ଆଜି ବ୍ୟାଘ୍ର ଦିବସ: ସଙ୍କଟରେ ମହାବଳ, ଶିମିଳିପାଳ ଏକମାତ୍ର ଭରସା

ଚିତାବାଘ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି, ୭ ମାସରେ ଜବତ ହେଲାଣି ୧୮ ବାଘଛାଲ

ଭୁବନେଶ୍ବର : ୨୦୦୪ରେ ଓଡ଼ିଶାରେ ୧୯୨ଟି ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର) ଥିଲେ। ୨୦୦୬ରେ ଏହି ସଂଖ୍ୟା ୪୫କୁ ଖସି ଆସିଲା। ମାତ୍ର ଦୁଇ ବର୍ଷ ମଧ୍ୟରେ ୧୪୭ଟି ମହାବଳ ବାଘ କୁଆଡେ ‌ଗଲେ, ତାହାକୁ ନେଇ କିଛି ଦିନ ଧରି ରାଜ୍ୟ ସରକାର ତନାଘନା କଲେ। ହେଲେ କିଛି ସୁରାକ ପାଇଲେ ନାହିଁ। ୨୦୧୦ ଗଣନା ବେଳକୁ ସଂଖ୍ୟା ୩୨କୁ ଖସିଲା। ୨୦୧୪ରେ ୨୮ରେ ପହଞ୍ଚିବାରୁ ରାଜ୍ୟ ସରକାର ନିଜ ଆଡ଼ୁ ଗଣନା କରି ଦର୍ଶାଇଲେ ଯେ ଓଡ଼ିଶାରେ ୫୮ଟି ମହାବଳ ରହିଛନ୍ତି। ୨୦୧୮ ଗଣନା ରିପୋର୍ଟରେ ମହାବଳଙ୍କ ସ୍ଥିତି ୨୮ ଅପରିବର୍ତ୍ତିତ ରହିଥିଲେ ମଧ୍ୟ ରାଜ୍ୟ ସରକାର ଆଉ ପ୍ରଶ୍ନ ଉଠାଇଲେ ନାହିଁ କି ସ୍ବତନ୍ତ୍ର ଗଣନା କଲେନି। ବରଂ ମାନିଗଲେ କେନ୍ଦ୍ରର ରିପୋର୍ଟ ଠିକ୍‌।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; ୨୦୧୮ ଗଣନାରେ ବ୍ୟବହୃତ କ୍ୟାମେରା ଟ୍ରାପ୍‌ରେ ଶିମିଳିପାଳରେ ୮ଟି ମହାବଳ ଓ ସାତକୋଶିଆରେ ମାତ୍ର ଗୋଟିଏ କ୍ୟାମେରାରେ ଦେଖା ଦେଇଥିଲା। ଶିମିଳିପାଳରେ ୧୨ଟି ମହାବଳ ଚଳପ୍ରଚଳ କରୁଥିବା କୁହାଯାଇଥିଲା। ବାକି ଜଙ୍ଗଲରେ କ୍ୟାମେରା ଲଗାଯାଇଥିଲେ ମଧ୍ୟ ମହାବଳଙ୍କ ଉପସ୍ଥିତି କ୍ୟାମେରାକୁ ଆସି ନ ଥିଲା। ତା’ପରେ ବି ବାଘ ଗଣନା ରିପୋର୍ଟ‌ରେ ଓଡ଼ିଶାରେ ୨୮ଟି ମହାବଳ ଦର୍ଶା‌ଯାଇଥିଲା। ଇତିମଧ୍ୟରେ ୩ ବର୍ଷ ବିତିଗଲାଣି। ଆସନ୍ତା ୪ରୁ ୫ ମାସ ମଧ୍ୟରେ ପୁଣିଥରେ ବାଘ ଗଣନା କରାଯାଇ ୨୦୨୨ରେ ରିପୋର୍ଟ ପ୍ରକାଶ କରାଯିବ। ରାଜ୍ୟରେ ବାଘ ବଂଶ ବଢ଼ିଛନ୍ତି କି ନାହିଁ ତାହା ପଦାକୁ ଆସିବ। ତେବେ ଗତ ୪ରୁ ୫ ବର୍ଷ ହେଲା ଓଡ଼ିଶାରେ ଯେଉଁଭଳି ବାଘ ଛାଲ ଜବତ ହେଉଛି ସେଥିରୁ ଅନୁମାନ କରାଯାଇପାରେ ଓଡ଼ିଶାରେ ବାଘଙ୍କ ସ୍ଥିତି କିଭଳି ଥିବ। ୨୦୧୨ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ୭ଟି ମହାବଳଙ୍କର ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନ୍‌ଟିସିଏ) କହିଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୪ଟି ଓ ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି। ବାକି ଦୁଇଟି ଅନ୍ୟାନ୍ୟ ଜଙ୍ଗଲରେ ହୋଇଥିବା ଦର୍ଶାଯାଇଛି।

simlipaltours.com

ଏନ୍‌ଟିସିଏ ତଥ୍ୟ ଅନୁଯାୟୀ ୨୦୨୧ ବର୍ଷ ମହାବଳଙ୍କ ପାଇଁ ଅସୁରକ୍ଷିତ ହେବାକୁ ଯାଉଛି। କାରଣ ଗତ ୭ ମାସରେ ସୁଦ୍ଧା ୮୪ଟି ମହାବଳଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍‌ ପ୍ରତି ମାସରେ ଦେଶରେ ୧୨ଟି ଲେଖାଏଁ ବାଘଙ୍କର ମୃତ୍ୟୁ ହେଇଛି। ମଧ୍ୟପ୍ରଦେଶରେ ୨୬ଟି ବାଘଙ୍କର ମୃତ୍ୟୁ ହୋଇଥିବା ଏନ୍‌ଟିସିଏ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ତେବେ ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟ୍‌ ଅଫ୍‌ ଇଣ୍ଡିଆର ତଥ୍ୟ ହେଉଛି ଯେ ଏବେ ସୁଦ୍ଧା ୧୦୫ଟି ମହାବଳ ମରିଛନ୍ତି। ସେଥିରେ ୨୮ଟି ମହାବଳକୁ ଶିକାର ‌କରାଯାଇଛି।

ଓଡ଼ିଶାରୁ ମହାବଳଙ୍କ ସଂଖ୍ୟା କମୁଥିବାରୁ ଶିକାରୀଙ୍କ ‌ଲୋଲୁପଦୃଷ୍ଟି ଏବେ କଲରାପତିରିଆ ବା ଚିତାବାଘ(ଲିଓପାର୍ଡ)ଙ୍କ ଉପରେ ପଡ଼ିଛି। ୨୦୨୦ରେ ଦେଶରେ ୬୫୩ଟି ଚିତାବାଘଙ୍ର ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ୩୫୫ଟିର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ମୃତ୍ୟୁ ହୋଇଥିବା ବେଳେ ୧୧୯ଟି ବାଘ ଛାଲ ଦେଶର ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି। ଓଡ଼ିଶାରେ ୭ ମାସ ମଧ୍ୟରେ ପାଖାପାଖି ୧୮ଟି ବାଘ ଛାଲ ଜବତ ହୋଇଛି। ଅର୍ଥାତ୍‌ ପ୍ରତି ମାସରେ ଦୁଇରୁ ୩ଟି ଚିତା ବାଘ ଶିକାରୀଙ୍କ ପଞ୍ଝାରେ ପଡ଼ୁଛନ୍ତି।

Tierpark Berlin

ଜଙ୍ଗଲ ବିଭାଗ ତଥ୍ୟ କହୁଛି ୨୦୦୪ରେ ଓଡ଼ିଶା ଜଙ୍ଗଲରେ ୪୮୭ଟି ଚିତାବାଘ ଥିଲେ। ୨୦୧୬ ବେଳକୁ ତାହା ୩୧୮କୁ ଖସି ଆସିଥିଲା। ୨୦୧୮ରେ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଚିତାବାଘଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା। ରିପୋର୍ଟର ସତ୍ୟତାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ସେତେବେଳେ ପ୍ରଶ୍ନ ଉଠାଇଥିବା ବେଳେ ରାଜ୍ୟ ସରକାର ଚୁପ୍‌ ରହିଥିଲେ। ୨୦୧୨ରୁ ୨୦୨୦ ମଧ୍ୟରେ ରାଜ୍ୟରୁ ପ୍ରାୟ ୨୫୦ଟି ବାଘ ଛାଲ ଜବତ ଘଟଣା ବନ ବିଭାଗ ଚିନ୍ତା ବଢ଼ାଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତିଙ୍କ କହିବା କଥା ହେଉଛି ଓଡ଼ିଶାରେ ଶହେ ବାଘ ରହିପାରିବେ। ତେବେ ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ମହାବଳ ବଂଶ ଲୋପ ପାଇବାକୁ ଯାଉଛି। ଯଦି ଏଭଳି ଚ‌ାଲେ ଆସନ୍ତା ୮ରୁ ୧୦ ବର୍ଷ ମଧ୍ୟରେ ମହାବଳ ବଂଶ ସମ୍ପୂର୍ଣ୍ଣ ଭା‌ବେ ଲୋପ ପାଇଯିବ। ଚିଡ଼ିଆଖାନା ଓ ବହି ଭିତରେ କେବଳ ପିଲାମା‌ନେ ପଢ଼ିବେ। ବାଘଙ୍କ ବାସସ୍ଥଳୀ ଶିମିଳିପାଳ ଏବେ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଫେଲ୍‌ ମାରିଲା। ଆଉ ହେବ କି ନାହିଁ ସନ୍ଦେହ। ଯଦି ବାଘ ବଂଶ ବୃଦ୍ଧି କରିବାର ଅଛି ତେବେ ପ୍ରଜନନ କ୍ଷମତା ବଢ଼ିବାକୁ ହେବ। ଏଥିପାଇଁ ମାଷ୍ଟର ପ୍ଲାନ୍‌ର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର