ନୂଆଦିଲ୍ଲୀ: କର୍କଟ ଏକ ଏପରି ରୋଗ; ଯାହାର ନାଁ ଶୁଣିଲେ ବି ଲୋକଙ୍କ ଭିତରେ ଛନ୍କା ପଶିଯାଏ। ପରିବାର କିମ୍ବା ବନ୍ଧୁବାନ୍ଧବରେ କାହାକୁ କର୍କଟ ହୋଇଗଲେ ଲୋକେ ଈଶ୍ବରଙ୍କୁ ଡାକିବା ଛଡ଼ା ଆଉ କିଛି ଉପାୟ ନଥାଏ। ଅବଶ୍ୟ କର୍କଟ ପାଇଁ ଔଷଧ ଅଛି। ହେଲେ ଅନେକ ଲୋକ ଯେ ଚିକିତ୍ସା ସତ୍ତ୍ବେ ପ୍ରାଣ ହରାଉଛନ୍ତି; ତାହା ସତ୍ୟ।
ଏହାରି ଭିତରେ ଆଶାର କିରଣ ସୃଷ୍ଟି କରିଛି ରୁଷିଆ। ଏବେ ରୁଷିଆର ଫେଡେରାଲ୍ ମେଡିକାଲ୍ ଆଣ୍ଡ୍ ବାୟୋଲୋଜିକାଲ୍ ଏଜେନ୍ସି (ଏଫ୍ଏମ୍ବିଏ))ର ଦାବି 'ଡର୍ କେ ଆଗେ ଜିତ୍ ହୈ' କଥାକୁ ପ୍ରମାଣିତ କରୁଥିବା ପରି ମନେହେଉଛି।
ଯଦିଓ ଅନେକ ପ୍ରକାରର କର୍କଟ ରୋଗ ଅଛି। ମାତ୍ର ଏଫ୍ଏମ୍ବିଏ ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା କହିଛନ୍ତି ଯେ କୋଲନ୍ କର୍କଟ ଟିକା ସଫଳତାର ସହ ପ୍ରିକ୍ଲିନିକାଲ୍ ପରୀକ୍ଷଣ ସମାପ୍ତ କରିଛି। ପରୀକ୍ଷଣ ସମୟରେ ସୁରକ୍ଷା ଏବଂ ପ୍ରଭାବ ଉଭୟ ଦୃଷ୍ଟିରୁ ଏହାର କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି, କୋଲନ୍ କର୍କଟ ପାଇଁ ରୁଷିଆର ଟିକା ଏବେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
କୋଲନ କର୍କଟ କ’ଣ?
କୋଲନ କର୍କଟକୁ କୋଲୋରେକ୍ଟଲ୍ କର୍କଟ ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର କର୍କଟ ଯାହା କୋଲନ (ଅନ୍ତନଳୀ)ର ଟିସୁରୁ ଆରମ୍ଭ ହୁଏ। ଏହା ସେତେବେଳେ ହୁଏ ଯେତେବେଳେ କୋଲନର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇବା ଏବଂ ବିଭାଜିତ ହେବା ଆରମ୍ଭ କରନ୍ତି। କୋଲନ ଭିତରେ ପଲିପ୍ (ଗଣ୍ଠି) ତିଆରି କରନ୍ତି। ଯାହା ସମୟ ସହିତ କର୍କଟ ରୋଗରେ ପରିଣତ ହୁଏ। ଏହାର ଲକ୍ଷଣଗୁଡ଼ିକ ମଳରେ ରକ୍ତ କିମ୍ବା ଅନ୍ତନଳୀ ଅଭ୍ୟାସରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ।
ବ୍ୟବହାର ପାଇଁ ପ୍ରସ୍ତୁତ
ରୁଷର ପ୍ରମୁଖ ସମ୍ବାଦ ସଂସ୍ଥା 'ଟିଏଏସ୍ଏସ୍'ର ଏକ ରିପୋର୍ଟ ଅନୁଯାୟୀ, "ଏହି ଗବେଷଣା ଅନେକ ବର୍ଷ ଧରି ଚାଲିଥିଲା, ଯାହା ମଧ୍ୟରୁ ଗତ ତିନି ବର୍ଷ ବାଧ୍ୟତାମୂଳକ ପ୍ରିକ୍ଲିନିକାଲ୍ ଅଧ୍ୟୟନ ପାଇଁ ଉତ୍ସର୍ଗୀକୃତ ଥିଲା। ଏହି ଟିକା ଏବେ ବ୍ୟବହାର ପାଇଁ ପ୍ରସ୍ତୁତ। ଏବେ ସରକାରୀ ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି।"
ସେ କହିଛନ୍ତି ଯେ ପ୍ରିକ୍ଲିନିକାଲ୍ ଫଳାଫଳଗୁଡ଼ିକ ନିଶ୍ଚିତ କରିଛି ଯେ ଏହି ଟିକା ସୁରକ୍ଷା ଏବଂ ଉଲ୍ଲେଖନୀୟ ପ୍ରଭାବ ଦୃଷ୍ଟିରୁ ବହୁତ ପ୍ରଭାବଶାଳୀ। ଏହି ଟିକାର ବାରମ୍ବାର ବ୍ୟବହାର ପରେ ମଧ୍ୟ, କୌଣସି (କ୍ଷତିକାରକ) ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ।