ରୁଷିଆର ଦକ୍ଷିଣପୂର୍ବ ସାଇବେରିଆ ଅନ୍ତର୍ଗତ ଇର୍କୁତ୍ସ୍କ ଅଞ୍ଚଳରେ ଦେଖାଯାଇଥିବା ଏକ ବିଶାଳ ଚୂନପଥର ସ୍ତୂପ ପର୍ଯ୍ୟଟକ ତଥା ଗବେଷକମାନଙ୍କ ପାଇଁ ରହସ୍ୟମୟ ହୋଇ ରହିଛି। ଏହି ସ୍ତୂପର ଶୀର୍ଷଭାଗଟି ଏକ ଗର୍ତ୍ତ ସଦୃଶ ହୋଇଥିବା ବେଳେ ଏହାର କେନ୍ଦ୍ରରେ ଏକ କ୍ଷୁଦ୍ର ଗମ୍ବୁଜ ଆକାରର ବସ୍ତୁ ରହିଛି। ସମଗ୍ର ସ୍ତୂପଟିର ଭୂଭାଗ ୧୦୦ ମିଟର ବ୍ୟାସ ବିଶିଷ୍ଟ ହୋଇଥିବା ବେଳେ ତାହାର ଉଚ୍ଚତା ପ୍ରାୟ ୪୦ ମିଟର ରହିଛି। ସେହିପରି ଶୀର୍ଷରେ ରହିଥିବା କ୍ଷୁଦ୍ର ଗମ୍ବୁଜଟିର ଉଚ୍ଚତା ୧୨ ମିଟର ହେବ। ନିକଟରେ ପ୍ରବାହିତ ଏକ ନଦୀର ନାମ ଅନୁସାରେ ତାହାକୁ ପତୋଁସ୍କି ଗର୍ତ୍ତ ଭାବେ ନାମିତ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ତାହାକୁ ‘ଉଗ୍ର ଛଞ୍ଚାଣର ବସା’ ଭାବେ ସମ୍ବୋଧନ କରିଥା’ନ୍ତି। ୧୯୪୯ରେ ଭୂତତ୍ତ୍ବବିତ୍ ବାଦିମ୍ କୋଲ୍ପାକୋଭ୍ଙ୍କ ଦ୍ବାରା ଏହା ଆବିଷ୍କୃତ ହେଲା ପରଠାରୁ ଏହାର ସୃଷ୍ଟି ସମ୍ପର୍କରେ ନାନା ତତ୍ତ୍ବ ଆସିବାରେ ଲାଗିଛି। ଭୂପୃଷ୍ଠରେ କୌଣସି ବିଶାଳ ଉଲ୍କାପିଣ୍ଡର ଧକ୍କା ଯୋଗୁଁ ଏପରି ଗର୍ତ୍ତ ହୋଇଥାଇପାରେ ବୋଲି ଦୀର୍ଘ ଦିନ ଧରି ଗ୍ରହଣ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ଉଲ୍କାପିଣ୍ଡ ପଡ଼ିଥିବା ଅନ୍ୟ କୌଣସି ସ୍ଥାନ ସହ ଏହାର ସାମଞ୍ଜସ୍ୟ ନାହିଁ। ସେହିପରି କେହି କେହି ଏହାକୁ କୌଣସି ଆଗ୍ନେୟ ଉଦ୍ଗିରଣର ଅବଶେଷ ବୋଲି ମତ ରଖିଛନ୍ତି। ମାତ୍ର ଉକ୍ତ ସ୍ତୂପରେ କୌଣସି ଆଗ୍ନେୟ ବସ୍ତୁର ସତ୍ତା ନାହିଁ। ଅପରପକ୍ଷେ, ଉକ୍ତ ଗର୍ତ୍ତରେ ବୃଦ୍ଧି ପାଉଥିବା ବୃକ୍ଷଗୁଡ଼ିକର ଗଣ୍ଡିକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରି ତାହାର ସୃଷ୍ଟି ୨୫୦ ବର୍ଷ ତଳେ ହୋଇଥିବା ଜଣାଯାଏ। ରୋଚକ କଥା ହେଲା, ଉକ୍ତ ବୃକ୍ଷଗୁଡ଼ିକର କିଛି ସମୟ ପାଇଁ ତ୍ବରିତ ବୃଦ୍ଧି ହୋଇଥିବା ଜଣାଯାଇଛି, ଯେପରି ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା ପରେ ସେଠାରେ ବୃକ୍ଷଗୁଡ଼ିକର ଅବିଶ୍ବସନୀୟ ବୃଦ୍ଧି ଘଟିଥିଲା। ସୁତରାଂ ସେଠାରେ କୌଣସି ଆଣବିକ ଜାଳେଣି ସଂପନ୍ନ ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍ଓ) ପୋତି ହୋଇଥିବା କେହି କେହି ଅନୁମାନ କରୁଛନ୍ତି। ମାତ୍ର ସେଠାରେ ସେଭଳି କୌଣସି ବସ୍ତୁର ଧ୍ବଂସାବଶେଷ ମିଳିନାହିଁ। ତେଣୁ ବର୍ତ୍ତମାନ ସୁଦ୍ଦା ଏହାର ସୃଷ୍ଟି ପଛରେ କୌଣସି ନିଶ୍ଚିତ ସିଦ୍ଧାନ୍ତ ଆସିପାରିନାହିଁ।