ଶିଳ୍ପ ସଂସ୍ଥାଙ୍କ ଠାରୁ ୬୯ କୋଟି କମ୍ ଆଦାୟ

ଲ୍ୟାଣ୍ଡ ବ୍ୟାଙ୍କ ସ୍ଥାପନ ଲକ୍ଷ୍ୟଚ୍ୟୁତ

ଭୁବନେଶ୍ବର : ଶିଳ୍ପ ସଂସ୍ଥାକୁ ଏକାଧିକ ସ୍ଥାନରେ ଜମି ଆବଣ୍ଟନରେ ଅନିୟମିତତା ଓ ନିୟମ ବହିର୍ଭୁତ କାର୍ଯ୍ୟ ଦେଖିବାକୁ ମିଳିଛି। ଶିଳ୍ପ ବିଭାଗର ଆବଶ୍ୟକ ବିଜ୍ଞପ୍ତି ବିନା ଖୋଲାଦ୍ବାର ଏବଂ ସାମୁଦ୍ରିକ ଫୁଡ୍‌ ପାର୍କ, ଡେରାସ୍‌ ଠାରେ ୧୮ଟି ପ୍ରତିଷ୍ଠାନକୁ ୬୨.୧୬ ଏକର ଜମି ଆବଣ୍ଟନ କରାଯାଇଛି। ଏ ବାବଦରେ ସରକାରଙ୍କୁ ଜମି ମୂଲ୍ୟ ବାବଦରେ ୧୦.୯୬ କୋଟି ଟଙ୍କାର କମ୍ ରାଜସ୍ବ ମିଳିଛି। ଏଥିସହିତ ଶିଳ୍ପ ନୀତିର ନେଗେଟିଭ ତାଲିକାରେ ଆସୁଥିବା ବର୍ଗରେ ୧୪ଟି ଶିଳ୍ପ ପ୍ରତିଷ୍ଠାନକୁ ୨୬.୮୭ ଏକର ଜମି ଆବଣ୍ଟନ କରାଯାଇଛି। ଏଥିପାଇଁ ସଂପୃକ୍ତ ଉପନିବନ୍ଧକମାନଙ୍କ ଠାରୁ ଜମିର ବେଞ୍ଚମାର୍କ ଭାଲ୍ୟୁକୁ ମଧ୍ୟ ସଂଗ୍ରହ କରାଯାଇ ନାହିଁ। ତେଣୁ ଏ ବାବଦରେ ୧୩.୩୪ କୋଟି ଟଙ୍କାର ରାଜସ୍ବ ସ୍ବଳ୍ପ ଆଦାୟ ହୋଇଛି। ସେହିଭଳି ଲିଜ୍ ୪୩.୫୦ ଏକର ଜମି ସହିତ ଜଡ଼ିତ କାର୍ଯ୍ୟକଳାପରେ ପରିବର୍ତ୍ତନ ଓ ଲିଜ୍ ସଂପତ୍ତିର ସ୍ଥାନାନ୍ତରରେ ପ୍ରଚଳିତ ଦର ବଦଳରେ ସାଧାରଣ ସ୍ଥାନାନ୍ତର ଦର ଆଦାୟ କରାଯାଇଥିବାରୁ ୨୭.୨୦ କୋଟି ଟଙ୍କାର ସ୍ବଳ୍ପ ଆଦାୟ ହୋଇଛି। ଜମି ନିୟନ୍ତ୍ରଣ ୨୦୧୬ ବିଜ୍ଞପ୍ତିରେ ଧାର୍ଯ୍ୟ ଦରକୁ ବିଚାରକୁ ନନେଇ ୧୦ଟି ଶିକ୍ଷାନୁଷ୍ଠାନକୁ ବିଜ୍ଞପ୍ତି ଜାରି ପୂର୍ବରୁ ଏବଂ ପରେ ଯଥାକ୍ରମେ ୧୦୬.୧୩ ଏକର ଏବଂ ୬୫.୨୧ ଏକର ଜମି ଆବଣ୍ଟନ କରିଛି। ଏଥିପାଇଁ ୧୮.୨୯ କୋଟି ଟଙ୍କାର ସ୍ବଳ୍ପ ରାଜସ୍ବ ଆଦାୟ ହୋଇଛି। ତେଣୁ ଏସବୁ ବାବଦରେ ରାଜକୋଷକୁ ପାଖାପାଖି ୬୯ କୋଟି ଟଙ୍କା କମ୍ ରାଜସ୍ବ ମିଳିଛି।

ଲ୍ୟାଣ୍ଡ ବ୍ୟାଙ୍କ ସ୍ଥାପନ ଲକ୍ଷ୍ୟଚ୍ୟୁତ
ଭୁବନେଶ୍ବର : ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ୧ ଲକ୍ଷ ଏକରର ଲ୍ୟାଣ୍ଡ୍ ବ୍ୟାଙ୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ। କ ବର୍ଗରେ ୧୫ ହଜାର ‌ଏକର ଏବଂ ଖ ବର୍ଗରେ ୮୫ ହଜାର ଏକର ଜମି ଅଧିଗ୍ରହଣ ଲକ୍ଷ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ରହିଥିଲା। କିନ୍ତୁ ‌ସେହି ଲକ୍ଷ୍ୟ ହାସଲ ହୋଇନାହିଁ। ୨୦୧୯ ମାର୍ଚ୍ଚ ସୁଦ୍ଧା ଇଡ୍‌କୋ ମୋଟ ୬୨,୭୨୫.୦୫ ଏକରର ଜମି ବ୍ୟାଙ୍କ ସ୍ଥାପନ କରିଛି। ଏହା ମୋଟ ଲକ୍ଷ୍ୟର ୬୨.୭୩ ପ୍ରତିଶତ ବୋଲି ଦର୍ଶାଯାଇଛି। ଏଥିସହିତ ଜମିର ସ୍ଥିତି କିଭଳି ରହିଛି ତାହାର ସମୀକ୍ଷା ସିଏଜି ୬ଟି ଜିଲ୍ଲାରେ କରିଥିଲା। ସମୀକ୍ଷା ହୋଇଥିବା ୯୧୫୭.୫୦ ଏକର ମଧ୍ୟରୁ ୩୫୨୪.୬୫ ଏକର ବା ୩୮ ପ୍ରତିଶତ ଜମି ଜବରଦଖଲରେ, ମାଲି ମକଦ୍ଦମା ଆଦିରେ ଫସିଛି।

ସମ୍ବନ୍ଧିତ ଖବର