୩୦ ବର୍ଷରେ ହରାଇନଥିବା ଅସ୍ତ୍ର ୧୩ ଦିନରେ ହରାଇଲା ରୁଷ୍‌: ଜେଲେନସ୍କି

ନୂଆଦିଲ୍ଲୀ: ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୩ଦିନରେ ପହଞ୍ଚିଲାଣି, ହେଲେ ବାହାରିପାରିନି ସମାଧାନର ବାଟ। ତୃତୀୟ ରାଉଣ୍ଡ ଆଲୋଚନା ପରେ ବି ସ୍ଥିତିରେ ସୁଧାର ଆସିନଥିବା ସହ ରୁଷ୍ ଆକ୍ରମଣ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏକ ବଡ ଦାବି କରିଛନ୍ତି।

ଜେଲେନସ୍କି କହିଛନ୍ତି ଯେ, ରୁଷ୍‌ ୩୦ ବର୍ଷ ମଧ୍ୟରେ ଯେତିକି ଅସ୍ତ୍ର ହରାଇନଥିଲା ସେତିକି ଅସ୍ତ୍ରଶସ୍ତ୍ର ଏହି୧୩ ଦିନର ଯୁଦ୍ଧରେ ହରାଇଛି। ଏହି ଯୁଦ୍ଧ ପାଇଁ ରୁଷ୍‌ ସର୍ବାଧିକ କ୍ଷତି ସହିଛି। ଏପର୍ଯ୍ୟନ୍ତ ୧୨ହଜାରରୁ ଅଧିକ ରୁଷ ସୈନିକଙ୍କ ପ୍ରାଣହାନୀ ଘଟିଛି। ତେବେ ୟୁକ୍ରେନର ଏହି ଦାବିକୁ ରୁଷ ପ୍ରତ୍ୟାଖ୍ୟାନ କରିଛି।

ଏହା ପୂର୍ବରୁ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରି ନିଜର ଅବସ୍ଥାନ(ଲୋକେସନ୍‌) ସେୟାର୍‌ କରିଥିଲେ। ସେ ଏଥିରେ ଉଲ୍ଲେଖ କରିଥିଲେ ଯେ, ‘ମୁଁ ଲୁଚିନାହିଁ କି ମୁଁ କାହାକୁ ଭୟ କରୁ ନାହିଁ। ମୁଁ କିବ୍‌ର ବ୍ୟାଙ୍କୋବା ରାସ୍ତାରେ ରହୁଛି।’

ସେ ଆହୁରି ବି କହିଥିଲେ ଯେ ‘ଆଜି ଆମ ସଂଗ୍ରାମର ଦ୍ବାଦଶ ସଂଧ୍ୟା। ଆମେ ସମସ୍ତେ କିବ୍‌ରେ ଅଛୁ ଓ କାମ କରୁଛୁ। ମୋ ଦଳ ମୋ ସହ ଅଛନ୍ତି।’ ଏହା ବ୍ୟତୀତ ରୁଷ୍‌ ସହ ଯୁଦ୍ଧ ମୁକାବିଲା କରିଥିବାରୁ ସେ ୟୁକ୍ରେନର ସେନା ବାହିନୀକୁ କୃତଜ୍ଞତା ଜଣାଇଥିଲେ। ଏହି ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି ସେ ତାଙ୍କର ବିଶ୍ବାସ ପ୍ରକଟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ରୁଷ୍ର‌ ରାଷ୍ଟ୍ରପତି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହି ଯୁଦ୍ଧ ହେବା ପରଠାରୁ ପ୍ରାୟ ୩୩୦ରୁ ଊର୍ଦ୍ଧ୍ବ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୧.୫ ମିଲିୟନ୍‌ରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଳାଇଛନ୍ତି।

ସମ୍ବନ୍ଧିତ ଖବର