୫୦ କୋଟିର ଗାଡ଼ି ଟିକସ, ଜରିମାନା ଆଦାୟ ହୋଇନି

ଭୁବନେଶ୍ବର : ମୋଟର ଯାନ ଅଧିନିୟମରେ ଗାଡ଼ିଗୁଡ଼ିକରୁ ଟିକସ ଓ ଜରିମାନା ଆଦାୟ ଠିକ୍ ଭାବେ ହେଉନଥିବା ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି। ପଞ୍ଜୀକୃତ ହୋଇଥିବା ୧୪,୦୩୯ଟି ମାଲବାହୀ ଯାନ ଓ ଯାତ୍ରୀବାହୀ ବସ୍ ମାଲିକମାନଙ୍କ ଠାରୁ ୧୩.୨୯ କୋଟି ଟଙ୍କାର କର ଓ ଅତିରିକ୍ତ କର ଏବଂ ୨୬.୫୮ କୋଟି ଟଙ୍କାର ଜରିମାନା ଅନାଦେୟ ରହିଛି। ଟ୍ରେଲର ସଲଗ୍ନ ଟ୍ରାକ୍ଟର ଓ ଘରୋଇ ସେବା ପ୍ରଦାନ କରୁଥିବା ଗାଡ଼ି ମାଲିକମାନଙ୍କ ଠାରୁ କର ବାବଦରେ ୧.୮୪ କୋଟି ଟଙ୍କା ଏବଂ ଜରିମାନା ବାବଦକୁ ୩.୬୮ କୋଟି ଟଙ୍କା ଅନାଦେୟ ହୋଇଥିଲା। ୧୩୬ଟି ବସ୍‌ ମାଲିକଙ୍କଠାରୁ ୦.୦୮ କୋଟି ଟଙ୍କାର କର ଓ ଅତିରିକ୍ତ କର ଏବଂ ୦.୧୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇନାହିଁ।

୧୯ କୋଟିର ଭଡ଼ା, ସେସ୍ ଆଦାୟ କରିପାରିଲାନି
ଭୁବନେଶ୍ବର : ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ପ୍ରଦାନ କରାଯାଇଥିବା ଜମିର ସଦ୍ୟ ତଥ୍ୟାବଳୀ ପ୍ରସ୍ତୁତ କରାଯାଇନାହିଁ। ଏଥିପାଇଁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଜମିର ଭଡ଼ା ଏବଂ ସେସ୍‌ ବାବଦରେ ବାକି ପଡ଼ିଥିବା ୧୮.୫୨ କୋଟି ଟଙ୍କା ଆଦାୟ ହୋଇପାରିନାହିଁ। ୪୪,୯୩୨.୨୯ ଏକର ଘରୋଇ ଜମି ଘରୋଇ ଜମିର ସ୍ବତ୍ବ ଅଧିକାର ସଂଶୋଧନ କାର୍ଯ୍ୟ ମଧ୍ୟ ବିଫଳ ହୋଇଛି। ଏଥିପାଇଁ ରାଜ୍ୟ ରାଜ‌କୋଷକୁ ବାର୍ଷିକ ୩୩.୧୬ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି।

ଆଲୁମିନିୟମ, ପ୍ଲାଷ୍ଟିକ୍ ପାର୍କ କାମ ବିଳମ୍ବ
ଭୁବନେଶ୍ବର : ଜମି ହାସଲ ଓ ଆବଶ୍ୟକ ଭିତ୍ତିଭୂମି ଠିକ୍ ସମୟରେ ବିକଶିତ କରାଯାଇ ନପାରିବା କାରଣରୁ ରାଜ୍ୟର ଦୁଇଟି ପ୍ରମୁଖ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ, ଅନୁଗୁଳରେ ଆଲୁମିନିୟମ ପାର୍କ ସ୍ଥାପନ କରିବା ପାଇଁ ନାଲକୋ ସହିତ ଇଡକୋ ୨୦୧୦ରେ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। କିନ୍ତୁ ଏହି ପ୍ରକଳ୍ପକୁ ଏ ପର୍ଯ୍ୟନ୍ତ ବିକଶିତ କରାଯାଇପାରିନାହିଁ। ଏହି ପାର୍କରେ ନିଜର ୟୁନିଟ ସ୍ଥାପନ କରିବା ଲାଗି ଯେଉଁ ଭିତ୍ତିଭୂମି ଦରକାର ତାହାର ବ୍ୟବସ୍ଥା ମଧ୍ୟ ହୋଇପାରି ନାହିଁ। ସେହିପରି ଜମି ପାଇବାରେ ସମସ୍ୟା ଓ ଜମିରେ ଆବଶ୍ୟକ ଭିତ୍ତିଭୂମିରେ ବ୍ୟବସ୍ଥା କରିବାରେ ବିଫଳତା କାରଣରୁ ଦୀର୍ଘ ୭ ବର୍ଷ ଧରି ପାରାଦୀପ ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ସିଏଜି କହିଛନ୍ତି।

୬୫ କୋଟି ଟଙ୍କାର ଅଯଥା ବ୍ୟୟ
ଭୁବନେଶ୍ବର : ହଦଗଡ଼ ଅଭୟାରଣ୍ୟ ନିକଟସ୍ଥ ଜମି ଖଣି କାର୍ଯ୍ୟ ପାଇଁ ଅନୁ‌ପଯୋଗୀ ବୋଲି ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଜାଣିବା ସତ୍ତ୍ବେ ଜମିକୁ ବିଳମ୍ବରେ ଫେରସ୍ତ କରିବା ଯୋଗୁ ଏନ୍‌ପିଭି ଓ ଅଚଳ ଭଡ଼ା ବାବଦରେ ୬୫.୨୧ କୋଟି ଟଙ୍କାରେ ଅଯଥାରେ ବ୍ୟୟ ହୋଇଥିଲା। ସେହିପରି ଖଣିଜ ଖଣ୍ଡ ବିକ୍ରିରେ ୭.୫୬ କୋଟି ଟଙ୍କାର କ୍ଷତି ହେବା ସତ୍ତ୍ବେ ତାହା ଠିକାଦାରଙ୍କଠାରୁ ଆଦାୟ କରାଯାଇ ନାହିଁ। ଓଡ଼ିଶା କୃଷି ପ୍ରୋତ୍ସାହନ ଓ ନିବେଶ ନିଗମ ଲିମିଟେଡ ବଳକା ପାଣ୍ଠିକୁ ଫ୍ଲେକ୍ସି ଜମାକୁ ସ୍ଥାନାନ୍ତର ନକରିବା ଯୋଗୁ ସୁଧ ଆକାରରେ ୫.୫୮ କୋଟି ଟଙ୍କାର କ୍ଷତି ହୋଇଛି। ଇଡକଲ ଫେରୋକ୍ରୋମ ଓ ଆଲଏଜ୍ ଲିମିଟେଡ ଦ୍ବାରା କମ୍ ମୂଲ୍ୟରେ କ୍ରୋମ୍ ପଥର ବିକ୍ରି କରାଯିବାରୁ ୯୯ ଲକ୍ଷ ଟଙ୍କାର କ୍ଷତି ହୋଇଛି।

ସମ୍ବନ୍ଧିତ ଖବର