‘ରାମାୟଣ’ର ‘କିସ୍କିନ୍ଧା-କାଣ୍ଡ’ରେ ଋଷ୍ୟମୂକ ପର୍ବତର ଉଲ୍ଲେଖ ମିଳେ। ତାହାର ବର୍ଣ୍ଣନା ଅନୁସାରେ, ଏହି ପର୍ବତ ଭକ୍ତ ଓ ଭଗବାନ, ଯଥା- ରାମ ଓ ହନୁମାନଙ୍କର ପ୍ରଥମ ମିଳନସ୍ଥଳ ଥିଲା। ତେଣୁ ରାମ ଓ ହନୁମାନଙ୍କର ପାବନ ପଦପାତ ହେତୁ ଏହି ପର୍ବତର ପ୍ରତ୍ୟେକ ଶିଳା ରାମଭକ୍ତମାନଙ୍କ ପାଇଁ ଶାଳଗ୍ରାମ ସଦୃଶ।
କର୍ଣ୍ଣାଟକ ପ୍ରଦେଶର ବିଜୟନଗର ଜିଲାର ମନ୍ଦିରମାଳିନୀ ନଗରୀ ‘ହାମ୍ପି’ଠାରୁ ପ୍ରାୟ ଦଶ ବାର କିଲୋମିଟର ଦୂର ତୁଙ୍ଗଭଦ୍ରା ନଦୀ ମଧ୍ୟରେ ଏହି ପର୍ବତ ବିଦ୍ୟମାନ। ଏକ ଧନୁ ଆକାରରେ ତୁଙ୍ଗଭଦ୍ରା ଏହାକୁ ବେଷ୍ଟନ କରିଛି। ‘ରାମାୟଣ’ର ବର୍ଣ୍ଣନା ଅନୁସାରେ, କିସ୍କିନ୍ଧା (ଆଧୁନିକ ନାମ ହାମ୍ପି)ରେ ବାନରରାଜା ବାଳୀ ରାଜତ୍ୱ କରୁଥିଲେ। ଏବଂ ତାର ନିକଟବର୍ତ୍ତୀ ପମ୍ପା ସରୋବର (ଯାହା ସଂପ୍ରତି ତୁଙ୍ଗଭଦ୍ରା ନଦୀ ଭାବରେ ପରିଚିତ)ର ତଟ ଦେଶରେ ଋଷ୍ୟମୂକ ପର୍ବତରେ ମାତଙ୍ଗ ମୁନିଙ୍କର ଆଶ୍ରମ ଥିଲା। ଏକଦା ବାଳୀ ଓ ଦୁନ୍ଦୁଭି ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହେବାରୁ, ବାଳୀ ଦୁନ୍ଦୁଭିକୁ ମାରି ତାର ମୃତ ଶରୀରକୁ ଏକ ଯୋଜନ ଦୂରକୁ ଫିଙ୍ଗିଦେଲା। ସେହି ରାକ୍ଷସର ରକ୍ତଛିଟା ମାତଙ୍ଗ ମୁନିଙ୍କ ଆଶ୍ରମରେ ପଡ଼ିବାରୁ, ମାତଙ୍ଗମୁନି ବାଳୀକୁ ଅଭିଶାପ ଦେଇଥିଲେ- ସେ ଯଦି କେବେ ବି ଋଷ୍ୟମୂକ ପର୍ବତର ମାଟି ସ୍ପର୍ଶ କରେ, ତେବେ ତା’ର ମୃତ୍ୟୁ ହେବ। ଏହାର ସୁଯୋଗ ନେଇ, ବାଳୀ ଦ୍ୱାରା ନିର୍ଯ୍ୟାତିତ ହେବାରୁ ସୁଗ୍ରୀବ ଋଷ୍ୟମୂକରେ ହନୁମାନଙ୍କ ସହିତ ଆଶ୍ରୟ ନେଇଥିଲେ। ସୀତାଙ୍କ ଅନ୍ୱେଷଣରେ ଆସି ରାମ ଋଷ୍ୟମୂକରେ ପହଞ୍ଚିବା ପରେ, ରାମଙ୍କ ସହିତ ହନୁମାନଙ୍କର ସାକ୍ଷାତ ହୋଇଥିଲା। ସୁଗ୍ରୀବଙ୍କ ସହିତ ରାମଙ୍କର ମିତ୍ରତା ହେବା ଫଳରେ ରାମ, ହନୁମାନ, ସୁଗ୍ରୀବ ଆଦିଙ୍କ ସହଯୋଗରେ ରାବଣ ସହିତ ଯୁଦ୍ଧର ଭିତ୍ତିଭୂମି ଏହିଠାରେ ସ୍ଥାପିତ ହେଲା। ସୀତାଙ୍କର ମଥାମଣିକୁ ସୁଗ୍ରୀବ ଯେଉଁ ଗୁମ୍ଫାରେ ସାଇତି ରଖିଥିଲେ ଓ ରାମଙ୍କୁ ଦେଖାଇଥିଲେ, ତାହା ଆଜି ମଧ୍ୟ ସଂରକ୍ଷିତ ହୋଇ ରହିଛି।
ପମ୍ପା (ପାର୍ବତୀ) ଏହି ସରୋବରରେ ତପସ୍ୟା କରି ବିରୂପାକ୍ଷଙ୍କୁ ପ୍ରାପ୍ତ ହୋଇଥିବାରୁ, ଆଜି ପମ୍ପା (ତୁଙ୍ଗଭଦ୍ରା)ର ଜଳକୁ ପବିତ୍ର ରୂପେ ଗ୍ରହଣ କରାଯାଏ। ଏଠାରେ ମାତଙ୍ଗ ଆଶ୍ରମ, ଶବରୀ ଗୁମ୍ଫା, ସୁଗ୍ରୀବ ଗୁମ୍ଫା, ଅଂଜନେନ୍ଦ୍ରୀ (ଯେଉଁଠାରେ ହନୁମାନ ଜନ୍ମ ହୋଇଥିଲେ) ଆଦି ରହିଛି। ରାବଣବଧ ନିମିତ୍ତ ଏଠାରେ ହଜାର ହଜାର ତପସ୍ୱୀ ନିରବ ପ୍ରାର୍ଥନା କରୁଥିବାରୁ ଏହି ପର୍ବତର ନାମ ଋଷ୍ୟମୂକ ହୋଇଥିବା ଜଣାଯାଏ। ଏକାଧିକ ବାର ରାମ ଏହି ପର୍ବତକୁ ଗମନ କରିଥିବାରୁ ଏହା ରାମଭକ୍ତମାନଙ୍କର ଏକ ପବିତ୍ର ତୀର୍ଥସ୍ଥଳୀ।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/654fsh65sfhhfshfs.jpg)