ବନବାସ କାଳରେ ଶ୍ରୀରାମ ଆସିଥିଲେ ଓଡ଼ିଶା? ପ୍ରାଚୀନ ପୂଜାପୀଠରେ କରିଥିଲେ ପୂଜାର୍ଚ୍ଚନା? ଶ୍ରୀକ୍ଷେତ୍ରରେ ମହୋଦଧି ସ୍ନାନ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ କରିଥିଲେ ଦର୍ଶନ? ଏସବୁ ପ୍ରଶ୍ନର ଉତ୍ତର ରହିଛି ବଳରାମ ଦାସଙ୍କ ରାମାୟଣରେ। ରାମ ଜନ୍ମଭୂମିରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଅବସରରେ ପ୍ରଭୁ ଶ୍ରୀରାମଙ୍କ ଓଡ଼ିଶା ଆଗମନ ନେଇ ବିଶେଷ ଆଲେଖ୍ୟ।
ଚଉଦ ବର୍ଷର ବନବାସ କାଳରେ ଉତ୍ତର ଭାରତର ଅଯୋଧ୍ୟାରୁ ଦକ୍ଷିଣ ଭାରତର ରାମେଶ୍ବରମ୍ ଓ ସେତୁସମୁଦ୍ର ପର୍ଯ୍ୟନ୍ତ କେଉଁ ପଥ ଦେଇ ଯାଇଥିଲେ ଶ୍ରୀରାମ? ସେହି ଯାତ୍ରାକାଳରେ ଓଡ଼ିଶାର କେଉଁ କେଉଁ ସ୍ଥାନ ଶ୍ରୀରାମଙ୍କ ପଦସ୍ପର୍ଶରେ ପବିତ୍ର ହୋଇଥିଲା? ସେ ବାବଦରେ ନିର୍ଦ୍ଦିଷ୍ଟ ତଥ୍ୟ ବାଲ୍ମୀକି ରାମାୟଣରେ ନ ଥିବାବେଳେ ଓଡ଼ିଶାର ଯାତ୍ରାପଥ ବାବଦରେ ବଳରାମ ଦାସଙ୍କ ରାମାୟଣରେ ରହିଛି ବିସ୍ତୃତ ବିବରଣୀ। ‘ରାମାୟଣ’ ଆମ ଦେଶର ଆଦିକାବ୍ୟ। ବାଲ୍ମୀକି ଆଦିକବି। କଥାରେ କୁହାଯାଏ, ଯଦି ବାଲ୍ମୀକି ନ ଥାନ୍ତେ ବା ସେ ‘ରାମାୟଣ’ ରଚନା କରି ନ ଥାନ୍ତେ, ତେବେ ହୁଏତ ଶ୍ରୀରାମ ଆମ ପାଖରେ ଆଜିପରି ପ୍ରତିଭାତ ହେଉ ନ ଥାନ୍ତେ। ଶ୍ରୀରାମଙ୍କ କଥା ଓ ଗାଥାକୁ ବାଲ୍ମୀକିଙ୍କ ‘ରାମାୟଣ’ ହିଁ ଆମ ପାଖରେ ବଳିଷ୍ଠ ଭାବରେ ଉପସ୍ଥାପିତ କରିଛି। ବାଲ୍ମୀକି ଶ୍ରୀରାମଙ୍କର ଯେଉଁ ଚିତ୍ର ଓ ଚରିତ୍ର ଆମ ଆଗରେ ଆଙ୍କିଛନ୍ତି, ତାହା ଆଜି ଆମ ଆଗରେ ଉଜ୍ଜ୍ବଳରୁ ଉଜ୍ଜ୍ବଳତର ହୋଇ ପ୍ରତିଭାତ ହେଉଛି। ତାହାର ଆଧାର ଓ ଅବଲମ୍ବନରେ ତୁଳସୀ ଦାସ ଓ ବଳରାମ ଦାସଙ୍କ ଠାରୁ ଆରମ୍ଭ କରି ଭାରତରେ, ଭାରତ ବାହାରେ ଓ ଓଡ଼ିଶାରେ କେତେ ଯେ ରାମାୟଣ ରଚିତ ହୋଇଛି, ତାହାର କଳନା ନାହିଁ।
ଆମର ଆଦିକବି କିନ୍ତୁ ବଳରାମ ଦାସ ନୁହନ୍ତି। ଆମର ଆଦିକବି ସାରଳା ଦାସ। ବ୍ୟାସଦେବଙ୍କ ‘ମହାଭାରତ’କୁ ସେ ଅନେକାଂଶରେ ଭିନ୍ନ ଭାବରେ ଆମ ଆଗରେ ଉପସ୍ଥାପିତ କରିଛନ୍ତି। ‘ମହାଭାରତ’ର ଚରିତ୍ରମାନଙ୍କୁ ଓଡ଼ିଶା ଆଣିଛନ୍ତି। ଓଡ଼ିଆ ଭାବରେ ରୂପାୟିତ କରିଛନ୍ତି। ସେ ବଳରାମ ଦାସଙ୍କ ପୂର୍ବସୂରୀ। ତେଣୁ ବଳରାମ ଦାସ ତାଙ୍କ ‘ରାମାୟଣ’ରେ ତାହାହିଁ କରିଛନ୍ତି। ବାଲ୍ମୀକିଙ୍କ ‘ରାମାୟଣ’କୁ କେତେକାଂଶରେ ଭିନ୍ନ ଭାବରେ ଆମ ଆଗରେ ଉପସ୍ଥାପିତ କରିଛନ୍ତି। ତାଙ୍କ ଯୋଗୁଁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ପଦସ୍ପର୍ଶରେ ଓଡ଼ିଶାର ମାଟି ପବିତ୍ର ହୋଇଛି।
ଅଯୋଧ୍ୟାର ଭୌଗୋଳିକ ଅବସ୍ଥିତି ଉତ୍ତର ଭାରତ। ଶ୍ରୀରାମ ଚଉଦବର୍ଷର ବନବାସ କାଳରେ ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ଉତ୍ତରଭାରତରୁ ଯାଇଥିଲେ ଦକ୍ଷିଣଭାରତ। ତାଙ୍କର ଯାତ୍ରାପଥ ତେଣୁ ପୂର୍ବଭାରତର ଓଡ଼ିଶା ଛୁଇଁବା ଅବଧାରିତ ଥିଲା। ଅନ୍ୟାନ୍ୟ ରାମାୟଣରେ ସେ ନେଇ ବିଶଦ ବର୍ଣ୍ଣନା ମିଳେ ନାହିଁ। କିନ୍ତୁ ଜଣେ ଉତ୍କଳୀୟ କବି ଭାବରେ, ବଳରାମ ଦାସ ତାହାର ବିଶଦ ବର୍ଣ୍ଣନା କରିଛନ୍ତି। ତାହା ଫଳରେ ସାରଳା ଦାସଙ୍କ ‘ମହାଭାରତ’ରେ ଓଡ଼ିଶା ଯେପରି ପ୍ରାଧାନ୍ୟ ପାଇଥିଲା, ବଳରାମ ଦାସଙ୍କ ‘ରାମାୟଣ’ରେ ମଧ୍ୟ ଓଡ଼ିଶା ସେପରି ପ୍ରାଧାନ୍ୟ ପାଇଛି। ବଳରାମ ଦାସ ଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ତାଙ୍କ ପିତା ସୋମନାଥ ମହାପାତ୍ର ମଧ୍ୟ ଥିଲେ ଶ୍ରୀମନ୍ଦିରର ସେବକ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତ। ତେଣୁ, ସେ ଶ୍ରୀରାମ ଚରିତକୁ ସ୍ମରଣ କରି ତାଙ୍କ ‘ରାମାୟଣ’ର କଥା କହିଛନ୍ତି। ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଓଡ଼ିଶା ଆଣି ଶ୍ରୀମନ୍ଦିରର ତ୍ରିମୂର୍ତ୍ତି- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ଏକାତ୍ମ କରିଛନ୍ତି। ଏହା ହିଁ ଆମ ପାଇଁ ବଳରାମ ଦାସଙ୍କ ‘ରାମାୟଣ’ର ପ୍ରମୁଖ ବିଶେଷତ୍ବ।
ଚଉଦବର୍ଷର ବନବାସ କାଳରେ ବଳରାମ ଦାସଙ୍କ ‘ରାମାୟଣ’ରେ ଶ୍ରୀରାମ, ତାଙ୍କର ଅନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ଯାତ୍ରାପଥ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ତାହାର ଚିତ୍ର ଦେଇ ସେ କହିଛନ୍ତି-
“ଆଗେଣ ଶ୍ରୀରାମ ପଛେଣ ଲକ୍ଷ୍ମଣ। ମଧ୍ୟରେ ସୀତ୍ୟା ଯେ
ଗମନ୍ତି ତିନିଜଣ।”
ତାଙ୍କ ଅନୁସାରେ ଆଜିର ଉତ୍ତରପ୍ରଦେଶ ଅନ୍ତର୍ଗତ ଅଯୋଧ୍ୟାରୁ ବାହାରି, ରାମ-ଲକ୍ଷ୍ମଣ-ସୀତା ଯାଇଛନ୍ତି ଆଜିର ମଧ୍ୟପ୍ରଦେଶର ସତ୍ନା ଜିଲ୍ଲା ଅନ୍ତର୍ଗତ ଚିତ୍ରକୂଟ। ତାହା ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲାର ସୀମା। ତାହା ସେହି ସ୍ଥାନ, ଯେଉଁଠି ଶ୍ରୀରାମ ଓ ଭରତଙ୍କର ମିଳନ ଘଟିଥିଲା। ରାମଙ୍କୁ ଅଯୋଧ୍ୟା ଫେରାଇ ନେବାରେ ବିଫଳ ହୋଇ, ସେହିଠାରୁ ଭରତ ତାଙ୍କର ପାଦୁକା ନେଇ ଫେରିଥିଲେ ଏବଂ ଅଯୋଧ୍ୟା ପରିବର୍ତ୍ତେ ଉତ୍ତରପ୍ରଦେଶର ନନ୍ଦିଗ୍ରାମରୁ ହିଁ ରାଜ୍ୟର ଶାସନ କରିଥିଲେ। ତାହାପରେ ସେମାନେ ଯମୁନାତଟ ଓ ପ୍ରୟାଗ ଯାଇଥିଲେ। ସେଠାରୁ କାଶୀ ଯାଇ ଗଙ୍ଗା ସ୍ନାନ କରି ମଣିକର୍ଣ୍ଣିକା ଘାଟରେ ତର୍ପଣ କରିବା ସହିତ ବିଶ୍ବନାଥଙ୍କର ଦର୍ଶନ କରିଥିଲେ। ତାହାପରେ ପହଞ୍ଚିଥିଲେ ନର୍ମଦା ତଟରେ ଏବଂ ସେଠାରୁ ଆସିଥିଲେ ଗୟା। ସେଠାର ଫଲଗୁ ନଦୀରେ ପିତୃପୁରୁଷଙ୍କୁ ବାଲୁକାପିଣ୍ଡ ଦାନ କରିଥିଲେ ଏବଂ ତାହାପରେ ଚିତ୍ରୋତ୍ପଳା (ମହାନଦୀ) ପାରିହୋଇ ଆସିଥିଲେ ବିରଜାକ୍ଷେତ୍ର। ସେଠାରୁ ସେମାନେ ଗଲେ ଭାସ୍କର ତୀର୍ଥ ଚନ୍ଦ୍ରଭାଗା ଏବଂ ଚନ୍ଦ୍ରଭାଗାରେ ସ୍ନାନ କରି, ଦକ୍ଷିଣମୁଖ ହୋଇ ଯାଇଥିଲେ ଚନ୍ଦ୍ରଭାଗାର ସାଗର ସଙ୍ଗମ ସ୍ଥାନକୁ। ସେଠାରେ ଅବସ୍ଥିତା ‘କୋଣାଖୀ ଚଣ୍ଡୀ’ଙ୍କୁ ପୂଜା କଲେ ଏବଂ ଶ୍ରୀରାମ ତାହାଙ୍କୁ ଉତ୍ତରମୁଖୀ କରି ଅଧିଷ୍ଠିତା କରି ତାହାଙ୍କର ନାମ ଦେଲେ ‘ରାମଚଣ୍ଡୀ’। ତାହାପରେ ରାମ-ଲକ୍ଷ୍ମଣ-ସୀତା ସେଠାରୁ ଉତ୍ତରମୁଖ ହୋଇ ଗଲେ ପୁଣ୍ୟତୋୟା ପ୍ରାଚୀନଦୀ ତଟକୁ ଏବଂ ସେଠାରେ ସ୍ନାନ କଲେ। ସେମାନେ ସ୍ନାନ କରିଥିବା ଘାଟର ନାମ ହେଲା ରାମଘାଟ। ସେଠାରେ ସେ ଏକ ଶିବଲିଙ୍ଗ ସ୍ଥାପନ କରିବାପାଇଁ ଚାହିଁଥିଲେ ଏବଂ ସେଥିନିମନ୍ତେ ଆଉ କିଛି ନ ପାଇ ଲକ୍ଷ୍ମଣ ତାଙ୍କୁ ବେଲଟିଏ ଆଣି ଦେଇଥିଲେ। ଶ୍ରୀରାମ ତାହାକୁ ଲିଙ୍ଗରୂପେ ସ୍ଥାପନ କରିଥିଲେ। ସେ ସ୍ଥାପନ କରିଥିବା ସେହି ଶିବଲିଙ୍ଗ ‘ରାମେଶ୍ବର’ ନାମରେ ପୂଜିତ ହେଉଛନ୍ତି। ତାହା ନୂଆହାଟର ପାଣିଛତ୍ର ନିକଟବର୍ତ୍ତୀ। ସେଠାର ଦେବୀ ମଧ୍ୟ ସେହି ସମୟରୁ ‘ଲକ୍ଷ୍ମଣଚଣ୍ଡୀ’ ନାମରେ ପରିଚିତ ହେଲେ ବୋଲି ତାଙ୍କ ‘ରାମାୟଣ’ରେ ଉଲ୍ଲେଖ ଅଛି।
/sambad/media/post_attachments/wp-content/uploads/2024/01/gjgdjjgjggjjjg.jpg)
ତାହା ପରେ ତିନିହେଁ ଆସିଥିଲେ ଦକ୍ଷିଣ ବାରାଣସୀ ବା ଏକାମ୍ର କ୍ଷେତ୍ରକୁ। ସେଠାରେ ଅହୋରାତ୍ର ରହି, ପ୍ରତ୍ୟୁଷରେ ବିନ୍ଦୁ ସରୋବର (ବିନ୍ଦୁସାଗର)ରେ ସ୍ନାନ କଲେ ଏବଂ ଗୋଟିଏ ମଠ ସ୍ଥାପନ କରି ଏକମାସ ଅବସ୍ଥାନ କଲେ। ତାହାର ନାଆଁ ଦେଇଥିଲେ ‘ସୀତାମଠ’। ଶ୍ରୀଲିଙ୍ଗରାଜଙ୍କର ସେବକ ତଥା ‘ଶ୍ରୀଲିଙ୍ଗରାଜ’ ପୁସ୍ତକର ଲେଖକ, ଭାଗୀରଥି ମହାସୁଆର, ସଂପ୍ରତି ବିନ୍ଦୁସାଗରର ବିଶ୍ରାମଘାଟଠାରେ ସେହି ମଠକୁ ଆବିଷ୍କାର କରିଛନ୍ତି। ତାହା ସେଠାର ନୀଳକଣ୍ଠ ମନ୍ଦିର ନିକଟରେ ଅବସ୍ଥିତ ଏବଂ ଏବେ ଜରାଜୀର୍ଣ୍ଣ।
ଏହି ବିନ୍ଦୁସାଗର ତଟବର୍ତ୍ତୀ ସୀତାମଠ ଠାରୁ ହିଁ ରାମ-ଲକ୍ଷ୍ମଣ-ସୀତା ନୀଳଗିରି ବା ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ। ନୀଳଗିରି ବା ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚି ସେମାନେ ଦକ୍ଷିଣ ମହୋଦଧିରେ ସ୍ନାନ କଲେ ଏବଂ ତାହାପରେ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ। ତାହାର ସୁନ୍ଦର ବର୍ଣ୍ଣନା କରି ସେ କହିଛନ୍ତି-
“ନୀଳଗରି ସୁନ୍ଦର ଅନନ୍ତ ମୂରତି। ତ୍ରିବିଧ ସ୍ବରୂପ ଯେ
ଦେଖିଲେ ସୀତାପତି।।”
କିନ୍ତୁ ଏହାପରେ ହିଁ ରହିଛି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା। ତାହା ହେଉଛି- ମହୋଦଧିରେ ସ୍ନାନ ସାରି, ନୀଳଗିରି ଯାଇ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଶ୍ରୀରାମ ଉଭା ହେଲେ। ଲକ୍ଷ୍ମଣ ଉଭାହେଲେ ଶ୍ରୀବଳଭଦ୍ରଙ୍କ ଛାମୁରେ। ସୀତା ଓ ସୁଭଦ୍ରା ମଧ୍ୟ ପରସ୍ପର ସହ ମୁହାଁମୁହିଁ ହେଲେ।
ତାହା ପରର ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା ହେଉଛି-
“ଶ୍ରୀରାମ ବିଚାରନ୍ତି
ମୁଇଂ ସେ ଜଗନ୍ନାଥ।
ସୀତା ସୁଭଦ୍ରା ଯେ ଅଟଇ ଯଥାର୍ଥ।।
ଲକ୍ଷ୍ମଣ ବଳଭଦ୍ର ୟେକଇ
ଦେହ ହୋନ୍ତି।
ଏସନ ବିଚାରି ତହୁଂ ଚଳିଯାନ୍ତି।”
ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଏଇଥିପାଇଁ, ଯେ ତ୍ରେତୟାରେ ଶ୍ରୀରାମ ବଡ଼ଭାଇ ହେଲେ ମଧ୍ୟ, ଏଠାରେ ଶ୍ରୀଜଗନ୍ନାଥଙ୍କ ସହ ଏକାତ୍ମ ହୋଇ ସେ ହୋଇଛନ୍ତି ସାନଭାଇ ଏବଂ ଲକ୍ଷ୍ମଣ ସାନଭାଇ ହେଲେ ମଧ୍ୟ ଏଠାରେ ଶ୍ରୀବଳଭଦ୍ରଙ୍କ ସହ ଏକାତ୍ମ ହୋଇ ସେ ହୋଇଛନ୍ତି ବଡ଼ଭାଇ। ସେହିପରି, ଶ୍ରୀରାମପତ୍ନୀ ସୀତା ଭଉଣୀ ସୁଭଦ୍ରାଙ୍କ ସହ ଏକାତ୍ମ ହୋଇଛନ୍ତି। ଉଲ୍ଲେଖନୀୟ ବିଷୟ ଏହି, ଯେ ଏହି ଅଦଳବଦଳ ତତ୍ତ୍ବ ଶ୍ରୀଜଗନ୍ନାଥଙ୍କ ପୌଷ ପୂର୍ଣ୍ଣିମାର ପୁଷ୍ୟାଭିଷେକ ବେଶରେ ଏବଂ ଶ୍ରୀମନ୍ଦିରର ସ୍ବତନ୍ତ୍ର ରଘୁନାଥ ବେଶରେ ପ୍ରତିଫଳିତ ହୋଇଥାଏ।
ଏହାପରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଦକ୍ଷିଣମୁଖ ହୋଇ ଯାଇଛନ୍ତି ଋଷିକୋଇଲା (ଋଷିକୁଲ୍ୟା) ନଦୀତଟକୁ ଏବଂ ତାହାପରେ ଦଣ୍ଡକାରଣ୍ୟ ହୋଇ ପଞ୍ଚବଟୀରେ ଯାଇ ନିବାସ କରିଛନ୍ତି। ବଳରାମ ଦାସଙ୍କ ବର୍ଣ୍ଣନା ଅନୁସାରେ, ତାହା ଥିଲା ତାଙ୍କର ୧୪ବର୍ଷ ବନବାସର ଦଶମ ବର୍ଷ। ‘ରାମାୟଣ’ର କାହାଣୀ ଅନୁସାରେ, ତାହାପରେ ହୋଇଛି ସୀତା ହରଣ ଏବଂ ରାମ ଓ ଲକ୍ଷ୍ମଣ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀ ତଟ ହୋଇ ଯାଇଛନ୍ତି ରାମେଶ୍ବର ଏବଂ ସେତୁ ସମୁଦ୍ରଠାରେ ଭାରତବର୍ଷର ସୀମା ଅତିକ୍ରମ କରି ସେତୁବନ୍ଧ ବାନ୍ଧି ସୀତାଙ୍କର ଉଦ୍ଧାର ପାଇଁ ଯାଇଛନ୍ତି ଲଙ୍କା। ରାମ-ରାବଣ ଯୁଦ୍ଧ ଓ ରାବଣର ମରଣ ପରେ, ପୁଷ୍ପକ ବିମାନରେ ସେଠାରୁ ରାମ-ଲକ୍ଷ୍ମଣ-ସୀତା ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ଶ୍ରୀରାମଙ୍କର ରାଜ୍ୟାଭିଷେକ ହୋଇଛି। ସେହି ପ୍ରତ୍ୟାବର୍ତ୍ତନର
ଦୃଶ୍ୟ ଆଙ୍କି ବଳରାମ ଦାସ ‘ରାମାୟଣ’ରେ ଲେଖିଛନ୍ତି-
“ଅନ୍ତରୀକ୍ଷ ମାର୍ଗେ
ଶ୍ରୀରାମ ବିଜେ କରି।
ନନ୍ଦିେଘାଷ ରଥେ ଯେହ୍ନେ
ବିଜୟେ ନୀଳଗିରି ହରି।।
ସଙ୍ଗେଣ ସୀତା କି ସେ
ସୁଭଦ୍ରା ପ୍ରତକ୍ଷ। ଲକ୍ଷ୍ମଣ ଦିଶୁଛନ୍ତି ବଳଭଦ୍ର ସଦୃଶ୍ୟ।।”
ଏଣୁ ବଳରାମ ଦାସଙ୍କ ‘ରାମାୟଣ’ ଅନୁସାରେ, ଏହିପରି ଭାବରେ ଓଡ଼ିଶାର ଅନେକ ପଥ ଶ୍ରୀରାମଙ୍କ ପଦସ୍ପର୍ଶରେ ହୋଇଛି ପବିତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gdjgdjdgj.jpg)