୨ବର୍ଷ ତଳେ ପିତାମାତାଙ୍କ ଠାରୁ ଅଲଗା ହୋଇଥିବା ରୋହିଙ୍ଗିୟା ଝିଅ ଘରକୁ ଫେରିଲା, ମାତୃଭାଷା ଭୁଲି ହିନ୍ଦୀ କହିଲା

ମୁମ୍ବାଇ: ବେଙ୍ଗାଲୁରୁରେ ଥିବା ମା’କୁ ଫୋନ୍‌ରେ ଦୀର୍ଘ ଦୁଇବର୍ଷ ପରେ ‘ସଲାମ୍‌’ କହିବା ପରେ ୧୯ବର୍ଷୀୟ ଏହି ଯୁବତୀ ସଲିମାଙ୍କ ଖୁସି କହିଲେ ନସରେ। କାରଣ ସେ ୨ବର୍ଷ ପୂର୍ବେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବାପା-ମା’ଙ୍କ ଠାରୁ ଅଲଗା ହୋଇଯାଇଥିଲେ। ତେବେ ଆସନ୍ତୁ ୧୯ବର୍ଷୀୟ ଯୁବତୀ ସେଦିନର ଘଟଣା ସମ୍ପର୍କରେ ବଖାଣି କ’ଣ କହନ୍ତି ….

ସଲିମା ଅଖତାର କହନ୍ତି, ୨୦୧୫ ମସିହା ନଭେମ୍ବର ମାସରେ ମୁଁ ମୋର ବାପା-ମା’ଙ୍କ ସହିତ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ମୁରାଦାବାଦ ରେଳ ଷ୍ଟେସନ୍‌ରେ ପାଣି ପିଇବାକୁ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲି। ଲୋକ ଭିଡ ହୋଇଯିବାରୁ ମୁଁ ଟ୍ରେନ୍‌ରେ ଉଠି ପାରି ନଥିଲି। ଟ୍ରେନ୍‌ଟି ଛାଡ଼ି ଦେଇଥିଲା। ଭିଡରେ ମୋର ବାପା ଓ ମା ବି ମୋତେ ଦେଖି ପାରିଲେ ନାହିଁ କି ମୁଁ ଷ୍ଟେସନ୍‌ରେ ଅଟକି ଯାଇଛି ବୋଲି। ଟ୍ରେନ୍‌ ଯିବା ପରେ ଅନେକ ବାଟ ଦୌଡ଼ି ଥିଲି ହେଲେ ବି ବାପା ଓ ମା’ଙ୍କ ପାଖକୁ ଯାଇ ପାରିଲି ନାହିଁ। ଏହାପରେ ଷ୍ଟେସନ୍‌ ବାହାରକୁ ଆସିଛି ଏକ ଗାଡ଼ି ଚାଳକକୁ ମୋତେ ଆଗ ଷ୍ଟେସନ୍‌ରେ ଛାଡ଼ିବାକୁ କହିଥିଲି। କିନ୍ତୁ ରୋହିଙ୍ଗିୟା ଭାଷା କହିଥିବାରୁ ସେ ମୋ କଥା ବୁଝି ପାରି ନଥିଲେ। କିନ୍ତୁ ଯାହା ହେଉ ମୁଁ କିଛି ସାହାଯ୍ୟ ମାଗିବାକୁ ଚାହିଁଛୁ ବୋଲି ସେ ଜାଣି ପାରି ମୋତେ ପୁଲିସ ଷ୍ଟେସନ୍‌ ନେଇ ଆସିଥିଲେ। କିନ୍ତୁ ଦୁଃଖର କଥା ପୁଲିସ ଅଙ୍କଲ ବି ମୋର କଥା ବୁଝି ପାାରି ନ ଥିଲେ। ସେ ଜଣେ ବ୍ୟକ୍ତିଙ୍କୁ ଡାକି ମୁରାଦାବାଦରେ ଏକ ମହିଳା ଆଶ୍ରୟ ଘରେ ରଖିଥିଲେ। ମୁଁ ଏହି ଆଶ୍ରୟ ଘରେ ଏକବର୍ଷ ତିନିମାସ ପାଖାପାଖି ରହିଥିଲି। ମୋତେ ହିନ୍ଦୀ ନଆସିବା କାରଣରୁ ପ୍ରଥମେ ପ୍ରଥମେ କେହି ମୋ ସହିତ କଥା ହେଉ ନଥିଲେ। ମୁଁ ବି ବୁଝି ପାରେ ନାହିଁ ସେମାନେ କ’ଣ କରୁଛନ୍ତି। ମଝିରେ ମଝିରେ ଆଶ୍ରୟ ଘରର ଅଧିକାରୀଙ୍କୁ ମା’ଙ୍କ ନମ୍ବରରେ ଫୋନ୍‌ କରିବାକୁ କୁହେ। କିନ୍ତୁ ସେ ମୁଁ କ’ଣ କହୁଛି କିଛି ବୁଝି ପାରନ୍ତି ନାହିଁ।

ଗତବର୍ଷ ମୋତେ ଲକ୍ଷ୍ମୌସ୍ଥିତ ଏକ ଆଶ୍ରୟଘରକୁ ସ୍ଥାନାନ୍ତର କରି ଦିଆଗଲା। ଏଠାକାର ଜଣେ ଅଧିକାରୀ ମୋତେ ବାଙ୍ଗଳାଦେଶୀ ଭାବି ମୋର ପରିବାରବର୍ଗଙ୍କୁ ଖୋଜିବାକୁ ଲାଗିଲେ। ମୋତେ ବିଦେଶୀ ପଞ୍ଜିକରଣ କାର୍ଯ୍ୟାଳୟକୁ ଅଧିକାରୀ ନେଇ ଯାଇଥିଲେ। ସେଠାରୁ ସେ ଜାଣିବାକୁ ପାଇଲେ ମୁଁ ରୋହିଙ୍ଗିୟା ବୋଲି। ମୁଁ ହିନ୍ଦୀ ଶିଖିବା ପରେ ମୋର ଠିକଣା କହିଥିଲି।

ଏହାପରେ ଜାନୁଆରି ୫ରେ ଶାହିନ ବାଗରେ ରହୁଥିବା କାକି ଜନ୍ନତାରା ବେଗମ(୩୩), ଭାଇ ଲିଜା ଅକ୍ଟର(୯), ଓ ଶେଖର(୨୪) ଲକ୍ଷ୍ମୌ ଆସି ମୋତେ ନେଇଥିଲେ ଏବଂ ମୋର ମା’ଙ୍କ ସହିତ କଥା କରାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସଲିମା ରୋହିଙ୍ଗିୟା ପରିବର୍ତ୍ତେ ହିନ୍ଦୀ ଖୁବ୍‌ ପ୍ରଞ୍ଜଳ ଭାବେ କହୁଛନ୍ତି।

ସମ୍ବନ୍ଧିତ ଖବର