ରୋକଠୋକ୍‌ କହୁଥିଲେ ଅରୁଣ

ବାରମ୍ବାର କ୍ଷମତାରେ ଆସିଥିଲେ ବି ସାଧାରଣ ଜନତାଙ୍କୁ କେବେବି ପାଶୋରି ଯାଇନଥିଲେ ଅରୁଣ। ରାତିଦିନ ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦୁଆର ଖୋଲାଥିଲା। ଅରୁଣ ନାଁ ଶୁଣିଲେ ଅସାଧୁ ନେତା, ଅସାମାଜିକ ତତ୍ତ୍ବ, ଅଧିକାରୀ ଏବଂ ପୁଞ୍ଜିପତିମାନଙ୍କ ମନରେ ଅଦୃଶ୍ୟ ଭୟ ସୃଷ୍ଟି ହେଉଥିଲା। ଏଥିପାଇଁ ଦଳ, ମତ, ଧର୍ମ ନିର୍ବିଶେଷରେ ସେ ବାଲେଶ୍ବରର ଶ୍ରମିକ, କୃଷକ, ଗରିବ, ଦିନମଜୁରିଆ‌, ବେକାରୀ ଯୁବବର୍ଗ, ଛାତ୍ରଛାତ୍ରୀ, ମହିଳା ସମସ୍ତଙ୍କର ପ୍ରିୟନେତା ତଥା ‘ଦାଦା’ ଭାବେ ପରିଚିତ ଥିଲେ।

ଦୁର୍ନୀତି ତାଙ୍କୁ ଛୁଇଁ ପାରିନଥିଲା
ରାଜନୈତିକ ଜୀବନ ହେଉ କିମ୍ବା ଅନ୍ୟ କାର୍ଯ୍ୟରେ, ଦୁର୍ନୀତି ତାଙ୍କୁ ଛୁଇଁ ପାରିନଥିଲା। ସାରା ଜୀବନ‌ ସାଧାରଣ ଜୀବନଯାପନକୁ ସେ ପସନ୍ଦ କରିଥିଲେ। ସେଥିପାଇଁ ସେ କାହାକୁ ଭୟ କରୁନଥିଲେ।

ଉଠୁଥିଲା ପଡ଼ୁଥିଲା ବିଧାନସଭା
ଛାତ୍ର ଜୀବନରୁ ରାଜନୈତିକ ଜୀବନକୁ ପ୍ରବେଶ କରିବା ପରେ ୧୯୭୪ ମସିହାରେ ବାଲେଶ୍ବର ଆସନରୁ ବିଧାୟକ ଭାବେ ପ୍ରଥମଥର ପାଇଁ ବିଧାନସଭା‌କୁ ପ୍ରବେଶ କଲେ ଅରୁଣ। ଅଞ୍ଚଳର ବିକାଶ ପ୍ରସଙ୍ଗ ହେଉ ଅବା ତତ୍କାଳୀନ ରାଜନୈତିକ ସ୍ଥିତି ଉପରେ ତାଙ୍କର ଭିନ୍ନ ମତ, ଦୁଃସାହସିକ ପଦକ୍ଷେପ ବିଭିନ୍ନ ସମୟରେ ସରକାର ଓ ସରକାରୀ ବ୍ୟବସ୍ଥାକୁ ହଲଚଲ କରିଦେଉଥିଲା। ବିଧାନସଭା ଭିତରେ ହେଉ କ‌ି ବାହାରେ ଶାସକଦଳର ନେତା ତଥା ସରକାରୀ ବିଭାଗର ଅଧିକାରୀମାନେ ତାଙ୍କର ଅକାଟ୍ୟ ଯୁକ୍ତି ଏବଂ ରୋକଠୋକ ଜବାବ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଉଥିଲେ। ଖୁବ କମ୍‌ ବୟସରେ ରାଜ୍ୟ ରାଜନୀତିର ‌ସେ ଅପ୍ରତିଦ୍ବନ୍ଦ୍ବୀ ଚେହେରା ଭାବେ ଉଭା ‌ହୋଇପାରିଥିଲେ। ସରକାର ଏବଂ ସରକାରୀ ଦଳ ବିରୋଧରେ ସବୁବେଳେ ସେ ସ୍ବର ଉଠାଉଥିଲେ ସୁଦ୍ଧା ବିଧାନସଭାର ପିଅନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ତାଙ୍କୁ ଗୁରୁତ୍ବ ଦେଉଥିଲେ।

Sambad English

‘ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବଙ୍କୁ ହତ୍ୟା କର’
ନକ୍ସଲ ପ୍ରସଙ୍ଗକୁ ନେଇ ‘ସମ୍ବାଦ’ର ତତ୍କାଳୀନ ଜିଲ୍ଲା ପ୍ରତିନିଧି ପାର୍ଥସାରଥୀ ରାଉତ ୨୦୦୭ ମସିହାରେ ତାଙ୍କର ଏକ ସାକ୍ଷାତକାର ନେଇଥିଲେ। ଏ ସଂପର୍କରେ ଅରୁଣଙ୍କ ବୟାନ ଖାଲି ବିବାଦ ସୃଷ୍ଟି କରିନଥିଲା, ରାଜ୍ୟରେ ଏକପ୍ରକାର କମ୍ପନ ସୃଷ୍ଟି କରିଥିଲା। ଯଦି ନକ୍ସଲମାନଙ୍କ କଥା ସରକାର ଶୁଣୁନାହାନ୍ତି, ତାହେ‌ଲେ ତଳିଆ କର୍ମଚାରୀଙ୍କୁ ଟାର୍ଗେଟ୍‌ କରି କିଛି ଲାଭନାହିଁ। ପାରୁଛ ଯଦି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ଅନ୍ୟ ସଚିବ, ବଡ଼ ବଡ଼ ଅଧିକାରୀଙ୍କୁ ହତ୍ୟା କର। ମୁଁ ବି ସରକାରଙ୍କୁ ବାରମ୍ବାର କହିଛି। ସରକାର ଓ ନକ୍ସଲଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ମୁଁ ରାଜି ଅଛି। ସରକାର କିନ୍ତୁ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ଏହି ଟିପ୍‌ଣୀକୁ ନେଇ ସେତେବେଳେ ପ୍ରମୁଖ ଗଣମାଧ୍ୟମ ତାଙ୍କୁ ଘେରିଥିଲେ। ତଥାପି ସେ ନିଜ ବକ୍ତବ୍ୟରୁ ଓହରିନଥିଲେ। ଏହା ତାଙ୍କର ଅଦମ୍ୟ ସାହସର ପରିଚୟ ଦିଏ।

ସଂଗ୍ରାମୀ ପରିବାରର ପୁଅ ଥିଲେ
ନୀଳଗିରି ସାରୁପାଳ ଗାଁରେ ତାଙ୍କର ଜନ୍ମ ହୋଇଥିଲେ ବି ସେ ହରିପୁର ଗାଁ’କୁ ପଳାଇ ଆସିଥିଲେ। ସେତେବେଳେ କୁଆଡ଼େ ନୀଳଗିରି ରାଜା ତାଙ୍କ ପିଉସୀଙ୍କୁ ବିବାହ କରିବାକୁ ଚାହିଁଥିଲେ। ଏହି ଡରରେ ରାଜାଙ୍କ ସୀମା ଛାଡ଼ି ତାଙ୍କ ପରିବାର ହରିପୁରକୁ ପଳାଇ ଆସିଥିବା କୁହାଯାଏ। ତାଙ୍କ ବଡ଼ ଭିଣୋଇ କମ୍ୟୁନିଷ୍ଟ ଦଳରୁ ବିଧାୟକ ଥିଲେ। ତାଙ୍କଠାରୁ ସେ ପ୍ରଭାବିତ ହୋଇଥିଲେ।

କିଙ୍ଗ୍‌ ମେକର୍‌ ଲିଡର୍‌
ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ହେଉ କି ପୌର କିମ୍ବା ସାଧାରଣ ନିର୍ବାଚନ। କେଉଁ ଦଳର କେଉଁ ପ୍ରାର୍ଥୀ ଜିତିବ ଏବଂ କେତେ ଭୋଟରେ ଜିତିବ ତାହା ଆଗୁଆ ଜାଣି ପାରୁଥିଲେ ଅରୁଣ। କାରଣ ଜିଲ୍ଲାର ବିଭିନ୍ନ ବର୍ଗର ଜନସମୂହଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ରହିଥିଲା। ସେହିମାନଙ୍କୁ ଅସ୍ତ୍ର କରି ନିର୍ବାଚନରେ ଗୋଟିଚାଳନା କରୁଥିଲେ ଅରୁଣ। ଏପରିକି ନିଜ ସଫଳତା, ବିଫଳତା ସେ ସମ୍ପର୍କରେ ଆଗୁଆ ମତାମତ ଦେବାକୁ ସେ ଆଦୌ ଦ୍ବିଧା କରୁନଥିଲେ। ସେଥିପାଇଁ ନିର୍ବାଚନ ହେଉ ବା ଅନ୍ୟ ସମୟରେ ହେଉ, ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ, ଗଣମାଧ୍ୟମ ଏବଂ ଜନସାଧାରଣ ସବୁବେଳେ ତାଙ୍କ ମନ୍ତବ୍ୟକୁ ଅପେକ୍ଷା କରୁଥିଲେ।

ଏକ ରାଜନୈତିକ ସଭାରେ ଏନ୍‌ସିପି ଜାତୀୟ ମୁଖ୍ୟ ଶରଦ ପାୱାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସହ ଅରୁଣ

ଲୋକଙ୍କ ସେବା ପାଇଁ ବିବାହ କରିନଥିଲେ
ଲୋକଙ୍କ ସେବା ପାଇଁ ସେ ବିବାହକୁ ଗୁରୁତ୍ବ ଦେଇନଥିଲେ। ସବୁବେଳେ ସମାଜସେବା‌ରେ ସମୟ ବିତାଉଥିଲେ। ପତ୍ନୀ ଓ ପରିବାରକୁ ସମୟ ନଦେଲେ ବୈବାହିକ ଜୀବନରେ ବିଶୃଙ୍ଖଳା ସୃଷ୍ଟି ହେବ ଭାବି ସେ ବିବାହ କରିନଥିଲେ।

ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା
ବାଲେଶ୍ବର ଜିଲ୍ଲାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାରେ ତାଙ୍କର ବହୁ ଅବଦାନ ରହିଥିଲା। ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସେ ସବୁବେଳେ ତତ୍ପର ଥିଲେ। ଏଥିପାଇଁ ଜିଲ୍ଲାରେ ଛୋଟବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଉପରେ ସେ ଦାବି କରିଆସୁଥିଲେ। ଦରକାର ପଡ଼ିଲେ ଆନ୍ଦୋଳନରେ ବସି ଯାଉଥିଲେ।

ଅଗାଧ ଜ୍ଞାନର ଅଧିକାରୀ ଥିଲେ
ପଢ଼ିବା ତାଙ୍କର ନିଶା ଥିଲା। ପ୍ରତିଦିନ ସକାଳେ ୫/୬ଟି ଓଡ଼ିଆ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଖବରକାଗଜ ପଢୁଥିଲେ। ବହି ଥିଲା ତାଙ୍କର ସାଥୀ। ସାହିତ୍ୟ, ଇଂରାଜୀ, ବଙ୍ଗଳାରେ ତାଙ୍କର ଅଗାଧ ଜ୍ଞାନ ରହିଥିଲା। ନିଜ ଜ୍ଞାନ, ଅକାଟ୍ୟ ଯୁକ୍ତି ଆଗରେ ସମସ୍ତେ ତାଙ୍କ ପାଖ‌େର ମଥାନତ କରୁଥିଲେ।

ସମ୍ବନ୍ଧିତ ଖବର