ସଙ୍ଗିନୀ ତଲାସରେ ବେଙ୍ଗ!

ବୋଲିଭିୟା : ବୋଲିଭିୟା ଅନ୍ତର୍ଗତ ‘କୋଚାବାମ୍ବା ନାଚୁରାଲ୍‌ ହିଷ୍ଟ୍ରି ମିଉଜିଅମ୍‌’ରେ ଅଛି ରୋମିଓ ନାମକ ଅଣ୍ଡିରା ବେଙ୍ଗ। ‘ସିହେ୍ଵନ୍‌କାସ୍‌’ ପ୍ରଜାତିର ପାଣି ବେଙ୍ଗ ରୋମିଓର ବୟସ ଦଶ ବର୍ଷ ଏବଂ ସେ ଏକଲା। ଏହି ପ୍ରଜାତିର ମାଈ ବେଙ୍ଗ ମିଳୁନାହାନ୍ତି। ଏହି ବେଙ୍ଗ ସର୍ବାଧିକ ପନ୍ଦର ବର୍ଷ ବଞ୍ଚିପାରନ୍ତି। ଅର୍ଥାତ୍‌, ଆଉ କିଛି କାଳ ମଧ୍ୟରେ ସଙ୍ଗିନୀ ନ ମିଳିଲେ, ରୋମିଓ ସହ ତା’ର ପ୍ରଜାତି ଧରା-ପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ। ରୋମିଓ ପାଇଁ ବୋଲିଭିୟାର ନଦୀ-ନାଳରେ ସଙ୍ଗିନୀ ଖୋଜା ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବା ସ୍ୱାଭାବିକ। ହେଲେ, ବେଙ୍ଗ ପାଇଁ କିଏ ପଇସା ଦେବ! ତେଣୁ, କ୍ରାଉଡ୍‌ ଫଣ୍ଡିଂ ଚାଲିଛି। ଅଦ୍ୟାବଧି ପନ୍ଦର ହଜାର ଡଲାର୍‌ ମିଳିଲାଣି। ସଙ୍ଗିନୀ ପାଇଁ ରୋମିଓର ଆବେଦନ-ପ୍ରାର୍ଥନାର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଭିଡିଓ ଇଣ୍ଟର୍‌ନେଟ୍‌ରେ ଲୋକଙ୍କୁ ଆକର୍ଷିତ କରୁଛି। ସ୍ୱତଃସ୍ଫୂର୍ତ୍ତ ଭାବେ ଅନେକ ଅର୍ଥ ଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ଲୋନ୍‌ସମ୍‌ ଜଜ୍‌ର୍ ନାମକ ଗାଲାପେଗୋସ୍‌ କଚ୍ଛପର ମୃତ୍ୟୁ ସହ, ତା’ର ପ୍ରଜାତିର ଅନ୍ତ ଘଟିଥିଲା।

ସମ୍ବନ୍ଧିତ ଖବର