କବି ଜଣେ ଲେଖିଥିଲେ, ‘‘କୁଛ୍ ରିସ୍ତେ ଇନସାନ୍ ତୋଡତା ହୈ/ ଔର କୁଛ୍ ରିସ୍ତେ ଇନସାନ୍ କୋ ତୋଡ୍ କର୍ ରଖ୍ ଦେତେ ହୈ।’’ ଯେଉଁ କିଛି ସଂପର୍କକୁ ମଣିଷ ଅନାୟାସରେ ଭାଙ୍ଗିଦିଏ ତାହା ହେଉଛି ପରସ୍ପର ମଧ୍ୟରେ ଥିବା ଭ୍ରାତୃ ଭାବନା ଏବଂ ଯେଉଁ ସଂପର୍କର ଅଭାବରେ ମଣିଷ ନିଜେ ଭାଙ୍ଗିପଡ଼େ ତାହା ବି ସେଇ ପାରସ୍ପରିକ ସଦ୍‌ଭାବନା। ପ୍ରଥମଟି ଆମର ସହରୀ ଜୀବନରେ ଓ ଶେଷୋକ୍ତଟି ଗ୍ରାମ୍ୟ ଜୀବନରେ ଅନୁଭୂତ ହୁଏ। ସ୍ବର୍ଣ୍ଣିମ ମାନବ ସଭ୍ୟତା ପାଇଁ ସ୍ବର୍ଣ୍ଣିମ ଅବସର ହେଉଛି ପାରସ୍ପରିକ ସାମାଜିକ ବନ୍ଧନ ଓ କୁଟୁମ୍ବିତା। ସାମାଜିକ ଜୀବନରେ ଭ୍ରାତୃଭାବ ମାନବ ଜାତି ପାଇଁ ଏକ ସୁନ୍ଦରତମ ସଂପର୍କ ଓ ପାରସ୍ପରିକ ଆନନ୍ଦ ଓ ବିଷାଦର ଏକ ସହଭାଗୀ ବନ୍ଧନ। 

Advertisment

ସାଂପ୍ରତିକ ସମାଜରେ ଭ୍ରାତୃଭାବର ସଂକଟ କେତୋଟି ଶବ୍ଦ ମଧ୍ୟରେ ଆଉ ସୀମିତ ହୋଇ ରହି ନାହିଁ। ଗୋଷ୍ଠୀ ଚେତନାର ଅବକ୍ଷୟ ଘଟି ଚାଲିଛି। ଅର୍ଥନୈତିକ ସଂକଟ, ରାଜନୈତିକ ସଂକଟ ଓ ସାମାଜିକ ସଂକଟକୁ ଆମେ ସମାଧାନ କରି ଅଗ୍ରଗାମୀ ହେଉଥିଲେ ମଧ୍ୟ ଭ୍ରାତୃଭାବର ସଂକଟ ଏବେ ବିଶ୍ବକୁ ବିଭକ୍ତ କରିବାରେ ଲାଗିଲାଣି। ଘରଟି ଆମର ପ୍ରଥମେ ଥିଲା ଏକ କୁଟୁମ୍ବ। ସେଇ କୁଟୁମ୍ବର କାନିଟି ଆଗକୁ ବଢ଼ାଇ ଦେଇ ସାରା ଗାଁ ହୋଇଗଲା ଗୋଟିଏ କୁଟୁମ୍ବ। ତା’ ପରେ ସମଗ୍ର ରାଜ୍ୟ, ଦେଶ ଓ ପୃଥିବୀକୁ ଏକତ୍ର କରି ଆମେ ଗଢ଼ିଦେଲେ କୁଟମ୍ବଟିଏ। ଉପନିଷଦର ‘ବସୁଧୈବ କୁଟୁମ୍ବକମ୍‌’ ହେଲା ଏ ଦେଶର ମୂଳ ମନ୍ତ୍ର। ସମଗ୍ର ବସୁଧାକୁ ଗୋଟିଏ ପରିବାର ଓ ଜଣେ ଅନ୍ୟ ଜଣକୁ ନିଜର ପରିଜନ ଭାବିବାର ପରିକଳ୍ପନା ଏଇ ମାଟିରୁ ହିଁ ତ ଆରମ୍ଭ ହୋଇଥିଲା! କିନ୍ତୁ ସମୟ ହୁଏତ ଏ ଭାଇଚାରାର ଭାବନାକୁ ସହ୍ୟ କଲାନି। ପୃଥିବୀ ଖଣ୍ଡିତ ହେଲା, ଦେଶ ଖଣ୍ଡିତ ହେଲା, ରାଜ୍ୟ ଓ ସମାଜ ସହିତ ଶେଷରେ ପରିବାରଗୁଡ଼ିକ ମଧ୍ୟ ଖଣ୍ଡ ଖଣ୍ଡ ହୋଇଗଲା। ଭ୍ରାତୃତ୍ବର ପବିତ୍ର ଉପବିତଟି କାନ୍ଧରୁ ଓହ୍ଲାଇ ଆମେ ଫିଙ୍ଗିଦେଲେ। ବର୍ତ୍ତମାନର ଯୁଗ-ଖଣ୍ଡଟି ଦ୍ବାରା ଅନୁସୃତ ସଂସ୍କୃତି ମଧ୍ୟରେ ଆମେ ସାମନା କରୁଥିବା ଏ ସଂକଟ ହେଉଛି ଏଇ ଭାଙ୍ଗିଯିବାର ଫଳଶ୍ରୁତି। ଏ ଦେଶରେ ଏଭଳି ଏକ ଯୁଗ-ଆହ୍ବାନ ଆଗରୁ ଏତେ ଶକ୍ତ ରୂପରେ କେବେ ଦେଖାଯାଇ ନ ଥିଲା।

ଏ ସଂକଟର କାରଣ କ’ଣ? ବିଭିନ୍ନ ସଂପ୍ରଦାୟ ଓ ସମାଜ ମଧ୍ୟରେ ପରସ୍ପର ପ୍ରତି ସନ୍ଦେହ ଓ ଅବୁଝାମଣା, ଆର୍ଥିକ ଅସମାନତା, ପରସ୍ପର ପ୍ରତି ଈର୍ଷା ଓ ଅସୂୟା, ଧର୍ମ ଓ ଜାତିକୁ ନେଇ ହୀନମନ୍ୟତା ଓ ଅବିଶ୍ବାସ ଏବଂ ଭୋଟ ପାଇବାର ସଂକୀର୍ଣ୍ଣ ରାଜନୀତିର ପାଶରେ ପଡ଼ି ଜାଣିଶୁଣି ଆମେ ଆମର ସଂପର୍କ ଓ ଭାଇଚାରାକୁ ହରାଇ ବସିଲେ। କିନ୍ତୁ ଅତୀତର ଗ୍ରାମ୍ୟ ଜୀବନରେ ଏପରି ଭିନ୍ନତା ଥିଲା ଅପରିକଳ୍ପନୀୟ। ଏବେ ମଧ୍ୟ ଗାଁରେ ଭାଇଚାରାର ମହକ ଅନୁଭୂତ ହୁଏ। ସହରରେ ପୂଜା ପାର୍ବଣରେ ଭାଇଚାରାର ନିଦର୍ଶନ ଦେଖାଇବାର ବାଚନିକ ପ୍ରଚେଷ୍ଟା ହେଉଥିଲେ ମଧ୍ୟ ନାଟ୍ୟମଞ୍ଚର ଅଭିନୟରେ ତାହା ସୀମିତ ରହିଯିବା ପରି ଲାଗେ। ସହରୀ ଜୀବନରେ କାହାରି ସୁଖଦୁଃଖରେ ଅନ୍ୟ ଜଣେ ଭାଗୀଦାର ହୋଇ ପାରୁନି। ପାଖପଡ଼ିଶା ସହିତ ଆମର ପରିଚୟ ନାହିଁ କି ସଂପର୍କ ନାହିଁ। ପଡ଼ୋଶୀ କିଏ ଜଣେ ସ୍ବର୍ଗବାସୀ ହେଲେ ତାକୁ କାନ୍ଧ ଦେବା ତ ଦୂରର କଥା, ପାଖ ଘର ସେକଥା ଜାଣି ବି ପାରୁନି କି ଜାଣିବାର ଆବଶ୍ୟକତା ଅନୁଭବ କରୁନି। କିନ୍ତୁ ସେଇ କଥାଟି ଗାଁରେ ଘଟିଲେ ସାରା ଗାଁ ସ୍ତବ୍‌ଧ ହୋଇଯାଏ। ଚୂଲିକୁ ହାଣ୍ଡି ଯାଏନି କି ଶବ ନ ଉଠିବା ପର୍ଯ୍ୟନ୍ତ ମୁହଁକୁ ଭାତ ଯାଏନି। ସଂପର୍କର ଡୋରି ଗାଁ ସାରା ଲମ୍ବିଥାଏ ଅଜା, ଆଈ, ଦାଦା, ଖୁଡ଼ୀ, ମାମୁ, ମାଇଁ ଆଦି ସ୍ନେହର ସମ୍ବୋଧନକୁ ନେଇ।
ଗାଁର ଚିତ୍ର ଓ ଚରିତ୍ର ରାଜନୀତିର କାଳିମାରେ ଏବେ ଅବଶ୍ୟ କୁରୂପ ହୋଇଗଲାଣି, ତଥାପି କର୍ପୂର ନାହିଁ ସିନା, କନାର ପୁଟୁଳିରେ ଏବେ ବି ସୁଗନ୍ଧ ଭରି ରହିଛି। ଆମ ରାଜ୍ୟ ଏକ ବହୁ ରୂପଦର୍ଶୀ ବିବିଧତା, ପର୍ବପର୍ବାଣି, ପରଂପରା ଓ ତା’ ମଧ୍ୟରେ ଏକତା ଓ ଭାଇଚାରାକୁ ଧରି ରଖିଥିବା ଏକ ଅଞ୍ଚଳ। ଏ ରାଜ୍ୟର ପ୍ରତ୍ୟେକଟି ଦିନ ଏକ ଉତ୍ସବର ଦିନ। ସାଂସ୍କୃତିକ ବିବିଧତାରେ ପରିପୂର୍ଣ୍ଣ ସଦା ସ୍ପନ୍ଦନଶୀଳ ଏ ରାଜ୍ୟର ଧର୍ମ ଓ ସଂପ୍ରଦାୟମାନଙ୍କ ମଧ୍ୟରେ ଅନୁସୃତ ପର୍ବପର୍ବାଣି ସାମାଜିକ ବନ୍ଧନର ଏକ ସମୃଦ୍ଧ ଚିତ୍ର ପ୍ରଦାନ କରେ। ବାର ମାସରେ ପାଳିତ ତେର ଯାତ କେବଳ ଅନନ୍ୟ ଐତିହ୍ୟ ଓ ପରଂପରାକୁ ପ୍ରତିଫଳିତ କରନ୍ତି ତା’ ନୁହେଁ, ବିବିଧତା ମଧ୍ୟରେ ଏକତାର ଭାବନାକୁ ରେଖାଙ୍କିତ କରନ୍ତି, ଯାହା ଏ ରାଜ୍ୟର ଆତ୍ମାକୁ ପରିଭାଷିତ କରେ। ରୀତିନୀତି ଓ ବିଭିନ୍ନ ଧାର୍ମିକ ଉତ୍ସବର ଏକତ୍ର ପରିପାଳନ ଗାଁର ଅଧିବାସୀକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏଠାରେ ହନୁମାନ ଜୟନ୍ତୀରେ ପୁଲିସ ମୁତୟନ ହୁଅନ୍ତିନି କି ତାଜିଆ ଶୋଭାଯାତ୍ରାକୁ ଫୋର୍ସ ଜଗେନି। ଉଦାହରଣଟିଏ ଦେଉଛି। ଆଜି ଘରେ ଘରେ ପିଲାମାନଙ୍କର ମଙ୍ଗଳ ପାଇଁ ଯେଉଁ ସତ୍ୟନାରାୟଣ ପାଲା ଓ ପୂଜା ଅନୁଷ୍ଠିତ ହେଉଛି, ତା’ର ମୂଳ ଉତ୍ସଟି ରହିଛି ଖୋର୍ଦ୍ଧା ନିକଟସ୍ଥ କାଇପଦର ଗ୍ରାମର ପୀରବାବାଙ୍କ ପୀଠରେ। ଷୋଡ଼ଶ ଶତାବ୍ଦୀରୁ ବାବାଙ୍କ ପୀଠ ସ୍ଥଳୀରେ ରହି ଆସିଛି ହିନ୍ଦୁ, ମୁସଲମାନ ମଧ୍ୟରେ ସଦ୍‌ଭବନା। ଉଭୟ ସଂପ୍ରଦାୟର ଲୋକେ ବାବାଙ୍କୁ ଈଶ୍ବରଙ୍କ ପ୍ରତିନିଧି ମାନନ୍ତି। ମୁସଲମାନମାନଙ୍କର ସେ ହେଲେ ସତ୍ୟପୀର ଓ ହିନ୍ଦୁମାନଙ୍କ ପାଇଁ ସାକ୍ଷାତ୍ ନାରାୟଣ, ସତ୍ୟନାରାୟଣ। ଉଭୟ ଧର୍ମର ଲୋକେ ତାଙ୍କ ଦରଘାରେ ଏକତ୍ର ପୂଜାର୍ଚ୍ଚନା କରନ୍ତି। ହିନ୍ଦୁ ଭୋଗ ପ୍ରସ୍ତୁତ କରେ ଓ ମୁସଲମାନ ଖାଦିମ୍ ଭୋଗ ଲଗାଏ। ହିନ୍ଦୁ ଗୋଟିଏ ପଟେ ଉଚ୍ଚାରଣ କରେ ‘ହରିବୋଲ’, ଅନ୍ୟ ପଟରୁ ଶୁଭେ ‘ଆଲ୍ଲା-ହୁ-ଅକବର’। ମଜାରର ଗୋଟିଏ ପଟେ ବସି ହିନ୍ଦୁ ନାମସଂକୀର୍ତ୍ତନ କରେ, ଅନ୍ୟପଟେ ମୁସଲମାନ ପାଠ କରେ କୁରାନ୍। ରମଜାନ ମାସରେ ଉଭୟ ସଂପ୍ରଦାୟ ଏକତ୍ର ହୋଇ ପାଳନ କରନ୍ତି ବାବାଙ୍କ ଉର୍ସ ଉତ୍ସବ। ହଜାର ହଜାର ହିନ୍ଦୁ ମୁସଲମାନ ଏକତ୍ର ନଙ୍ଗରରେ ବସି ଭୋଜନ କରନ୍ତି। ଅବିଶ୍ବାସ୍ୟ ଲାଗିଲେ ମଧ୍ୟ ଓଡ଼ିଆ ଜାତିର ଭ୍ରାତୃଭାବର ଏହା ଏକ ପ୍ରକାଶମାନ ଉଦାହରଣ। ସେତେବେଳେ ସମାଜରେ ଧର୍ମଭେଦ ଥିଲା, କିନ୍ତୁ ଧର୍ମ ବିଦ୍ବେଷ ନ ଥିଲା। ଜାତିଭେଦ ଥିଲା, ଜାତିକୁ ଆଧାର କରି ସାମାଜିକ ବ୍ୟତିକ୍ରମ ନ ଥିଲା। ସମସ୍ତେ ନିଜ ନିଜର ଲକ୍ଷ୍ମଣରେଖାଟି ଚିହ୍ନିଥିଲେ। ଆଜି ରେଖା ପାର କରିବାକୁ ସମସ୍ତେ ବ୍ୟଗ୍ର। ସେତେବେଳେ ଗାଁରେ ପିଲାଟିଏ ଶଗଡ଼, ଲଙ୍ଗଳ ଖେଳନାରେ ଖେଳୁଥିଲା, ଏବେ ସହରୀ ପିଲା ବନ୍ଧୁକ, ଟ୍ୟାଙ୍କ ଓ ଚାକୁ-ଛୁରି ଖେଳନାରେ ଖେଳୁଛି। ସହରରେ ଏକଲା ରହୁଥିବା ଲୋକଟିଏ ଘର ଭିତରେ ମରିଶଢ଼ି ଯାଉଛି ପଛେ, ପଡ଼ୋଶୀ ଟିକିଏ ଅନେଇ ଦେଉନି। ଗାଁରେ ଏକଲା ଜୀବନର ଅସ୍ତିତ୍ବ ହିଁ ନାହିଁ। ସାହିଭାଇଙ୍କ ସହଯୋଗରେ ଜୀବନ ଖୁସି ଖୁସି ବିତିଯାଉଛି। ଗାଁରେ ଜୀବିକା ପାଇଁ ସଂଘର୍ଷ ଥିଲା, କିନ୍ତୁ ସେ ସଂଘର୍ଷରେ ଜ୍ବଳନ ନ ଥିଲା। ଦାରିଦ୍ର୍ୟ ଥିଲା, ତା’ ପାଇଁ ହତାଶାବୋଧ ନ ଥିଲା। ଜୀବନୋତ୍ତର ଛନ୍ଦପାତରେ ମେଣ୍ଟି ଯାଉଥିଲା ଦାରିଦ୍ର୍ୟର ଜ୍ବାଳା। ସେ ଛନ୍ଦାୟନ ହିଁ ତ ଥିଲା ଗ୍ରାମ୍ୟ ଜୀବନର କୁଟୁମ୍ବିତା!
ସହରରେ ରହି ଆମେ କହୁଛୁ ଭାରତର ଆତ୍ମା ଗାଁରେ ଅଛି। ଆମେ ସହରୀବାବୁ ଗାଁକୁ ସେତିକି ଦେଖିଛୁ ଯେତିକି ଦେଖିଛୁ ଆତ୍ମାକୁ। ଗାଁକୁ ଥରେ ଯାଇ ଦେଖନ୍ତୁ, ଶିରାରେ ଶିରାରେ ତା’ର ଏବେ ବି ଭରି ରହିଛି ଭ୍ରାତୃଚେତନାର ଆତ୍ମସୂତ୍ର।