ହାଣ୍ଡିଶାଳରୁ ଫେସନ ସୋ, ଗାଉଁଲି ମହିଳାଙ୍କୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ପରିଚୟ

ଜୟପୁର: ଖଚାଖଚ ଡିଜାଇନରଙ୍କ ଭିଡ ମଧ୍ୟରେ ରା଼ମ୍ପରେ ଚାଲିଚାଲି ଆସିଥିଲେ କିଛି ମହିଳା | ଫେସନ ସୋରେ ଏଭଳି ଦୃଶ୍ୟ ଦେଖି କିଛି ସମୟ ପାଇଁ ଚକିତ ହୋଇପଡିଥିଲେ ଉପସ୍ଥିତ ଅନ୍ତର୍ଜାତୀୟ ତଥା ଜାତୀୟ ଫେସନ ଡିଜାଇନର | କାରଣ ପାରମ୍ପରିକ ରାଜସ୍ଥାନୀ ବେଶ ପୋଷାକରେ ନଜର ଆସିଥିଲେ ଗ୍ରାମ୍ୟ ମହିଳା | ଆଖିକୁ ଝଲସେଇଦେଉଥିବା ଡିଜାଇନ ସହ ରାଜସ୍ଥାନର ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା | ଏସବୁ ପଛରେ ଥିଲା ଜଣେ ଉଦ୍ୟୋଗୀ ମହିଳାଙ୍କ ହାତ | ସେ ହେଉଛନ୍ତି ରାଜସ୍ଥାନ ବାଡ଼ମେରର ରୁମା ଦେବୀ |

Photo-Betterindia

ଦିନେ ୧୦ ଜଣ ମହିଳାଙ୍କୁ ନେଇ ରୁମା ଆରମ୍ଭ କରିଥିଲେ ସଂଗଠନଟିଏ | ଗାଁର ମହିଳାମାନେ ଯେତେବେଳେ ସିଲେଇ କରି ସେମାନଙ୍କ ଉଚିତ ପ୍ରାପ୍ୟ ପାଇପାରୁନଥିଲେ ସେତେବେଳେ ରୁମା କିଭଳି ଏହି ମହିଳାମାନେ ପରିଶ୍ରମର ଅର୍ଥ ପାଇପାରିବେ ସେ ଚେଷ୍ଟା ଆରମ୍ଭ କରିଥିଲେ | ୨୦୦୯ ମସିହାରୁ ମହିଳା କାରିଗରଙ୍କ ସହାୟତା ନେଇ ଆରମ୍ଭ କରିଥିଲେ ଶାଢ଼ୀ ଡିଜାଇନ | ରାଜସ୍ଥାନୀ ଡିଜାଇନ ସହ ମିଶିଥିଲା ଗ୍ରାମ୍ୟ ଜୀବନର ସୃଜନଶୀଳତା | ପରେ କିଭଳି ଏହି ଡିଜାଇନକୁ ଲୋକଙ୍କ ପାଖରେ ପହଞ୍ଚାଇହେବ ସେହି ଚେଷ୍ଟାରେ ରୁମା ଆୟୋଜନ କରାଇଥିଲେ ଫେସନ ସୋ |

ରୁମାଙ୍କ ଏଭଳି ପ୍ରୟାସ ପାଇଁ ୨୦୧୮ ମସିହାରେ ନାରୀଶକ୍ତି ସମ୍ମାନରେ ରାଷ୍ଟ୍ରପତି ତାଙ୍କୁ ପୁରସ୍କୃତ କରିଥିଲେ |

ଯେଉଁ ମହିଳାମାନେ ଦିନେ ହାଣ୍ଡିଶାଳରେ ଦିନ କାଟୁଥିଲେ ସେମାନେ ତାଙ୍କ ଡିଜାଇନର ଶାଢ଼ୀ ପିନ୍ଧି ରା଼ମ୍ପରେ ଚାଲିଥିଲେ | ଯାହାକୁ ପସନ୍ଦ କରିଥିଲେ ଫେସନ ଡିଜାଇନର | ଏହାପରେ ଫେବ ଇଣ୍ଡିଆ ଓ ରିଲାଏନ୍ସ ଭଳି ଘରୋଇ ବ୍ରାଣ୍ଡ ସହ କାମ କରିବା ରୁମା ଆରମ୍ଭ କରିଥିଲେ | ଆଜି ୨୨ ହଜାର ମହିଳା ତାଙ୍କ ସହ ଜଡିତ ହୋଇଥିବାବେଳେ ଜର୍ମାନୀ,ଲଣ୍ଡନ, ସିଙ୍ଗାପୁରରେ ଆୟୋଜିତ ଫେସନ ସୋରେ ଭାଗନେଇ ପ୍ରଶଂସା ସାଉଣ୍ଟୁଛନ୍ତି ଏହି ଗାଉଁଲି ମହିଳା | ମାସିକ ୭ ହଜାରରୁ ୮ ହଜାର ଟଙ୍କା ଆୟ କରି ନିଜ ପରିବାରରେ ହସର ଫୁଆରା ଫୁଟେଇପାରୁଛନ୍ତି ଏହି ମହିଳାମାନେ |

PHOTO-BETTERINDIA

ଆପଣ ଭାବୁଥିବେ ରୁମା ଜଣେ ଶିଳ୍ପପତିଙ୍କ ଝିଅ ହୋଇଥିବେ ଆଉ ଢେର ପାଠ ପଢ଼ିଥିବେ | କିନ୍ତୁ ଏକଥା ସମ୍ପୂର୍ଣ୍ଣ ଭୁଲ | ପିଲାବେଳୁ ମାଙ୍କୁ ହରାଇଥିବା ରୁମା ଅଷ୍ଟମ ଯାଏଁ ପାଠ ପଢିଥିଲେ ଏବଂ ୨୦୦୬ ମସିହାରେ ୧୭ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା | ଶ୍ୱଶୁର ଘରେ ସମସ୍ତେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ଅବସ୍ଥା ସୁଧୁରିପାରିନଥିଲା | କିନ୍ତୁ ଗାଁରେ ଡାକ୍ତରଖାନା ନଥିବାରୁ ନିଜର ପୁଅର ମୃତ୍ୟୁ ହୋଇଯାଇଥିଲା | ଯାହାକୁ ନେଇ ଭାଙ୍ଗିପଡିଥିଲେ ରୁମା | ଏହା ପରେ ଗାଁକୁ ପରିବର୍ତ୍ତନ କରିବାକୁ ସଂକଳ୍ପ ନେଇଥିଲେ | ଏବେ ରୁମା କେବଳ ଗାଁ ର ଅବସ୍ଥା ପରିବର୍ତ୍ତନ କରିପାରିନାହାଁନ୍ତି ବରଂ ଅନେକ ମହିଳାଙ୍କ ଜୀବନକୁ ପରିବର୍ତ୍ତନ କରିପାରିଛନ୍ତି |

 

ସମ୍ବନ୍ଧିତ ଖବର