ଟିକାକରଣକୁ ନେଇ ଗୁଜବ ଓ ଆଶଙ୍କା

ଦେଶରେ ସର୍ବାଧିକ ଟିକାକରଣ ହେଉଛି ମହାମାରୀରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ। ବର୍ତ୍ତମାନ, ଏହି ଟିକା ୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଉଛି। ତେବେ ଟିକାକୁ ନେଇ ଅନେକ ପ୍ରକାର ଗୁଜବ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଫ୍ରେଞ୍ଚ୍ ଭାଇରୋଲୋଜିଷ୍ଟ ତଥା ନୋବେଲ ପୁରସ୍କାର ବିଜେତା ଲୁକ୍‌ ମୋଣ୍ଟାଗ୍ନିୟର କହିଛନ୍ତି ଯେ କରୋନା ଭୂତାଣୁ ପାଇଁ ଟିକା ନେଇଥିବା ସମସ୍ତ ଲୋକ ଦୁଇବର୍ଷ ମଧ୍ୟରେ ମରିଯିବେ।

ଭିଡିଓଟିର ସତ୍ୟତା ଯାଞ୍ଚ କରାଯିବା ପରେ ତାହା ନକଲି ବୋଲି ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଟିକା ମୃତ୍ୟୁର କାରଣ ହୋଇପାରେ ନାହିଁ ଏବଂ ଏପରି କୌଣସି ଦାବି ମିଥ୍ୟା ଗୁଜବ ଛଡ଼ା ଆଉ କିଛି ନୁହେଁ। ବାସ୍ତବରେ ଟିକା ଶରୀରରେ ଆଣ୍ଟିବଡି ତିଆରି କରିଥାଏ, ଯାହା ସଂକ୍ରମଣକୁ ରୋକିଥାଏ। ଯଦି କେହି ଟିକା ନେଲା ପରେ ସଂକ୍ରମିତ ହୁଅନ୍ତି, ସେହି ଆଣ୍ଟିବଡି ରୋଗୀକୁ ସୁସ୍ଥ ହେବାକୁ ସାହାଯ୍ୟ କରିବ। ଦେଶରେ ପ୍ରାୟ ୭୩,୦୦୦ ଟିକାକରଣ କେନ୍ଦ୍ର ଅଛି ଯାହା ସ୍ଥାନୀୟ ପ୍ରଶାସନ ଦ୍ୱାରା ପରିଚାଳିତ ହେବା ସହ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହାର ତତ୍ତ୍ବାବଧାନ କରୁଛି। ଟିକା ନେଲା ପରେ କିଛି ଲୋକଙ୍କଠାରେ ଥଣ୍ଡାଜ୍ବର, ଶରୀରରେ ଯନ୍ତ୍ରଣା ଭଳି ପାର୍ଶ୍ୱପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। କିନ୍ତୁ ଏହି ପାର୍ଶ୍ୱପ୍ରତିକ୍ରିୟା ଅଧିକ ସମୟ ଧରି ରହେ ନାହିଁ। ଟିକାକରଣ କୌଣସି ଗମ୍ଭୀର ଜଟିଳତା ସୃଷ୍ଟି କରିପାରିବ ନାହିଁ। ଏହି ତଥ୍ୟକୁ ସମର୍ଥନ କରିବାକୁ କୌଣସି ପ୍ରମାଣ ନାହିଁ। ଏହା କେବଳ ଏକ ଗୁଜବ ଏବଂ ଏଥିପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। ଭାରତରେ ପିଲାମାନେ ଜନ୍ମଠାରୁ ୧୮ ବର୍ଷ ଭିତରେ ୧୫ଟି ପର୍ଯ୍ୟନ୍ତ ଟିକା ନେଇଥାନ୍ତି। ଏବେ ଦିଆଯାଉଥିବା କୋଭିଡ୍ ଟିକା ପ୍ରଥମ ଟିକା ନୁହେଁ। ତେଣୁ ଭୟ କରିବାର କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର