ଭଗବାନ ଶିବଙ୍କ ଝାଳରୁ ଜନ୍ମ ନେଇଥିଲା ରୁଦ୍ରାକ୍ଷ ବୃକ୍ଷ

ହିନ୍ଦୁମାନେ ରୁଦ୍ରାକ୍ଷକୁ ଏକ ପବିତ୍ର ପଦାର୍ଥ ମନେକରନ୍ତି। ଏହା ସୌଭାଗ୍ୟକୁ ପ୍ରଭାବିତ କରୁଥିବା ବିଶ୍ବାସ କରାଯାଏ। ଏହାକୁ ହିନ୍ଦୁମାନେ କହନ୍ତି ‘ଶିବ ବା ରୁଦ୍ରଙ୍କ ଚକ୍ଷୁ’। ଏହାର ଜନ୍ମ ବୃତ୍ତାନ୍ତ ମଧ୍ୟ ଶିବଙ୍କ ସହ ସ˚ପର୍କିତ। ଏହାର ଉତ୍ପତ୍ତିକୁ ନେଇ ଏକାଧିକ କିଂବଦନ୍ତି ରହିଛି। ପୁରାଣ କହେ, ଏକଦା ଶିବ କ୍ରମାଗତ ଭାବେ ହଜାର ହଜାର ବର୍ଷ ଧରି ଧ୍ୟାନ ନମଗ୍ନ ରହିଥିଲେ। ଦିନେ ଧ୍ୟାନଭଙ୍ଗ ହେବା ପରେ, ତାଙ୍କ ଆଖି ଯେଉଁ ଆଡ଼େ ଗଲା, ସେ ଦେଖିଲେ ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରେ ଘାଣ୍ଟିହେଉଥିବା ମଣିଷଙ୍କୁ। ସେ ଭାବପ୍ରବଣ ହେଇଉଠିଲେ। ତାଙ୍କ ଆଖିରୁ କେତେ ଟୋପା ଲୁହ ବାହାରି ତଳେ ପଡ଼ିବାରୁ, ଜନ୍ମ ହୋଇଥିଲା ରୁଦ୍ରାକ୍ଷ ବୃକ୍ଷ।

‘ପଦ୍ମ ପୁରାଣ’ ଅନୁଯାୟୀ, ତ୍ରିପୁରାସୁର ସହ ଯୁଦ୍ଧ ‌ବେଳେ ଶିବ କ୍ଳାନ୍ତ ହେଇପଡ଼ିବାରୁ, ତାଙ୍କ ଶରୀରରୁ ବୋହିଯାଇଥିଲା କେତେ ବୁନ୍ଦା ସ୍ବେଦ ଏବ˚ ସେଥିରୁ ଜନ୍ମ ନେଇଥିଲା ରୁଦ୍ରାକ୍ଷ ବୃକ୍ଷ। ଉଦ୍ଭିଦ ବିଜ୍ଞାନ ଅନୁଯାୟୀ, ଏହା ‘ଇଲାଇଓକାର୍ପସ୍‌’ ପ୍ରଜାତିର ଏକ ବୃକ୍ଷ। ଏହା ନେପାଲ, ଭାରତ, ଇଂଡୋନେସିଆ, ସଲୋମନ ଦ୍ବୀପ, ହାୱାଇ, ମାରିଆନ୍‌ ଦ୍ବୀପ, ଗୁଆମ୍‌, ରୋଟା ଏବ˚ ପାପୁଆ ନିଉ ଗିନିରେ ଦେଖାଯାଏ। ରୁଦ୍ରାକ୍ଷ ଏକ ଚିରହରିତ ବୃକ୍ଷ। ଏହାର କାଠ ଅତି ମୂଲ୍ୟବାନ। ଏହାର ଫୁଲର ରଙ୍ଗ ଧଳା। ଫଳର ବର୍ଣ୍ଣ ବିଭିନ୍ନ ସ୍ତରରେ ବଦଳି ଥାଏ। ଏହାର ଫଳ ପ୍ରଥମେ ସବୁଜ, ତାହା ପରେ ବାଇଗଣି ଏବ˚ ଶେଷରେ ନୀଳ ବର୍ଣ୍ଣ ଧାରଣ କରେ। ଏହି ଫଳ ଉଡ଼ନ୍ତା କୋକିଶିଆଳଙ୍କର ପ୍ରିୟ ଖାଦ୍ୟ। କୋକିଶିଆଳଙ୍କ ଯୋଗୁଁ ରୁଦ୍ରାକ୍ଷ ମଞ୍ଜି ଏଣେ-ତେଣେ ପଡ଼ି ଏହାର ବ˚ଶବୃଦ୍ଧି ହୁଏ। ରୁଦ୍ରାକ୍ଷ ମଞ୍ଜି ଦେଖିବାକୁ ମଣିଷର ମସ୍ତିଷ୍କ ପରି। ଏହାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହା ଦୁର୍ମୂଲ୍ୟ। ଏହା ବିଭିନ୍ନ ପ୍ରକାରର ହୃଦ୍‌ରୋଗ, ମାନସିକ ବ୍ୟାଧି ଓ ଅବସାଦ, ମସ୍ତିଷ୍କ ବିକାର ଆଦି ବିରୋଧରେ କାମ ଦିଏ। ଏହା ମଣିଷଠାରେ ଏକାଗ୍ରତା ଆଣୁଥିବାରୁ ଧ୍ୟାନ ବେଳେ ଅନେକ ରୁଦ୍ରାକ୍ଷ ମାଳ ବ୍ୟବହାର କରନ୍ତି।

ସମ୍ବନ୍ଧିତ ଖବର