ନତ କରିପାରିବ ବୋଲି ସିଇଓ ସତ୍ୟ ନାଡ଼େଲା କହିଥିଲେ।

ଯଦିଓ ଅନ୍ୟାନ୍ୟ କ୍ଷେତ୍ର ପରି ସ୍ୱାସ୍ଥ୍ୟସେବାରେ ଏଆଇର ପ୍ରବେଶ ନେଇ ପର୍ଯ୍ୟାପ୍ତ ସୁଯୋଗ ଅଛି, କିନ୍ତୁ ନିଦାନ ପାଇଁ ଏଆଇର ବ୍ୟବହାରର ସମ୍ଭାବ୍ୟ ଖରାପ ଦିଗକୁ ଅଣଦେଖା କରାଯାଉଛି। ବର୍ତ୍ତମାନର ଏଆଇ ଉପକରଣଗୁଡ଼ିକ ଏବେ ବି ଭ୍ରମପ୍ରବଣ। ଏଆଇ ଦ୍ୱାରା ରୋଗ ନିର୍ଣ୍ଣୟ କ୍ଷେତ୍ରରେ ସାମାନ୍ୟ ତ୍ରୁଟି ମଣିଷ ପାଇଁ ମୃତ୍ୟୁ ହୋଇପାରେ। ଅଧିକନ୍ତୁ, ଏହି କ୍ଷେତ୍ରରେ ଆଇନ ବର୍ତ୍ତମାନ ଅସ୍ପଷ୍ଟ ଥିବାରୁ, ଉତ୍ତରଦାୟୀ ଧାର୍ଯ୍ୟ କରିବାର କୌଣସି ସ୍ପଷ୍ଟ ଉପାୟ ମଧ୍ୟ ନାହିଁ।