ସମଗ୍ର ଭାରତବର୍ଷରେ ପ୍ରାୟ ପନ୍ଦର ହଜାରରୁ ଅଧିକ ହ୍ରଦ, ଜଳାଶୟ, ସରସୀ, ପୁଷ୍କରିଣୀ, ସରୋବର, କୁଣ୍ଡ ଆଦି ନାମରେ ନାମିତ ଜଳଭଣ୍ଡାରମାନ ରହିଛି। ସେ ମଧ୍ୟରୁ କେତେକ ସୁରସାଗର ପରି ଅତ୍ୟନ୍ତ କ୍ଷୁଦ୍ର ଅଥଚ ନିଜର ଧର୍ମୀୟ ତଥା ସାଂସ୍କୃତିକ ସ୍ମୃତିଚିହ୍ନ ନିମିତ୍ତ ପ୍ରସିଦ୍ଧ। କେତେକ ପୁଣି ଉଲାଲ୍ ହ୍ରଦ ପରି ନିଜର ବିଶାଳତା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ନିମିତ୍ତ ମାନ୍ୟତା ପ୍ରାପ୍ତ। ଏ ମଧ୍ୟରୁ କେତେକ ପ୍ରାକୃତିକ ପବିତ୍ର ସରୋବରର ଆଖ୍ୟା ପାଇଥିଲା ବେଳେ ଆଉ କେତେକ ସମୟ ସମୟାନ୍ତରରେ ରାଜା, ମହାରାଜା ଓ ପ୍ରଶାସକମାନଙ୍କ ଦ୍ବାରା ପାନୀୟଜଳ ଯୋଗାଣ, ସେଚନ ପ୍ରକ୍ରିୟା, ବିଦ୍ୟୁତ୍ ଉତ୍ପାଦନ ଇତ୍ୟାଦି ନିମିତ୍ତ ଖନନ କରାଯାଇଛି।
ପ୍ରାକୃତିକ ସରୋବର ମଧ୍ୟରୁ ଅନେକ ଭାରତର ସଭ୍ୟତା, ସଂସ୍କୃତି ଓ ଧର୍ମଧାରାର ଅଙ୍ଗ ହୋଇ ତୀର୍ଥର ମର୍ଯ୍ୟାଦା ଲାଭ କରିଛି, ଏବଂ ଆଉ କେତେକ ନିଜ ନିଜର ଆଧିଭୌତିକ ସୌନ୍ଦର୍ଯ୍ୟ ଓ ରହସ୍ୟମୟତା ନିମିତ୍ତ ଲୋକଲୋଚନରେ ବିସ୍ମୟ ସୃଷ୍ଟି କରି ଖ୍ୟାତି ଅର୍ଜନ କରିଛି। ଏହି ହ୍ରଦ, ସର, ସରୋବର, ପୁଷ୍କରିଣୀ ଆଦି ନିମିତ୍ତ ଭାରତର କେତେକ ସହର ମାନ୍ୟତା ପାଇଛି। ଯେପରି ଉଦୟପୁର, ଭୋପାଲ, ଶିଲଂ, କୋଡ଼ାଇ କେନାଲ, ଥାନେ ଓ ଶ୍ରୀନଗର ଇତ୍ୟାଦି। ଉଭୟ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସେଠାକୁ ଯାଇ ନିଜ ନିଜର ଅଭିଳାଷ ପୂରଣ କରିଥାନ୍ତି। କିନ୍ତୁ ତ୍ରିଶୂଳ ପର୍ବତର ପାଦଦେଶରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୯,୫୦୦ ଫୁଟ ଉଚ୍ଚରେ ବରଫ ଆଚ୍ଛାଦିତ ଏପରି ଏକ ସରୋବର ରହିଛି, ଯାହା ଯେପରି ଆଶ୍ଚର୍ଯ୍ୟଜନକ ସେପରି ରହସ୍ୟମୟ। ନିଜର ବିଭୀଷିକାମୟ ଅବସ୍ଥିତି ପାଇଁ ଏହା ପରିଚିତ।
ଉତ୍ତରାଖଣ୍ଡ ପ୍ରଦେଶର ଚାମୋଲି ଜିଲ୍ଲାରେ ଏହି ସରୋବରଟି ଅବସ୍ଥିତ। ତାହାର ନାମ ରୂପକୁଣ୍ଡ ସରୋବର, କିନ୍ତୁ ଏହା ଲେକ୍ ଅଫ୍ ସ୍କେଲିଟନ୍ ନାମରେ ସଂପ୍ରତି ପ୍ରସିଦ୍ଧ। ଏହାର ଏପରି ନାମକରଣର କାରଣ ହେଉଛି, ସାଧାରଣତଃ ଏହି ସରୋବରରେ ବିଭିନ୍ନ ଜଳଜନ୍ତୁମାନେ ଦେଖାଯିବା ପରିବର୍ତ୍ତେ କୁଢ଼ କୁଢ଼ ନରକଙ୍କାଳ ଦୃଷ୍ଟିଗୋଚର ହୁଏ। ଜୁନ୍, ଜୁଲାଇ ମାସରେ ଯେତେବେଳେ ବରଫ ତରଳି ଯାଏ ଏହି କଙ୍କାଳ ସବୁ ଦୃଷ୍ଟିଗୋଚର ହୋଇଥାନ୍ତି। ଏହି ପୁରାଣ ପ୍ରସିଦ୍ଧ ସରୋବର ସଂପର୍କରେ ଏକ କିଂବଦନ୍ତି ପ୍ରଚଳିତ। ଅଞ୍ଚଳବାସୀମାନେ କହିଥାନ୍ତି, ଏକଦା କନୌଜର ରାଜା ଯଶଧାବଲ ତାଙ୍କର ଗର୍ଭବତୀ ପତ୍ନୀ, ରାଣୀ ବାଲମା, ସେବକ ସେବିକା ତଥା ନୃତ୍ୟ ସଂଗୀତ ପ୍ରଦର୍ଶନକାରୀ ଦଳ ଧରି ରୂପକୁଣ୍ଡ ସାଗର ଦେଇ ନନ୍ଦାଦେବୀ ଯାତ୍ରା କରୁଥିଲେ। ସେହି ସମୟରେ ଏକ ଭୟଙ୍କର ବରଫ ଝଡ଼ ହେବାରୁ ରାଜାରାଣୀଙ୍କ ସହିତ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଲେ। ସେମାନଙ୍କର କଙ୍କାଳ ରୂପକୁଣ୍ଡ ସରୋବରରେ ଜମା ହୋଇ ରହିଛି। ଏହାକୁ ମାନବବିଜ୍ଞାନୀମାନେ ମଧ୍ୟ ସ୍ବୀକାର କରିଥାନ୍ତି। ସେମାନେ ଅନୁସନ୍ଧାନ କରି ମତବ୍ୟକ୍ତ କରିଛନ୍ତି ଯେ କୌଣସି ଏକ ଭାରୀ ବସ୍ତୁ ମୁଣ୍ଡ ଉପରେ ପଡ଼ିବାରୁ ଏହି ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି କଙ୍କାଳଗୁଡ଼ିକ ପ୍ରାୟ ଦ୍ବାଦଶରୁ ପଞ୍ଚଦଶ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ହୋଇଥାଇ ପାରେ। ୧୯୪୨ ମସିହାରେ ଜଣେ ବନ ସଂରକ୍ଷକ ଏହାକୁ ଆବିଷ୍କାର କରିଥିଲେ। ପବିତ୍ର ତ୍ରିଶୂଳ ପର୍ବତ ଯାହା ଶିବଙ୍କ ପ୍ରଧାନ ଆୟୁଧ ଅନୁସାରେ ନାମିତ, ତାହା ପାଦଦେଶରେ ଥିବାରୁ ଏହାକୁ ଏକଦା ଏକ ପବିତ୍ର ସରୋବରର ମର୍ଯ୍ୟାଦା ଦିଆଯାଉଥିଲା। କିନ୍ତୁ ସଂପ୍ରତି ଏହାର ବିଭୀଷିକାମୟ ଅବସ୍ଥିତି ପାଇଁ ଏହା ତୀର୍ଥସ୍ଥଳର ମାନ୍ୟତା ହରାଇଛି; ମାତ୍ର ମାନବ ତତ୍ତ୍ବର ଗବେଷକମାନଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଫଳରେ ଏହି ସରୋବରର ସୁରକ୍ଷାପାଇଁ ଉତ୍ତରାଖଣ୍ଡ ସରକାର ବିଶେଷ ଧ୍ୟାନ ଦେଉଛନ୍ତି।