ଶିଶୁମାନଙ୍କର ସୁସ୍ଥ ଜୀବନ ପାଇଁ ନିଦ୍ରା ଭିତ୍ତିପ୍ରସ୍ତର କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଶିଶୁଟିଏ ବଢ଼ିବା ସହିତ ତାହାର ଶରୀର ଓ ମସ୍ତିଷ୍କରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ ଏବଂ ଏହି ପ୍ରକ୍ରିୟା ସୁସଂଗଠିତ ହେବାରେ ନିଦ୍ରାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଭୀର ନିଦ୍ରା ବେଳେ ହିଁ ଶରୀରରେ ୭୫ ପ୍ରତିଶତ ବୃଦ୍ଧିକାରକ ହରମୋନ୍ କ୍ଷରଣ ହୋଇଥାଏ, ଯାହା ମାଂସପେଶୀ ବୃଦ୍ଧି, ବିଭିନ୍ନ ତନ୍ତୁ ମରାମତି ଓ ସମଗ୍ର ଶରୀରର ବିକାଶ ପାଇଁ ଅତ୍ୟାବଶ୍ୟକ। ଏହି ହରମୋନ୍ ରୋଗପ୍ରତିରୋଧ ପ୍ରକ୍ରିୟାକୁ ସୁଦୃଢ଼ କରି ଶିଶୁକୁ ବିଭିନ୍ନ ରୋଗ କବଳରୁ ମୁକୁଳାଇଥାଏ। ଅପରପକ୍ଷେ, ଆବଶ୍ୟକ ନିଦ୍ରାର ଅଭାବ ରହିଲେ, ଶାରୀରିକ ଅଭିବୃଦ୍ଧି ଧିମେଇଯିବା ସହ ଶିଶୁ ରୋଗରେ ପଡ଼ିବାର ଆଶଙ୍କା ବଢ଼ିଯାଏ।
ଏକ ଅନୁଧ୍ୟାନ ଅନୁଯାୟୀ, ଆବଶ୍ୟକ ସମୟ ନିଦ୍ରା ଯାଉନଥିବା ଶିଶୁମାନଙ୍କ ଠାରେ ମେଦବହୁଳତା ଦେଖାଦେବାର ଆଶଙ୍କା ଅଧିକ। ସେହିପରି ଶିଶୁର ଜ୍ଞାନାତ୍ମକ ବିକାଶ ପାଇଁ ମଧ୍ୟ ନିଦ ନିହାତି ଜରୁରି। ନିଦ୍ରା ଶିଶୁର ଜ୍ଞାନ ଆହରଣ ଓ ଶୈକ୍ଷିକ ପ୍ରଦର୍ଶନ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅନୁଧ୍ୟାନ ଅନୁଯାୟୀ, ପର୍ଯ୍ୟାପ୍ତ ସମୟ ଶୋଉଥିବା ଶିଶୁମାନଙ୍କର ଶୈକ୍ଷିକ ପ୍ରଦର୍ଶନ ୨୦ ପ୍ରତିଶତ ଅଧିକ ରହିଥାଏ। ଏଥି ସହିତ ନିଦ ଏକାଗ୍ରତା, ସମସ୍ୟା ସମାଧାନ ଓ ସୃଜନଶୀଳତା ଆଦି ବଢ଼ାଇଥାଏ। ସେହିପରି ଖୁବ୍ କମ୍ ଶୋଉଥିବା ଶିଶୁଙ୍କଠାରେ ଉତ୍କଣ୍ଠା ଓ ଅବସାଦ ଆଦି ନକାରାତ୍ମକ କ୍ରିୟା ଦେଖାଦେଇଥାଏ। ତେଣୁ ଶିଶୁଟିଏ ଯେପରି ଅନ୍ୟୂନ ୯ ଘଣ୍ଟା ଶୋଇବ, ସେଥିପ୍ରତି ଅଭିଭାବକମାନେ ଯତ୍ନଶୀଳ ହେବା ଦରକାର।